Unknown

 

 

 

 

 

 

ବଉଳା ଚରିତ

ରାମଗାଥା

ରାଜା ଗୋବିନ୍ଦଚନ୍ଦ୍ର ଭଞ୍ଜ ଦେଓ

 

ଭୂମିକା

      ବଉଳାଚରିତ ଖଣ୍ଡିଏ ଛୋଟ ଉପାଖ୍ୟାନ ପୁସ୍ତକ । ଓଡ଼ିଶାର ଚାରଣସ୍ଥାନୀୟ ନାଥମାନେ ଏହି ଉପାଖ୍ୟାନଟିକୁ ଆବୃତ୍ତି କରି ଭିକ୍ଷା କରିଥାନ୍ତି । ଉତ୍କଳର ପୁରପଲ୍ଲୀବାସୀ ସମସ୍ତେ ପିଲାଦିନୁଁ ଅଳ୍ପେ ବହୁତେ କେନ୍ଦରାବାଦକ ନାଥମାନଙ୍କ ମୁଖରୁ ଏହା ଶୁଣିଥିବେ । ଆଜିକାଲି ତଥା କଥିତ ଉନ୍ନତ ଶିକ୍ଷାର ପ୍ରଭାବରେ ବଉଳାଚରିତ ପରି ଧର୍ମନୀତି ଶିକ୍ଷା ସମ୍ବଳିତ ଉପାଖ୍ୟାନମାନ ଆଉ ପ୍ରାପ୍ତବୟସ୍କ ଶିକ୍ଷିତ ସମାଜରେ ଆଦୃତ ଓ ଆଲୋଚିତ ହେଉ ନାହିଁ । କାରଣ ନବ୍ୟମାନେ ପ୍ରାୟଶଃ ଶୃଙ୍ଗାରରସାତ୍ମକ ରଚନାକୁ କାବ୍ୟ ଆଖ୍ୟା ଦେଇଛନ୍ତି । ତେଣୁ (ତାଙ୍କ ମତରେ) ଅନ୍ୟାନ୍ୟ ନୀରସ କାବ୍ୟ ପାଠ କରିବା ପ୍ରବୃତ୍ତି ସେମାନଙ୍କର ନୋହିବା ସ୍ୱାଭାବିକ । ଏତିକିରେ ସେମାନେ ନିବୃତ୍ତ ନୁହନ୍ତି । ଏହି ନୀତି ଓ ନିବୃତ୍ତମାର୍ଗର ପ୍ରଚାରକ ନାଥବର୍ଗଙ୍କ ପ୍ରତି ଆଳସ୍ୟର ଦ୍ୱାହି ଦେଇ ଉତ୍କଟ ଅନାସ୍ଥା ପ୍ରଦର୍ଶନ କରିଥାନ୍ତି । ଫଳତଃ ଆଜିକାଲି କୃଷିଜୀବୀ ପ୍ରଧାନ ଉତ୍କଳ-ବାସୀର ବର୍ଣ୍ଣଜ୍ଞାନହୀନା ଗୃହଜଞ୍ଜାଳରେ ସର୍ବଦା ଉପଦୃତା ସ୍ୱଳ୍ପାବସରା ରମଣୀମାନେ ଏଥିରୁ ବଞ୍ଚିତ ହେଲେଣି । ପକ୍ଷାନ୍ତର ପୌରାଙ୍ଗନମାନେ ସ୍କୁଲ କଲେଜରୁ ଉର୍ତ୍ତୀର୍ଣ୍ଣ ହୋଇ ଯୁଗରୁଚିର ଅନୁକୂଳ ପ୍ରେମ-କାହାଣୀମୟ ଉପନ୍ୟାସ ପାଠରେ ମନୋନିବେଶ କରୁଥିବାରୁ ଉକ୍ତ ନୀତି-ନିବୃତ୍ତିମୟ ଉପାଖ୍ୟାନମାନ ସର୍ବଦା ଅବହେଳିତ ହୋଇ ହୋଇଅଛି । ବାସ୍ତବିକ ରାଜସୁତାନାର ଚାରଣମାନେ ଯେପରି ବୀରସାତ୍ମକ ଦେଶର ଓ ଜାତିର ଐତିହ୍ୟ ଗାନକରି ରାଜପୁତମାନଙ୍କ ଉତ୍ସାହ-ପ୍ରଦୀପରେ ସ୍ନେହସଂଯୋଗ କରୁଥିଲେ, ୰ଜଗନ୍ନାଥଙ୍କ ଅଧିଷ୍ଠିତ ଉତ୍କଳର ଚାରଣସ୍ଥାନୀୟ ନାଥମାନେ ସେହିପରି ବିଶିକେଶନ, ବଉଳାଚରିତ, ଲକ୍ଷ୍ମୀ ପୁରାଣ, ଗୋବିନ୍ଦଚନ୍ଦ୍ର ପ୍ରଭୃତି ତ୍ୟାଗ, ସତ୍ୟ, ଅହିଂସା,ସାମ୍ୟ, ମୈତ୍ରୀ, ସଦାଚାର ଓ ବୈରାଗ୍ୟମୟ ଉପାଖ୍ୟାନମାନ ଗାନକରି ଉତ୍କଳର ବୌଶିଷ୍ଠ୍ୟ ରକ୍ଷାକରି ଥିଲେ । ରାଜପୁତାନାର ଚାରଣଗୀତ ପ୍ରଧାନତଃ ପୁରୁଷମାନଙ୍କ ପ୍ରତି ଉଦ୍ଦିଷ୍ଠ ଥିଲା । କିନ୍ତୁ ଉତ୍କଳ ଚାରଣମାନଙ୍କର ଗୀତ ଗାର୍ହସ୍ଥ୍ୟାଶ୍ରମର ସାର୍ବଭୌମାଧିକାରିଣୀ କୁଳାବଳାମାନଙ୍କର ଦୃଦୟ-ପରିଶୁଦ୍ଧ ପାଇଁ ଉଦ୍ଦିଷ୍ଟ ହୋଇଥିଲା । ପ୍ରାଚୀନ ଉତ୍କଳର ଏବଂ ବିଧ ଧର୍ମାନୁମୋଦିତ ସମାଜଶୃଙ୍ଖଳା ଦେଖି ପ୍ରବଳପ୍ରତାପ ଆକବରଙ୍କ ପ୍ରଧାନ ସେନାନୀ ମାନସିଂହ ପୁଣ୍ୟଭୂମି ଉତ୍କଳ ଶତ୍ରୁର ଆକ୍ରମଣଯୋଗ୍ୟ ନୁହେଁ ବୋଲି ଦିନେ ଗମ୍ଭୀର ସ୍ୱରରେ ଘୋଷଣା କରିଥିଲେ ।

      ଉତ୍କଳରେ ଉକ୍ତ ପ୍ରକାର ଲୋକଶିକ୍ଷାର ପ୍ରବର୍ତ୍ତନ ଜଗନ୍ନାଥ, ବଳରାମ ପ୍ରଭୃତି ଭକ୍ତକବିମାନଙ୍କର ସମୟରେ ପରିପୃଷ୍ଟି ଲାଭ କରିଥିଲା । ନାଥମାନଙ୍କରଦ୍ୱାରା ଗୀତ ହେଉଥିବା ଉପଖ୍ୟାନମାନ ମୁଖ୍ୟତଃ ବଳରାମ ପ୍ରଭୃତିଙ୍କ ରଚିତ । ବାସ୍ତବରେ ଉତ୍କଳ ସାହିତ୍ୟ ଏହି ମହାପୁରୁଷମାନଙ୍କ ଅମଳରେ ସର୍ବତୋମୁଖ ଓ ସାର୍ବଜନୀନ ହୋଇ ପାରିଥିଲା । ଏମାନଙ୍କର ଆର୍ବିଭାବ ପୂର୍ବରୁ, ବୋଧହୁଏ, ଏବେ ସୁଦ୍ଧା ଚକୁଳିଆପଣ୍ଡାମାନେ ଯେଉଁପରି ଦାନପ୍ରଶଂସାତ୍ମକ ଗଦ୍ୟଗୀତିକା ଗାନକରି ଭୈକ୍ଷ୍ୟ ସଂଗ୍ରହ କରୁ ଅଛନ୍ତି, ନାଥମାନେ ତାଦୃଶ କୌଣସି ଗଦ୍ୟଗୀତିକାମାନେ ଗାନକରି ଭିକ୍ଷା ସଂଗ୍ରହ କରୁଥିବେ । ସେଗୁଡ଼ିକ କର୍ଣ୍ଣପ୍ରୀତିକର ପଦ୍ୟସୃଷ୍ଟି ଫଳରେ ଅଧୁନା ଅନ୍ତର୍ହିତ ହୋଇଅଛନ୍ତି ।

      ଉପରେ ଏହି ଯେ ଆଲୋଚନା କରାଗଲା, ତାହା ପ୍ରକୃତ ପ୍ରସ୍ତାବରେ ଅବାନ୍ତ ବୋଲି ପ୍ରତୀକ ହେଲେ ସୁଦ୍ଧା ଏକାବେଳେ ବିଷୟସଂପର୍କଶୁନ୍ୟ ନୁହେଁ । କାରଣ ତତ୍କାଳରେ ଆଜିକାଲି ପରି ମୁଦ୍ରାଯନ୍ତ୍ର ସାହାର୍ଯ୍ୟରେ ପ୍ରଚାରପଦ୍ଧତି ପ୍ରଚଳିତ ନ ଥିବାରୁ, ବହୁଳ ଭାବେ, ପ୍ରଚାରଯୋଗ୍ୟ କବିତାମାନେ ଏହିରୂପେ ତୁଣ୍ଡେ ତୁଣ୍ଡେ ଦେଶତମାମ ବ୍ୟାପି ପାରିବାର ବିଧାନ କରାଯାଇଥିଲା । ତେଣୁ ନାଥମାନେ ସମାଜର ଭାର ରୂପେ ବିବେଚିତ ନ ହୋଇ ପ୍ରତ୍ୟୁତ ତିନୀଶିକ୍ଷକ ରୂପେ ଆଦୃତ ହେଉଥିଲେ । ସେ ଚିତ୍ର ବର୍ତ୍ତମାନ ଓଲଟିଛି ।

ଓଡ଼ିଆ ସାହିତ୍ୟରେ ତିନିଖଣ୍ଡ ବଉଳାବିଷୟକ ଉପାଖ୍ୟାନର ନାମ ଶୁଣାଯାଏ । ସେଥି ମଧ୍ୟରୁ ଜଗନ୍ନାଥ ଓ ବଳରମଙ୍କ ପୁସ୍ତକର ନାମ ବଉଳା ଅଧ୍ୟାୟ । ତୃତୀୟ ଖଣ୍ଡି ରାଜା ଗୋବିନ୍ଦ ଭଞ୍ଜଙ୍କର । ଏହାର ନାମ ବଉଳାଚରିତ । ଏହାର ମୂଳ ବସ୍ତୁ ଇତିହାସ-ସମୁଚ୍ଚୟ ନାମକ ସଂସ୍କୃତ ଗ୍ରନ୍ଥରୁ ଗୃହୀତ ହୋଇଥିବା କଥା ଗୋବିନ୍ଦଭଞ୍ଜ ଲେଖିଅଛନ୍ତି ।

ସେ କହିଛନ୍ତି-

“ଇତିହାସେ ବଉଳା ବ୍ୟାଘ୍ର ସମ୍ୱାଦ ବାଣୀ

ଭାଷାରେ ରାଜା ଗୋବିନ୍ଦ ପ୍ରକାଶିଲେ ଆଣି ।”

 

      ବଳରାମଙ୍କ ବଉଳା ଅଧ୍ୟାୟରେ ଏପରି କୌଣସି କଥା ଉକ୍ତ ହୋଇନାହିଁ । ବଉଳାର ପାଳକ, ସ୍ୱାମୀ ଓ ଦେଶ ପ୍ରଭୃତିର ନାମ ଉଭୟ ପୁସ୍ତକରେ ଭିନ୍ନ ଭିନ୍ନ ହେଲେ ସୁଦ୍ଧା, ସତ୍ୟ ଓ ଅହିଂସାର ମହିମା ପ୍ରକଟିତ କରିବା ଉଭୟ ପୁସ୍ତକର ଲକ୍ଷ୍ୟ । ଏହି ଲକ୍ଷ୍ୟକୁ ପ୍ରତିପାଦନ କରିବାକୁ ଯାଇ ଗୋବିନ୍ଦ ସପକ୍ଷ ଓ ବିପକ୍ଷଗତ ନାନା ଯୁକ୍ତି ଦେଖାଇ ଶେଷରେ ସତ୍ୟର ଜୟ ଜୟକାର ପ୍ରଚାର କରିଛନ୍ତି । ତାହା ଫଳରେ ଅହିଂସା କିପରି ନିଜେ ଆସିଥାଏ, ତାହା ମଧ୍ୟ ଦେଖାଇ ଦେଇଛନ୍ତି ।

 

ଏଥିରେ ପ୍ରଥମସୂତି ଧେନୁର ସନ୍ତାନବାତ୍ସଲ୍ୟ, ବାଳ ସନ୍ତାନର ମାତୃଭକ୍ତି, ପୁତ୍ରବାନର ଭାଗ୍ୟ, ଅପୁତ୍ରକର ଦୁଃଖ ଯେ କୌଣସି ଉପାୟରେ ଶରୀରର ରକ୍ଷାକୁ ପରମ ଧର୍ମ ବୋଲି ମନେ କରିଥିବା ନୀତିଜ୍ଞମାନଙ୍କ ଯୁକ୍ତିକୁ ଉପେକ୍ଷା କରି ବଉଳା ଧେନୁର ଦୃଢ ସତ୍ୟାଗ୍ରହ, ତତ୍‍ଫଳରେ ଚିରତ୍ରୁର ବ୍ୟାଘ୍ରର ପାଷାଣ-ପୁରୁଷ-ହୃଦୟରେ ଦ୍ରବୀଭାବ ଓ ଅହିଂସାଚରଣ ପ୍ରଭୃତି ମହନୀୟ ଭାବରାଜି ଅତି ସହଜ ଭାଷାରେ ବର୍ଣ୍ଣିତ ହୋଇଛି ।

      ଏଥିରେ ପ୍ରଯୁକ୍ତ ଭାଷା ସ୍ଥାନେ ସ୍ଥାନେ ବ୍ୟାକରଣଦୃଷ୍ଟ ଅଟେ । ପ୍ରାୟ ସାଢେ ଚାରିବର୍ଷ ତଳେ ଅର୍ଥାତ୍ ଓଡ଼ିଆ ସାହିତ୍ୟରେ ପୌଗଣ୍ଡ ଅବସ୍ଥାରେ ରଚିତ ଏହି କାବ୍ୟରେ ଏ ପ୍ରକାର ଅଶୁଦ୍ଧି ରହିବା ଯେ ଅତି ସ୍ୱାଭାବିକ, ଏଥିରେ କେହି ଅମତ ହେବେ ଅମତ ନାହିଁ ।

      ନିମ୍ନରେ କେତୋଟି ନୀତିର ସଂସ୍କୃତ ଏଠାରେ ଦିଆଗଲା । ପାଠକ ମହୋଦୟ ଅନୁସନ୍ଧାନ କଲେ ତାହାର ଅନୁବାଦ ଏହି ପୁସ୍ତକରେ ପାଇ ପାରିବେ ।

ବୃକ୍ଷ କ୍ଷୀଣଫଳଂ ତ୍ୟଜନ୍ତି ବିହଗାଃ ଶୁଷ୍କ ସରଃ ସାରସାଃ

ପୁଷ୍ପଂ ପର୍ଯ୍ୟଷିତଂ ତ୍ୟଜନ୍ତି ମଧୁପା ଦଗ୍‍ଧଂ ବନାନ୍ତଂ ମୃଗାଃ ।

ନିଦ୍ରବ୍ୟଂ ପୁରୁଷଂ ତ୍ୟଜନ୍ତି ବନିତା ଭ୍ରଷ୍ଟଶ୍ରିୟଂ ମନ୍ତ୍ରିଣଃ

ସର୍ବେ ଚାର୍ଥବଶା କନା ନରପତେ କସ୍ୟାସ୍ତି କୋ ବଲ୍ଲଭଃ ।

ନ ଭୂତାନାମହିଂସାୟା ଜ୍ୟାୟାନ୍ ଧର୍ମୋଽସ୍ତି କଶ୍ଚନଃ

ଲୋକେ ଯଃ ସର୍ବଭୂତେଭ୍ୟା ଦଦାତ୍ୟଭୟଦକ୍ଷିଣାଂ,

ସ ସର୍ବ ଯଜ୍ଞୈ ରିଜାନଃ ପ୍ରାପୋତ୍ୟଭୟଦକ୍ଷିଣାଂ ।

 

ବିବାହକାଳେ ରତିସଂପ୍ରୟୋଗେ, ପ୍ରାଣତ୍ୟୟେ ସର୍ବଧନାପହାରେ ।

ବିପସ୍ୟ ଚାର୍ଥେଽପ୍ୟନୃତଂ ବଦେୟୁଃ ପଞ୍ଚାନୁତାନ୍ୟାହୁରପାତକାନି ।।

ନଦୀନାଂ ଚ ନଖିନାଂ ଚ ଶୃଙ୍ଗିଣାଂ ଶସ୍ତ୍ରପାଣୀନାଂ

ବିଶ୍ୱାସୋ ନ ହି କର୍ତ୍ତବ୍ୟଃ ସ୍ତ୍ରୀଷୁ ରାଜକୁଳେଷୁ ଚ ।

ଗାବୋ ଗନ୍ଧେନ ପଶ୍ୟନ୍ତି ବେଦୈଃ ପଶ୍ୟନ୍ତି ପଣ୍ଡିତାଃ

---------------------------------------------

ନଗଣସ୍ୟାଗ୍ରତୋ ଗଚ୍ଛେତ୍ ସିଦ୍ଧେ କାର୍ଯ୍ୟେ ସମଂ ଫଳଂ

ଯଦି କାର୍ଯ୍ୟେ ବିପତ୍ତିଃ ସ୍ୟାନ୍ମୁ ଖରସ୍ତତ୍ର ହନ୍ୟତେ ।

ଏକ ଏବ ସୁହୁଦ୍ଧର୍ମୋ ନିଧନେଽପ୍ୟନୁଯାତି ଯଃ

ଶରୀରେଣ ସମଂ ନାଶଂ ସରବମନ୍ୟତ୍ତୁ ଗୁଚ୍ଛତି ।

ଏବଂ ହି ଭାଷତେ ଲୋକଶ୍ଚନ୍ଦନଂ କିଳ ଶୀତଳଂ

ପୁତ୍ରଗାତ୍ରସ୍ୟ ସଂସ୍ପର୍ଶଶ୍ଚନ୍ଦନାଦତିରଚ୍ୟତେ ।

ଜାତସ୍ୟ ହି ଧ୍ରୁବୋ ମୃତ୍ୟୁଧ୍ରୁବଂ ଜନ୍ମ ମୃତସ୍ୟ ଚ

ତସ୍ମାଦପରିହାର୍ଯ୍ୟେଽର୍ଥେ ନ ତ୍ୱଂ ଶୋଚିତୁମର୍ହସି ।

ତପଃ ପରଂ କୃତଯୁଗେ ତ୍ରେତାୟାଂ ଜ୍ଞାନମୁତ୍ତମଂ

ଦ୍ୱାପରେ ଯଜ୍ଞମେବାହୁଦାର୍ଦାନମେକଂ କଳୌ ଯୁଗେ । ଇତ୍ୟାଦି

 

କେନ୍ଦୁଧର ଗଡ଼                        ଶ୍ରୀ ବାନାମ୍ବର ଆଚାର୍ଯ୍ୟ

ତା ୨୫ । ୭ । ୧୯୩୯

 

ଶ୍ରୀ ବଉଳା ଚରିତ

 

ବ୍ୟାସଶିଷ୍ୟ କହନ୍ତି ଶୁଣ ତୁ ଜନ୍ମେଜୟ

 

ଭୀଷ୍ମଦେବ କହନ୍ତି ଶୁଣନ୍ତି ଧର୍ମରାୟ ।

 

ଶରଶର୍ଯ୍ୟାରେ ଜଳୁଛି ଭୀଷ୍ମଦେବ ଦେହ

 

ବୃଦ୍ଧ କରୁବଶଂର ଅଟନ୍ତି ପିତାମହ ।

 

ମହା ଧର୍ମାଆତ୍ମା ସେ ଯୁଧେଷ୍ଟି ନୃପବର

 

ଭୀଷ୍ମଦେବ ଚରଣରେ ଦେଇ ରାଜା ଶିର ।

 

ଭୋ ଦେବ ତୋହର ତହୁଁ ଶୁଣିଲି ସକଳ

 

ସତ୍ୟବଚନର ପିତାମହ କହ ଫଳ ।

 

ସତ୍ୟଫଳ ବଉଳା ପାଇଲା ପୂର୍ବେ ଯାହା

 

ବିଶେଷି ହେ ପିତାମହ ମୋତେ କହ ତାହା

। ୫ ।

 

 

ଭୀଷ୍ମେ କହୁଛନ୍ତି ରାଜା ଶୁଣ ସାବଧାନ

 

ତୁମ୍ଭେ ଅକୁଟିଳ ସର୍ବ ଗୁଣରେ ଉତ୍ତମ ।

 

କାମରୂପୀ ବାଘ ସେ ବଉଳା ଗାଈ ନାମ

 

ବାଘ ଗାଈ ଦୁହିଁଙ୍କର ସମ୍ବାଦ ଉତ୍ତମ ।

 

ମଥୁରା ନାମେଣ ଏକ ବିତପନ ପୁର ।

 

ମହାରମ୍ୟ ଧନଧାନ୍ୟେ ସମ୍ପୂର୍ଣ୍ଣ ସେ ପୁର ।

 

ନାନ ଦେଶ ମଧ୍ୟେ ବ୍ୟାପିଛି ତା ଯଶ ଶିରୀ

 

ଯଜ୍ଞ ଉଚ୍ଛବରେ ସେ ମଣ୍ଡିତ ଦିବ୍ୟପୁରୀ ।

 

ଯମୁନା ତୀରକୁ ପୁରୀ ଅଛି ଆଶ୍ରେକରି

 

ସେ ଘେନି ଅତ୍ୟନ୍ତ (୧) ରାଜା ରମ୍ୟ ସେ ନଗରୀ

। ୧୦ ।

 

 

ଅର୍ଦ୍ଧ ଚନ୍ଦ୍ର ପ୍ରାୟେ (୨) ରାଜା ହୋଇଛି ବିଦିତ

 

ପଣ୍ଡିତ ଜନରେ ପୁରୀ ହୋଇଛି ମଣ୍ଡିତ ।

 

ଦେବାଳୟମାନ ରହିଅଛି ଠାଏ ଠାଏ

 

ଗୋଷ୍ଠରେ ମଣ୍ଡିତ ଦେଶ ବେଶକଲା ପ୍ରାଏ ।

 

ନାନା ଦ୍ୱିଜଗଣେ ପୂର୍ଣ୍ଣ ହୋଇଅଛି ପୁର

 

ନାନା ଦ୍ରବ୍ୟ ବିକା କିଣା ହୁଅଇ ଅପାର ।

 

ଅନେକ ଅଟାଳୀ ବେଢ଼ି ଦୁର୍ଗମ ପାଚେରୀ

 

ଦୁର୍ଜ୍ଜୟ ଅନେକ ସେନା ତହିଁ ଛନ୍ତି ପୂରି ।

 

ଘରେ ଘରେ ଦେବାଳୟ (୩) ଦେବଗୃହ ପ୍ରାଏ

 

କଦଳୀରେ ମଣ୍ଡିତ ବିଚିତ୍ର ଶୋଭା ପାଏ ।

। ୧୫ ।

 

 

ଧବଳ କମଳେ ପୁର ଶୋଭା ଠାଏ ଠାଏ

 

ମଙ୍ଗଳ ସୁସଞ୍ଚ ଦିଶୋ ହଂସମାଳା ପ୍ରାଏ ।

 

ପଣସ ପିୟାଳ ତାଳ ଜାମୁ ନାରିକେଳ

 

ଅସଂଖ୍ୟ ଆମ୍ବ କମଳା ହିନ୍ତାଳ ତମାଳ ।

 

ଜାତି କୁନ୍ଦ ମଲ୍ଲୀ ପଦ୍ମ ଉତ୍ପଳ ସକଳ

 

କରବୀର କର୍ଣ୍ଣିକାର ପାଟଳୀ ଗହଳ ।

 

ପୁନାଙ୍ଗ ନାଗକେଶର ଅଶୋକ ଚମ୍ପକ

 

ବିବିଧ କୁସୁମବନ ବକୁଳ ଅନେକ ।

 

ଧନଧାନ୍ୟେ ଗୋଧନେ ମଣ୍ଡିତ ସେହୁ ପୁର

 

 

 

ବେଦଘୋଷେ ମଙ୍ଗଳେ ପୂରିତ ନିରନ୍ତର

। ୨୦ ।

୧,୨- ଏଠାରେ ରାଜା ପଦ ସମ୍ବୋଧନ ।

 

୩- ସ୍ଵର୍ଗରେ ଥିବା ଦେବତମାନଙ୍କର ଘର ପରି ।

 

ଲଙ୍କା ଯେହ୍ନେ ରାବଣର ରତ୍ନମୟ ପୁରୀ

 

ଚନ୍ଦ୍ରସେନ ନାମେ ରାଜା ପୁର-ଅଧିକାରୀ ।

 

ଧର୍ମେ ନିରନ୍ତରେ ରାଜା ଅତିଥି-ପୂଜକ

 

କ୍ଷତ୍ରିଧର୍ମେ ଶୁର ରାଜା ଶ୍ରୀମନ୍ତ ବିବେକ ।

 

ପ୍ରଜାପତି ସମେ ରାଜା ପୃଥିବୀ ଆବୋରି

 

ପାଳଇ ପ୍ରଜାକଦମ୍ବ ନୃପତି-କେଶରୀ

 

ନିତ୍ୟେ ହେଁ ଉଚ୍ଛବ ପୁର ପରମ ହରଷ

 

ଶଙ୍ଖ ନାନା ବାଦ୍ୟ ଠାଏ ଠାଏ ହରିରସ ।

 

ଦେଖିବାକୁ ହରଷ ସକଳ ଭୂମି ସମ

 

ପଶରାଶୋଭିତ ଚାରୁ ପଥ କି ଉତ୍ତମ

। ୨୫ ।

 

 

ଦୀର୍ଘ ବା * * * ଘରେ ଘର

 

ଶତ ଶତ ସଭା ବିଭା ଉଚ୍ଛବ ଅପାର ।

 

ନାନା ବେଶ ହୋଇ ଶୋଭା ପୁର-ନର-ନାରୀ

 

ଶୁଣିଛ କି ଦେଖିଛ ସେ ଚନ୍ଦ୍ରାବତୀ ପୁରୀ ।

 

ଭୀଷ୍ମଦେବ କହନ୍ତି ଶୁଣନ୍ତି ଧର୍ମରାଏ

 

ମଧୁପୁର ମହତ୍ତ୍ଵ ଅମରପୁର ପ୍ରାଏ ।

 

ଏକ ଦ୍ଵିଜବରର ମଥୁରା ପୁରେ ଘର

 

ଶ୍ରୀମତୀ ବଉଳା ନାମେ ଧେନୁଏ ତାହାର ।

 

ହରଷ ବଦନ ଧେନୁ ଯୋଗ୍ୟ ତାର କାଏ

 

ବାଳୁତ ହୋଇଛି ତାର ଏକଇ ତନୟେ

। ୩୦ ।

 

 

ଧେନୁ ମଣ୍ଡଳରେ ସେ ବଉଳା ଧେନୁରତ୍ନ

 

ହଂସ ପ୍ରାୟେ କାୟକାନ୍ତି ଘଟ ପ୍ରାୟେ ସ୍ତନ ।

 

ଦୀର୍ଘ ଚାରୁ ନାସିକା ବଳିଣ ସର୍ବକାଏ

 

ଚର୍ମ ତାର ପାତଳ କ୍ଷୀରୋଦ ପାଟ ପ୍ରାୟେ ।

 

ବିସ୍ତାର ସୁନ୍ଦର ଜଙ୍ଘ ମରାଳଗାମିନୀ

 

ଉଚ୍ଚ ପୟୋଧାର ସେ ଚିକ୍‍କଣ ଗୁରୁସ୍ତନୀ ।

 

ସର୍ବ ଲକ୍ଷଣରେ ଯୁକ୍ତ ଶରୀର ତାହାର

 

ଅକଳଙ୍କ ଧେନୁ ଗୋଟି ସର୍ବାଙ୍ଗେ ସୁନ୍ଦର ।

 

 

 

ନୀଳବର୍ଣ୍ଣ କାନ୍ତି ସେ ସୁନ୍ଦର ଗଳାଗୋଟି

 

ହେମାରାବ ମଧୁର କଣ୍ଠରେ ଶୋହେ ଘଣ୍ଟି

୩୫।

 

 

କୃଷି ଅପଛାତି (୧) ଭୟେ ପୂର୍ବ ପରା ହୋଇ

 

ସାଙ୍ଗ ଛାଡି ଆଗ ହୋଇ ନିର୍ଭୟେ ଚରଇ ।

 

ଏକଦିନେ ଗୋଷ୍ଠ ଘେନି ଗଲା ଗୋଷ୍ଠପାଳ

 

ଲଉଡୀ ହସ୍ତରେ ଧରି ଚରାଇ ସକଳ ।

 

ଲୋହିତ ନାମରେ ତହିଁ ଏକ ଗିରିବରେ

 

ନିର୍ଝର କନ୍ଦରେ ଗୃହା ଯମୁନାର ତୀରେ ।

 

ତହିଁର ଉତ୍ତର ଭାଗେ ଅତି ଭୟଙ୍କର

 

ନବୀନ ପଲ୍ଲବ ତୃଣ ଅଛନ୍ତି ଅପାର ।

 

ସଙ୍କଟ ନିର୍ମମ ସେ ଦୁର୍ଗମ ଭୟାଙ୍କାର

 

ରୋମ ଟାଙ୍କୁରଇ ଭୟେ ଦେଖିଲେ ଶରୀର

। ୪୦।

 

 

ପୂର୍ଣ୍ଣ ହୋଇଛନ୍ତି ତହିଁ ମୃଗସିଂହ ଆଦି

 

ବିବିଧ ହିଂସ୍ରକ ଜନ୍ତୁ ଅଛନ୍ତି ଆଚ୍ଛାଦି ।

 

ନାନା ତରୁଲତାମାନେ ଅଛନ୍ତି ଗହନେ

 

ଶତେ ଶତେ ରାବନ୍ତି ଶୃଗାଳ ଯୂଥମାନେ

 

ଦୁର୍ଗମ ବାନରେ ଭୟଙ୍କର କାମରୂପୀ

 

ଏକ ବ୍ୟାଘ୍ର ବସଇ ସର୍ବଦା ମହାକୋପୀ ।

 

ମହାବଳ ତୀକ୍ଷଦନ୍ତ ମହାଭୟଙ୍କର

 

ରକତ ମାଏଁ ସେ ତାର ଆଶା ନିରନ୍ତର ।

 

 

୧। ଅପଛାତି- ଅପଖ୍ୟାତି । ‘କ୍ଷ’ର ଉଚ୍ଚାରଣ ‘ଛ’ ଓ ‘ଖ୍ୟ’ ପରି ହୁଏ । ତେଣୁ ଲେଖକ ଅପଖ୍ୟାତିକୁ ‘ଅପକ୍ଷାତି’ ଲେଖିବାକୁ ଯାଇ ତାହାର ଅନ୍ୟ ପ୍ରକାର ଉଚ୍ଚାରଣ ‘ଅପଛାତି’ ଲେଖିଅଛନ୍ତି ।

 

ମହାଗିରି ପ୍ରାଏକ ଦିଶଇ ତାର କାଏ

 

ଘ ଘ ଗର୍ଜନ ତାହାର ମେଘସ୍ଵନ ପ୍ରାଏ

। ୪୫।

 

 

ମହାଗିରି ଗୃହା ପ୍ରାଏ ଦିଶଇ ବଦନ

 

ନଖ ଦନ୍ତେ ସର୍ବଜୀବ କରଇ ନିଧନ ।

 

ସମୀଳ ନାମେ ଗୋପାଳ ଧର୍ମେ ତାର ଚିତ୍ତ

 

ଗୋରୁମାନଙ୍କର ସେ ସର୍ବଦା ଅତିହିତ ।

 

ଅଖଣ୍ଡ ପଲ୍ଲବ ତୃଣ ଯେଉଁ ଠାରେ ଥାଇ

 

ଯୂଥ ଛାଡି କରି ସେ ବଉଳା ନାମେ ଗାଈ ।

 

କୋମଳ ତୃଣର ଲୋଭେ ଆନନ୍ଦିତ ହୋଇ।

 

ଆଗ ହୋଇ ଚରଇ ସେ ସଙ୍ଗରେ ନ ଥାଇ ।

 

ଯେଉଁଠାରେ ବସିଅଛି କାମରୂପୀ ବାଘ

 

ଚରି ଚରି ବଉଳା ପ୍ରବେଶ ତାର ଆଗ

। ୫୦।

 

 

 

 

ବଉଳାକୁ ଦେଖି ବାଘ ଆଗ ହୋଇ ଧାଇଁ

 

ଡାକୁଅଛି ରହ ରହ ଆଜ ଯିବୁ କାହିଁ ।

 

ତୁ ମୋର ବିହିତ ଭକ୍ଷ୍ୟ ଭକ୍ଷିବଇଁ ନାଶି

 

ଶଏ ଧେନୁ ପ୍ରାପତ ହୋଇଲୁ ଆଗେ ଆସି ।

 

କାମରୁପୀ ବାଘ-ବାଣୀ ଶୁଣିଲା ନିଷ୍ଠୁର

 

ରୋମ ଟାଙ୍କୁରଇ ଶୁଣି ସକଳ ଶରୀର ।

 

ବ୍ୟାଘ୍ରର ବଚନ ଶୁଣି ବଚ୍ଛାକୁ ସୁମରି

 

ବଚ୍ଛା ସ୍ନେହଭରେ ସେ କହଇ କାନ୍ଦିକରି ।

 

ମନୋହର ବାଳୁତ ଧବଳ ଚନ୍ଦ୍ର ପ୍ରାଏ

 

ମୋର ବିନୁଁ କେ ଅବା ରଖିବ ତାର କାଏ

। ୫୫ ।

 

 

ଦୁଃଖିତ ହୁଅଇ ପୁତ୍ରଶୋକେ ତାର ମନ

 

ଏକଇ ବାଳୁତ ତାର ଜୀବନ ସମାନ

। ୫୬ ।

 

 

ପୁତ୍ର ଭେଟିବାରେ ସେ ନିରାଶ ଗାଈ ହୋଇ

 

ପୁତ୍ର ଦୁଃଖ ଚିନ୍ତା କରି ଅନେକ କାନ୍ଦଇ

 

ଦେଖିଲା ବଉଳା ଉଭା ହୋଇଛି ଆଗରେ

 

ରୋଦନ କରଇ ଧେନୁ ଦୁଃଖିତ ମନରେ

 

ବଉଳା-ବଚନ ଶୁଣି କାମରୂପୀ ବାଘ

 

ଗର୍ଜ୍ଜିଣ କହଇ କିମ୍ପା କାନ୍ଦୁ ମୋର ଆଗ ।

 

ଯେତେ ଭକ୍ଷ୍ୟ ଦଇବ ଆମ୍ଭନ୍ତ ଭିଆଇଲା

 

ବ୍ୟାଘ୍ରକୁ ଗାଈ ଆହାର ଆଗ କରି ଦେଲା ।

 

ତୁ ଅବା ରୋଦନହିଁ ସେ ମୋର ଆଗେ କଲେ

 

ତଥାପି ଜୀବନ ଆଉ ନ ପାଇବୁ ଭଲେ

। ୬୦।

 

 

ଆଜି ତୋର ମୁତ୍ୟୁକାଳ ବିହିଲା ବିଧାତା

 

ବିଅର୍ଥେ ମନରେ କିପାଁ କରୁ ଗରୁ ଚିନ୍ତା ।

 

ବ୍ୟାଘ୍ରର ନିଷ୍ଠୁର ବାଣୀ ଶୁଣିଲାକ ଯହୁଁ

 

ବଉଳା ବ୍ୟାଘ୍ରକୁ ବାକ୍ୟ କହୁଅଛି ତହୁଁ ।

 

କ୍ଷମା କର ନାଥ ତୁହୋ ଦୟାକର ମୋତେ ।

 

କାମରୂପି ! ନମସ୍କାର କରୁଅଛି ତୋତେ ।

 

ତୋହର ନିକଟରେ ପ୍ରବେଶ ଯେଉଁ ପ୍ରାଣୀ

 

ତାହର ନିକଟରେ ପ୍ରବେଶ ଯେଉଁ ପ୍ରାଣୀ

 

ତାହାର ଶରୀରେ ଆଶା କେବେହେଁ ନ ଜାଣି

। ୬୫ ।

 

 

ଜୀବନର ଅର୍ଥେ ହୋ ଶୋଚନା ମୋର ନାହିଁ

 

ଜୀବନ ନିମନ୍ତେ ମୁଁ ଶରଣ ମାଗୁନାହିଁ ।

 

ଯେହୁ ଜାତ ହୁଅଇ ସେ ଅବଶ୍ୟ ମରଇ

 

ମରନ୍ତେ ସଂସାରେ ଜାତ ଅବଶ୍ୟ ହୁଅଇ ।

 

ଜାତ ମୃତ୍ୟୁ ଅବଶ୍ୟ ଶୁଣ ତୁ ମୃଗପତି

 

ନିଶ୍ଚୟ କଥାକୁ କିପା କରିବି ମୁଁ ଭ୍ରାନ୍ତି

 

ସୁରାସୁର ମାନବ ଦାନବ ଆଦି କରି

 

କାଳକୁ ଉପାୟେ ଶୁଣ ନାହିଁ ନା କାହାରି ।

 

ମୁଁ କେମନ୍ତେ ବ୍ୟାଘ୍ର ଅଦ୍ୟ ମୃତ୍ୟୁ ବଞ୍ଚାଇବି

 

 

 

ସାବଧାନେ ଶୁଣ ଏକ କଥାଏ କହିବି

। ୭୦।

ଶୁଣ ବ୍ୟାଘ୍ର କେବଳ ସେନେହ ବଶ ହୋଇ

 

ଯହିଁ ପାଇଁ ଦୁଃଖଭରେ ରୋଦନ କରଇ ।

 

ଯେ ଅଛି ମନେ ସନ୍ତାପ କହୁଅଛି ତୋତେ

 

ସାବଧାନେ ଶୁଣ କିଛି ଦୟାକର ମୋତେ ।

 

ଶୁଣ ମୃଗପତି ତୁ ହୋ ଶାନ୍ତି କରି ମନ

 

ପ୍ରଥମ ବୟସେ ମୋର ଏକଇ ନନ୍ଦନ ।

 

ଅତି ପ୍ରୀତି ମୋହର ପ୍ରଥମେ ଜାତ ସୁତ

 

କିଛି ନ ଜାଣଇ ସେହୁ ଅତିହିଁ ବାଳୁତ ।

 

କ୍ଷୀରମାତ୍ର ଆହାର ସେ କ୍ଷୀରପାନେ ଇଚ୍ଛା

 

କୋମଳ ତୃଣହିଁ ଗ୍ରାସ ନ କରୁଛି ବଚ୍ଛା

। ୭୫ ।

 

 

ଗୋପାଳେ ବନ୍ଧନ ତାକୁ କରୁଥାନ୍ତି ନିତ୍ୟେ

 

କ୍ଷୁଧାଏ ଆକୁଳ ହୋଇ ଲୋଡ଼ୁ ଥାଇ ମୋତେ ।

 

ସେ ବଚ୍ଛା ଗୋଟିକ ହୋ ଶୋଚନା ମୋର ଚିତ୍ତେ

 

ମାତା ବିନୁ ବାଳବଚ୍ଛା ବର୍ତ୍ତଇ କେମନ୍ତେ ।

 

ପୁତ୍ରର ସେନେହେ ବଶ ହୋଇଅଛି ଗାଈ

 

ବେଳେମାତ୍ର ଯିବି ସ୍ତନ୍ୟ ଆସିବି ପିଆଇ ।

 

କ୍ଷୀର ପିଆଇବି ମୁଁ ଅନେକ ଆଶ୍ୱାସିବି ।

 

ମଥା ଗୋଟି ଶୁଙ୍ଘି ତାର ଶରୀର ଲେହିବି ।

 

ସଖାଜନମାନଙ୍କୁ ପୁତ୍ରକୁ ସମର୍ପିବି

 

ହିତାହିତ ପୁତ୍ରର ମୁଁ ତାହାକୁ କହିବି

। ୮୦।

 

 

ପୁଣି ମୁଁ ଲଉଟି୍ ଆସି ହୋଇବି ଆଗର

 

ଇଚ୍ଛାସୁଖେ ଭକ୍ଷିବୁ ତୁ ମୋହର ଶରୀର ।

 

ଯଦି ମୁଁ ଲଉଟି ନ ଆସିବି ତୋର ପାଶ

 

ଶୁଣ ବ୍ୟାଘ୍ର ନଇଲେ ପାଇବି ଯେଉଁ ଦୋଷ ।

 

ସମ୍ମୁଖ ସଂଗ୍ରାମ ତେଜିପଳାନ୍ତି ଯେ ଶୂର

 

ତହିଁର ଅଗତି ଦୋଷ ହୋଇବ ମୋହର ।

 

ବଉଲା ବଚନ ଶୁଣି କହୁଅଛି ବାଘ

 

ପୁତ୍ର କି କରିବ ମୃତ୍ୟୁ ହୋଇଲାନି ଆଗ ।

 

ଦେଖିବା ମାତ୍ରକେ ମୋତେ ପ୍ରାଣୀ କରେ ତ୍ରାସ

 

ଥୋକେ ଲୋକ ଦେଖିବାମ ତ୍ରକେ ଯାନ୍ତି ନାଶ ।

। ୮୫ ।

 

 

 

 

ତୁ ପୁଣି ପୁତ୍ରକୁ ଦୟା କରୁଛୁ ଅପାର

 

ପୁତ୍ର ପୁତ୍ର ବୋଲି ତୁ ବୋଲୁଛୁ ବାର ବାର ।

 

ଯେତେବେଳେ ପ୍ରାଣୀକି ସେ ମୃତ୍ୟୁ ଘୋଟେ ଆସି

 

ମନ୍ତ୍ର ତପ ଦାନେ ମୃତ୍ୟୁ ନ ପାରଇ ତୋଷି ।

 

ମାତା ପିତା ବନ୍ଧୁ ସୁତ ଗଜ ଅଶ୍ୱ ବଳ

 

କେହି ରଖି ନ ପାରନ୍ତି ମରଣର କାଳ ।

 

କେମନ୍ତେ ଗୋକୁଳରୁ ଆସିବୁ ଧେନୁ ଯାଇ

 

ଦେଖିବୁ ସକଳ ମୁଖ ନୟନ ପୂରାଇ ।

 

ଗୋପୀ ଗୋପାଳରେ ସେ ଯେ ମଣ୍ଡିତ ଗୋକୁଳ

 

ସମସ୍ତ ହରଷ ଯହିଁ ହୋଇଛନ୍ତି ଠୁଳ

। ୯୦ ।

 

 

ଘୋରନାଦ ବୃଷଭେ କରନ୍ତି ନିରନ୍ତରେ

 

ଶୋଭିତ ହୋଇଛି ଗୋଷ୍ଠ ବାଳକ ବଚ୍ଛାରେ ।

 

ଦେବ ଲୋକ ଭୂଷଣ ସେ ସ୍ୱର୍ଗ ଲୋକ ସମ

 

ନିତ୍ୟେହେଁ ହରଷେ ତହିଁ ସମ ନାହିଁ ଦୁଜା

 

ଦେବଗଣ ଗୋଷ୍ଠିକୁ କରନ୍ତି ନିତି ପୂଜା ।

 

ପବିତ୍ର ପବିତ୍ର ସେ ମଙ୍ଗଳର ମଙ୍ଗଳ

 

ତୀର୍ଥଙ୍କର ତୀର୍ଥ ଭୂମି ସ୍ୱର୍ଗ ସେ ନିର୍ମଳ ।

 

ଗୋପୀମାନଙ୍କର ଦଧି ମନ୍ଥନ ଚହଳ

 

ବାଳବଚ୍ଛାମାନେ ତହିଁ କରୁଥାନ୍ତି ଗୋଳ

। ୯୫ ।

 

 

ଗୋରୁମାନଙ୍କର ତହିଁ ଶବଦ ହୁଙ୍କାରେ

 

ଶ୍ରବଣ ମଙ୍ଗଳ ତହିଁ ହୋନ୍ତି ଧାତିକାରେ ।

 

ହୁଙ୍କାରେ ଶବଦ ତହିଁ କରୁଥାନ୍ତି ବଚ୍ଛା

 

ଜନନୀକି ଲୋଡ଼ୁଥାନ୍ତି କ୍ଷୀରପାନେ ବାଞ୍ଛା

 

ଚହଳ ଗହଳ ଗୋରୁ ବଚ୍ଛାକୁ ଡାକନ୍ତେ

 

ବାଳକ ପତ୍ରକୁ କ୍ଷୀର ଦେବାର ନିମନ୍ତେ ।

 

ବାହୁଯୁଦ୍ଧେ ସମର୍ଥ ସେ ଅଟନ୍ତି ଗୋପାଳ

 

ଗୋରୁ ବଚ୍ଛା ବୃକ୍ଷଭ କରନ୍ତି ପ୍ରତିପଳ ।

 

ନୃତ୍ୟ ଗୀତ ଆଳାପେ ସେ କରୁଥାନ୍ତି ନାଦ

 

ଶିଙ୍ଗା ବେଣୁ ବାଳକରେ କରୁଥାନ୍ତି ବାଦ୍ୟ

। ୧୦୦ ।

 

 

ଗୋପୀ ଗୋପ ଗୋରୁ ବଚ୍ଛା କ୍ରିଡ଼ନ୍ତି ସକଳ

 

ଗୋଷ୍ଠସରୋବରରେ କି ସେ ଫୁଟିଛି କମଳ ।

 

ଦେଖିବୁ ଶ୍ରୀବନ୍ତ ଗୃହ ମାତା ଭ୍ରାତା ସୁତ

 

ହରଷ ହୋଇବୁ ଦେଖି ପ୍ରିୟସଖୀ ମିତ୍ର ।

 

କେମନ୍ତେ ବଉଳା ତୁ ଗୋଷ୍ଠକୁ ଆଜି ଯିବୁ

 

ଏତେକ ଦେଖିଲେ କାହୁଁ ବାହୁଡ଼ି ଆସିବୁ ।

 

ଶୁଣ ତୁ କଲ୍ୟାଣି ! ଏ ମୋହର ପଞ୍ଚଭୂତ

 

ତ୍ରିପୃତ ହୋଇବ ଖାଇ ତୋହର ରକତ ।

 

ନିରାଶ ହୋଇଣ ମୁଁ କେମନ୍ତେ ନିବତ୍ତବି

 

ବଚନମାତ୍ରକେ ମୁଁ କେମନ୍ତେ ପ୍ରତେ ଯିବି

। ୧୦୫ ।

 

 

ବଉଳା କହଇ ଶୁଣ ଶୁଣ ମୃଗପତି

 

ପ୍ରଥମେଣ ଜାତ ମୋର ଏକଇ ସନ୍ତତି ।

 

ଦେଖିବି ସଖୀ ସୁହୁଦ ଗୋପୀ ଗୋରୁପଲ

 

ଗୋପୀଜନମାନଙ୍କୁ ମୁଁ କହିବି ସକଳ ।

 

ମୋହର ସୁତାକୁ ମାତା ପ୍ରତିପାଳ କର

 

ଏତେକ ନ କଲେ ବଚ୍ଛା ଘେନିବି ସଙ୍ଗର ।

 

ତୁ ଯେବେ ପ୍ରତୀକ ମୋତେ କରିବୁ ହୋ ବାଘ

 

ଆସିବ ପ୍ରମାଣ ମୁଁ କହୁଛି ତୋର ଆଗ ।

 

ବ୍ରାହ୍ମଣଙ୍କୁ ପ୍ରାଣବଧ କଲା ଅପ୍ରାଧରେ

 

ନଇଲେ ଲେପିତ ମୁଁ ହୋଇବି ସେ ପାପରେ

। ୧୧୦ ।

 

 

ମାତା ପିତା ପ୍ରାଣବଧ କଲା ଅପ୍ରାଧରେ

 

ନଇଲେ ଲେପିତ ମୁଁ ହୋଇବି ସେ ପାପରେ ।

 

ଧର୍ମ କଥାମାନ କହୁଥାନ୍ତି ଯେଉଁଠାରେ ଯେ

 

ଆନ କଥା କହି ଯେ ତହିଁ କି ବିଘ୍ନ କରେ ।

 

ଯଦି ନ ଆସିବି ମୁଁ ହୋ ଜୀବନ କାତରେ

 

ନଇଲେ ଲୋପିତ ମୁଁ ହୋଇବି ସେ ପାପରେ ।

 

ବିଶ୍ୱାସୀ ହୋଇଣ ମିତ୍ର ଗୃହକୁ ଆସଇ

 

କେହୁଣି ଲୋଭର ବଶେ ମିତ୍ରକୁ ନାଶଇ ।

 

ଯଦି ଆସି ନୋହିବି ମୁଁ ତୋହର ଆଗରେ

 

ନଇଲେ ଲେପିତ ମୁଁ ହୋଇବି ସେ ପାପରେ

। ୧୧୫ ।

 

 

ବ୍ରାହ୍ମଣକୁ ନିନ୍ଦା ଯେ କରଇ ରୋଷଭରେ

 

ନଇଲେ ଲେପିତ ମୁଁ ହୋଇବି ସେ ପାପରେ ।

 

ଏକକୁ ଯାଚକ ପୁଣି ଦିଅଇ ଆନରେ

 

ନଇଲେ ଲେପିତ ମୁଁ ହୋଇବି ସେ ପାପରେ ।

 

ପରକୁ କହନ୍ତି ଖଳ ପ୍ରଭୁ ଆଗେ ଯାଇଁ

 

ବିନା ଅପରାଧେ, ଦ୍ରବ୍ୟ ଆଣିବାର ପାଇଁ ।

 

ଯଦି ଆସି ନୋହିବ ମୁଁ ତୋହର ଆଗରେ

 

ନୋଇଲେ ଲେପିତ ମୁଁ ହୋଇବି ସେ ପାପରେ ।

 

ସାକ୍ଷୀ ହୋଇ ମିଥ୍ୟାବାକ୍ୟ କହଇ ସଭାରେ

 

ନଇଲେ ଲେପିତ ହୋଇବି ସେ ପାପରେ

। ୧୨୦ ।

 

 

ଗିରସ୍ତକୁ ଯେଉଁ ନାରୀ ଅମାନନା କରେ

 

ନଇଲେ ଲେପିତ ମୁଁ ହୋଇବି ସେ ପାପରେ ।

 

ବିଶ୍ୱାସ କରିଣ ଯେ ସମସ୍ତ ଦ୍ରବ୍ୟ ହରେ

 

ନଇଲେ ଲେପିତ ମୁଁ ହୋଇବି ସେ ପାପରେ ।

 

ଏତେ ଘୋର ପ୍ରମାଣ କଲି ତୁ ଶୁଣ ବାଘ

 

ପୁଣି ଆସି ପ୍ରବେଶ ହୋଇବି ତୋର ଆଗ ।

 

ବୁଝି ପ୍ରତେ ଗଲା ବାଘ ଏମନ୍ତ ବୋଇଲା

 

ପ୍ରମାଣ ବଉଳା ପ୍ରତେ ମୋହୋର ହୋଇଲା ।

 

କଦାଚିତେ ବଉଳା ଗୋଷ୍ଠକୁ ତୋର ଯାଇ

 

ବୋଲୁନିକି ମୂର୍ଖକୁ ମୁଁ ଅଇଲି ଭଣ୍ଡାର

। ୧୨୫ ।

 

 

ଥୋକେ ଲୋକେ କହିବି ତୋ ମୁଖକୁ ଅନାଇ

 

ପ୍ରାଣତ୍ୟାଗ ସମୟେ ପ୍ରାମାଣେ ଦୋଷ ନାହିଁ ।

 

ବୋଲିବେ ପ୍ରୀତିରେ ତୁ ତ ନ କଲୁ ପ୍ରମାଣ

 

ପ୍ରାଣତ୍ୟାଗ ପ୍ରମାଣରେ ଦୋଷ ନାହିଁ ଜାଣ ।

 

କେହୁଣିସି ମୂର୍ଖକେ ପଣ୍ଡିତ-ଗର୍ବ ବହି

 

ସତ୍ୟ ଭଗ୍ନ କରିବେ ବିବିଧ କଥା କହି ।

 

କୁରାଳ ମୃତ୍ତିକା ଯେହ୍ନେ ଚିତ୍ରରେ ବସାଇ

 

ଭ୍ରମ କରାଇବେ ଚିତ୍ତ କଥାରେ ରସାଇ ।

 

ଅଜ୍ଞାନ ପ୍ରବେଶ ଯାର ହୋଇଛି ହୃଦୟେ

 

ତୋର ପକ୍ଷ ଧରି କେହୁ କହିବେ ଥୋକାଏ

। ୧୩୦ ।

 

 

କ୍ଷୁଦ ଲୋକମାନେ ତୋତେ ଦୁର୍ବୁଦ୍ଧି ବୁଝାଇ

 

କହିବେ ବିବିଧ କଥା ତୋତେ ପ୍ରୀତି ହୋଇ ।

 

କେ ଜାଣି କହିବି କେଟି କହିବ ନ ଜାଣି

 

ପ୍ରସ୍ତାବ * ମଧୁର ବାଣୀ ବୁଝାଇବେ ପୁଣି ।

 

ବିଚିତ୍ର ବିଧାନେ କହି ଜାଣନ୍ତା ଯେ କଥା

 

ସମଚିତ୍ତ କରି ତୋତେ ରଖିବେ ସର୍ବଥା ।

 

ଆପଣାର ହିତ ସେ ଯେ ଘେନିଥାନ୍ତି ପ୍ରାଣୀ

 

ପରହିତ କଥା କେହି ନ ଘେରନ୍ତି ଜାଣି ।

 

*ଉଦାହରଣମୂଳକ ଅନ୍ୟ ଉପାଖ୍ୟାନ ।

 

କାର୍ଯ୍ୟ ପାଇବାର ଯାଏ ଭଜିଥାନ୍ତି ଜନେ

 

ପରଲୋକ ଚିନ୍ତା କେହି ନ ଘେନନ୍ତି ମନେ

। ୧୩୫ ।

 

 

ଫଳ ଥିବାଯାଏ ପକ୍ଷୀ ବୃକ୍ଷେ ଥାନ୍ତି ଭଜି

 

ଫଳକ୍ଷୟ ହୋଇଲେ ବୃକ୍ଷକୁ ଯାନ୍ତି ତେଜି ।

 

ତୃଣ ଥିବା ଯାଏ ମୃଗ ଅରଣ୍ୟରେ ଥାନ୍ତି

 

ଦହନ ହୋଇଲେ ବନ ମୃଗ ତେଜି ଯାନ୍ତି ।

 

ହଂସ ଚକ୍ରବାକ ଯେ ସାରସ ପକ୍ଷୀ ଆଦି

 

ସରୋବରେ ଜଳ ଥିଲେ ରହନ୍ତି ଆଚ୍ଛାଦି ।

 

ଆହାର ନିମନ୍ତେ ଜଳଜନ୍ତୁ ଥାନ୍ତି ଭଜି

 

ପୁଷ୍କରିଣୀ ଶଖିଲେ ସମସ୍ତେ ଯାନ୍ତି ତେଜି ।

 

ସମ୍ପତ୍ତିରେ ଥିଲେ ନାରୀ ଭ୍ରଥାକୁ ସେବଇ

 

ଦରିଦ୍ର ହୋଇଲେ ଭ୍ରଥା ନାରୀ ତେଜି ଯାଇ

। ୧୪୦ ।

 

 

ଶୁଭେ ରାଜ୍ୟେ ଥିଲେ ମନ୍ତ୍ରୀ ରାଜାକୁ ସେବନ୍ତି

 

ରାଜ୍ୟଭ୍ରଷ୍ଟ ହୋଇଲେ ସମସ୍ତେ ତେଜିଯାନ୍ତି ।

 

ଅର୍ଥବଶେ ସମସ୍ତେ ହେ ବଶ ହୋଇଥାନ୍ତି

 

ବିନା ଲୋଭେ କେହି ପ୍ରୀତି କାହାରି ନୁହନ୍ତି ।

 

କ୍ଷୀର ଥିବାଯାଏ ବଚ୍ଛା ମାତାକୁ ଭଜନ୍ତି

 

କ୍ଷୀଋକ୍ଷୟ ଦେଖିଲେ ସେ ମାତାକୁ ତେଜନ୍ତି ।

 

ଏମନ୍ତ ମୁଁ ଜଗତରେ ଦେଖିଲି କାହିଁ

 

ବିନା ଲୋଭେ ପ୍ରାଣୀକି ଭଜିବେ ଧର୍ମ ଚାହିଁ ।

 

ସବୁଙ୍କର ଆପଣା ଲୋଭରେ ଚିତ୍ତ ଯାଇ

 

କେହି ନ କହନ୍ତି ଭଲ ପରହିତ ପାଇଁ

। ୧୪୫ ।

 

 

ଋଷି ଦେବାସୁର ନର ପ୍ରମାଣ କରନ୍ତି

 

କାର୍ଯ୍ୟସିଦ୍ଧ ହୋଇଲେ ସେ ସତ୍ୟକୁ ତେଜନ୍ତି ।

 

ତୁହି କାର୍ଯ୍ୟ ପାଇବା ନିମନ୍ତେ ସତ୍ୟ କରୁ

 

କାର୍ଯ୍ୟ ପାଇ ପ୍ରାଣ ଘେନି ଯିବି ମୁଁ ଏଠାରୁ ।

 

ତୁ ପୁଣି ବଉଳା ଗୋ ଗୋଷ୍ଠକୁ ଯିବୁ ଚଳି

 

କେମନ୍ତେ ପରତେ ଯିବି ଆସିବୁ ବାହୁଡ଼ି ।

 

ସତ୍ୟ ଯେ କରଇ ଦେବ ଅଗ୍ନି ଗୁରୁପାଶ

 

ତାର ଅଧ ଧର୍ମ ଯମ କାଟଇ ଅବଶ୍ୟ ।

 

ବୁଦ୍ଧିବଳେ ତୁହି ଯେ ପ୍ରମାଣ ଅଛୁ କରି

 

ଭଣ୍ଡାଇ ଏଠାରୁ ଆଜି ଯିବି ମୁଁ ଉବୁରି

। ୧୫୦ ।

 

 

ତଥାପି ତୋହର ମୁଁ ପ୍ରମାଣେ ଗଲି ପ୍ରତେ ।

 

ସାଧୁ ସତ୍ୟ ଯେବେ ତୋର ଆସିବୁ ପୁରତେ ।

 

ବଉଳା କହଇ ବାଘ ଶୁଣ ମୋ ଉତ୍ତର

 

କେମନ୍ତେ ଲଙ୍ଘିବ ଏ ପ୍ରମାଣ ମହାଘେର ।

 

ପରକୁ ଯେ ମିଥ୍ୟା ବାକ୍ୟ କହଇ ନ ଜାଣି

 

ଆପଣା ଆତ୍ମାକୁ ଦ୍ରୋହ କଲା ସେହୁ ପ୍ରାଣୀ ।

 

ନାହିଁ ନାହିଁ ଭୂମି ସମ ନାହିଁ ଆନ ଦାନ

 

ନାହିଁ ନାହିଁ ସତ୍ୟର ସମାନ ଆନ ଧର୍ମ ।

 

ଯେଉଁ କର୍ମ କଲେ ପ୍ରାଣୀ ନର୍କକୁ ଗମିବ

 

ସେ କର୍ମ ସର୍ବଥା ହୋ କେବେହେଁ ନ କରିବ

। ୧୫୫ ।

 

 

ବଉଳା ବଚନେ ବାଘ କହଇ ଉତ୍ତର

 

ଦେଖ ଯାଇ ପୁତ୍ର ଅତି ସେନେହେ ତୋହର ।

 

ବାଛୁରୀ ଗୋଟିକ ସ୍ତନପାନ କରାଇବୁ

 

ଆଶ୍ୱାସି କୋଡ଼ରେ ଘେନି ସମସ୍ତ ଲିହିବୁ ।

 

ମାତା ଭ୍ରାତା ଚାହିଁବୁ ଦେଖିବୁ ସର୍ବ ସଖୀ

 

ସଦନ ବାନ୍ଧବଙ୍କୁ ଆସିବୁ ବେଗେ ଦେଖି ।

 

ବଉଳା ତ ଜାଣୁ ସତ୍ୟ କଲୁ ଯେତେ ବାଗେ

 

ଶ୍ରୀଘ୍ର ହୋଇ ପ୍ରବେଶ ହୋଇବୁ ମୋର ଆଗେ ।

 

ଭୀଷ୍ମେ କହୁଛନ୍ତି ଶୁଣ ଶୁଣ ନୃପମଣି

 

ସତ୍ୟ କଲା ବଉଲା ସେ ପ୍ରମାଣଭାଷିଣୀ

। ୧୬୦ ।

 

 

ଆଜ୍ଞା ମାଗ ମୃଗପତି ଆଗରୁ ସେ ଯାଇ

 

ପୁତ୍ରର ନିକଟକୁ ସେ ଧାଇଁଅଛି ଗାଇଁ ।

 

ଲୋଚନେ ଲୋତକ ପୂରିଅଛି କ୍ରୋଧମୁଖୀ

 

କାଏ ତାର ମିଳନ କମ୍ପଇ ଅତି ଦୁଃଖୀ ।

 

ପୁଣି ପୁତ୍ରଦୁଃଖ ମନେ ବିଚାର କରଇ

 

ସତ୍ୟ କରିଅଛି ଆତ୍ମା ରଖି ନ ପାରଇ ।

 

କୁରରୀ ପକ୍ଷୀର ପ୍ରାଏ ଛାଡ଼ଇ ନିଶ୍ୱାସଃ

 

ପଡ଼ିଲା ଦୁଃଖସାଗରେ ଜୀବନେ ନିରାଶ ।

 

ହସ୍ତିନୀକି ସାଗରେ ବେଢଇ ଯେହ୍ନେ ନାଗ

 

ବଉଳାକୁ ସତ୍ୟ ବାକ୍ୟେ ବଶ କଲା ବାଘ

। ୧୬୫ ।

 

 

ବେଗ ବେଗ ହୋଇ ସେ ବଉଳା ଚଳିଗଲା

 

ଆପଣା ଗୋଷ୍ଠରେ ଯାଇଁ ପ୍ରବେଶ ହୋଇଲା ।

 

ଶୁଣିଲା ଆପଣା ବଚ୍ଛା ଡାକଇ ମାତାରେ

 

ଡାକ ଶୁଣି ଧାଇଁଲା ସେ ବଚ୍ଛା ସମ୍ମୁଖରେ ।

 

ବାଛୁରୀ କତିରେ ସେ ପ୍ରବେଶ ହେଲା ଯାଇଁ

 

ଗଦ ଗଦ କଣ୍ଠ ନେତ୍ରୁ ଲୋତକ ଗଳଇ ।

 

ଦିନୁଁ ଦିନୁଁ ବଢ଼ଇ ସୁନ୍ଦର ବଚ୍ଛା ଗୋଟି

 

ଗୋଷ୍ଠ ମଧ୍ୟେ ବଉଲା ତୁରିତେ ଯାଇଁ ଭେଟି ।

 

ମାତାକୁ ଦେଖିଣ ବଚ୍ଛା ଅଇଲାକ ଧାଇଁ

 

ମାତା ମାତା ଡାକି ଯାଇଁ ପାରୁଶେ ସମ୍ଭାଇ

। ୧୭୦ ।

 

 

ପାଖରେ ସମ୍ଭାଇ ବଚ୍ଛା ମାତା ମୁଖ ଚାହିଁ

 

ଦୁଃଖ ମୁଖ ଦେଖିଣ ସେ ବାଛୁରୀ କହଇ ।

 

ଶୋକ କଲା ପ୍ରାଏ ମାତା ଦିଶୁଛି ବଦନ

 

କି ନିମନ୍ତେ ଦୁଃଖିତ ଗୋ କରୁଅଛୁ ମନ ।

 

ଉଦବେଗ ହୋଇଅଛି ନୟନରେ ଜଳ

 

ଭଏ ଭଏ ପ୍ରାଏ କରି ଦେଖୁଛ ସକଳ ।

 

ବଉଳା କହଇ ପୁତ୍ର ପିଅ ମୋର ସ୍ତନ

 

କ୍ଷୀରପାନ କରି ପଛେ ଶୁଣ ମୋ ବଚନ ।

 

ତୋହର ସେନେହେ ବଚ୍ଛା ଆସିଅଛି ମୁଇଁ

 

କ୍ଷୀରପାନ କର ପୁତ୍ର ଉଦର ପୁରୋଇ

। ୧୭୫ ।

 

 

ଆଜ ତୋର ନିକଟକୁ ଅଇଲି ନନ୍ଦନ

 

ଦୁର୍ଲ୍ଲଭ ହୋଇଲା ତୋତେ ମାତା ଦରଶନ ।

 

ଆଜି ମୋର କ୍ଷୀରପାନ କର ତୁ ନନ୍ଦନ

 

କାଲିଠାରୁ କରିବୁ କାହାର କ୍ଷୀରପାନ ।

 

ଏହିକ୍ଷଣୀ ଯିବି ପୁତ୍ର ଘୋର ଅରଣ୍ୟକୁ

 

ସତ୍ୟ ବାକ୍ୟ ଦେଇ ମୁଁ ଆସିଅଛି ବାଘକୁ ।

 

କାମରୂପୀ ନାମେ ବାଘ ଅଛି ସେହୁ ବନ

 

ସତ୍ୟ କରିଅଛି ତାକୁ ଦେବି ଏ ଜୀବନ ।

 

ବଉଳା ବଚନେ ବଚ୍ଛା କହଇ ଉତ୍ତର

 

ଶୁଣ ମାତା ମୋହର ବଚନ ନିରାଧାର

। ୧୮୦ ।

 

 

ତୁ ଯହିଁକି ଯିବାକୁ ଗୋ କରିଅଛୁ ମନ

 

ତୋହର ସଙ୍ଗତେ ମୁଁ ଗୋ କରିବି ଗମନ ।

 

ଏ କଥାକୁ ସଂଶୟ ନ କର ମାତା ଚିତ୍ତେ

 

ଧନ୍ୟ ମୁଁ ହୋଇବି ଗଲେ ତୋହର ସଙ୍ଗତେ ।

 

ଅବଶ୍ୟ ତ ମରିବି ମୁଁ ତୋତେ ନ ଦେଖନ୍ତେ

 

ଯାଇବଇଁ ଗତି କଲେ ତୋହର ସଙ୍ଗତେ ।

 

ମାତାକୁ ଭଗତି ହୋନ୍ତି ଯେଉଁ ପୁତ୍ରମାନେ

 

ସେ ପୁତ୍ର ବସନ୍ତି ଯାଇଁ ଯେଉଁ ପୁଣ୍ୟସ୍ଥାନେ

। ୧୮୪ ।

 

 

ସେ ସ୍ଥାନ ତ ପ୍ରାପତ ହୋଇବ ମାତା ମୋତେ

 

ମୁଁ କେମନ୍ତେ ଜନନି ଗୋ;ଛାଡ଼ିବଇଁ ତୋତେ

। ୧୮୫ ।

 

 

ମୁଁ ଯାହା ଜନନି ଗୋ ମରିବି ପଛେ ଝୁରି

 

ଶାନ୍ତି ହେଉ ବାଘ ଖାଉ ଶରୀର ମୋହରି ।

 

ଜଗତ ହୋଇବ ଶୂନ୍ୟ ଜନନୀ ବିହୁନେ

 

ନ ଛାଡ଼ି ତୋହର ସଙ୍ଗେ ଯିବି ଘୋରବନେ ।

 

ତୋହର ବିହୁନେ ମୋତେ ଜଗତ ଅନ୍ଧାର

 

ମୁ ତୋର ବାଳୁତ ଦୁଃଖ କେ କରିବ ପାର ।

 

ମାତାର ବିଚ୍ଛେଦେ ଯେବେ ହୋଇବି ଗୋ ଦୀନ

 

ଜୀବନ ରଖିବା ମୋର କିସ ପ୍ରୟୋଜନ ।

 

ମୋହୋର ବଚନ ଶୁଣ ଜନନି ଗୋ ରହ

 

ତୋର ସତ୍ୟ ରହୁ ମୁଁ ବାଘକୁ ଦେବି ଦେହ

। ୧୯୦ ।

 

 

ତୁ ଯେବେ ଅନାଥ କରି ଯିବୁ ମୋତେ ମାତ

 

ଅରଣ୍ୟ ଭିତରେ ମୋତେ କେ ହୋଇବ ନାଥ ।

 

କ୍ଷୀରପାନ ଦେଇ ମୋତେ ପୋଷୁଅଛୁ କାଏ

 

କେ ହୋଇବ ବନ୍ଧୁ ଗୋ ଜନନି, ତୋର ପ୍ରାଏ ।

 

ମାତା ସମ ହିତ ନାହିଁ ସମସ୍ତେ କହନ୍ତି

 

ମାତା ସେବା ସମାନ ପୁତ୍ରକୁ ନାହିଁ ଗତି ।

 

ନାହିଁ ନାହିଁ ମାତା ସମ ପୁତ୍ରକୁ ସେନେହ

 

ମାତା ସମ ନାହିଁ ସୁଖେ ତୋଷିବାକୁ ଦେହ ।

 

ମାତା ସେବା ସମାନ ପୁତ୍ରକୁ ଆନ ନାହିଁ

 

ସେବା ଯେ କରଇ ଇହ ପରଲୋକ ଚାହିଁ

। ୧୯୫ ।

 

 

ଜନନୀରେ ଯେଉଁ ପୁତ୍ର କରଇ ଭଗତି

 

ଇହଲୋକ ଯଶ ପରଲୋକ ଶୁଭଗତି ।

 

ଦଶମାସ ସହଇ ଗର୍ଭରେ ବହି ଭାରା

 

କେ ଆନ ହୋଇବ ହିତ ଜନନୀର ପରା ।

 

ବିବଧ ବେଦନା ଗୋ ବିବିଧ ଦୁଃଖ ସହି

 

ପ୍ରବସ ହୁଅନ୍ତେ ପଡ଼ଇ ମୂର୍ଚ୍ଛା ଯାଇ ।

 

କାୟମଳ ଧୋଇ ମାତା ପୁତ୍ର କ୍ରୋଡ଼େ ଘେନି

 

ବିବଧ ପ୍ରକାରେ ପ୍ରତିପାଳଇ ଜନନୀ ।

 

ମୂଳମନ୍ତ୍ର-ପଙ୍କରୁ ଉଦ୍ଧାରେ ଗର୍ଭଧାରୀ

 

ରାତ୍ରିଦିବା ପାଳଇ ବିବିଧ ଯତ୍ନ କରି

। ୨୦୦।

 

 

ପ୍ରାଣହୁଁ ଅଧିକ କରି ପୋଷଇ ପୁତ୍ରକୁ

 

କେ ଅବା ସମାନ ହେବ ମାତା ସେନେହକୁ ।

 

ବଉଳାକୁ ବାଛୁରୀ କହୁଛି ପୁଣ ପୁଣ

 

ଶହେ ବରଷରେ କେ ଶୁଝିବ ମାତା ଋଣ ।

 

ମୋହ ମତେ ଏଡ଼େ ଧର୍ମ ନ ଦେଖିଲି କାହିଁ

 

ମାତା ସମ ଦେବତା ପୁତ୍ରକୁ ଆନ ନାହିଁ ।

 

ବଉଳା କହଇ ମୃତ୍ୟୁ ମୋହର ପ୍ରାପତ

 

ତୁ କେମନ୍ତ ଯିବୁ ପୁତ୍ର ମୋହୋର ସଙ୍ଗତ ।

 

ତୁ ଯେ ପ୍ରାଣତ୍ୟାଗ କରି ଲୋଡ଼ୁ ମୋର ପାଇଁ

 

ଆନ ମୃତ୍ୟୁକାଳେ ମୃତ୍ୟୁ ଆନକୁ ନୁହଇ

। ୨୦୫ ।

 

 

ଲଉଟି ନ ଆସିବି ରେ କରୁଛି ଗମନ

 

ଆଜହୁଁ ଦୁର୍ଲ୍ଲଭ ତୋତେ ମୋହୋ ଦରଶନ ।

 

ମୋତେ ଛାଡ଼ ସେନେହ ମୋହୋର ବୋଲ କର

 

ମୋହୋର ବଚନ ପ୍ରତିପାଳିବୁ କୁମର ।

 

ସର୍ବଥା ନଯିବୁ ବାବୁ ଘୋର ଅରଣ୍ୟରେ

 

ପ୍ରବେଶ ନୋହିବୁ ତୁ ଯେ ଅଗାଧ ଜଳରେ ।

 

ଅରଣ୍ୟ ଜଳକୁ ଯଦି କରିବୁ ଗମନ

 

ନିରନ୍ତରେ ପୁତ୍ର ହୋଇଥିବୁ ସାବଧାନ ।

 

ପ୍ରମାଦ ଭୂମିକି ଯେ ହୋ କରଇ ଗମନ

 

ପ୍ରମାଦ ପଡ଼ଇ ପ୍ରାଣୀ ହୁଅନ୍ତି ନିଧନ

। ୨୧୦ ।

 

 

ଅତି ଲୋଭେ ବଶ ବଳା କେବେହେଁ ନୋହିବୁ

 

ସଂକଟଭୂମିକୁ ତୃଣ ଚରିତେ ନଯିବୁ ।

 

ଲୋକରେ ଅଯଶ ବାବୁ ଲୋଭେ ପ୍ରବର୍ତ୍ତିଲେ

 

ପରଲୋକ ଲୋଭୀକି ପ୍ରାପତ ହୋଏ ଭଲେ ।

 

ଲୋଭରେ ସମୁଦ୍ର ମଧ୍ୟେ ଚଢ଼ନ୍ତି ବୋହିତ

 

ପଶନ୍ତି ଗହନ ବନେ ଲୋଭରେ ମୋହିତ ।

 

ଅତିଲୋଭେ ଅକାର୍ଯ୍ୟ ହୁଅଇ ଶୁଣ ସୁତ

 

ଜାଣିକରି କାର୍ଯ୍ୟ କରୁଥାନ୍ତି ବୁଦ୍ଧିମନ୍ତ ।

 

ଲୋଭକରେ ପ୍ରାଣୀ ଯେ ପ୍ରମାଦ ସ୍ଥାନେ ଥାଇ

 

ଅଚେତନ ହୋଇଲେ ଅବଶ୍ୟ ନାଶଯାଇ

। ୨୧୫ ।

 

 

ଏ କଥା ବିଚାରି ବାବୁ ଲୋଭ ନ କରିବୁ

 

ପ୍ରମାଦ ସ୍ଥାନକୁ ତୁ ହୋ ବିଶ୍ୱାସ ନ ଯିବୁ ।

 

ମୋହର ବଚନ ପୁତ୍ର ମନେ ଥିବୁ ଧରି

 

ରଖିବୁ ସର୍ବଦା ଆତ୍ମା ଅତି ଯତ୍ନ କରି ।

 

ହିଂସ୍ରକ ସକଳ ଜନ୍ତୁ ସର୍ପ ଆଦିକରି

 

ମ୍ଳେଚ୍ଛ ଚୋରଗଣ ନାନା ସଂକଟ ବିଚାରି ।

 

ବହୁତ କାଳରୁ ଯେଉଁ ବନେ ସର୍ପ ଥାଇ

 

ଭୟେ କେହି ଜନ ସେହି ବନକୁ ନ ଯାଇ ।

 

ସେ ବନରେ ପ୍ରବେଶ ନୋହିବୁ ଶୁଣ ବଚ୍ଛା

 

ବିଷ୍ଣୁ ଶିବ ବେଦବର କରୁ ତୋତେ ରକ୍ଷା

। ୨୨୦ ।

 

 

ହୃଦେ ପାପ ଥୋଇ ଯେହୁ କହନ୍ତି ମଧୁର

 

ବିଶ୍ୱାସ ନ ଯିବୁ ବାବୁ ବାଳୁତ କୁମର

 

ନଖ ଥିଲା ଜନ୍ତୁ ଯଦି ଶିଙ୍ଗ ଥିଲା ବନ

 

ଏ ବନକୁ ସର୍ବଦା ତୁ ନ ଯିବୁ ନନ୍ଦନ ।

 

ଶସ୍ତ୍ରଧାରୀ ରାଜଭୃତ୍ୟେ ବିଶ୍ୱାସ ନ ଯିବୁ

 

ଅବିଶ୍ୱାସ ଲୋକଙ୍କୁ ବିଶ୍ୱାସ ନ କରିବୁ ।

 

ଜୀବନ ସହିତେ ସର୍ବ ସମ୍ପଦ ହରଇ

 

ଧନକ୍ଷୟ ପ୍ରାଣପୀଡ଼ା ଅବଶ୍ୟ ହୁଅଇ ।

 

ଅତିବଳ ଦେହ ଦେଖି ବିଶ୍ୱାସ ନଯିବ

 

ନ ବୋଲିବ ଏ ଶରୀର ସବୁ ଦିନେ ଥିବ

। ୨୨୫ ।

 

 

ଜଳର ତରଙ୍ଗ ପ୍ରାଏ ଚଞ୍ଚଳ ଜୀବନ

 

ଏ କଥା ବିଚାର ଧର୍ମେ ଦେଇଥିବୁ ମନ ।

 

ଧର୍ମେ ମତି ନ ଦିଅନ୍ତି ଅତି ମୂଢ ଜନ

 

ପ୍ରମତ୍ତ ହୋଇ ବୋଲନ୍ତି ଧନ୍ୟ ରେ ଜୀବନ ।

 

ଆନ ଲୋକ ପରୀକ୍ଷା ମୁଁ କି କହିବି ତୋତେ

 

ବାସନା ଘେନିବୁ ତୁ ଯେ ଆହାର ନିମନ୍ତେ ।

 

ବାସନା-ଚକ୍ଷୁରେ ସର୍ବ ଦେଖନ୍ତି ଯେ ଗାଈ

 

ଚାରଚକ୍ଷୁ ଘେନି ରାଜା ସମସ୍ତ ଦେଖଇ ।

 

ବ୍ରାହ୍ମଣ ଦେଖଇ ସବୁ ବେଦ-ଚକ୍ଷୁଦ୍ୱାରେ

 

ଶାହାସ୍ର ପଣ୍ଡିତ ଯୋଖି ଦେଖଇ ଜ୍ଞାନରେ

। ୨୩୦ ।

 

 

ସର୍ବଥା ନୋହିବୁ ଉଭା ଘୋର ଅରଣ୍ୟରେ

 

ନିରନ୍ତରେ ଧର୍ମଚିନ୍ତା କରିବୁ ମନରେ ।

 

ବିଦ୍ୟା ବୋଧ ତପ ଧର୍ମ ସନ୍ଥ-ଆଚରଣ

 

ସନ୍ତାପ ଛାଡ଼ି ପଶିବୁ ତାହାଙ୍କ ଚରଣ ।

 

ସବୁଙ୍କରି ଆଗେ ଉଭା ସର୍ବଥା ନୋହିବୁ

 

ଆଗେ ନ ଗମିବୁ ଉଗ୍ର ବକତା ନୋହିବୁ

 

ତିନିଗୋଟି କଥା ତୁ ସର୍ବଥା ନ କରିବୁ

 

ମୋହର ବଚନ ତୁ ହୃଦରେ ଧରିଥିବୁ ।

 

ଯେତେ ବନ୍ଧୁ ବାନ୍ଧବଙ୍କୁ ଦେଖୁଛୁ ସୁରଙ୍ଗ

 

ଛାୟାର ପଥିକ ପ୍ରାଏ ହୋଇଛନ୍ତି ସଙ୍ଗ

। ୨୩୫ ।

 

 

ଯେସନେ ଏକ ପଥିକ ପନ୍ଥ ଶ୍ରାନ୍ତ ହୋଇ

 

ଛାୟା ଆଶ୍ରେ କରଇ ପନ୍ଥରେ ବୃକ୍ଷ ପାଇ

 

ପୁଣି ଯେ ଆସନ୍ତି ପ୍ରାଣୀ ପନ୍ଥଶ୍ରାନ୍ତ ହୋଇ ।

 

ସେହି ବୃକ୍ଷଛାୟାରେ ବସନ୍ତି ପୁଣି ହୋଇ ।

 

ଏମନ୍ତ ପ୍ରକାରେ ଦଶ ପାଞ୍ଚ ମେଳ ହୋଇ

 

ଏକକୁ ଆରେକ ଦୁଃଖ ସୁଖ କୁହାକୋହି ।

 

ଯେତେବେଳେ ତାହାଙ୍କର ଶ୍ରମ ହୁଏ ଶାନ୍ତି

 

ଯାହାର ଯେଣିକି ଇଚ୍ଛା ସଙ୍ଗ ତେଜି ଯାନ୍ତି ।

 

 

 

ସେହିମତି ପୁତ୍ର ଦାରା ବନ୍ଧୁ ଭୃତ୍ୟମାନେ

 

ନୋହନ୍ତି କାହାରି କେହି ଥାନ୍ତି ଏକସ୍ଥାନେ

। ୨୪୦ ।

 

 

ଯେତେବେଳେ ପ୍ରାଣୀକି ଗ୍ରାସଇ ଆସି କାଳ

 

ଏକା ମାତ୍ର ଗମଇ ସେ ଛାଡ଼ଇ ସକଳ ।

 

ବୃକ୍ଷ ଛାୟାସଙ୍ଗ ପ୍ରାଏ ସଙ୍ଗ ହୋଇଥାନ୍ତି

 

ତେସନ କୁଟୁମ୍ବ-ସଙ୍ଗ ତେଜି ଏକା ଯାନ୍ତି ।

 

ବିପୁଳ ସମ୍ପତ୍ତି ଥିଲେ ରହଇ ମେଦିନୀ

 

ଅର୍ଜିଲା ପାତକ ପୁଣ୍ୟ ସଙ୍ଗେ ଯାନ୍ତି ଘେନି ।

 

ପାପ କରିଥିଲେ ବାସ କରଇ ନର୍କରେ

 

ପୁଣ୍ୟ କରିଥିଲେ ଯାଇଁ ବସଇ ସ୍ୱର୍ଗରେ ।

 

ଏମନ୍ତ ପ୍ରକାରେ ସାତପାଞ୍ଚ ସଙ୍ଗଭ୍ରମ

 

ଧର୍ମହିଁ ସେ ଏକା ବାବୁ ସୁହୃଦ ଉତ୍ତମ

। ୨୪୫ ।

 

 

ଏ କଥା ବିଚାର ପୁତ୍ର ଶୋକ ଛାଡ଼ ମୋତେ

 

ଧର୍ମ ସେ ପରମ ଲାଭ କହୁଅଛି ତୋତେ ।

 

ଏତେ କହି ପୁତ୍ରମଥା ଶୁଙ୍ଘିଲା କଲ୍ୟାଣୀ

 

ପୁଣି ପୁଣି ଲିହଇ ପୁତ୍ରକୁ କୋଡ଼େ ଘେନି ।

 

ମହାଶୋକେ ବଉଳାର ବୁଡ଼ିଅଛି ମନ

 

ପୂର୍ଣ୍ଣ ହୋଇଅଛି ତାର ଲୋତକେ ଲୋଚନ ।

 

ନିଃଶ୍ୱାସ ପକାଉଅଛି ଯେସନେ ସର୍ପଣୀ

 

ଅତି ଦୀର୍ଘ ଉଷ୍ଣ ସେ ନିଃଶ୍ୱାସ ପୁଣି ପୁଣି ।

 

ପୁତ୍ରଦୁଃଖେ ଜଗତ ସେ ଦେଖୁଅଛି ଶୂନ୍ୟ

 

ସତ୍ୟରେ ଯିବାକୁ ବେଗ କରୁଅଛି ମନ

।୨୫୦।

 

 

ମହାପଙ୍କେ ନିମଗ୍ନ ହୋଇଲା ପ୍ରାଏ ହୋଇ

 

କେବଳ ପୁତ୍ରକୁ ଦେଖି ହୃଦୟ ଦହଇ ।

 

ପୁଣିହିଁ ସେ ପୁତ୍ରମଥା ବଉଳା ଲିହିଲା

 

ପୁଣି ସେ କଲ୍ୟାଣୀ ଧେନୁ ଏମନ୍ତ ବୋଇଲା ।

 

ପୁତ୍ର ସୁଖ ସମ କି ପାଇବା ତାର କାହିଁ

 

ପୁତ୍ର ସମ ସେନେହ ସଂସାରେ ଆନ ନାହିଁ ।

 

ଜନନୀ ପିତାକୁ ପୁତ୍ର ସମ ନାହିଁ ପ୍ରୀତି

 

ଜନନୀ ପିତାକୁ ପୁତ୍ର ସମ ନାହିଁ ଗତି ।

 

ଅପୁତ୍ରିକ ପ୍ରାଣୀକି ଜଗତ ଦିଶେ ଶୂନ୍ୟ

 

ଅପୁତ୍ରିକ ଲୋକର ଯେ ଘରହିଁ ଅରଣ୍ୟ

। ୨୫୫ ।

 

 

ସୁପୁତ୍ର ହୋଇଲେ ପ୍ରାଣୀ ପୁଣ୍ୟଲୋକ ପାଇ

 

ପୁତ୍ରର ପୁତ୍ରରେ ପ୍ରାଣୀ ସ୍ୱର୍ଗରେ ବସଇ ।

 

ଯାର କୁଳେ ସୁପୁତ୍ର ସୁନାରୀ ଉପୁଜଇ

 

ଇହ ପରଲୋକେ ସେ ପରମ ଗତି ପାଇ ।

 

ଚନ୍ଦନ ଶୀତଳ ବୋଲି ବୋଲନ୍ତି ଯେ ଜନ

 

ମୋର ମନେ ଜାଣିଲି ମୁଁ ମିଥ୍ୟା ସେ ବଚନ ।

 

ପୁତ୍ରକୁ କୋଡ଼ରେ ଧରି ହୃଦରେ ଲଗାଇ

 

ଚନ୍ଦନହୁଁ ଅଧିକ ଶୀତଳ ସୁଖ ପାଇଁ ।

 

ଭୀଷ୍ମେ କହୁଛନ୍ତି ଯେ ପୁତ୍ରର ଗୁଣ କହି

 

ପୁଣ ପୁଣି ବଉଳା ପୁତ୍ରର ମୁଖ ଚାହିଁ

। ୨୬୦।

 

ଜନନୀ ସଖୀଜନଙ୍କ ନିକଟକୁ ଗଲା

 

ଯିବାରେ ତୁରିତ ମନ ଏମନ୍ତ କହିଲା ।

 

ବଉଲା କହଇ ସର୍ବ ସଖୀଙ୍କ ଆଗରେ

 

ପ୍ରବେଶ ହୋଇଲି ମୃଗପତି ସମ୍ମୁଖରେ ।

 

ପ୍ରଣାମ କରିଣ ବ୍ୟାଘ୍ର ତହୁଁ ମୁକ୍ତ ହୋଇ

 

ଅଇଲି ବାଳକ ବଚ୍ଛା ଦେଖିବାର ପାଇଁ ।

 

ମାତା ସଖୀଜନ ବନ୍ଧୁ ଦେଖିବାର ନିମନ୍ତେ

 

ସତ୍ୟ କରି ଆସିଅଛି ବାଘର ସଙ୍ଗତେ ।

 

ସତ୍ୟ ବାକ୍ୟ କରି ମୁଁ ଗୋ ଆସିଛି ଜନନି

 

ପୁଣି ତାର କତିକି ଗୋ ଯିବି ଦେହ ଘେନି

। ୨୬୫ ।

 

 

ବାଳକବୁଦ୍ଧିରେ ମା ଅପ୍ରାଧ କଲି ଯେତେ

 

ସମସ୍ତ ଅପ୍ରାଧ ମାତା କ୍ଷମା କର ମୋତେ ।

 

ମୁଁ କିସ କହିବି ମାତା ତୁମ୍ଭର ଆଗର

 

ତୋହର ନାତିକି ଏବେ ପ୍ରତିପାଳ କର ।

 

ସୁରଭି ମାଳାମଣ୍ଡିତ ତୋହର କଲ୍ୟାଣୀ

 

ପରମ ପବିତ୍ର ତୁ ସମସ୍ତ ଅଛୁ ଜାଣି ।

 

ବସୁଧା-ଧାରିଣୀ ଗୋ ଜଗତପ୍ରିୟଦାତା

 

ପରମ ଆନନ୍ଦ-ଘଟ ଉତ୍କଟ ମୋ ମାତା ।

 

ଜ୍ଞାନ ଅଜ୍ଞାନରେ ଯାହା କହିଅଛି ତୋତେ

 

ଯାହା ମୁଁ ଅର୍ଜିଲି ଦୋଷ କ୍ଷମା କର ମୋତେ

। ୨୭୦ ।

 

 

ସର୍ବଗୁଣେ ସୁଲକ୍ଷଣା ସର୍ବଜନ-ମାତା

 

ଯେ ଯାହା ବାଞ୍ଛଇ ତୁ ଗୋ ସର୍ବ ଦେଉ ଦାତା ।

 

ତୋହର ଚରଣତଳେ କରୁଛି ଦଇନି

 

ମୋହର ପୁତ୍ରକୁ ରକ୍ଷା କର ଗୋ ଜନନି ।

 

ମୋହର ବିନୁଁ ଅନାଥ ଅବଳ ବାଳୁତ

 

ଅତି ଦୀନ ଦୁଃଖୀ ଯେ ହୋଇଲା ବାଳ ସୁତ ।

 

ମୋହୋର ବିଚ୍ଛେଦ ଦୁଃଖେ ହେଉଛି ଆକୁଳ

 

ବହେଣୀ ସକଳ ବଚ୍ଛା କରୁ ପ୍ରତିପାଳ ।

 

ବହେଣୀ ସକଳ ଶୁଣ ଏହୁ ବାଳସୁତ

 

ବିଶେଷେ ପ୍ରତିପାଳିବା ତୁମ୍ଭର ଉଚିତ

। ୨୭୫ ।

 

 

ସମସ୍ତେ ହେଁ ପ୍ରତିପାଳନ କରିବ ତନୟେ

 

ପୋଷି କ୍ଷୀରପାନ ଦେବ ନିଜ ପୁତ୍ର ପ୍ରାଏ ।

 

ରଖିବ ଅନାଥ ବାଳ ବଚ୍ଛାଟିର କାଏ

 

ପ୍ରତିପାଳ କରିବ ଆପଣା ବଚ୍ଛା ପ୍ରାଏ ।

 

କ୍ଷମା କର ସକଳେ ମୋହର ଦୋଷମାନ

 

ସତ୍ୟ ଆଶ୍ରେ କରି ମୁଁ ଯେ ଯାଉଅଛି ବନ ।

 

ସର୍ବସଖୀ ଯଦି ଗୋ କହିବ ଆଗ ହୋଇ

 

ଏ କାର୍ଯ୍ୟ ବିଳମ୍ବ ତ ଗୋ ଉଚିତ ନୁହଇ ।

 

ଯେତେ ଜନ୍ତୁ ଜାତ ହୋଇ ଅଛନ୍ତି ସଂସାରେ

 

ସବୁଙ୍କର ମୃତ୍ୟୁ ସଖୀ ଅଛି ଗୋ ଆଗରେ

। ୨୮୦ ।

 

 

ବଉଳାର ତହୁଁ ଯହୁଁ ଶୁଣିଲେ ଏମନ୍ତ

 

ମାତା ସଖୀଜନ ସବୁ ହୋଇଲେ ଦୁଃଖିତ ।

 

ବିସ୍ମୟ ହୋଇଲେ ଶୁଣି ମାତା ସଖୀଜନ

 

ବଉଳା ବଦନ ଚାହିଁ କହନ୍ତି ବଚନ ।

 

ଏମନ୍ତ * ଆଶ୍ରିତ ତ ଶୁଣିଲା ନାହିଁ କାହିଁ

 

ବଉଳା ଆସିଛୁ ସତ୍ୟ କରି ବ୍ୟାଘ୍ର ତହିଁ ।

 

ଅତି ଭୟାଙ୍କାର ଯାର ନାମେ କରି ତ୍ରାସ

 

ବଉଳା କରିଛୁ ଇଚ୍ଛା ଯିବୁ ତାର ପାଶ ।

 

 

 

ଶପଥ ହିଁ କରି ସତ୍ୟ ବଚନ ହିଁ ଦେଇ

 

ଦୁର୍ଗମ ଘୋର ବିପତ୍ତି ନାଶିବାର ପାଇଁ ।

। ୨୮୫ ।

 

 

ନାନା ସତ୍ୟ କରି ଭବେ ବଞ୍ଚିବାର ପାଇଁ

 

ପୁଣି କି ଲଉଟି ପ୍ରାଣୀ ସେଠାବକୁ ଯାଇ ।

 

ବଉଳା ବନକୁ ଆଉ ଗମନ ନ କର

 

ଏ କଥାରୁ କେଉଁ ଧର୍ମ ହୋଇବ ତୋହୋର ।

 

ବାଳପୁତ୍ର ଗୋଟି ତୋର ତେଜିବୁ ଏହାକୁ

 

ସତ୍ୟ ଲୋଭ ହୋଇ କିମ୍ପା ପଶିବୁ ବନକୁ ।

 

ସତ୍ୟବାଦୀ ଋଷି କଥା ପୂର୍ବେ ଛନ୍ତି କହି

 

ପ୍ରାଣତ୍ୟାଗ ପ୍ରମାଣେ ସର୍ବଦା ପାପ ନାହିଁ ।

 

ବିବାହେ ବିବାଦେ ପ୍ରାଣତ୍ୟାଗେ ମିଥ୍ୟା ନାହିଁ

 

ଧନନାଶେ ମିଥ୍ୟା ପାପେ ନୁହନ୍ତି ନା ଦହି

। ୨୯୦।

 

 

ବ୍ରାହ୍ମଣ ନିମନ୍ତେ ମିଥ୍ୟା ଯେ ପୁଣ କହଇ

 

ଏ ପଞ୍ଚ ମିଥ୍ୟାରେ ହୋ ସର୍ବଥା ପାପ ନାହିଁ ।

 

ପ୍ରାଣୀ ପ୍ରାଣ ରଖିବାକୁ ଯେଉଁ ମିଥ୍ୟା କହି

 

ଏ ମିଥ୍ୟା ପାପରେ ପ୍ରାଣୀ ନୁହନ୍ତି ନା ଦହି ।

 

ମିଥ୍ୟାହିଁ ହୁଅଇ ସତ ପ୍ରାଣୀ ରକ୍ଷା କଲେ

 

ସତ ମିଥ୍ୟା ସମ ପାପ ପ୍ରାଣୀ ନାଶ ଗଲେ ।

 

ବଉଳା ବୋଲଇ ପର ପ୍ରାଣ-ରକ୍ଷା ପାଇଁ

 

କହିଲେ ବଚନ ମିଥ୍ୟା ପାତକ ନୁହଇ ।

 

ଆପଣା ନିମନ୍ତେ ମିଥ୍ୟା କହିବାର ପାଇଁ

 

କଦାଚିତେ ମାତା ମୋର ଚିତ୍ତ ନ ବଳଇ

। ୨୯୫ ।

 

 

ଏକା ହୋଇ ଗର୍ଭରୁ ହୁଅଇ ପ୍ରାଣୀ ଜାତ

 

ଏକା ହୋଇ ପ୍ରାଣତ୍ୟାଗ ହୁଅଇ ଗୋ ମାତ

 

ଏକା ହୋଇ ପ୍ରାଣୀ ଗୋ ଭୁଞ୍ଜଇ ଦୁଃଖ ସୁଖ

 

ସେ ଘେନି ସତ୍ୟରୁ ମୁଁ ଗୋ ନୋହିବି ବିମୁଖ ।

 

ସତ୍ୟେ ଚତୁର୍ଦ୍ଦଶ ଲୋକେ ଛନ୍ତି ଉଭା ହୋଇ

 

ସତ୍ୟରେ ସକଳ ଧର୍ମ ସର୍ବଦା ବସଇ ।

 

ସତ୍ୟରେ ଜନନି ଆଗୋ ସମୁଦ୍ରର ଜଳ

 

ସତ୍ୟରେ ସର୍ବଥା ସିନ୍ଧୁ ନ ଲଙ୍ଘଇ କୂଳ ।

 

ସତ୍ୟେ ବଳି ପୃଥିବୀ ବିଷ୍ଣୁର ହାଥେ ଦେଲା

 

ତ୍ରିଭୁବନ ତେଜି ରାଜା ପାତାଳେ ରହିଲା

। ୩୦୦।

 

 

ସତ୍ୟବାକ୍ୟେ ବଳି ରାଜା ପାତାଳ ଭୁବନ

 

ହରଷେ ରହିଛି ରାଜା ଚରଣେ ବନ୍ଧନ ।

 

ବିଂଝଗିରି ବଢ଼ିଥିଲା ଶତେ ଶୃଙ୍ଗ ଘେନି

 

ସତ୍ୟ କରାଇଲେ ଯେ ଅଗସ୍ତି ମହାମୁନି ।

 

ମୁନିଙ୍କ ସେ ଚିରିରାଜା ସତ୍ୟ ବାକ୍ୟ ଦେଲା

 

ଅଗସ୍ତି ବଚନେ ସେ ସର୍ବଦା ନିବର୍ତ୍ତିଲା ।

 

ସତ୍ୟ ଥିଲେ ନିଚେଁ ପ୍ରାଣୀ ସଙ୍ଗ ମୋକ୍ଷ ପାଇ

 

ସତ୍ୟରୁ ହୋଇଲେ ଭ୍ରଷ୍ଟ ନର୍କରେ ସମ୍ଭାଇ ।

 

ସତ୍ୟ କରି ନିସତ ଯେ ହୁଅଇ ମନରେ

 

ଲେପିତ ହୁଅଇ ପ୍ରାଣୀ ସେହି ପାତକରେ

। ୩୦୫ ।

 

 

ସତ୍ୟ କରି ପ୍ରାଣୀକି କରାଇ ଥାଇ ଆଶା

 

ସତ୍ୟ ଛାଡ଼ି ପୁଣି କହଇ ଆନ ଭାଷା ।

 

ସେ ପ୍ରାଣୀ ଅଥବା କେଉଁ ପାପ ନ ଅର୍ଜିଲା

 

ଚୋରବୃତ୍ତି କରି ଯେ ଆତ୍ମାକୁ ହତ କଲା ।

 

ସେ ଘେନି ସତ୍ୟ ଲଙ୍ଘି ମୁଁ କେମନ୍ତେ ରହିବି

 

ଆପଣା ଆତ୍ମାକୁ ପାପେ କେମନ୍ତେ ଦହିବି ।

 

ଆତ୍ମାଦ୍ରୋହ କରନ୍ତେ ମୁଁ ଆତ୍ମାକୁ ଭଣ୍ଡାଇ

 

ନିଚଏଁ ଘୋର ନରକେ ସମ୍ଭାଇବି ଯାଇ ।

 

ସତ୍ୟ ହିଁ ସେ ତୀର୍ଥ ଦୟା ଅଟଇ ସାଗର

 

ଅଗାଧ ନିର୍ମଳ ଶୁଦ୍ଧ ମହିମା ଯାହାର

। ୩୧୦ ।

 

 

ତହିଁ ସ୍ନାନ କଲେ ପାପୀ ପ୍ରାଣୀ ମୁକ୍ତ ହୋଇ

 

ପ୍ରାନ୍ତକାଳ ହୋଇଲେ ପରମ ଗତି ପାଇ ।

 

ସତ୍ୟରେ ପବନ ସର୍ବକାଳରେ ବହଇ

 

ସତ୍ୟରେ ଅଗ୍ନି ଦେବତା ସର୍ବଦା ଜଳଇ ।

 

ସତ୍ୟେ ଜଳ ବୃଷ୍ଟି କରୁଛନ୍ତି ପୁରନ୍ଦର

 

ସତ୍ୟେ ରବି ପ୍ରକାଶନ୍ତି ସକଳ ସଂସାର

 

ନାହିଁ ନାହିଁ ସତ୍ୟର ସମାନ ଧର୍ମ ନାହିଁ

 

ସତ୍ୟର ସମାନ କର୍ମ ଆଉ ଅଛି କାହିଁ ।

 

ସତ୍ୟର ସମାନେ ଆଉ ନାହିଁଟି ସମ୍ପତ୍ତି

 

ନାହିଁ ନାହିଁ ସତ୍ୟର ସମାନ ଆନ ଗତି

। ୩୧୫ ।

 

 

ସହସ୍ରେକ ଅଶ୍ୱମେଧ ତୁଳେ ବସାଇଲା

 

ଆର ଆଡ଼େ ବିଧାତା ଯେ ସତ୍ୟକୁ ରଖିଲା ।

 

ତୁଳରେ ବସାନ୍ତେ ସତ୍ୟ ଅଧିକ ହୋଇଲା

 

ଅଶ୍ୱମେଧ ସହସ୍ରେକ ସମାନ ନୋହିଲା ।

 

ସତ୍ୟ ସମ ସାଧୁଙ୍କର ତପ ନାହିଁ ଆନ

 

ସତ୍ୟହିଁ ସେ ସାଧୁଜନଙ୍କର ଦୃଢଜ୍ଞାନ ।

 

ସତ୍ୟ ଥିଲେ ପ୍ରାଣୀ ସର୍ବ କିଳ୍‍ବିଷ ନାଶଇ

 

ସତ୍ୟ ସମ ହିତ ଆନ ସର୍ବଥା ନୁହଇ

 

ସତ୍ୟହିଁ ସେ ସାଧୁଙ୍କର କଷିବାର ସ୍ଥାନ

 

ସତ ହିଁ ସେ ସାଧୁଜନଙ୍କର କୁଳଧନ

। ୩୨୦ ।

 

 

ଚାରି ଆଶ୍ରମରେ ସତ ଅଟଇ ବଲ୍ଲଭ

 

ସତର ସମାନେ ଆନ ନାହିଁ ନା ଦୁର୍ଲ୍ଲଭ ।

 

ଯେଉଁ ସତ ପ୍ରସାଦେ ବସଇ ଦିବ୍ୟସ୍ଥାନେ

 

ସେ ସତକୁ ତ୍ୟାଗ କରି ରହିବି କେସନେ ।

 

ଯେଉଁ ପ୍ରାଣୀଙ୍କର ଯାଇ ମିଛ ଘେନି ଦିନ

 

ଦୁଷ୍ଟଭାବେ ଜନ୍ତୁର ଯେ ଶୋଷନ୍ତି ଜୀବନ ।

 

ଆପଣାର ଭଲକୁ ଯେ ସର୍ବଦା ଇଚ୍ଛିବ

 

ସତ୍ୟହୀନ ନିର୍ଦ୍ଦୟକୁ ବିଶ୍ୱାସ ନ ଯିବ ।

 

ବଉଳା ସକଳ ଧର୍ମ ବିବିଧ ପ୍ରକାରେ

 

କହିଲା ସୁନ୍ଦରୀ ସର୍ବ ସଖୀଙ୍କ ଆଗରେ

। ୩୨୫ ।

 

 

ଧର୍ମରେ କରୁଛି ଇଚ୍ଛା ବଉଳା ସୁମୁଖୀ

 

ଧନ୍ୟ ଧନ୍ୟ ବଉଳା ବୋଲନ୍ତି ସର୍ବସଖୀ ।

 

ସୁରାସୁର ଯେତେକ କରନ୍ତି ସ୍ୱର୍ଗଭୋଗ

 

ବଉଳା ତୁ ସବୁଙ୍କର ମନସ୍କାର ଯୋଗ୍ୟ ।

 

ଯାଅ ଗୋ ବଉଳା ତୁ ସତ୍ୟରେ ଯାଇ ଭଜ

 

ଦୁଃଖେ ଦହି ନୁହ ଯାଇଁ ପ୍ରାଣ ବେଗେ ତେଜ ।

 

କି କହିବୁ କଲ୍ୟାଣୀ ଗୋ ତୋହର ଆଗରେ

 

ଯାଅ ତୁ ସତ୍ୟରେ ବହିଅଛୁ ଧର୍ମଭାର ।

 

 

 

ଯେଉଁ ତ୍ୟାଗ କରିଛୁ ଏ ସତ୍ୟଧର୍ମ ଚାହିଁ

 

ତୋତେ ତ୍ରଇଲୋକରେ ଦୁର୍ଲ୍ଲଭ କିଛି ନାହିଁ

। ୩୩୦ ।

 

 

ବଉଳା ସତ୍ୟଚାରିଣୀ ତୋର ଧର୍ମ ସତେ

 

ଅବିନାଶ ରୂପ କି ଦେଖିବୁ ଆମ୍ଭେ ତୋତେ ।

 

ନିର୍ମଳ ସର୍ବଦା ଚିତ୍ତ ଯାହାର ଅଟଇ

 

ସର୍ବଦା ବଉଳା ତାକୁ ଆପଦ ନ ଥାଇ ।

 

ଦେଖିଲା ବଉଳା ସର୍ବ ଗୋପ-ଗୋପୀଗଣ

 

ଗୋଷ୍ଠକୁ ସେ କଲା ଧେନୁ ତିନି ପ୍ରଦକ୍ଷିଣ ।

 

ଗୋଷ୍ଠର ଭିତରୁ ସେ ବଉଳା ଆଗ ହୋଇ

 

ଦେବଗଣମାନଙ୍କୁ ସେ କହଇ ବିନୋଇ ।

 

ଭୋ ପୃଥ୍ୱି ବରୁଣ ଅଗ୍ନି ରବି ନିଶାକର

 

ଦଶଦିଗ ଦେବ ନଦୀ ଗ୍ରହ ଗିରିବର

। ୩୩୫ ।

 

 

ପବନ ସହିତେ ଦୟା କରିବ ଆମ୍ଭଙ୍କୁ

 

ପୁଣି ପୁଣି ଦଣ୍ଡବତ କରୁଛି ତୁମ୍ଭଙ୍କୁ ।

 

ଯେଝାର ପ୍ରଭାବରେ ସେ ସକଳ ଦେବଲୋକ

 

ରକ୍ଷାକର ଏହୁ ମୋର ଅନାଥ ବାଳକ ।

 

ମୋହୋର ବିଚ୍ଛେଦ ଦୁଃଖେ ଭୂମିରେ ଲୋଟଇ

 

ମୋତେ ଡାକି ଉଚ୍ଚସ୍ୱରେ ରୋଦନ କରଇ ।

 

ବାଳକ ମୋହର ବଚ୍ଛା ନ ଜାଣଇ କିଛି

 

କାନ୍ଦୁଅଛି ବଚ୍ଛା ମୋତେ ନ ପାରି ମୁରୁଛି ।

 

ସର୍ବ ଦେବ ସର୍ବ ସାଧୁଜନମାନଙ୍କର ମନ

 

ଦେଖନ୍ତି ସକଳ ଜନ୍ତୁ ବନ୍ଧୁଙ୍କ ସମାନ

। ୩୪୦ ।

 

 

ଏ ଘେନି ମୁଁ ପୁଣ ପୁଣି କହୁଛି ଅପାର

 

ଅନାଥ ବାଳକ ମୋର ପ୍ରତିପାଳ କର ।

 

ସିଂହ ଆଦି ଅରଣ୍ୟେ ସକଳ ଜନ୍ତୁମାନେ

 

ଆଶ୍ରେ କରିଛନ୍ତି ଯେତେ ଦେବତା ଅରଣ୍ୟେ ।

 

ଅରଣ୍ୟରେ ଚରୁଥିବ ଅବଳ କୁମର

 

ଏ ମୋହୋର ବଚ୍ଛାକୁ ସକଳ ରକ୍ଷାକର ।

 

ପୁନାଙ୍ଗ ଅଶ୍ୱତ୍‍ଥ ଆମ୍ବ ଅଶୋକ ଅସନ

 

ସରଳ କିଂଶୁକ ଶାଳ ତମାଳ ଅର୍ଜୁନ ।

 

ଶୁଣ ତୁମ୍ଭେ ବନର ସକଳ ତରୁମାନ

 

କହୁଅଛି ବିକଳେ ବିନତି ମୋର ଘେନ

। ୩୪୫ ।

 

 

ଦୀନ ଦୁଃଖୀ ବାଳୁତ ଚିରନ୍ତେ ଏକା ହୋଇ

 

ଆହାର ନିମନ୍ତେ ଥିବ ବନସ୍ତେ ସମ୍ଭାଇ ।

 

ମୋର ଶୋକେ ଦୁଃଖିତ ଯେ ହୋଇଥିବ ବଚ୍ଛା

 

ଜନ୍ମକଲା ପୁତ୍ର ପ୍ରାୟେ କରିଥିବ ରକ୍ଷା ।

 

ମାତା ପ୍ରତିପାଳରୁ ବିଚ୍ଛେଦ ପୁତ୍ର ହୋଇ

 

ଦୀନ ଦୁଃଖୀ ବାଳକ ସେ ଅନାସ୍ତା ଅଟଇ ।

 

ଭୂମିରେ ଲୋଟୁଛି କାନ୍ଦି ଏହୁ ବାଳସୁତ ।

 

ମୋହର ନିମନ୍ତେ ବଡ଼ ହେଉଛି ଦୁଃଖିତ ।

 

ମୋହୋର ବାଳୁତ ଏ ବାଳକ ବୁଦ୍ଧି ଘେନି

 

ନିରନ୍ତରେ ଡାକୁଅଛି ଜନନି ଜନନି

। ୩୫୦ ।

 

 

ମାତା ଶୋକେ ଶରୀର ହେଉଛି ଅଚେତନ

 

କ୍ଷୁଧା * ପିବାସରେ ଆତ୍ମା ହେଉଛି ଦହନ ।

 

କ୍ଷୀରପାନ ବିକ୍ରକେ ସେ ନ ଜାଣଇ ଆନ

 

ମୋର ବିନୁ ଜଗତ ଦିଶୁଛି ତାକୁ ଶୂନ୍ୟ ।

 

ଚାରିଆଡ଼େ ଧାଉଁଛି ଡାକୁଛି ପୁଣ ପୁଣ

 

ବୋଲଇ ଜନନି କେ କରିବ ପୋଷଣ ।

 

ଭୀଷ୍ମେ କହୁଛନ୍ତି ଶୁଣ ଧର୍ମର କୁମର

 

ପୁତ୍ର ସେନେହରେ ବଶ ହୋଇଛି ଶରୀର ।

 

ଶୋକ ଅଗ୍ନି ଲାଗି ବଡ଼ ସନ୍ତାପ ପାଇଲା

 

ପୁତ୍ର ଦରଶନେ ଧେନୁ ନିରାଶ ହୋଇଲା

। ୩୫୫ ।

 

 

ବିଚ୍ଛେଦ ହୋଇଲା ଚିତ୍ରବାକୀ ପକ୍ଷୀ ପ୍ରାଏ

 

ଚାଲନ୍ତେ ଚରଣ ଘର ନ ପଡ଼ଇ ଥଏ ।

 

ଯେଉଁ ଠାରେ ଅଛି ବାଘ ଅରଣ୍ୟ ଭିତର

 

ବଉଳା ପ୍ରବେଶ ଯାଇଁ ହୋଇଲା ଆଗର ।

 

ବଦନ ବିସ୍ତାର କରି ଅଛି ମୃଗପତି

 

ଦେଖାଇ ତୀକ୍ଷଣ ଦନ୍ତ ଭୟଙ୍କର ମୂର୍ତ୍ତି ।

 

ବାଘକୁ ଦେଖିଣ ଧେନୁ ନିକଟକୁ ଗଲା

 

ଆଗେ ଉଭା ହୋଇ ଧେନୁ ଏମନ୍ତ କହିଲା ।

 

ଅଇଲି ହୋ ମୃଗପତି କତିକି ତୋହୋର

 

ସତ୍ୟ ଏ ବଚନେ ଆନ ନୋହିଲା ମୋହୋର

। ୩୬୦।

 

 

ହୁଅ ତୁ ତ୍ରିପୃତି ବାଘ ଶୁଣ ମୋ ବଚନ

 

ମୋହୋର ମାଏଁସ ଖାଇ ବଞ୍ଚ ଆଜି ଦିନ ।

 

ଏ ତୋହୋର ଶରୀର ଯେ ପଞ୍ଚୁ ଆତ୍ମାଭୂତ

 

ମୋହୋର ମାଏଁସ ଦେଇ କର ତୁ ତ୍ରୁପତ ।

 

ବ୍ୟାଘ୍ର କହୁଅଛି ସୁଖେ ଅଇଲୁ କଲ୍ୟାଣି

 

ଧନ୍ୟ ଧନ୍ୟ ବଉଳା ପ୍ରମାଣ ତୋର ବାଣୀ ।

 

ସତ୍ୟଧର୍ମ ବଉଳା ଯାହାର ତହିଁ ଥାଇ

 

କିଞ୍ଚିତ ଆପଦ ହିଁ ତାହାକୁ ନ ଲାଗଇ

 

ବଉଳା ତୁ ସତ୍ୟ କଲୁ ଏହି ଅରଣ୍ୟରେ

 

ବୋଇଲୁ ହୋଇବି ଆସି ତୋହୋର ଆଗରେ

। ୩୬୫ ।

 

 

ଏ କଥା ତ କଉତୁକ ହୋଇଲା ଗୋ ମୋତେ

 

ମୃତ୍ୟୁକୁ ନ କଲୁ ଭୟ ଅଇଲୁ କେମନ୍ତେ ।

 

ତୋହୋର ଏ ସତ୍ୟଧର୍ମ ଦେଖିବା ନିମନ୍ତେ

 

ବୋଇଲି ଗୋ ବେଗେ ଯାଇ ଆସ ଯା ତୁରିତେ ।

 

ମାଏଁସ ଭକ୍ଷନ୍ତି ଯେ ହିଂସ୍ରକ ଜନ୍ତୁମାନେ

 

ତାହାର ଆଗରୁ ବଞ୍ଚି ଯାଆନ୍ତି କେସନେ

 

ଅପୂର୍ବ କଉତୁକ ଦେଖିଲି ଗୋରୁ ଆଜ

 

ପ୍ରାଣତ୍ୟାଗେ ସତ୍ୟଧର୍ମ ରହିଲା ତୋ ଆଜ ।

 

ମୋତେ ଯେଉଁ ସତ୍ୟ ବାକ୍ୟ ଯାଇଉଥିଲୁ ଦେଇ ।

 

ସେ କଥାରୁ ମୁକତ ହୋଇଲୁ ନିଚେଁ ଗାଈ

। ୩୭୦ ।

 

 

ସତ୍ୟରେ ସକଳ ଲୋକେ ପାଉଛନ୍ତି ଶୋଭା

 

ସତ୍ୟରେ ସକଳ ଧର୍ମ ହୋଇଅଛି ଉଭା ।

 

ଜ୍ଞାନ ମୋକ୍ଷ ବସଇ ସେ ସତ୍ୟର ଭିତର

 

କି କହିବା ସର୍ବ ସୁଖ ଅଛି ସତ୍ୟର ।

 

ସତ୍ୟରେ ଦେବତାମାନେ ତ୍ରିପୁତ ହୁଅନ୍ତି

 

ସତେ ପିତୃଲୋକମାନେ କଲ୍ୟାଣ କରନ୍ତି ।

 

ସତ୍ୟରେ ସନ୍ତୋଷ ହୋନ୍ତି ସିଦ୍ଧ ଋଷିମାନେ

 

ସର୍ବଦା ବସନ୍ତି ସେ ଯେ ସତ୍ୟ ଥିଲା ସ୍ଥାନେ ।

 

 

 

ଯହିଁ ତୁ ବଉଳା ଧେନୁ କରୁଅଛୁ ସ୍ଥିତି

 

ଧନ୍ୟ ସେହୁ ଗାଈମାନେ ଧନ୍ୟ ସେହୁ ପୃଥ୍ୱୀ

। ୩୭୫ ।

 

 

ଧନ୍ୟ ସେହୁ ଦେଶ ସେ ବଚନେ ନୋହେ କହି

 

ତୁ ସତ୍ୟବାଦିନୀ ଧେନୁ ଯହିଁ ଅଛୁ ରହି ।

 

ଚନ୍ଦ୍ରସେନ ରାଜା ଧନ୍ୟ ହୋଇଲା ଗୋ ସେହି

 

ସୁଭାଗୀ ବଉଳା ଯାର ରାଜ୍ୟେ ଅଛୁ ରହି ।

 

ଧନ୍ୟ ସେ ନଗର ତାର ଧନ୍ୟ ମନ୍ତ୍ରିଗଣ

 

ଧନ୍ୟ ରାଇଜ ତରୁ ଧନ୍ୟ ଲତା ତୃଣ ।

 

ଭ୍ରମନ୍ତେ ବଉଳା ତୋତେ କରନ୍ତି ଦର୍ଶନ

 

ଦର୍ଶନମାନ୍ତ୍ରକେ ପାପ କରନ୍ତି ଦହନ ।

 

ଧନ୍ୟ ସେହୁ ପ୍ରାଣୀ ସେ ଗୋ ହୋଇଲେ କୁତାର୍ଥ

 

ଧନ୍ୟ ସେହୁ ପ୍ରାଣୀ କଲେ ସକଳ ସୁକୃତ

। ୩୮୦ ।

 

 

ଜନମ ସଫଳ ନିଶ୍ଚେ ହୋଇଲା ତାହାର

 

ଯେ ତୋହର କ୍ଷୀର ପ୍ରାଣୀ କରନ୍ତି ଆହାର ।

 

ମୃଗପତି ଦେଖିଲାକ ବଉଳାର ସତ

 

ପୁଣି ପୁଣି ବିସ୍ମୟ ସେ ହୋଇଲା ବହୁତ ।

 

ମୃଗପତି କହେ ମୋର ଚିତ୍ତକୁ ଅଇଲା

 

ନିଶ୍ଚୟ ବିଧାତା ମୋତେ ଉପଦେଶ ଦେଲା ।

 

ବଉଳାର ସତ ଯାହା ଦେଖିଲି ନୟନେ

 

ପ୍ରାଣ ରଖିବାକୁ ମୋର ନ ରୁଚଇ ମନେ ।

 

ଆଜଠାରୁ ଧର୍ମ କର୍ମ ନିଶ୍ଚୟ କରିବି

 

ଅର୍ଜିଛି ଯେତେକ ପାପ ନିଶ୍ଚୟ ଦହିବି

। ୩୮୫।

 

 

ସହସ୍ର ସହସ୍ର ଜୀବ ପ୍ରାଣେ ଅଛି ମାରି

 

ସହସ୍ର ସହସ୍ର ଜୀବ ଭକ୍ଷିଲି ସଂହରି ।

 

ଧର୍ମର ନିମନ୍ତେ ଗୋରୁ ତେଜିଲା ଜୀବନ

 

ମୁଁ କେଉଁ ଗତିକି ଅବା କରିବି ଗମନ ।

 

ମୁଁ ଯେ ପାପୀ ଦୁରାଚାର ନିର୍ଦ୍ଦୟ ଶରୀର

 

ନିରନ୍ତରେ ଜୀବବଧ କଲି ମୁଁ ଅପାର ।

 

ଦୁଷ୍କର ପାତକମାନ କରି ମନ୍ଦମତି

 

କେଉଁ ଲୋକ ପାଇବି ମୁଁ କେଉଁ * ଗର୍ଭଗତି ।

 

ନାନ ତୀର୍ଥମାନଙ୍କୁ ମୁଁ ଗମନ କରିବି

 

ପାପମାନ ନାଶି କାଏ ଶୋଧନ କରିବି

। ୩୯୦।

 

 

ପର୍ବତ ଉପରୁ ପଡ଼ି ତେଜିବି ଜୀବନ

 

ନୋହିଲେ ପ୍ରବେଶ ମୁଁ ହୋଇବି ହୁତାଶନ ।

 

ବିବିଧ ପ୍ରକାରେ ମିଁ ଯେ ଶୁଖାଇବି କାଏ

 

ତୃଷାର ସମୟେ ଯେ ଅଳ୍ପ ଜଳ ପ୍ରାଏ ।

 

ଶୁଣ ତୁ ବଉଳା କାର୍ଯ୍ୟ ତପସ୍ୟା ମୋହୋର

 

ତପେ କାଏ ଶୋଧି ସିଦ୍ଧ କରିବି ଶରୀର ।

 

କେହୁଣି ଦିଗକୁ ମୁଁ ଯେ କରିବି ଗମନ

 

କରିବି ତପସ୍ୟା ସିଦ୍ଧ ଧ୍ୟାଇ ଅଛି ମନ

। ୩୯୫ ।

 

 

ବଉଳା କହଇ ମୃଗପତି ମୁଖ ଚାହିଁ

 

ଯେଉଁ ଯୁଗ ଯେଉଁ ଧର୍ମ କଲେ ପାପ ଦହି ।

 

ସତ୍ୟଯୁଗେ ତପସ୍ୟା ତ୍ରେତୟାଯୁଗେ ଜ୍ଞାନ

 

ଦ୍ୱାପରେ ବିବଧ ଯଜ୍ଞ କଳିଯୁଗେ ଦାନ ।

 

ସବୁ ଦାନ ଭିତରେ ଉତ୍ତମ ଦାନ ଯାହା

 

ଶୁଣ ମୃଗପତି ମୁଁ କହିବି ତୋତେ ତାହା ।

 

ସମସ୍ତ ଜୀବକୁ ଯେ ଅଭୟ ଦାନ ଦେଇ

 

ଆନ ଦାନ ତାହାକୁ ଯେ ସମାନ ନୁହଇ ।

 

ସ୍ଥାବର ଜଙ୍ଗମ କୀଟ ପତଙ୍ଗ ସହିତେ

 

କାହାକୁହିଁ ହିଂସା ବୁଦ୍ଧି ନାହିଁ ଯାର ଚିତ୍ତେ

। ୪୦୦ ।

 

 

ଶାପରୁ ମୁକତ ସେ ଯେ ହୁଅଇ ଅବଶ୍ୟ

 

ପରମ ବ୍ରହ୍ମରେ ଯାଇ ହୁଅଇ ପ୍ରବେଶ ।

 

ଅହିଂସାର ସମାନ ଧର୍ମ ନାହିଁ ଆନ

 

ତପସ୍ୟା ଅଧିକ ନାହିଁ ଅହିଂସା ସମାନ ।

 

ମହାଯୋଗବୃକ୍ଷରେ ଅହିଂସା ତହିଁ ଶାଖା

 

ବିବେକ-କୁସୁମ ମୁକ୍ତି-ଫଳ ଦେଇ ଦେଖା ।

 

ତ୍ରିବିଧ ତାପରେ ଯେ ତାପିତ ସର୍ବପ୍ରାଣୀ

 

ଯଜ୍ଞ ତରୁବରକୁ ଅହିଂସା କଲା ଜାଣି ।

 

ପୁଣି ସେ ସଂସାର-ଦୁଃଖେ ନୁହଇ ଦୁଃଖିତ

 

ପରମ ନିର୍ବାଣ ପାଇ ହୁଅଇ ନିଶ୍ଚିନ୍ତ

। ୪୦୫ ।

 

 

ସତ୍‍ସଙ୍ଗ କରୁଛି ମୁଁ କହି ଏହୁ କଥା

 

ଏହି ସେ ପରମ ଲାଭ ଅଟଇ ସର୍ବଥା ।

 

ତୁହି ତ ସକଳ ଧର୍ମ ଜାଣୁ ମହାବଳ

 

ବୁଦ୍ଧି ମୋର ଜାଣିଲାକୁ ପୁଚ୍ଛିଲୁ ସକଳ ।

 

ବଉଳା ବଚନେ ବ୍ୟାଘ୍ର କହୁଅଛି ପୁଣ

 

ତୁ ସତ୍ୟବାଦିନି ! ମୋର ପୂର୍ବ କଥା ଶୁଣ ।

 

ପୂର୍ବେ ଶାପ ଦେବତାଏ ଦେଲେ ମୋତେ କୋପେ

 

ମର୍ତ୍ତ୍ୟମଣ୍ଡଳରେ ରହ ବନପତି ରୁପେ ।

 

ତାହାଙ୍କର ଶାପେ ମୋର ଜ୍ଞାନ ଗଲା ନାଶ

 

ଘୋର ଜନ୍ତୁ ବଧରେ ମୁଁ ହୋଇଲି ପ୍ରବେଶ

। ୪୧୦ ।

 

 

ସାଧୁସଙ୍ଗ ଉପଦେଶ ପାଇଲି ତୋହୋରି

 

ପୂର୍ବଜ୍ଞାନ ସୁମରଣ ହୋଇଲା ମୋହୋରି ।

 

ଶାପରୁ ମୁକତ ହୋଇ ଆଜ ଅପ୍ରମାଦେ

 

ପବିତ୍ର ହୋଇଲି ଧେନୁ ତୋହୋର ପ୍ରସାଦେ ।

 

ଯାଅ ତୁ ବଉଳା ତୋଷ ହୋଇଲି ଗୋ ତୋତେ

 

ଆନନ୍ଦେ ଗୋଷ୍ଠରେ ରହ ନନ୍ଦନ ସହିତେ ।

 

ତୁ ଯେ ସତ୍ୟ ବଉଳା ଅଚଳକଲୁ ମତି

 

ପ୍ରାପତ ହୋଇବ ତୋତେ ଯେଉଁ ଶୁଭଗତି ।

 

ଯୋଗ ଆଶ୍ରେ କରି ସେ ବସିଲା ମୃଗପତି

 

ପରମ ବ୍ରହ୍ମରେ ନେଇ ଖଟାଇଲା ମତି

। ୪୧୫ ।

 

 

ପ୍ରାଣତ୍ୟାଗ ଧାରଣେ ବସିଲା ମହାବଳୀ

 

ଦେହତ୍ୟାଗ କରି ସେ ସ୍ୱର୍ଗକୁ ଗଲା ଚଳି ।

 

ଶୁଦ୍ଧ ଆତ୍ମା ହୋଇଲା ପାପରୁ ମୁକ୍ତ ହୋଇ

 

ଆନନ୍ଦ ହୋଇଲା ବଡ଼ ଅଇଶ୍ୱର୍ଯ୍ୟ ପାଇ ।

 

ମହାବିମାନରେ ଯାଇଁ ବସିଲା ଆପଣ

 

ବେଢି ସେବା କରୁଛନ୍ତି ଆପସରାଗଣ ।

 

ଦେଖିଲା ଶରୀର ତେଜି ବସିଲା ବିମାନେ

 

ଦେଖି ଧେନୁ ପରମବିସ୍ମୟ ହେଲା ମନେ ।

 

ହରଷେ ବଉଲା ଧେନୁ କାଏ ପୃଷ୍ଟ କରି

 

ଗୋକୁଳେ ପ୍ରବେଶ ଯାଇ ହୋଇଲା ସୁନ୍ଦରୀ

। ୪୨୦ ।

 

 

ପ୍ରବେଶ ହୋଇଲା ଧେନୁ ଆପଣା ଗୋଷ୍ଠର

 

ବ୍ୟାଘ୍ର ସଙ୍ଗେ ସଂବାଦ ସେ ଯେବଣ ପ୍ରକାର ।

 

ମାତା ସଖୀଜନ ସୃତ ସବୁଙ୍କର ପାଶେ

 

ସମସ୍ତ କହିଲା ଧେନୁ ପରମ ହରଷେ ।

 

ଏକ ଠାବ ହୋଇ ଧେନୁ ଜନନୀତନୟ

 

ପାଇଲା ପରମ ପ୍ରୀତି ହୋଇଲା ନିର୍ଭୟ ।

 

ଗୋଧନେ ବୃଷଭେ ସେ ଗୋପାଳେ ଗୋପୀଜନେ

 

ହରଷେ ରହିଲା ଧେନୁ ଉତ୍ତମ ଭୁବନେ ।

 

ରହିଲା ଅନେକ କାଳ ସତ୍ୟର ପ୍ରସାଦେ

 

ଗୃହେ ବନେ ଭ୍ରମଇ ଆନନ୍ଦେ ଅପ୍ରମାଦେ

। ୪୨୫ ।

 

 

ଏଥୁ ଅନନ୍ତରେଣ ଅନେକ କାଳ ଗଲା

 

ତହୁଁ ସେ ସତ୍ୟବାଦିନୀ ଯେଉଁ କୃତ୍ୟ କଲା ।

 

ସକଳ ଗୋକୁଳ ଘେନି ଗଲା ତା ସଙ୍ଗତେ

 

ସକଳ ଗୋପୀ ଗୋପାଳ ନୃପତି ସହିତେ ।

 

ଗୋରୁ ସେ ଯେତେକ ଥିଲେ ଘେନିଲା ସଙ୍ଗତେ

 

ପକ୍ଷୀ କୀଟ ତରୁ ତୃଣ ଲତାଦି ସହିତେ ।

 

ଭୀଷ୍ମ ଦେବ କହନ୍ତି ଶୁଣ ତୁ ଧର୍ମସୁତ

 

ତହୁଁ ସେ ବଉଳା ଧେନୁ କଲା ଯେଉଁ କୃତ୍ୟ ।

 

 

 

ସର୍ବଜନ ତ୍ରିପୃତି କରିଣ ସଙ୍ଗେ ସଙ୍ଗେ ଘେନି

 

ଚଳଇ ଆକାଶ ପଥେ ସେ ସତ୍ୟବାହିନୀ

। ୪୩୦ ।

 

 

ସଂପତ୍ତିରେ ଯୁକ୍ତ ହୋଇ ଅସଂଖ୍ୟ ବିମାନ

 

ବଉଳାବିମାନ ବେଢି କରନ୍ତି ଗମନ ।

 

ଅସଂଖ୍ୟ ବିମାନ ବେଢି ବଉଳାସୁନ୍ଦରୀ

 

ଊର୍ଦ୍ଧ୍ୱପଥେ ଗମିଲା ସ୍ୱର୍ଗକୁ ପଛ କରି ।

 

ଭୀଷ୍ମଦେବ କହନ୍ତି ଶୁଣ ତୁ ନୃପବର

 

ବଉଳାର ମହିମା ଦେବଙ୍କୁ ଅଗୋଚର ।

 

ଗୋଲୋକ ଅଟଇ ସର୍ବ ଭୁବନ ଉପରେ

 

ସତ୍ୟଧର୍ମେ ବଉଳା ବସିଲା ଗୋଲକରେ ।

 

ବିବିଧ ଭୋଗରେ ପୂର୍ଣ୍ଣ ସମ ନୋହେ ଆନ

 

ଅସଂଖ୍ୟ ଅମୃତମୟ ଅଟଇ ସେ ସ୍ଥାନ

। ୪୩୫ ।

 

 

ସର୍ବଜନ ସହିତେ ଭ୍ରମର ପୁଣ୍ୟ ବଳେ

 

ମହାପ୍ରଳେ ପରିଯାନ୍ତେ ରହିଲା ଅଚଳେ ।

 

ତୁ ହୋ ଧର୍ମରାଜା ଯାହା ପଚାରିଲୁ ମୋତେ

 

ସତ୍ୟବଚନର ଫଳ କହିଲି ମୁଁ ତୋତେ ।

 

ଯେ ଏହା ପଢ଼ଇ ଯେ ଶୁଣଇ ଧର୍ମ କଥା

 

ସ୍ୱର୍ଗ ଭୁବନରେ ପ୍ରାଣୀ ବସଇ ସର୍ବଥା ।

 

ପିତା ପୁତ୍ର ବନ୍ଧୁ ସୁତା ସେବକ ଯେ ନାରୀ

 

ଶୁଣନ୍ତେ ବିଚ୍ଛେଦ ଦୁଃଖ ନୁହଇ କାହାରି ।

 

ପ୍ରଭାତେ ପଢ଼ନ୍ତି ଚତୁର୍ଦ୍ଦଶୀ ପୂର୍ଣ୍ଣିମୀରେ

 

ସଂଶୟ ନକରି ସେ ବସନ୍ତି ସ୍ୱର୍ଗପୁରେ।

। ୪୪୦ ।

 

 

ଗୋଷ୍ଠେ ଯେ ପଢ଼ଇ ଗୋରୁ ବଢ଼ଇ ତାହାର

 

କ୍ଷେତେ ଯେ ପଢ଼ଇ ଶସ୍ୟ ହୁଅଇ ଅପାର

 

ବଉଳା ଚରିତ ଗୃହ ମଧ୍ୟେ ଯେ ବଢ଼ଇ

 

ଧନ ପୁତ୍ର ସଂପତ୍ତି ଯେ ବହୁତ ବଢ଼ଇ ।

 

ପଢ଼ନ୍ତେ ନାଶଇ ଦେବଦୋଷ ଗ୍ରହଦୋଷ

 

ସଂକଟ ଦୁର୍ଗମ ବନେ ପଢ଼ିବ ଅବଶ୍ୟ ।

 

ପଢ଼ନ୍ତେ ରାତ୍ରଦିବସେ ନାଶ ଯାନ୍ତି ଭୟେ

 

ନାଶଇ ଦୁଷ୍ଟର ସଙ୍ଗ ଶତ୍ରୁ ଯାନ୍ତି କ୍ଷୟ

 

ଶୁଣନ୍ତେ ବନ୍ଧ୍ୟାର ହୋଏ ପୁତ୍ର ଉତପତ୍ତି

 

ନିଜ ପତି ସଙ୍ଗେ ନାରୀ ସମ୍ପତ୍ତି ଭୁଞ୍ଚନ୍ତି

। ୪୪୫ ।

 

 

ବଉଳା ଚରିତ ଯେବେ କୁମାରୀ ପଢ଼ଇ

 

ପୁଣ୍ୟବନ୍ତ ପତି ତାକୁ ପ୍ରାପତ ହୁଅଇ ।

 

ପୁରୁଷ ହେଉ କି ସ୍ତିରୀ ଶୁଣନ୍ତି ଏ କଥା

 

ଦୁଃଖୀ ହୋଇଥିଲେ ସୁଖୀ ହୁଅଇ ସର୍ବଥା ।

 

ଗୋଷ୍ଠ ମଧ୍ୟେ ପଢ଼ଇ ଯେ ସକଳ କର୍ମରେ

 

ଗୋରୁବୃନ୍ଦ ବଢ଼ଇ ବସଇ ଗୋରୋକରେ ।

 

ଇତିହାସେ ବଉଳା ବ୍ୟାଘ୍ର ସମ୍ବାଦ ବାଣୀ

 

ଭାଷାରେ ରାଜା ଗୋବିନ୍ଦ ପ୍ରକାଶିଲେ ଆଣି ।

 

ମାଗଇ ରାଜା ଗୋବିନ୍ଦ ଶରଣ ତାହାର

 

ପାପୀ ବ୍ୟାଘ୍ର ନିସ୍ତରିଲା ଦର୍ଶନେ ଯାହାର

। ୪୫୦ ।

 

ସମାପ୍ତ

 

ଭୂମିକା

 

ପ୍ରାଚୀନ ଉତ୍କଳର କବିମାନଙ୍କ ମଧ୍ୟରେ ଗୋବିନ୍ଦ ଭଞ୍ଜଙ୍କ ସ୍ଥାନ ଯେ କେତେ ଉଚ୍ଚରେ ଏହା ତାଙ୍କର ‘ଭକ୍ତବିନୋଦ’ ପାଠକରିଥିବା ବ୍ୟକ୍ତିମାନେ ସହଜରେ ବୁଝିପାରିଥିବେ । ବର୍ତ୍ତମାନ ତାଙ୍କ ରଚିତ ରାମଗାଥା ପ୍ରକାଶିତ ହେଲା । ଏହା ଚଉଦଅକ୍ଷରୀ ବୃତ୍ତରେ ସରଳଭାଷାରେ ରଚିତ । ଭକ୍ତବିନୋଦର ଏହା ଶେଷାଂଶ ଅଟେ । ଭକ୍ତବିନୋଦନକୁ କବି ଯେପରି ଗୋପିକା ମୁଖରେ କୁହାଇ ଅଛନ୍ତି ଏହାକୁ ମଧ୍ୟ ସେହିପରି କୌଣସି ଗୋପିକା କହିଅଛି । ଏଥିରେ ରାମଙ୍କ ପୂର୍ବବର୍ତ୍ତୀ ଅନ୍ୟାନ୍ୟ ଅବତାରମାନଙ୍କ ଚରିତ ଅତି ସଂକ୍ଷେପରେ ବିବୃତ କରି ରାମଚରିତକୁ ବିସ୍ତୃତଭାବେ ବିବୃତ କରିଥିବାରୁ କବି ଏହାକୁ ରାମଗାଥା ନାମରେ ଅଭିହିତ କରିଅଛନ୍ତି । କବି ଏଥିରେ ରାମଙ୍କର ବାଳଚରିତକୁ ଛାଡ଼ିଦେଇ ତାଙ୍କର ଅଭିଷେକଠାରୁ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ସମସ୍ତ ଘଟନା ବର୍ଣ୍ଣନା କରିଅଛନ୍ତି । ଭାଷାର ସରଳତା ସଙ୍ଗେ ସ୍ଥାନେ ସ୍ଥାନେ ଭାବର ପ୍ରକର୍ଷ ଏହାକୁ ମଧୁରତର କରିଅଛି । ପାଠକ ଭକ୍ତ-କବିଙ୍କର ହୃଦୟୋଚ୍ଛ୍ୱାସର ସନ୍ଧାନ ନିଶ୍ଚୟ ଏଥିରୁ ପାଇପାରିବେ । ସେ ବିଷୟରେ ବେଶି ଲେଖିବା ନିଷ୍ପ୍ରୟୋଜନ ।

 

କବିଙ୍କର ଜୀବନୀ ଏହି ଗ୍ରନ୍ଥମାଳାର ପ୍ରଥମ ପୁସ୍ତକ ଭକ୍ତବିନୋଦନର ମୁଖବନ୍ଧରେ ବିସ୍ତୃତଭାବେ ଦିଆଯାଇଛି । ଅନୁସନ୍ଧିତତ୍ସୁ ପାଠକ ତାହା ଦେଖି ପାରିବେ । ଏଠାରେ ତାହାର ପୁନରାବୃତ୍ତି ଶୋଭନ ନୁହେଁ ଭାବି ତହିଁରୁ ବିରତ ହେଲି ।

 

 

      ଏହି ପୁସ୍ତକଟିର ଆଦର୍ଶ ଖଣ୍ଡି ମୁଁ କେନ୍ଦୁଝରଗଡ଼ସ୍ଥ ଗଡ଼ସାହି ନିବାସୀ ଶ୍ରୀ ବାବୁ ବଂଶୀଧର ପଟ୍ଟନାୟକଙ୍କଠାରୁ ପାଇଥିବାରୁ ତାହାଙ୍କ ନିକଟରେ ବନ୍ଧୁଜନୋଚିତ ସାଦର ଅଭ୍ୟର୍ଥନାପୂର୍ବକ କୃତଜ୍ଞତା ଜଣାଉଅଛି । ଇତି

 

କେନ୍ଦୁଝର ଗଡ଼                        ଶ୍ରୀ ବାନାମ୍ବର ଆଚାର୍ଯ୍ୟ

ତା ୨୫।୭।୧୯୩୯

 

 

Unknown

ଶ୍ରୀ ଗଣେଶାୟ ନମଃ

ରାମଗାଥା

 

କହେ ରାଜା ଗୋବିନ୍ଦ ସେଦେଶ ଅବତାର

 

ଦୁର୍ବୁଦ୍ଧି ବିନାଶି ଗୋ ଦୁର୍ଗତି ପାରି କର ।

 

ଗୋପୀଏ ବୋଇଲା ଶୁଣ ଶୁଣ ଗୋ ମିତଣି

 

ଚାରି ଯୁଗେ ତାହାର ଗୋ ଦୃଷ୍ଟ-ପଣ ଶୁଣି ।

 

ଶଙ୍ଖାସୁର ବୋଲି ଦଇତେ ଗୋ ପୂର୍ବେ ଥିଲା

 

ବ୍ରହ୍ମା ତହୁଁ ବେଦ ହରି ଜଳରେ ପଶିଲା ।

 

ବ୍ରହ୍ମାର ଗୁହାର ଶୁଣି ଗଲା ତାର ପାଇଁ

 

କୃଷ୍ଣର ସଙ୍ଗତେ ତାର ବଇରିତା ନହିଁ ।

 

ଧରିଲା ସଜନି ସେ ଗୋ ମତ୍ସ୍ୟ ଅବତାର

 

ଗାୟନ କରନ୍ତି ଯାହା ଶୟଳ ସଂସାର

। ୫।

 

 

ଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ ଚାରିଭୁଜେ

 

ଜଳର ଭିତରେ ଗୋ ପଶିଲେ ଦେବରାଜେ ।

 

ପରଶତ୍ରୁ ଜଳେ ଗୋ ମାଇଲେ ଶଙ୍ଖାସୁର

 

ବେଦ ଦେଇ ବ୍ରହ୍ମାର ସନ୍ତାପ କଲା ଦୂର ।

 

ପୁଣି ଦୃଷ୍ଟପଣେ ସେ ଗୋ କୁର୍ମରୂପ ଧରି

 

ପୃଷ୍ଠରେ ବହିଲା ଗୋ ମନ୍ଦର ନାମେ ଗିରି ।

 

କ୍ଷୀରଜଳ ମନ୍ଥନ ଗୋ କଲା ତାର ବୃଦ୍ଧି

 

ତହୁଁ ଉପୁଜିଲା ଗୋ ବିବିଧ ମଉଷୋଧୀ ।

 

କାଳକୂଟ ବିଷ ଭୁଞ୍ଜାଇଲା ତ୍ରିପୁରାରି

 

ଆପେଣେ ହରିଲା ଗୋ କମଳା ନାମେ ନାରୀ

। ୧୦।

 

 

ପୁଣି ଦୃଷ୍ଟପଣେ ଗୋ ବରାହରୁପ ଧରି

 

ଆଣ୍ଠୁଯାଏ ହୋଇଲା ଅଗାଧ ସିନ୍ଧୁ ବାରି ।

 

ହିରଣ୍ୟାକ୍ଷ ଦଇତକୁ ପ୍ରାଣେ ନାଶ କରି

 

ଦନ୍ତମୁନେ ଧଇଲେ ଅଖିଳ ବସୁନ୍ଧରୀ ।

 

ତହୁଁ ପୁଣ ଧଇଲା ଗୋ ନରସିଂହ-କାଏ

 

ନାଗଲୋକ କମ୍ପିଲେ କମ୍ପନ୍ତି ଦେବତାଏ ।

 

*ପ୍ରଳୟ ଦଇତ ଥିଲା କଶ୍ୟପ କୁମାର

 

ତ୍ରିଭୁବନେ ସମାନ ଗୋ ନାହିଁ ବଳିଆର ।

 

ବଜ୍ରଧର କୁବେର ବରୁଣ ଯମ ରାଏ

 

ଚନ୍ଦ୍ର ସୂର୍ଯ୍ୟ ପବନ ଅନେକ କଲେ ଭଏ

। ୧୫।

 

 

ଛାଡିଲେ ଯେ ଯାହା ସ୍ଥାନ ଲୁଚାଇଲେ କାଏ

 

ମର୍ତ୍ତ୍ୟପୁରେ ଭ୍ରମିଲେ ସାମାନ୍ୟ ଜନ ପ୍ରାଏ ।

 

ପ୍ରହଲାଦ ହୋଇଲା ଗୋ ତାହାର ନନ୍ଦନ

 

ରାତ୍ରଦିବା କଲା ହରି-ଚରଣେ ବନ୍ଦନ ।

 

ହରି-ସେବା ନିଷେଧ ଗୋ ପିତା ତାର କଲା

 

ବଚନ ଭାଙ୍ଗନ୍ତେ ଗୋ ବହୁତ ଶାସ୍ତି ଦେଲା ।

 

ତଥାପି ନ ପାଶୋରିଲା ଶ୍ରୀକୃଷ୍ଣର ନାମ

 

ନିରନ୍ତରେ ହରିଙ୍କି ଭଜିଲା ଅବିଶ୍ରାମ ।

 

ପରମ ଭଗତ ଗୋ ଅଟଇ ପ୍ରହଲାଦ

 

କୃଷ୍ଣ ଗୁଣି ଅନ୍ୟ ବାଣୀ ନ ଲାଗଇ ସ୍ଵାଦ

। ୨୦।

 

 

ଭୃତ୍ୟ ଅପମାନ ସେ ଗୋ ନ ପାରିଲା ସହି

 

ସ୍ତମ୍ଭରୁ ବାହାର ଗୋ ନୃସିଂହରୁପ ହୋଇ ।

 

ଆସ୍ଥାନ ଉପରେ ଗୋ ଦଇତ ଥିଲା ବସି

 

ନୃସିଂହ ବିଜୟେ ଗୋ ଆଗରେ ତାର ଆସି ।

 

*ପ୍ରଳୟ-ପ୍ରବଳ

 

ଟହ ଟହ ଶବଦ ବଦନ ବିକରାଳ

 

ଲହ ଲହ ଜିହ୍ନା ଗୋ ଭ୍ରମାଇ ଅନ୍ତରାଳ ।

 

ଦନ୍ତ ରଟମଟ ଗୋ ବିକଟ ଝଟ ଝଟ

 

ତ୍ରିଭୁବନ କମ୍ପିଲା ଶବଦ ଘଟ ଘଟ ।

 

ଲାଙ୍ଗୁଡ ବିଘାତେ ଗୋ ପର୍ବତ ହୋଏ ଚୁରି

 

ଶିରେ କର ଦେଇ ଗୋ କମ୍ପଇ ବସୁନ୍ଧରୀ

। ୨୫।

 

 

ଆକାଶେ ମୁକୁଟ ଗୋ ପରମ ତେଜୋମୟ

 

ନୃସିଂହ ସୁମରନ୍ତେ କରଇ ଜୟ ଜୟ ।

 

କୁଳିଶ- କଠିନ ଗୋ ତୀକ୍ଷଣ ଦନ୍ତପନ୍ତି

 

ବସନ୍ତେ କିଂଶୁକକତି ତେମନ୍ତ ଦିଶନ୍ତି ।

 

ଚନ୍ଦ୍ର ସୂର୍ଯ୍ୟ ଅଟଇ ତାହାର ବେନି ଆଖି

 

ସୂର୍ଯ୍ୟଚକ୍ଷୁ ଘେନିଣ ଗୋ ଦଇତକୁ ଦେଖି ।

 

ଚନ୍ଦ୍ର ଚକ୍ଷୁ ଘେନି ପ୍ରହଲାଦକୁ ଅନାଇ

 

ଭଗତଚିତ୍ତ ଆନନ୍ଦ କରିବା ପାଇଁ ।

 

ରଥୀ ମହାରଥ ଅତିରଥମାନେ ଥିଲେ

 

ଯେ ଯାହାର ଶାସ୍ତ୍ର ସେ ହରିଙ୍କି ପ୍ରହାରିଲେ

। ୩୦।

 

 

ମାୟାବନ୍ତ ଦଇତ ଆକାଶପଥେ ଗଲେ

 

ଜଳଧାରା ଅନଳ ପର୍ବତ ବୃଷ୍ଟି କଲେ ।

 

ଯେତେ ଶସ୍ତ୍ର ପ୍ରହାର ଗୋ କଲେ ମହାବୀରେ

 

ବେଢି ତାଙ୍କୁ ପଡିଲେ ଗୋ ଯୋଜନ ଆକାରେ ।

 

ସକଳ ଶହସ୍ର * ଯହୁଁ ହୋଇଛି ପ୍ରକାଶ

 

କେଉଁ ଶସ୍ତ୍ର ଏ ଯେ ଗୋ କରିବ ତାଙ୍କୁ ନାଶ ।

 

ଅତିଦୀର୍ଘ ବର୍ତ୍ତିୁଳ ଗୋ ବଳବନ୍ତ କାଏ

 

ସୁରଗଣ ଗନ୍ଧର୍ବଙ୍କୁ କରାଇଛି ଭଏ ।

 

* ଶହସ୍ର-ଶସ୍ତ୍ର

 

ତାହାକୁ ନିକଟ ଗୋ ଶ୍ରୀକୃଷ୍ଣ ଯହୁଁ ଦିଶି

 

କାଳାନଳ ଶକତି ପ୍ରହାର କଲା ହସି

। ୩୫।

 

 

ଶକତିର ତେଜ ସଖି ତ୍ରିଭୁବନ ଗ୍ରାସି

 

ନୃସିଂହ ହୁଙ୍କାରନ୍ତେ ହୋଇଲା ଭସ୍ମରାଶି ।

 

ବଳବନ୍ତ ସିଂହ କି ଗ୍ରାସିଲା ବାଳସୂର୍ଯ୍ୟ

 

ବେନି କରେ ଆକଷଲା ଦିତିର ତନୁଜ ।

 

ଶଙ୍ଖ ଚକ୍ର ସଖି ଗୋ ଭୂଷିତ ବେନି କର

 

ସଭାରେ ଶୁଭିଲା ଗୋ ହରିଙ୍କି ମାର ମାର ।

 

ତ୍ରିଭୁବନେ ବିଜୟୀ ଗୋ ହିରଣ୍ୟ କଶିପୁ

 

ଜନୁରେ ପକାଇ ତାର ବିଦାରିଲେ ବପୁ ।

 

ପୁତ୍ରଛଳ ବହିଲା ପିତାକୁ କଲା ନାଶ

 

ପ୍ରହଲାଦ ପାଇଲା ବୈକୁଣ୍ଠପୁରେ ବାସ

। ୪୦।

 

 

ଦୁଷ୍ଟପଣେ ଗଲା ଗୋ ବାମନ ରୂପ ଧରି

 

ଯଜ୍ଞ କରୁଥିଲା ବଳି ଦେବଙ୍କ ଅଇରି ।

 

ଦ୍ଵାରରେ ପ୍ରବେଶ ତାର ହୋଇଲେ ବାମନ

 

ମଧୁର ଶୁଭଇ ସାମବେଦର ଗାୟନ ।

 

ବେଦ ଶୁଣି ପୁଲକ ଶରୀର ରାଏ ବଳି

 

ଆନନ୍ଦେ ନୟନୁ ତାର ଅଶ୍ରୁ ଜଳ ଗଳି ।

 

ବୋଇଲା ବ୍ରାହ୍ମଣଙ୍କୁ ଛାମୁକୁ ମୋର ଆଣ

 

ଆଜ୍ଞା ପାଇ ଭିତରକୁ ନେଲେ ସେହି କ୍ଷଣ ।

 

ଇନ୍ଦୀବରଲୋଚନ ମୋଚନ ଭବଭୟେ

 

ଚରଣେ ପଡିଲା ବଳି ଅଶକତ କାୟେ

। ୪୫।

 

 

ଉଠି ବଳି ରାଜା ବେନି କରପତ୍ର ଯୋଡି

 

ମସ୍ତକେ କପାଳରେ ହୃଦରେ ତାର ଧୂଳି ।

 

ବୋଲଇ ବ୍ରାହ୍ମଣ ମାଗ ଚିତ୍ତ ସ୍ଥିର କରି

 

ବସ୍ତ୍ର ଅଳଙ୍କାର ରାଜ୍ୟ ପ୍ରାଣ ଆଦି କରି ।

 

ହସ୍ତୀ ଅଶ୍ଵ ରଥ ଏ ଭଣ୍ଡାର ପରିବାରୀ

 

ମଣି ରତ୍ନ କନ୍ୟାରତ୍ନ ଯେ ତୋର ବିଚାରି ।

 

ତୋର ପରା ସଦପାତ୍ର କାହିଁ ମୁ ପାଇବି

 

ତୁ ଯାହା ମାଗିବୁ ବିପ୍ର ନାହିଁ ନ କରିବି ।

 

ଭୃଗୁସୁତ କହନ୍ତି ତୁ ଶୁଣ ବଳି ରାଏ

 

ଦେବକାର୍ଯ୍ୟେ ବାସୁଦେବ କରିଛି ବିଜଏ

। ୫୦।

 

 

ବିଶ୍ଵାସ ନ ଯାଅ ରାଜା ବାମନ ବ୍ରାହ୍ମଣ

 

ବଚନ ହାରିଲେ ତୁ ହାରିବୁ ବଡ଼ପଣ ।

 

ମାୟାଧର ମାୟା ତୁ ହୋ ନ ପାରିବୁ ଜାଣି

 

ଦାନ ଘେନି ସମ୍ପଦ ହରିବ ଏହି କ୍ଷଣି ।

 

କହନ୍ତି ରାଜନ ବଳି ଶୁଣ ମହାଗୁରୁ

 

ନାରାୟଣ ଜାଣି ତୁ ନିଷେଧ କିମ୍ପା କରୁ ?

 

ଯଜ୍ଞ ଦାନ କରି ଯାର ସନ୍ତୋଷ ନିମନ୍ତେ

 

ମହାଲାଭ ଜାଣି ଯୋଗୀ ଧରିଛନ୍ତି ଚିତ୍ତେ ।

 

ସେ ହରି ଘେନିବ ଗୁରୁ ମୋର ତହୁଁ ଦାନ

 

ସତେ କି ହୋଇବ ମୋର ଏଡେ ବଡ ପୁଣ୍ୟ

। ୫୫।

 

 

ମନ୍ତ୍ରୀର ବଚନ ରାଜା ଅନାଦର କରି

 

ଶଙ୍ଖରେ ପୂରାଇଲା ପବିତ୍ର ଗଙ୍ଗାବାରି ।

 

ସତ୍ୟ କରାଇଲା ତାକୁ ସଙ୍କଳ୍ପ କରାଇ

 

ତିନିପଦ ଭୂମି ଦାନ ମାଗିବାର ପାଇଁ ।

 

ଛନ୍ଦ ନ ଜାଣିଲା ଗୋ ବଚନ ବଳି ଦେଲା

 

ତିନିପାଦ ମାଗି ତ୍ରିଭୁବନ ତାର ନେଲା

 

ଚରଣ ଭରାଏ ବଳି ପାତାଳକୁ ଗଲା

 

ସହସ୍ରଲୋଚନକୁ ଗୋ ସ୍ଵର୍ଗ ଭୋଗ ଦେଲା ।

 

ଦଣ୍ଡିଅଛି ବଳି କି ଗୋ ମଣ୍ଡିବଇ ସେହି

 

ଚରଣ ଛୁଇଁଲା ବଳି ଧନ୍ୟ ତାର ଦେହୀ

। ୬୦।

 

 

ତେଡେ ମହଦନୀଙ୍କ ଗୋ ଦୃଷ୍ଟପଣେ ଛନ୍ଦ

 

ପାତଳ ଭୁବନେ ତାକୁ କରାଇଲା ବନ୍ଦୀ ।

 

କେତେ ମୁଁ କହିବି ସଖି ତାର ଦୃଷ୍ଟପଣ

 

ପର୍ଶୁରାମ ଅବତାରରେ ହୋଇଲା ବ୍ରାହ୍ମଣ ।

 

ପିତା ବୋଲେ କଲା ମାତା ମସ୍ତକ ଛେଦନ

 

ପିତାଶତ୍ରୁ ମାଇଲା ଗୋ ସହସ୍ର ଅର୍ଜୁନ ।

 

ଘୋର କାଳାନଳ ଗୋ ପର୍ଶୁଏ କରେ ଧରି

 

ଏକୋଇଶ ବାର ଗୋ ନକ୍ଷତ୍ର ପୃଥ୍ୱୀ କରି ।

 

ଜଣକର ଦୋଷେ ଗୋ ଅନେକ କଲା ନାଶ

 

ସେ ଦୃଷ୍ଟ ପ୍ରାଣୀଙ୍କି ସଖି କେ ଯିବ ବିଶ୍ୱାସ

। ୬୫।

 

 

ରାମ ଅବତାରେ ଦଶରଥ ଘରେ ଜାତ

 

ମୁନି ଯଜ୍ଞ ରଖିଣ ତାଡ଼କୀ କଲେ ହତ ।

 

ଗଉତମ- ନାରୀ ହୋଇଥିଲା ଗୋ ପାଷାଣ

 

ଚରଣ ଲାଗନ୍ତେ ତାର ନାଶିଲା କଷଣ ।

 

ପ୍ରଚଣ୍ଡ ମହେଶ-ଧନୁ ବେନି ଖଣ୍ଡ କରି

 

ବିଭା ହୋଇ ଆଣିଲା ଗୋ ଜନକକୁମାରୀ ।

 

ବିଭା ହୋଇ ଆଣନ୍ତେ ଆଗରେ ପର୍ଶୁଧର

 

ପଥ ଉଗାଳିଲେ ବାଣୀ କହିଲେ ନିଷ୍ଠୁର ।

 

ପର୍ଶୁ ରାମ-ଧନୁ ରାମ ଧରି ଆକର୍ଷିଲା

 

ଅପମାନେ ପର୍ଶୁଧର ଅରଣ୍ୟେ ପଶିଲା

। ୭୦।

 

 

ତହୁଁ ଆସି ପ୍ରବେଶ ଅଯୋଧ୍ୟାନାମେ ପୁରୀ

 

ରାମସୀତା ଚାହିଁ ଗୋ ହରଷ ନରନାରୀ ।

 

ଚାରିପୁତ୍ର ଚାହିଁ ଗୋ ହରଷ ନୃପବର

 

ଚାରିପୁତ୍ର ମଧ୍ୟରେ ସେନେହ ରଘୁବୀର ।

 

ସକଳ ଗୁଣନିଧାନ ରାମଚନ୍ଦ୍ର ସେହି

 

ମନରେ ପୁଣି ଜାଣିଲେ ପାଳିବ ଏ ମହୀ ।

 

ଦଶରଥ ରାଜନ ଗୋ ବିଚାରିଲେ ଚିତ୍ତେ

 

ରାମକୁ ରାଜ୍ୟରେ ରାଜା କରିବା ନିମନ୍ତେ ।

 

ଘରେ ଘରେ ଉତ୍ସବ ଗେ ଅଯୋଧ୍ୟା ନଗର

 

ସକଳ ଦେଶରୁ ଗୋ ଅଇଲେ ନୃପବର

। ୭୫ ।

 

 

ରାମରାଜା ହୋଇବେ ଶୁଭିଲା ତ୍ରିଭୁବନ

 

କି କହିବା ନରନାରୀ ହରଷିତ ମନ ।

 

ଆପଣେ ବଶିଷ୍ଠ ଶୁଭଲଗ୍ନ ଗୋ ଧଇଲେ

 

ଅଯୋଧ୍ୟାରେ ରାମ ରାଜା ହୋଇବେ ପାହିଲେ ।

 

କଇକେୟୀ ରାଣୀର ମନ୍ଥୁଡ଼ୀ ନାମେ ଦାସୀ

 

ରାଣୀକି ଦୁର୍ବୁଦ୍ଧି ସେ ମନ୍ଥୁଡ଼ୀ କଲା ଆସି ।

 

ବୋଇଲା ରାଜନ ପୂର୍ବେ ଦେଇଛନ୍ତି ବର

 

ଅଯୋଧ୍ୟା ଭୁବନେ ଗୋ ଭ୍ରାତାକୁ ରାଜା କର ।

 

 

 

ବନକୁ ଗମନ ଗୋ କରାଅ ସୀତାପତି

 

ଅକଣ୍ଟକ କରିଣ ଗୋ ଭୁଞ୍ଜିବା ବିଭୂତି ।

। ୮୦ ।

 

 

ମନ୍ଥୁଡ଼ୀର ବଚନେ କହିଲେ କଇକେୟୀ

 

ଦୂଷଣ-ଚରିତ ମୋତେ କହ କାହିଁପାଇ ।

 

ମାତାହୁଁ ଅଧିକ ଗୋ ଭଗତି ରାମ ମୋତେ

 

ଦୁର୍ଗମ ବନକୁ ତାକୁ ପେଷିବି କେମନ୍ତେ ।

 

କଇକେୟୀ ବଚନ ମନ୍ଥୁଡ଼ୀ ନାରୀ ଶୁଣି

 

ବିବିଧ ପ୍ରକାରେ ଶିଖାଇଲା କୁଟବାଣୀ ।

 

ମନ୍ଥୁଡ଼ୀ ବଚନେ ରାଣୀ ଧର୍ମ ନ ବିଚାରି

 

ଦଇବ ଲେଖନ କେ ପାରିବ ଅନ୍ୟ କରି ।

 

କଇକେୟୀ ରାଜାକୁ ମାଗିଲେ ଯାଇଁ ଦାନ

 

ଭରତ ହୋଇବେ ରାଜା ରାମ ଯିବେ ବନ

। ୮୫ ।

 

 

କଇକେୟୀ ମୁଖରୁ ଦାରୁଣ ବାଣୀ ଶୁଣି

 

ହାରିଲେ ଚେତନା ରାଜା ପଡ଼ିଲେ ଧରଣୀ ।

 

ଚେତନା ପାଇଣ ଯେ ବୋଇଲେ ଦଶରଥ

 

ଆଗୋ କଇକେୟୀ ମୋତେ ନିଶ୍ଚେ କଲୁ ହତ ।

 

ଧିକ ଧିକ ବାଣୀ ରାଜା ରାଣୀକି ବୋଇଲେ

 

ହା ହା ରାମଚନ୍ଦ୍ର ବୋଲି ଭୂମିରେ ଶୋଇଲେ ।

 

ରାମ ପରା ପୁତ୍ରକୁ ପେଷିଲେ ଘୋର ବନ

 

ଆଉ କି ଏ କଳେବର ରହିବ ଜୀବନ ।

 

କାଳରାତ୍ରି * ଅଇଲୁ ତୁ ସ୍ତିରୀ ରୁପ ଧରି

 

ପତିପ୍ରାଣ ହରୁଅଛୁ ଧର୍ମ ନ ବିଚାରି

। ୯୦ ।

 

 

ଜନନୀରୁ ଅଧିକ ଦେଖଇ ରାମ ତୋତେ

 

ବନବାସ ଦୁଃଖ ତାକୁ ଦେବୁ ତୁ କେମନ୍ତେ ?

 

ଘେନ ତୁ ବିନୟ ମୋର ନ କହ ଏ ବାଣୀ

 

ରାମର ବିଚ୍ଛେଦ ମୋତେ ନ କହ ତରୁଣି !

 

ଶୁଣି କୋପେ କହଇ ସେ କଇକେୟୀ ରାଣୀ

 

ନ କହ ନ କହ ରାଜା ସତ୍ୟଭଗ୍ନ ବାଣୀ ।

 

ଆଜ୍ଞା ଦିଅ ସୁମନ୍ତ ରାମକୁ ଘେନି ଆସୁ

 

ଚଉଦବରଷ ରାମ ଘୋରବନେ ପଶୁ ।

 

କଇକେୟୀ ବଚନ ତୀକ୍ଷଣ କୁନ୍ତ ଜାଣି

 

ରାଜାଙ୍କର ହୃଦରେ ପ୍ରହାରେ ପୁଣି ପୁଣି

। ୯୫ ।

 

 

କଷ୍ଟେ କଷ୍ଟେ ରାଜା ଗୋ ବସିଲେ କରଭରେ

 

ରାମକୁ ସୁମରି ପୁଣ ଶୋଇଲେ ଭୂମିରେ ।

 

ନୟନରୁ ଜଳ ଗୋ ବହଇ ଅବିଶ୍ରାମ

 

ଚେତନା ହୋଇଲେ ଏକା ବୋଲୁଥାନ୍ତି ରାମ ।

 

କଇକେୟୀ ବଚନେ ଗୋ ରାଜାର ମୁଉନେ

 

ରଥ ଚଢିଗଲା ମନ୍ତ୍ରୀ ରାମର ଭୁବନେ ।

 

*ଶକ୍ତିଙ୍କର ସିଂହାରକାରିଣୀ ମୂର୍ତ୍ତିବିଶେଷ

 

ମଙ୍ଗଳ ସୁବେଶ ହୋଇ ରାମସୀତା ବେନି

 

ସକଳ ପୁର-ନର ପୁଲକ ମେଦିନୀ ।

 

ରାମଚନ୍ଦ୍ର ଚରଣେ କହଇ ମନ୍ତ୍ରିବର

 

ରାଜା ଆଜ୍ଞା ଘେନ ରାମ ଉଠି ଧାତିକାର

। ୧୦୦।

 

 

ମନ୍ତ୍ରୀର ବଚନେ ରାଜାଆଜ୍ଞା ଶିରେ ଘେନି

 

ବାହାର ହୋଇଲେ ପୁରୁଁ ରାମସୀତା ବେନି ।

 

ସୀତାଙ୍କୁ ରୁହାଇ ରାମ ଆରୋହିଲେ ପଥ

 

ଜନର ଗହଳ ବାଜି ନ ଦିଶଇ ପଥ ।

 

ମନ୍ଦ ମନ୍ଦ ପବନ ମଦନ ମନୋହର

 

ଜଳଧରବପୁ ବିଜୁ ପ୍ରାଏକ ରାମର ।

 

କେଶର କାଳିମା କି ଗୋ ଭ୍ରମର ବସିଲା

 

ଅମାବାସ୍ୟା ନିଶି କି ଗୋ କେଶରେ ପଶିଲା ।

 

ମସ୍ତକେ ଶୋଭିତ ପାଗ ସୁବର୍ଣ୍ଣ ଲେଖନ

 

ପାଗରେ ବନ୍ଧନ କଲା ଜଗତର ମନ

। ୧୦୫ ।

 

 

 

 

ପାଗର ଉପରେ ଗୋ ମୁକୁଟ ଦିବ୍ୟକାନ୍ତି

 

କପୋଳେ ଅଳକା କି କମଳେ ଭୃଙ୍ଗପନ୍ତି ।

 

ବିଚିତ୍ର ମଣି ଖଞ୍ଜଣି କର୍ଣ୍ଣରେ କୁଣ୍ଡଳ

 

ଅକଳଙ୍କ ପୂର୍ଣ୍ଣଇନ୍ଦୁ ବଦନମଣ୍ଡଳ ।

 

ସୁନ୍ଦର ଭ୍ରୂଲତା ନାସା ଆବର ଦର୍ଶନ

 

କହଇ ମଧୁର ବାଣୀ ରାଜୀବଲୋଚନ ।

 

ପୃଥଳ ବର୍ତ୍ତୁଳ ଗୋ ଆଜାନୁ ବେନି ବାହୁ

 

ଦଇତ-ଚନ୍ଦ୍ରକୁ ଯାର ବାହୁ-ବାଣ ରାହୁ ।

 

ହୃଦୟ ବିସ୍ତାର କି ଗୋ ମର୍କତ କବାଟ

 

ହରଙ୍କର ଡମରୁ ଗଞ୍ଜେଇ କଟିତଟା

। ୧୧୦।

 

 

କୁମ୍ଭି କୁମ୍ଭି ଗଞ୍ଜଇ ଗୋ ନିତମ୍ବର ଠାଣି

 

ସୁସଞ୍ଚ ଚରଣ ଚାଲି ରାଜହଂସ ଜାଣି।

 

ଗରିବର ଉପରେ କି ମତ୍ତ ସିଂହ ଉଭା

 

ରଥ ପିଣ୍ଡିକାରେ ଗୋ ତେସନ ରାମ ଶୋଭା ।

 

ରାମ ରୁପ ଚାହିଁ ଗୋ ସକଳ ଦେଶଜନ

 

ଏକକୁ ଆରେକ ତହିଁ କହନ୍ତି ବଚନ ।

 

କେ ବୋଲଇ ଋଷ୍ୟଶୃଙ୍ଗ ମହାଯଜ୍ଞ କରି

 

ଦଶରଥ ରାଜାକୁ ଗୋ ଦେଲା ପୁତ୍ର ଚାରି ।

 

 

 

ଧନ୍ୟ ଧନ୍ୟ ଋଷ୍ୟଶୃଙ୍ଗ ତପସ୍ୟାର ଫଳ

 

ବିଦିତ କରାଇଅଛି ଚତୁର୍ବର୍ଗ ଫଳ

। ୧୧୫ ।

 

 

ଚାରିପୁତ୍ରଙ୍କର ମଧ୍ୟେ ଜ୍ୟେଷ୍ଠ ପରା ଏହି

 

ଗଞ୍ଜଇ ନବୀନ ମେଘ ଦେଖ ଶ୍ୟାମଦେହୀ ।

 

କେ ବୋଲଇ ଏହି ଗୋ ଭାଞ୍ଜିଲା ଶିବଧନୁ

 

ପାଇଲା ସୀତୟା ଗୋ କାଞ୍ଚନବର୍ଣ୍ଣ- ତନୁ ।

 

ଦଶରଥ ରାଜାର ଜୀବନ ସାଧୁ ସାଧୁ

 

ପୁତ୍ର ଯାର ରାମଚନ୍ଦ୍ର ସୀତାପ୍ରାଣବନ୍ଧୁ

 

ଧନ୍ୟ ଧନ୍ୟ କଉଶଲ୍ୟା ଦେବୀର ଉଦର

 

ଜଗତନିବାସ ଯହିଁ ଭିଆଇଲା ଘର ।

 

ଦୟାରେ ଚାହଁଇ ହସି ଅରୁଣଅଧରେ

 

ନାହିଁ ନାହିଁ ଏ ରୂପ ଗୋ ତିନି ଭୁବନରେ

। ୧୨୦।

 

 

କେ ବୋଲଇ ସର୍ବଥା ଗୋ ନୁହଇ ମାନବ

 

ଦଶରଥ ଘରେ ବିଜେ କଲେ ବାସୁଦେବ ।

 

ରାମଚନ୍ଦ୍ର ତହିଁ ଚକ୍ଷୁ ସବୁଙ୍କର ଅଛି

 

ଅଠାରେ ଯେସନ ବନ୍ଦୀ ହୋଇ ଥାଇ ପକ୍ଷୀ ।

 

ଡାକନ୍ତି ସାରଥି ରଥ ସ୍ଥିର କରି ନିଅ

 

ରାମରୂପ ଦର୍ଶନେ ଲୋଚନସୁଖ ଦିଅ ।

 

ଯାଉଛନ୍ତି ପିତା ଆଜ୍ଞା ଧରିଛନ୍ତି ମନେ

 

ଜନମନ ରଞ୍ଜଇ ଗୋ ଲୋଚନ ବଚନେ ।

 

ପରମ ମଙ୍ଗଳ ଗୋ ମଙ୍ଗଳ ବେଶ ହୋଇ

 

ସକଳ ଭୁବନ ଜନମନକୁ ମୋହଇ

। ୧୨୫।

 

 

ପ୍ରବେଶ ହୋଇଲେ ରାମ ରାଜାର ଭୁବନ

 

ଦେଖିଲେ ଗୋ ଦଶରଥ ଭୂମିରେ ଶୟନ ।

 

ରାଜାର ଚରଣେ ରାମ ନିବେଶିଲେ ଶିର

 

ଶିରେ କର ଦେଇ ଉଭା ହୋଇଲେ ଭୂମିର ।

 

ଦେଖିଲେ ରାଜନ ମନ ହୋଇଅଛି ଛନ୍ନ

 

ସିତା କଷ୍ଟ ଦେଖି ଗୋ ଆକୁଳ ରାମ ମନ ।

 

ବୋଇଲେ ରାଜନ ଚିତ୍ତ ଦୁଃଖ କି ନିମନ୍ତେ

 

କି ଅବା ଅଶୁଭ ତୋଇ (ତବ) ମୋହର ନିମନ୍ତେ ।

 

ରାଜଦନ୍ତ ପଲଙ୍କ କମ୍ପାଇ କଳା ତେଜ୍ୟା

 

କି ନିମନ୍ତେ ମହାରାଜ କଲ ଭୂମିଶଯ୍ୟା

। ୧୩୦।

 

 

ସକଳ ମଣ୍ଡଳ କ୍ଷତିପତି ଯାର ଦାସ

 

ଚିନ୍ତାଜଳେ ବୁଡି କିମ୍ପା ଛାଡୁଛ ନିଃଶ୍ଵାସ ।

 

କି ଅବା କେବଣ ବ୍ୟାଧି ହୋଇଲା ଶରୀରେ

 

କି ନିମନ୍ତେ ମହାରାଜା ଶୟନ ଭୂମିରେ ।

 

ମାତୁଳ ଗୃହରେ ଯେ ଭରତ ଅଛି ରହି

 

ତହିଁର କି କଥା କେ ରାଜାଙ୍କୁ ଅବା କହି ।

 

କି ଅବା ଅପ୍ରାଧ କଲେ ଜନନୀ ମୋହୋର

 

ସାବଧାନେ ନ ସେବିଲେ ଚରଣେ ତୁମ୍ଭର ।

 

କେ ଅବା ଜଗତେ ତୋତେ ଚିନ୍ତିଲା ଅରିଷ୍ଟି (ଅନିଷ୍ଟି )

 

ବାଣଘାତେ ଦହିବି ସଚରାଚର ସୃଷ୍ଟି

। ୧୩୫ ।

 

 

କି ଅବା ଅପ୍ରାଧ ତୋତେ କଳା ବଇଦେହୀ

 

ଏହି କ୍ଷଣି ତେଜିବି ରଖନ୍ତା କେହି ନାହିଁ ।

 

କି ଆବା ଅପ୍ରାଧ ତୋତେ ହୋଇଲା ମୋହୋର

 

ଦୋଷକୁ କରିବା ଦଣ୍ଡ ଯେ ଇଚ୍ଛା ତୋହୋର ।

 

ଦହିବି ଶରୀର ପଛେ ଅଗ୍ନିରେ ସମ୍ଭାଇ

 

ରାଜାର ଦୁଃଖିତ ଚିତ୍ତ ସହଣ ନ ଯାଇ ।

 

ରାମର ଅନେକ ଗୋ ବିଳାପ ବାଣୀ ଶୁଣି

 

* କର ଲେଉଟାଇ ଗୋ ଚାହିଁ ଲେ ନୃପମଣି ।

 

ଏକାବେଳେ ରାମ ବୋଲି ବଚନ ବୋଇଲେ

 

ଆଉ କିଛି କହିବାକୁ ଶକତ ନୋହିଲେ

। ୧୫୦।

 

 

ରାଜାର ମଉନେ କଇକେୟୀ କହେ ବାଣୀ

 

ରାଜା ଆଜ୍ଞା କହଇ ତୁ ଶୁଣ ଚାପପାଣି ।

 

ଅଯୋଧ୍ୟା ନାଗରେ ରାଜା ଭରତକୁ କଲେ

 

ଚଉଦ ବରଷ ବନବାସ ତୋତେ ଦେଲେ ।

 

ଶୁଣି ରାମଚନ୍ଦ୍ର ଗୋ ହରଷଚିତ୍ତ ହୋଇ

 

ଏ କଥାକୁ ରାଜନ ଦୁଃଖିତ କାହିଁ ପାଇଁ ।

 

ରାଜା ଆଜ୍ଞା ସମାନ ତୁମ୍ଭର ଆଜ୍ଞା ମୋତେ

 

ଏ କଥାକୁ ସଂଶୟ ନ କର ଦେବି ଚିତ୍ତେ ।

 

ପିତା ଆଜ୍ଞା ପାଳିବି ରହିବି ଘୋର ବନେ

 

ରାଜା ହେଉ ଭରତ ଯେ ଅଯୋଧ୍ୟା ଭୁବନେ

। ୧୪୫ ।

 

 

ପିତାର ନବରୁ ଗୋ ବାହାର ରାମ ହୋଇ

 

ମାତାର ମନ୍ଦିରେ ସେ ପ୍ରବେଶ ହୋଏ ଯାଇ ।

 

ରାମ ରାଜା ହୋଇବେ ମଙ୍ଗଳ ଶୁଭ ଘେନି

 

ପୂଜନ୍ତି ଇଷ୍ଟ ଦେବତା ରାମର ଜନନୀ ।

 

ଏମନ୍ତ ସମୟେ ରାମ ପ୍ରବେଶ ହୋଇଲେ

 

ଜନନୀ ଚରଣେ ଶିର ଦେଇଣ ଶୋଇଲେ ।

 

ବଚ୍ଛାକୁ ଦେଖିଣ ଯେହ୍ନେ ଗଉର ହରଷ

 

ଉଠ ଉଠ ରାମ ବୋଲି କରନ୍ତି ଆଶିଷ ।

 

ଉଠି ଶିରେ କର ରାମ ଜନନୀକି ଚାହିଁ

 

କଇକେୟୀ ରଚିତ ସକଳ ରାମ କହି

। ୧୫୦।

 

 

କନିଷ୍ଠ ଜନନୀକି ରାଜନ ଦେଲେ ବର

 

ହୋଇବ ଭରତ ରାଜା ଅଯୋଧ୍ୟା ନବର ।

 

ଚଉଦ ବରଷ ବାସ କରିବି ମୁଁ ବନେ

 

ଏ କଥାକୁ ଜନନୀ ନ କର ଦୁଃଖ ମନେ ।

 

ଶୁଣି କଉଶଲ୍ୟା ଯେ ପଡିଲେ ମୋହଯାଇ

 

ଗିରିଶୃଙ୍ଗ ପଡିଲା କି ବଜ୍ରାଘାତ ପାଇ ।

 

ଘଡିକ ଉତ୍ତାରୁ ଦେବି ପାଇଲେ ଚେତନ

 

ଶୋକେ ଗଦଗଦ ଦେବୀ କହନ୍ତି ବଚନ ।

 

ଆର ବେଳେ ଏମନ୍ତେ ନ ବୋଲ ଚାପପାଣି

 

ସେହୁ ଦୃଷ୍ଟ ବଚନ କିମ୍ପାଇ କହୁ ଆଣି

। ୧୫୫ ।

 

 

ଅଳପ ବୟସ ସୁକୁମାର ଶ୍ୟାମ କାଏ

 

ଦଣ୍ଡେ ନ ଦେଖିଲେ ମୁଁ ହୁଅଇ ବାଇ ପ୍ରାଏ ।

 

ଚଉଦ ବରଷ ତୁ ରହିବୁ ଘୋର ବନେ

 

ଜନନୀ ଦୁଃସହ ଦୁଃଖ ନ ବିଚାରୁ ମନେ ।

 

ପିତା ଯେବେ ବନକୁ ପେଷିଲେ ନ ବିଚାରି

 

ଶୁଣ ରାମଚନ୍ଦ୍ର ମୁଁ ତୋହୋର ଗର୍ଭଧାରୀ ।

 

ମୋହୋର ବଚନ ଘେନ ନ ଯାଅ ବନକୁ

 

ନ କର ବିରସ ପୁତ୍ର ମୋହୋର ମନକୁ ।

 

 

 

କର ବେନି ଯୋଡି ରାମ କରନ୍ତି ବିନଏ

 

ମୋହୋର ଆଏତ ଗୋ ନୁହଇ ଶୁଣ ମାଏ

। ୧୬୦ ।

 

 

ଏ ଦେହର କାରେଣି ଗୋ ମୋହର ପିଅର

 

ଯେସନ ମୃତ୍ତିକା ପିଣ୍ଡ କୁରାଳ ଚିତ୍ରର ।

 

ତୁମ୍ଭେ କି ନ ଜାଣ ପିତା ଭଗତି ବିଚାର

 

ସକଳ ନିର୍ମଳ ବୃଦ୍ଧି ହୃଦୟ ବାହାର ।

 

ପୂର୍ବେ ତ ଶୁଣିଛି ଯାହା କଲେ ପର୍ଶୁଧର

 

ପିତା ଆଜ୍ଞା ପ୍ରମାଣେ କାଟିଲେ ମାତାଶିର ।

 

ମାତାକୁ ବଧିଲା ପିତା ଆଜ୍ଞାର ନିମନ୍ତେ

 

ବନକୁ ଜନନି ମୁଁ ଗୋ ନ ଯିବି କେମନ୍ତେ ।

 

ଚଉଦ ବରଷ ମୁଁ ରହିବି ଘୋରବନ

 

ତୋହୋର ଚରଣ ପୁଣି କରିବି ଦର୍ଶନ

। ୧୬୫ ।

 

 

ପିତା ଆଜ୍ଞା କେମନ୍ତେ ମୁଁ ଲଙ୍ଘିବି ଜନନି

 

ସତ୍ୟ ଭଗ୍ନ ହୋଇଲେ କି ବହିବ ଅବନୀ ?

 

ସତ୍ୟକୁ ସପତ ସିନ୍ଧୁ ନ ଲଙ୍ଘଇ କୂଳ

 

ସତେ ଜଳ ବୃଷ୍ଟି ଗୋ କରଇ ଆଖଣ୍ଡଳ ।

 

କାନ୍ଦି ରାମ ପଛରେ ଗୋଡ଼ାଇଛନ୍ତି ମାତା

 

ଏମନ୍ତ କୃତ୍ୟ କି ପୁଣି କରଇ ବିଧାତା ।

 

ପିତା ଆଜ୍ଞା ଶିରେ ଘେନି ମନ୍ଦିରୁ ବାହାର

 

ବାମକରେ କୋଦଣ୍ଡ ଦକ୍ଷିଣ କରେ ଶର ।

 

ସଙ୍ଗତେ ଜାନକୀ ଦେବୀ ହୋଇଲେ ବାହାର

 

ନିନ୍ଦଇ ଶରଦ ଇନ୍ଦୁ ବଦନ ଯାହାର

। ୧୭୦ ।

 

 

ବାହାର ହୋଇଲେ ସଙ୍ଗେ ସୁମିତ୍ରା କୁମର

 

ଦେଖି ନର ନାରୀ ଗୋ କରନ୍ତି ହାହାକାର ।

 

କେ ବୋଲଇ ରାମ ରାଜା ନୋହିଲେ କେମନ୍ତେ

 

ପାଦଗତି ହୋଇ ତ ଚାଲନ୍ତି ରାଜପଥେ ।

 

ଶଶୀ ଦିବାକର ନ ଦେଖନ୍ତି ଯାର ଛାୟା

 

ରାଜପଥ ମଧ୍ୟରେ ତ ଚାଲଇ ସୀତାୟା ।

 

ପଛରେ ଗୋଡ଼ାଇଛନ୍ତି ସୁମିତ୍ରା କୁମର

 

ତିନିଜଣ ମଧ୍ୟ କିମ୍ପା ନଗରୁ ବାହାର ।

 

ପାଟ ବସ୍ତ୍ର ତେଜିଲେ, ତେଜିଲେ ମଣିଗଣ

 

ବକଳ ଗୋବସ୍ତ୍ର କିମ୍ପା ହୋଇଲେ ଭୂଷଣ

। ୧୭୫ ।

 

 

ଏକର ଆଗରେ ସଖୀ ଆରେକ କହିଲା

 

କଇକେୟୀ ଚରିତ ଗୋ ବିଦିତ ହୋଇଲା ।

 

ଭରତ ହୋଇବ ରାଜା ଶୁଭିଲା ଭୁବନେ

 

ଚଉଦ ବରଷ ରାମ ନିବେଶରେ ବନେ ।

 

ଶୁଣି ପୁର ନରନାରୀ ନାନା ଦେଶାନ୍ତରୀ

 

ସବୁଙ୍କରି ଲୋଚନୁଁ ବହଇ ଶୋକବାରି ।

 

ବୋଲନ୍ତି ଏ କଇକେୟୀ ଧିକ ତା ଜୀବନ

 

ସୁକୁମାର ରାମକୁ ପେଷିଲା ଘୋରବନ ।

 

ଜ୍ଞାନବନ୍ତ ରାଜା ତ ସ୍ତିରୀଙ୍କ ବଶ ଗଲା

 

ନ ବିଚାର ମହାରାଜା ଏଡ଼େ କୃତ୍ୟ କଲା

। ୧୮୦ ।

 

 

ପିତା ଆଜ୍ଞା ଅଲଙ୍ଘିତ ବନେ କଲା ବାସ

 

ଧଇଲା ଜଟା ବକଳ ଫଳମୂଳ ଗ୍ରାସ ।

 

ପିତା ଆଜ୍ଞା ଘେନିଣ ସେ କଷଣ ସହିଲା

 

ଗଙ୍ଗା ପାରିହୋଇ ଚିତ୍ରକୂଟରେ ରହିଲା ।

 

ସୀତା ଲକ୍ଷ୍ମଣଙ୍କୁ ସଙ୍ଗେ ଘେନି ରଘୁବୀର

 

ହରଷେ ରହିଲେ ଗୋ ନିବାଡ଼ି ପତ୍ରଘର ।

 

ଭରତ ଶତ୍ରୁଘ୍ନ ଗୋ ମାତୁଳ ଘରେ ଥିଲେ

 

ତହିଁକି ବଶିଷ୍ଠ ମୁନି ଦୂତ ବରଗିଲେ ।

 

ବେନି ଭାଇ ଅଣାଇଲେ ଅଯୋଧ୍ୟାପୁରକୁ

 

ସକଳ ଚରିତ ମୁନି କହିଲେ ତାହାଙ୍କୁ

। ୧୮୫ ।

 

 

ଶୁଣି ଘୋର କଷଣ ପାଇଲେ ଭାଇ ବେନି

 

ବୋଇଲେ କି କର୍ମ କଲେ ଆମ୍ଭର ଜନନୀ ।

 

ବହୁତ ପ୍ରକାରେ ଗୋ ମାତାଙ୍କୁ ନିନ୍ଦାକଲେ

 

ମନ୍ଥଡ଼ୀକି ବିବିଧ ପ୍ରକାରେ ଶାସ୍ତି ଦେଲେ ।

 

ଏଥୁ ଅନନ୍ତରରେ ଗୋ ବଶିଷ୍ଠ ମୁନିବରେ

 

ପିତୃକାର୍ଯ୍ୟ କରାଇଲେ ଭରତ ହସ୍ତରେ ।

 

ବଶିଷ୍ଠ ସହିତ ସର୍ବ ମନ୍ତ୍ରିଗଣ ଘେନି

 

ରାମଙ୍କୁ ଆଣିବା ପାଇଁ ଗଲେ ଭାଇ ବେନି ।

 

ବାହାର ହୋଇଲେ ଗୋ ରାମକୁ ନେବା ପାଇଁ

 

କଉଶଲ୍ୟା ସୁମିତ୍ରା ଅଇଲେ କଇକେୟୀ

। ୧୯୦ ।

 

 

ଥୋକାଏ ଦିନ ଅନ୍ତରେ ସନ୍ୟବଳ ଘେନି

 

ଚିତ୍ରକୂଟେ ପ୍ରବେଶ ହୋଇଲେ ଭାଇ ବେନି ।

 

ସନ୍ୟ ଗହନ ଚଳନ ଦିଶିଲା ଅପାର

 

ଚିତ୍ରକୂଟେ ଥାଇ ତା ଜାଣିଲେ ରଘୁବୀର ।

 

ବୋଇଲେ ଲକ୍ଷ୍ମଣ ଏ କାହାର ସନ୍ୟବଳ ।

 

ଧୂଳି ଢାଙ୍କୁଅଛି ଦେଖ ଆଦିତ୍ୟମଣ୍ଡଳ ।

 

ତରୁବରେ ଉଠିଲା ଲକ୍ଷ୍ମଣ ଆଜ୍ଞା ପାଇ

 

ଦେଖିଲା ଭରତ ଶତ୍ରୁଘନ ବେନି ଭାଇ ।

 

ରାମଙ୍କୁ ଲକ୍ଷ୍ମଣ ଗୋ କହିଲା ବୃକ୍ଷେ ଥାଇ

 

ଅଇଲେ ଭରତ ଶତ୍ରୁଘନ ବେନି ଭାଇ

। ୧୯୫ ।

 

 

 

 

ଜନନୀ ଏହାର ରାଜ୍ୟୁଁ ଦେଲା ଘଉଡ଼ାଇ

 

ଆସୁଅଛି ଆମ୍ଭଙ୍କୁ ଏ ମାରିବାର ପାଇଁ ।

 

ଆମ୍ଭଙ୍କୁ ମାରିଣ ପୃଥ୍ୱୀ ଅକଣ୍ଟକ କରି

 

ଅଯୋଧ୍ୟା ନବରେ ଏ ଭୁଞ୍ଜିବ ରାଜଶିରୀ ।

 

ଏହିକ୍ଷଣି ଧନୁରୁ ଛାଡ଼ିବି ଘୋର ବାଣ

 

ଭୂମିରେ ଶୋଇବେ ଯେ କରିବି ହତପ୍ରାଣ ।

 

ହତପୁତ୍ର ହୋଇବ ସେ କଇକେୟୀ ରାଣୀ

 

ଭରତ ରୁଧିର ପାନ କରିବ ଧରଣୀ ।

 

ଲକ୍ଷ୍ମଣର ବଚନେ କୋପିତ ରଘୁବୀର

 

ଧନ୍ୟ ଧନ୍ୟ ଲକ୍ଷ୍ମଣ ତୋହୋର ଧନୁଶୀର

। ୨୦୦ ।

 

 

ପ୍ରତିଜ୍ଞା କରିଛୁ ଭ୍ରାତ ମାରିବା ନିମନ୍ତେ

 

କହିବାକୁ ସଂକୋଚ ନ ପାଉ କିମ୍ପା ଚିତ୍ତେ ।

 

ଆମ୍ଭଙ୍କୁ ନାଶିବ ସେ ଭୁଞ୍ଜିବ ରାଜଶିରୀ

 

ବୋଇଲୁ ଭରତ ଅବା ଆସୁଛି ବିଚାରି ।

 

ଅକଳଙ୍କ ଶରୀର ଭରତ ଧର୍ମବୁଦ୍ଧି

 

ଆସୁଛି ନେବାର ପାଇଁ ଆମ୍ଭଙ୍କୁ ପ୍ରବୋଧି ।

 

ରାଜ୍ୟକୁ ତ ନ ଯିବି ପାଳିବି ପିତାସତ୍ୟ

 

ମୋର ବିନୁ ତାହାର ଦୁଃଖିତ ଅତି ଚିତ୍ତ ।

 

 

 

ତୋତେ ଯେବେ ବଡ଼ ହୋ ଦିଶିଲା ରାଜ୍ୟଶିରୀ

 

ରାଜ୍ୟ ତୋତେ ଦେବଇ ଭ୍ରାତାକୁ ମାଗିକରି

। ୨୦୫ ।

 

 

ଶୁଣି ହେଠମାଥ ହୋଇ ସୁମିତ୍ରା ନନ୍ଦନ

 

ଆତ୍ମାକୁ ନିନ୍ଦିଲା କଲା ମଳିନ ବଦନ ।

 

ଏଥୁ ଅନନ୍ତରେ ସଖି ଭ୍ରାତା ଶତ୍ରୁଘନ

 

ଯୋତେ ଦୂରୁଁ ଦିଶିଲା ଗୋ ଶ୍ରୀରାମ ବଦନ ।

 

ରଥୁ ଓହ୍ଲାଇଲେ ବେନି ଭାଇ ଶସ୍ତ୍ର ଛାଡ଼ି

 

ଦଣ୍ତବତେ ଶୋଇଲେ କ୍ଷିତିରେ ମୁଣ୍ଡ ମାଡ଼ି

 

ପୁଣି ପୁଣି ଭରତ ଶୁଅନ୍ତି ଦଣ୍ଡମତେ

 

କଇକେୟୀ ଚରିତ ଗୁଣନ୍ତି ଦୁଃଖ ଚିତ୍ତେ ।

 

ପିତା ହତ ହୋଇଲେ ଅଇଲେ ରାମ ବନ

 

କି ନିମନ୍ତେ ରହିଅଛି ଆମ୍ଭର ଜୀବନ

। ୨୧୦ ।

 

 

ସ୍ରବଇ ଲୋତକଧାରା ବେନି ଭାଇଙ୍କର

 

ଚରଣେ ଲମ୍ବିଲେ ଶିର ଦେଇ ଶ୍ରୀ ପୟର ।

 

ଆଜାନୁଲମ୍ବିତ ବେନି ବାହୁ ରାମ ଦେଖି

 

ତୋଳି ବେନି ବାହୁରେ ବସାଇଲେ ଦୁହିଁଙ୍କି ।

 

ଭ୍ରାତା ମୁଖ ଚାହିଁ ରାମ ପୁଚ୍ଛନ୍ତି ଉତ୍ତର

 

କହ ବାବୁ କୁଶଳ ସମସ୍ତ ରାଜାଙ୍କର ।

 

ଆଜ୍ଞା ପାଇ ଉଠିଲେ ଭରତ ଶତ୍ରୁଘନ

 

ଆଗରେ ହୋଇଲେ ଉଭା ଲୋତକଲୋଚନ ।

 

କହନ୍ତି ସେ ବେନି ଭାଇ ଯୋଡ଼ି ବେନି କର

 

ତୁମ୍ଭଙ୍କୁ ନ ଦେଖି ରାଜା ତେଜିଲେ ଶରୀର

। ୨୧୫ ।

 

 

ଭରତର ତହୁଁ ସୁଦାରୁଣ ବାଣୀ ଶୁଣି

 

ରାମ ସୀତା ଲକ୍ଷ୍ମଣ କାନ୍ଦିଲେ ସର୍ବ ପ୍ରାଣୀ ।

 

ଅନେକ ପ୍ରକାରେ ଗୋ ବଶିଷ୍ଠ ବୋଧ କଲେ

 

ମଦାଗ୍ନି ନଦୀରେ ଗୋ ପିତାଙ୍କୁ ଜଳ ଦେଲେ ।

 

ଭ୍ରାତା ବଧୂ ଘେନି ରାମ ପିତୃକାର୍ଯ୍ୟ ସାରି

 

ଚିତ୍ରକୂଟ ପର୍ବତେ ବାହୁଡ଼ି ବିଜେ କରି ।

 

ରାମଚନ୍ଦ୍ର ଚରଣେ କହିଲେ ବେନି ଭାଇ

 

ଅୟୋଧ୍ୟା ଭୁବନକୁ ଗୋ ଘେନିଯିବା ପାଇଁ ।

 

କେହୁଣି ପ୍ରକାରେ ରାମ ନ ଘେନିଲେ ବୋଧ ।

 

ପିତା ଆଜ୍ଞା ଘେନିଲେ ତେଜିଲେ ରଜ୍ୟସଧ

। ୨୨୦ ।

 

 

ସତ୍ୟର ନିମନ୍ତେ ରାମ ଅବୋଧ ଅଚଳ

 

ରାମ ଚାହିଁ ବେନି ଭାଇ ବିଚ୍ଛେଦ ବିକଳ ।

 

ଏଥୁ ଅନନ୍ତରେ ଗୋ ବଶିଷ୍ଠ ମହାମୁନି

 

ମାଗିଲେ ପାଦୁକା ଦୁଇ ମନ୍ତ୍ରିଗଣ ଘେନି ।

 

ବଶିଷ୍ଠ ଆଜ୍ଞାରେ ଗୋ ପାଦୁକା ବେନି ଦେଲେ

 

ମସ୍ତକରେ ଘେନି ଭ୍ରାତା ଶତ୍ରୁଘନ ଗଲେ ।

 

ମନ୍ତ୍ରିଗଣ ଘେନି ଭ୍ରାତା ଶତ୍ରୁଘନ ବୀର

 

ପାଦୁକା ପୂଜନ୍ତି ନିତି କରି ନମସ୍କାର ।

 

କି କହିବା ଭରତ ଭଗତି ଭାଇପଣ

 

ଚତୁର୍ଦ୍ଧା ମୁରତି ହୋଇଛନ୍ତି ନାରାୟଣ

। ୨୨୫ ।

 

 

ନନ୍ଦିଗ୍ରାମେ ରହିଲେ ଭରତ ମହାବୀର

 

ରାଜ୍ୟରକ୍ଷା ନିମନ୍ତେ ଭୁଜରେ ଧନୁଶର ।

 

ଅଯୋଧ୍ୟା ନଗରେ ଗୋ ପାଦୁକା ପୂଜା କରି

 

ପାଳନ୍ତି ସକଳ ମହୀ ଶ୍ରୀରାମ ସୁମରି ।

 

ଏଥୁ ଅନନ୍ତରେ ରାମ ରହି କିଛୁଦିନ

 

ଚିତ୍ରକୂଟ ତେଜିଲେ ପଶିଲେ ଘୋରବନ ।

 

ପ୍ରବେଶ ହୋଇଲେ ଅତ୍ରି ମୁନିଆଶ୍ରମରେ

 

ସୀତୟା ଲକ୍ଷ୍ମଣ ସଙ୍ଗେ ଘେନି ରଘୁବୀରେ ।

 

ଅନେକ ଶିଷ୍ୟ ସହିତେ ଅତ୍ରି ମହାଋଷି

 

ଗୁଣନ୍ତି ପରମବ୍ରହ୍ମ ଧ୍ୟାନଯୋଗେ ବସି

। ୨୩୦ ।

 

 

 

 

ଭ୍ରାତା ବଧୂ ଘେନି ରାମ ଏମନ୍ତ ସମୟେ

 

ଦଣ୍ତମତେ ଶୋଇଲେ ଗୋ ମୁନିଙ୍କର ପାଏ ।

 

ବେନି କର ଘେନି ମୁନି ତୋଳିଲେ ତିହ୍ନିଙ୍କି

 

ପରମ ଆଶ୍ୱାସେ ମୁନି କୁଶଳ ପୁଚ୍ଛନ୍ତି ।

 

ଆଜ ମୋର ଆଶ୍ରମେ ଅତିଥି ତିନିଜଣ

 

ଏ ସ୍ଥାନେ ବସିବା ମୋର ହୋଇଲା କାରଣ ।

 

ଏତେ କହି ଅତିଥି ବିଧିରେ ପୂଜା କଲେ

 

ସୀତାମୁଖ ଚାହିଁ ପୁଣି ଏମନ୍ତ ବୋଇଲେ ।

 

ଧରି ବେନି ଚରଣ ମସ୍ତକେ ଲଗାଇଲେ

 

କର ଧରି ଋଷିପତ୍ନୀ ପାଶେ ବସାଇଲେ

। ୨୩୫ ।

 

 

ଅଙ୍ଗଶୋଭା ସୀତୟାଙ୍କୁ ଦେଲେ ମୁନିନାରୀ

 

ଆଶ୍ୱସନା କରି ନେଇ କୋଳାଗ୍ରତ କରି ।

 

ଯାହା କହୁଅଛି ଆନ କେବେହେଁ ନୋହିବ

 

ଯୁବା ରୁପ ତୋହର ଜୀବନ୍ତେ ରହିଥିବ ।

 

ଏତେ କହି ଅମଳାଣ ବସନ ଘେନିଲେ

 

ହରଷ କରାଇ ଗୋ ସୀତୟା କରେ ଦେଲେ ।

 

ଘେନିଲେ ବସନ ସୀତା ଶିରରେ ଲଗାଇ

 

ଆଜ୍ଞା ଦେବା କୁଶଳେ ବର୍ତ୍ତନ୍ତୁ ବେନି ଭାଇ ।

 

 

 

ପତିପତ୍ନୀ ଆସି ସୁକଲ୍ୟାଣ ତାଙ୍କୁ କଲେ

 

ସେ ମୁନି ଆଶ୍ରମେ ରାମ ସେଦିନ ରହିଲେ

। ୨୪୦ ।

 

 

ନିଶି ପ୍ରଭାତରେ ଗୋ ମୁନିଙ୍କି ଆଜ୍ଞା ମାଗି

 

ଗଲେ ରାମଲକ୍ଷ୍ମଣ ସୀତୟା ଶରଭାଙ୍ଗି ।

 

ଗମନ୍ତ ସେ ତିନିଜଣ ଘୋର କାନନରେ

 

ପ୍ରବେଶ ହୋଇଲେ ଯାଇଁ ଋଷିଆଶ୍ରମରେ ।

 

ଘେନି ଜଳକୁମ୍ଭ ସେ ଆଣନ୍ତି ମୁନିଜନେ

 

ଦୂରହୁଁ ଦେଖିଲେ ରାମ ରାଜୀବଲୋଚନେ ।

 

ଦେଖିଲେ ସ୍ମରସୁନ୍ଦର ସୁକୁମାର କାଏ

 

ଦେଖନ୍ତି ରାମଙ୍କୁ ରହି ଚିତ୍ରପଟ ପ୍ରାଏ ।

 

ତାହାଙ୍କର ମଧ୍ୟରେ ଯେ ମୁଖ୍ୟ ଏକ ମୁନି

 

ପୂଜାରେ ନିମନ୍ତେ ଆଶ୍ରମକୁ ଗଲେ ଘେନି

।୨୪୫ ।

 

 

ଷଡ଼ଅର୍ଘ୍ୟ ପୂଜାକଲେ ପର୍ଣ୍ଣକୁଟୀ ଦେଇ

 

ବିବିଧ ପ୍ରକାରେ ମୁନି କହିଲେ ବିନୋଇ ।

 

ପରମ ସନ୍ତୋଷ ରାମ ଦିବସେ ରହିଲେ

 

ପ୍ରଭାତେ ସମୟେ ରାମ ଆଶ୍ରମ ତେଜିଲେ ।

 

ଦଣ୍ଡକା ଗହନ ବନେ ବିଜେକଲେ ରାମ

 

ବିରାଧ ରାକ୍ଷସ ଯହିଁ କରିଛି ଆଶ୍ରମ ।

 

ଶୂଳର ଉପରେ ବସିଅଛି ଗଜଶିର

 

ଗଜଶିର ବୁଧିରେ ଶରୀର ଜରଜର ।

 

 

 

ଅତି ଦୀର୍ଘ ଜିହ୍ୱା ଗୋ ଲୋଚନ ଯେହ୍ନେ କୂପ

 

କର୍ଣ୍ଣ ସରି ପାଟି କେତେ କହିବା ବିରୂପ ?

୨୫୦ ।

 

 

ଖାଇଛି ଗଜ ମଇଁଷି ବିପ୍ର ଋଷିଗଣ

 

ରୁଧିର ମାଏଁ ସ ଲାଗି ବିକଟ ବଦନ ।

 

ଅତି ଲମ୍ବ ଉଦର ଗୋ ବକ୍ର ତାର ନାସା

 

ଲେପିଛି ଶରୀରେ ଗୋ ରକତ ମାଂସ ( ରସା ) ।

 

ଶୂଳ ପୋତି ବସିଛି ବରାହ ମୃଗ ଖାଇ

 

ରାମ ସୀତା ଲକ୍ଷ୍ମଣ ପ୍ରବେଶ ହେଲେ ଯାଇଁ ।

 

ରାମଙ୍କୁ ଦେଖିଣ ଗୋ ବିରାଧ କହେ ବାଣୀ

 

ମନୁଷ୍ୟ ଆହାର ବିହି ଭେଟାଇଲା ଆଣି ।

 

ଏତେ କହି ଧାଇଁଲା ସେ ପବନ ସମାନ

 

ସୀତାଙ୍କୁ କୋଡ଼ରେ ଘେନି ଉଡ଼ିଲା ଗଗନ

। ୨୫୫ ।

 

 

ଦେଖି ରାମଚନ୍ଦ୍ର ଗୋ ଧନୁରେ ଗୁଣ ଦେଇ

 

ସୀତାଦୁଃଖ ଦେଖି ରାମ ଅଦୃଷ୍ଟ ଚିନ୍ତଇ ।

 

ଘୋର ବାଣ ଧନୁରୁ ଛାଡ଼ିଦେଲେ ରଘୁବୀର

 

ପଡ଼ିଲା ଅମୋଘ ବାଣ ବିରାଧ ଶରୀର ।

 

ବାଣେ ପ୍ରାଣ ଆକୁଳେ ଛାଡ଼ିଲା ତାର ଦେହୀ

 

ଆଗେ ଉଭା ହୋଇଲା ବିନୟ ବାଣୀ କହି ।

 

କରଇ ରକତ ବାନ୍ତି କହଇ ରାମଙ୍କୁ

 

ମୋତେ ତାରିବାକୁ ରାମ ଅଇଲା ବନକୁ ।

 

ତୁମ୍ବୁରୁ ଗନ୍ଧର୍ବ ମୁଁ କୁବେର ଶାପ ପାଇ

 

ପାଇଲି ରାକ୍ଷସ ବପୁ ଋଷି ବିପ୍ର ଖାଇ

। ୨୬୦ ।

 

 

ଶାପହିଁ ପରମ ଲାଭ ହୋଇଲା ମୋହୋର

 

ଦେଖିଲି ଭୁବନଚନ୍ଦ୍ର ଚରଣ ତୋହୋର ।

 

ଶରଭଙ୍ଗ ଆଶ୍ରମକୁ ଯାଅ ବେଗ ହୋଇ

 

ମୋତେ ଆଜ୍ଞା ଦିଅ ମୁହି ସ୍ୱର୍ଗକୁ ଯିବଇଁ ।

 

କହୁଁ କହୁଁ ବିମାନ ପ୍ରବେଶ ହୋଏ ଆସି

 

ରାମ ଆଜ୍ଞା ପାଇ ସେ ବିମାନେ ଗଲା ବସି ।

 

ଉପଦର୍ପ ଦେଖି ଗୋ ତେଜିଲେ ସେହୁ ବନ

 

ଶରଭଙ୍ଗ ଆଶ୍ରମକୁ କଲେ ସେ ଗମନ ।

 

ଦେଖ ଶରଭଙ୍ଗର ଗୋ ତପସ୍ୟାର ଫଳ

 

ସ୍ୱର୍ଗକୁ ନେବାକୁ ଆସିଥିଲେ ଆଖଣ୍ଡଳ

। ୨୬୫ ।

 

 

 

 

ଏମନ୍ତ ସମୟେ ରାମ ହୋଇଲେ ପ୍ରବେଶ

 

ଦେଖିଲେ ଇନ୍ଦ୍ରର ରଥ ରହିଛି ଆକାଶ ।

 

ଇନ୍ଦ୍ର ଉଭା ହୋଇଅଛି ଆଶ୍ରମ ଦୁଆରେ

 

ଉଭା ହୋଇଛନ୍ତି ପାଦ ନ ଦେଇ ଭୂମିରେ ।

 

ଏମନ୍ତ ସମୟେ ରାମ ଲକ୍ଷ୍ମଣଙ୍କୁ ଚାହିଁ

 

ଏହିଠାରେ ତୁମ୍ଭେ ଥାଅ ଲକ୍ଷ୍ମଣବୈଦେହୀ ।

 

ଦେଖଇ ମୁଁ ଇନ୍ଦ୍ରହୁଁ ନୁହଇ ଏହୁ ଆନ

 

ଏତେ ବୋଲି ଆଶ୍ରମକୁ କଲେ ଗୋ ଗମନ ।

 

ଏଥୁ ଅନନ୍ତରେ ଶରଭଙ୍ଗ ମହାମୁନି

 

ଜାଣିଛନ୍ତି ଅନନ୍ତ ପରମ ଭାଗ୍ୟ ଜ୍ଞାନୀ

। ୨୭୦ ।

 

 

ରାମର ଗମନ ମୁନି ଜାଣିଛନ୍ତି ଚିତ୍ତେ

 

ବାଟ ଚାହୁଁ ଛନ୍ତି ମୁନି ଦର୍ଶନ ନିମନ୍ତେ ।

 

ଏମନ୍ତ ସମୟେ ରାମ ପ୍ରବେଶ ହୋଇଲେ

 

ମୁନିପାଦେ ଶିର ଦେଇ ଭୂମିରେ ଶୋଇଲେ ।

 

ଶରଭଙ୍ଗ ମୁନି ରାମ ରୁପକୁ ଚାହିଁଲେ

 

ସଂସାରେ କଳୁଷ ମୁନି ନିମିଷେ ହରିଲେ ।

 

ବୋଇଲେ ଶ୍ରୀରାମ ତୋତେ ଦେଖିବାର ପାଇ

 

କୀଟ ଚାହିଁ ବସିଅଛି ସ୍ୱର୍ଗକୁ ନ ଯାଇ ।

 

 

 

ଶରଭଙ୍ଗ ନୁନିଙ୍କର ଆହରଣୀ (ଣି) ଯେତେ

 

ଅଗ୍ନିରେ ପଶିଲେ ଯାଇ ଦହନ ନିମନ୍ତେ

। ୨୭୫ ।

 

 

ଅନ୍ତକାଳେ ନାମ ଯାର ସୁମରିଲେ ବାରେ

 

ନ ହୋଏ ଜନମ ମୃତ୍ୟୁ ଏ ଭବସଂସାରେ ।

 

ଯାହାକୁ ଚିନ୍ତନ ମୁନି ହୃଦୟକମଳେ

 

ତାହାକୁ ଦେଖିଲି ମୁହିଁ ପ୍ରାଣତ୍ୟାଗକାଳେ ।

 

ରାମ ରାମ ସୁମରି ଚାହଁଇ ରାମମୁଖ

 

ଶରୀର ସଙ୍ଗତେ ସେ ବହିଲେ ସର୍ବସୁଖ ।

 

ରାମ ରୁପଦର୍ଶନେ ନିର୍ମଳବପୁଃ ପାଇ

 

ହିଂସଯାନ ବିମାନେ ବସିଲେ ମନି ଯାଇ ।

 

ମୁନିବର ପୁରନ୍ଦର ଏକ ସଙ୍ଗେ ଗଲେ

 

ଇନ୍ଦ୍ରମୁଖ ଚାହିଁ ଏମନ୍ତ ବୋଇଲେ

। ୨୮୦ ।

 

 

ଯାଅ ତୁମ୍ଭେ ପୁରନ୍ଦର ଅମର ଭୁବନ

 

ଶ୍ରୀ ରାମଦର୍ଶନେ ବ୍ରହ୍ମ ଲୋକେ ମୋର ସ୍ଥାନ ।

 

ଆଦିତ୍ୟମଣ୍ଡଳ ଭେଦି ଗଲେ ମୁନିବରେ

 

ହରଷେ ରହିଲେ ଯାଇଁ ପରମ ସ୍ଥାନରେ ।

 

କହେ ଦ୍ରୋହୀ ଗୋବିନ୍ଦ ଶ୍ରୀରାମ ଶ୍ରୀପୟରେ

 

ଚରଣ ବିଚ୍ଛେଦ ନ କରିବୁ ଶ୍ରୀପୟରେ

। ୨୮୩ ।

 

 

ତହୁଁ ଯାଇଁ ପ୍ରବେଶ ଗୋ ଅଗସ୍ତି-ଆଶ୍ରମେ

 

ଦିଗାନ୍ତ ପୁରୁଷ ଅଛି ଅଗ୍ନି ହୋତ୍ର ଧୃମେ ( ନାମେ ? )

। ୧।

ଶ୍ରୀରାମ ବଚନେ ଶିଷ୍ୟମାନେ ଗଲେ ଧାଇଁ

 

ଅଗସ୍ତି ମୁନିଙ୍କ ଆଗେ କହିବାର ପାଇଁ ।

୨ ।

 

 

ଆସି ରାମ ଲକ୍ଷ୍ମଣ ସୀତୟା ମହାସତୀ

 

ଆଜ୍ଞା ଦେଲେ ଆସିବେ ସେ ଉଭାହୋଇଛନ୍ତି

। ୩ ।

ଶୁଣି ମୁନିବର ଗୋ ଗଲେକ ଧାତିକାରେ

 

ବିଧିମତେ ତିନି ଜଣେ ଦଣ୍ଡବତ କରି

। ୪ ।

 

 

କର ଧରି ତୋଳିଲେ ଅଗସ୍ତି ତପଚାରୀ

। ୫ ।

ରାମଙ୍କୁ ସଙ୍ଗତେ ଘେନି ଆଶ୍ରମକୁ ଗଲେ

 

ବିଧିମତେ ଅଗସ୍ତି ଅତିଥି ପୂଜା କଲେ

। ୬ ।

ଯେତେ ରୁପେ କହିଲେ ଅଗସ୍ତି ମୁନିବର

 

କି ଅବା କହିବି କେତେ ବୁଦ୍ଧି ଗୋ ମୋହୋର

। ୭ ।

 

 

ମଣିଗଣ-ଖଞ୍ଜଣି ବିଚିତ୍ର ମହାଧନୁ

 

ରାମଙ୍କୁ ଦେବାକୁ ମୁନି ଆଣିଲେ ଭୁବନୁଁ

। ୮ ।

 

 

ରାମଚନ୍ଦ୍ର ଶ୍ରୀ କରେଣ ଧନୁ ନେଇ ଦେଲେ

 

ଅକ୍ଷୟ ତୂଣ ଦେଇ ସେ ଏମନ୍ତ ବୋଇଲେ

। ୯ ।

 

 

ମହାଧନୁ ପୁରନ୍ଦର ଦେଇଗଲେ ଆଣି

 

ତୋହୋର ହସ୍ତରେ ଦେବା ପାଇଁ ଚାପପାଣି

। ୧୦।

 

 

ପୃଥିଭାରା ନାଶିବାରେ ଜାତ ମାନବରେ

 

ଏ ଧନୁ ଅକ୍ଷୟତତୂଣ ଦେଲି ଆଣି ତୋରେ ।

 

ବୃଦ୍ଧିବଳ ଉପାୟ ସକଳ ମୁନି କହି

 

ମୁନିର ନିକଟେ ରାମ କିଛୁ ଦିନ ରହି ।

 

ଅଗସ୍ତି ମୁନିଙ୍କି ଆଜ୍ଞା ମାଗି ରଘୁମଣି

 

ପଞ୍ଚବଟୀ ବନରେ ରହିଲେ ସୁସ୍ଥ ଜାଣି ।

 

ସୂପଲେଖା ଏକ ଦିନେ ଅରଣ୍ୟ ଭିତରେ

 

ଭ୍ରମନ୍ତେ ପ୍ରବେଶ ପଞ୍ଚବଟୀ ବନସ୍ତରେ ।

 

ଯେଉଁ ଠାରେ ଗୃହ କରିଛନ୍ତି ରଘୁମଣି

 

ସେଠାରେ ହୋଇଲା ଯାଇ ରାବଣ ବହେଣୀ

।୧୫।

 

 

ବୋଇଲା ଏ ଅରଣ୍ୟରେ ନିବାସ କାହାର

 

ଦେଖିବା ନିମନ୍ତେ ନାରୀ ଗଲା ଧୀରେ ଧୀରେ ।

 

ଦୂରହୁଁ ଦେଖିଲା ବିଜେ ଶ୍ରୀରାମ ଲକ୍ଷ୍ମଣ

 

ବାମ କରେ କୋଦଣ୍ଡ ଦକ୍ଷିଣେ ତୀକ୍ଷ ବାଣ ।

 

ମଦନମୋହନ ମନ୍ଦ (ନ?) ମୋହନ ମୂରତି

 

ତେଜରେ ସକଳ ଦିଗ ପ୍ରକାଶ ଦିଶନ୍ତି ।

 

ସୀତା ବସିଛନ୍ତି ରାମ ବାମ ପାରୁଶରେ

 

ଶରଦ ଚନ୍ଦ୍ରମା ଦିଶେ ନିର୍ମଳ ମେଘରେ ।

 

ମନେ ବିଚାର କରଇ ରାବଣ ବହେଣୀ

 

କେ ଅବା ହୋଇବ ମୁଁ ତ ନ ପାରିଲି ଜାଣି

। ୨୦।

 

 

ଯାହା ଶୁଣିଥିଲି ପଞ୍ଚବଟୀ ବନସ୍ତରେ

 

ବାସ କରିଛନ୍ତି ଦଶରଥ କୁମରେ ।

 

ସୀତୟାହଁ ସଙ୍ଗତରେ ଅଛନ୍ତି ଗୋ ଭାଇ

 

ତାହାଙ୍କ ବାହାରେ ଅନ୍ୟ ସର୍ବଥା ନୁହଇ ।

 

ରାମଲକ୍ଷ୍ମଣଙ୍କୁ ଯହୁଁ ଦେଖିଲା ନୟନେ

 

ବୋଇଲା ପ୍ରପାତ ମୋତେ ହୋଇବ କେସନେ ।

 

କିମନ୍ତେ ସୁରତିକ୍ରିଡା କରିବି ଏକାନ୍ତେ

 

ଏତେ ବୋଲି ଅସୁରୀ ବିଚାର କଲା ଚିତ୍ତେ ।

 

ଏତେ ବୋଲି ରାକ୍ଷସୀ ସ୍ୱରୂପ ଦୂର କରି

 

ହୋଇଲା ଶରୀର ଯେହ୍ନେ ସ୍ଵର୍ଗର ସୁନ୍ଦରୀ

।୨୫।

 

 

 

 

ଖୋପାରେ ମୁକୁତାଜାଲି ଶିରେ ସୀମନ୍ତିନୀ

 

ନାନାରତ୍ନେ ଖଞ୍ଜିଅଛି ଲଲାଟ ବନ୍ଧନୀ ।

 

କର୍ଣ୍ଣକତୀ କର୍ଣ୍ଣଫୁଲ ତାଟଙ୍କ କର୍ଣ୍ଣରେ

 

ଭୁଜେ ବାହୀ ବାହୁଟୀ ପଦକ ହୃଦୟରେ ।

 

ବିଚିତ୍ର ବନ୍ଧନ କରିଅଛି ଆଭରଣ

 

ପୟରେ ନୂପୁର ତାର ବାଜେ ରୁଣୁଝୁଣୁ ।

Unknown

 

ବିଚିତ୍ର ମୁକୁତା ଖଞ୍ଜି ଅଛି ନାସାତଟେ

 

ସ୍ଵର୍ଗର ସୁନ୍ଦରୀ ପ୍ରାୟେ ହୋଇଛି କପଟେ ।

 

ମଦନ ବାଣରେ ମନ ହେଉଅଛି ଛନ୍ନ

 

ଲାଜ ଭୟ ଛାଡି ନାରୀ କରାଇ ଗମନ

। ୩୦।

 

 

ବିଜେ ରାମଚନ୍ଦ୍ର ଯହିଁ ଲକ୍ଷ୍ମଣ ସହିତେ

 

ସେଠାବରେ ସୂପଲେଖା ମିଳିଲା ତୁରିତେ ।

 

ଦେଖି ରାମ ଲକ୍ଷ୍ମଣ ବିଚାର କଲେ ଚିତ୍ତେ

 

କାହାର ଯୁବତୀ ଆସୁଅଛି କି ନିମନ୍ତେ ।

 

କେ ଅବା ବଳେ ହରଣ କରୁଥିଲା ବନେ

 

କହିବାକୁ ଆସୁଅଛି ଆମ୍ଭ ସନ୍ନିଧାନେ ।

 

କେ ଅବା ଅନ୍ୟାୟ ଇଚ୍ଛା କରିଛି ବନରେ

 

କାୟେ ତାର ଛେଦିବି ତୁରିତେ ଘୋର ଶରେ

 

କି ଅବା କେବଣ ଜଣ ଅଛି ପଠିଆଇ

 

ଆମ୍ଭଙ୍କୁ ହିତ ବଚନ କହିବାର ପାଇଁ

। ୩୫।

 

 

କାହାର ଯୁବତୀ କିବା କାହାର କୁମାରୀ

 

କି ନିମନ୍ତେ ଆସୁଅଛି ମନେ କି ବିଚାରି ।

 

କଥା ହୋନ୍ତେ ନିକଟରେ ହୋଇଲା ପ୍ରବେଶ

 

ନାନା ଆଭରଣ ହୋଇ ହୋଇଛି ସୁବେଶ ।

 

ଆଗେ ଯାଇଁ ଉଭା ଯହୁଁ ହୋଇଲା ଯୁବତୀ

 

ସୀତାୟାକୁ ଚାହିଁଣ ବୋଲନ୍ତି ରଘୁପତି ।

 

ଉଠ ଗୋ ସୀତୟା ଯାଅ ତାହାଙ୍କ ପାଶକୁ

 

କୁଶଳ ପ୍ରସଙ୍ଗ କଥା ପଚାର ତାହାଙ୍କୁ ।

 

କାହାର କୁମାରୀ କିବା ଯୁବତୀ କାହାର

 

ଆମ୍ଭର ପଚାରିବା ଗୋ ନୁହଇ ସୁନ୍ଦର

। ୪୦ ।

 

 

ଯୁବତୀକି ଯୁବତୀ ପଚାରି ଆସ ଯାଇଁ

 

ଯାହା ସେ କହିବେ ମୋତେ କହ ବେଗ ହୋଇ ।

 

ଶୁଣ କରି ସୀତୟା ଉଠିଲେ ଧାତିକାରେ

 

ପ୍ରବେଶ ହୋଇଲେ ସୂପଲେଖାର ଆଗରେ ।

 

ସୀତୟା ବୋଲନ୍ତି ଶୁଣ ଶୁଣ ଗୋ ସୁନ୍ଦରି

 

କି ନିମନ୍ତେ ଆସିଅଛ କହିବା ବିଚାରି ।

 

ସୂପଲେଖା ବୋଇଲା ମୁଁ କହିବି ସେଠାରେ

 

ସୀତୟା ବୋଇଲେ ଆସି କହ ଧାତିକାରେ ।

 

ସୂପଲେଖା କହଇ ଶ୍ରୀରାମ ମୁଖ ଚାହିଁ

 

ଶୁଣ ତୁ ଶ୍ରୀରାମ ମୁଁ ଅଇଲି ଯହିଁ ପାଇଁ

। ୪୫ ।

 

 

ଦୁଇ ଭାଇ ଅଛ ତୁମ୍ଭେ ଅରଣ୍ୟ ଭିତରେ

 

ତୁମ୍ଭର ଭାରିଯା ସୀତା ଅଛି ନିକଟରେ ।

 

ଆଜ୍ଞା ଦେଲେ ଭଜିବି ମୁଁ ଘରଣୀ ପ୍ରକାରେ

 

ଏହିପାଇଁ ଅଇଲି ମୁଁ ଶୁଣ ରଘୁବୀରେ ।

 

ଶୁଣି ରାମ ହସିଲେ ବସନ ମୁଖେ ଦେଇ

 

ହସି ହସି ଲକ୍ଷ୍ମଣଙ୍କୁ କହନ୍ତି ଅନାଇ ।

 

ସୂପଲେଖା ଚରିତ ଜାଣିଲେ ବେନି ଭାଇ

 

କହନ୍ତି ଏକ ଆରକେ ପରିହାସ ହୋଇ ।

 

ଭଲ ଭାରିଯାଏ ବାବୁ ପାଇଲୁ ବନରେ

 

ଦିନକାଳ ବଞ୍ଚିବୁ ତୁ ହରଷ ମନରେ

। ୫୦।

 

 

ଲକ୍ଷ୍ମଣ ବୋଲନ୍ତି ରେ ଯୁବତି ହେଲୁ ବାଇ

 

ସେବକର ଘରଣୀ ହୋଇବୁ କାହିଁ ପାଇଁ ।

 

ଭୃତ୍ୟଜନ ସିନା ମୁଁ ଗୋ ଶ୍ରୀରାମ ଆଏତ

 

ମୋହୋର ଆଏତ ଗୋ ନୁହଇ ମୋର ଚିତ୍ତ ।

 

ଯେଉଁ ଆଡ଼େ ପେଷିବେ ମୁଁ ସେହି ଆଡ଼େ ଯିବି

 

ଯହିଁ ଆଜ୍ଞା ଦେବେ ମୁହିଁ ସେହିଠାରେ ଥିବି ।

 

କାହାର ନିକଟେ ତୁ ଗୋ ରହିବୁ ସୁନ୍ଦରି

 

ଏ କଥା କିପାଇଁ ତୁ ଗୋ ନ କହୁ ବିଚାରି ।

 

ଶ୍ରୀରାମର ଯଦି ତୁ ଗୋ ହୋଇବୁ ଘରଣୀ

 

ନିଶ୍ଚୟ ହୋଇବୁ ତୁ ଗୋ ମୋର ଠାକୁରାଣୀ

। ୫୫ ।

 

 

ଏବେ ଯାଇଁ ଭଜ ତୁ ଗୋ ଶ୍ରୀରାମପୟରେ

 

ଶ୍ରୀରାମଙ୍କୁ ମଣାଇବା ବିବିଧ ପ୍ରକାରେ ।

 

ଲକ୍ଷ୍ମଣ ବଚନ ଶୁଣି ସୀଉକାର କଲା

 

ହେଉ ବୋଲି ହସି ରାମ ବଦନ ଚାହିଁଲା ।

 

ହସି ରାମ ବୋଲନ୍ତି ତୁ ଶୁଣରେ ତରୁଣି !

 

ଲକ୍ଷ୍ମଣର ବଚନ ସବୁ କହିଲା ନ ଜାଣି ।

 

ଲକ୍ଷ୍ମଣର ସଙ୍ଗତରେ ନାହିଁ ନା ଯୁବତୀ

 

ସୁକୁମାର ସୁନ୍ଦରକୁ କର ଯାଇଁ ପତି ।

 

ଏକା ହୋଇ ହରଷରେ ହୋଇବ ତୋ ଘର

 

ସପତଣୀ ଦୁଃଖ ଆଉ ନ ଥିବ ମନର

। ୬୦ ।

 

 

ଲକ୍ଷ୍ମଣ ବୋଇଲେ ମନେ ଆନ ନ ଧରିବୁ

 

ଠାକୁରାଣୀ ଛାଡ଼ି କାହିଁ ସେବକୀ ହୋଇବୁ ।

 

ଶୁଣି ହସି ରାମକୁ ଚାହିଁଲା ବାଙ୍କ କରି

 

ପୁଣି ରାମ ହସିଣ ବୋଇଲେ ବାଙ୍କ କରି ।

 

ପ୍ରତ୍ୟକ୍ଷେ ଦେଖୁଛୁ ମୋ ଭାରିଯା ଅଛି ସୀତା

 

ସପତଣୀ ବୋଲେ ଗୋ ମଣଇ ବିଷପିତା ।

 

ମୋହୋର ନିକଟେ ନ ରଖିବ କଦାଚିତେ

 

ସପତଣୀ-ଦୁଃଖ ତୁ ଗୋ ସହିବୁ କେମନ୍ତେ ।

 

ଶ୍ରୀରାମ ବଚନ ଶୁଣି ସୀତାହିଁ ହସିଲେ

 

ଏମନ୍ତ ନିର୍ଲ୍ଲଜ କାହୁଁ ଅଇଲା ବୋଇଲେ

। ୬୫।

 

 

ସୂପଲେଖା ବୋଲଇ ତୁ ଶୁଣ ରଘୁବୀର

 

ସୀତୟାକୁ ମାରି ତାର ଭକ୍ଷିବି ଶରୀର

 

ଭୟ ଛାଡି ବିହାର କରିବା ରଘୁବୀର ।

 

ଏତେ କହି ନିଜ ରୂପ ଧଇଲା ସୁନ୍ଦରୀ

 

ଭୟଙ୍କର ବଦନ ବିକଟ ଦନ୍ତ କରି ।

 

ସୀତୟାକୁ ନାଶିବା ନିମନ୍ତେ ଧାଇଁ ପଡ଼ି

 

ମହାଘୋର ଶବଦେ ଛାଡ଼ିଲା ସିଂହରଡ଼ି ।

 

ସୀତୟାକୁ ଭକ୍ଷିବା ନିମନ୍ତେ ପ୍ରାଣେ ନାଶି

। ୭୦।

 

 

ଶ୍ରୀରାମ ଡାକନ୍ତି ଧାଆଁ ଧାଆଁ ରେ ଲକ୍ଷ୍ମଣ

 

ବେଗେ ଧର ସୀତୟାର ହରୁଛନ୍ତି ପ୍ରାଣ ।

 

ଭୟ ପାଇ ସୀତା ଗୋ ପଶିଲେ ରାମପାଶେ

 

ସୀତାକୁ ଧଇଲେ ରାମ ପରମ ବିଶ୍ୱାସେ ।

 

ଆଜ୍ଞା ପାଇ ବେଗେ ଆସି ସୁମିତ୍ରାକୁମର

 

ସୂପଲେଖା କେଶ ଯେ ଧଇଲେ ଧାତିକାର ।

 

କେଶ ଧରି ଭୂମିରେ ପକାଇ ନେଲେ ଟାଣି

 

କାହୁଁ ଆସି ପ୍ରବେଶ ହୋଇଲୁ ଚାଣ୍ଡାଳୁଣୀ ।

 

ମାୟା ରୁପ ଧରି କାହ୍ନୁଁ ଅଇଲୁ ରାକ୍ଷସୀ

 

ରାମନାରୀ ହୋଇବୁ ସୀତାକୁ ପ୍ରାଣେ ନାଶି

। ୭୫ ।

 

 

କପଟର ଫଳ ତୁ ପାଇବୁ ଏହିକ୍ଷଣି

 

ପୁଣି କେଶ ଆକର୍ଷି ଆଣଇ ଶିର ଝୁଣି ।

 

ନେଇ କଲା ରାକ୍ଷସୀକି ଅରଣ୍ୟ ଭିତରେ

 

ଛେଦିଲା ଶ୍ରବଣ ନାସା ତୀକ୍ଷ୍ମ ଖଡ଼ଗରେ ( ନାରାଚରେ )

 

ସୂପଲେଖା ଅଇଲା ଗୋ ଭକ୍ଷିବାର ପାଇଁ

 

ଛେଦିଲେ ଶ୍ରବଣ ନାସା ଦେଲେ ଘଉଡ଼ାଇ ।

 

ସୂପଲେଖା ବିରୂପ ହୋଇଣ ତହୁଁ ଗଲା

 

ତ୍ରିଶିରା ଖରଦୂଷଣ ଆଗରେ କହିଲା ।

 

ସୂର୍ଯ୍ୟବଂଶେ ଜାତ ଦଶରଥ କୁମର

 

ଏତେ ଶାସ୍ତି ଦେଲା ଦେଖ ବଦନ ମୋହୋର

। ୮୦ ।

 

 

ସୂପଲେଖା ବଚନେ କୋପିତ ଚିତ୍ତ କଲା

 

ଚର୍ଭୁ (ଉ)ଦ ରାକ୍ଷସ ସେନାପତି ବରଗିଲା ।

 

ରାମଙ୍କୁ ନାଶିବା ପାଇଁ ସମସ୍ତେ ଧାଇଁଲେ

 

ଶ୍ରୀରାମ ନିକଟେ ଯାଇଁ ପ୍ରବେଶ ହୋଇଲେ ।

 

ସୂପରେଖା ଯାଇଥିଲା ସଙ୍ଗତେ ଗୋଡ଼ାଇ

 

ବେନି ଭାଇଙ୍କର ମୃତ୍ୟୁ ଦେଖିବାର ପାଇଁ ।

 

ଆଶ୍ରମରେ ଥାଇ ତା ଜାଣିଲେ ରଘୁବୀର

 

ଧନୁରେ ଚଢ଼ାଇ ଗୁଣ ପ୍ରହାରିଲେ ଶର ।

 

ଶୁଖିଲା ଅରଣ୍ୟ ଯେହ୍ନେ ଦହଇ ଅନଳ

 

ଏକା ନାରାଚ କେ ଭସ୍ମ ହୋଇଲେ ସକଳ

। ୮୫ ।

 

 

ତାହାଙ୍କ ମରଣ ଜାଣି ସୂପଲେଖା ଗଲା

 

ତ୍ରିଶିର ଖରଦୂଷଣ ଆଗରେ କହିଲା ।

 

ସୂପଲେଖା ବଚନେ ସାଜିଲା ରଥଗଜ

 

ବୀରତୂର ବଜାଇ ହୋଇଲେ ସର୍ବେ ସଜ ।

 

ତ୍ରିଶିରା ଖରଦୂଷଣ ସୈନ୍ୟ ଘେନି ସଙ୍ଗେ

 

ଧନୁ ଟଙ୍କାରିଣ ସେ ଧାଇଁଲେ ରଣରଙ୍ଗେ ।

 

ବାଦ୍ୟନାଦ ମୁଖରାବ ଶୁଣି ରଘୁବୀର

 

ବୋଇଲେ “ଲକ୍ଷ୍ମଣ ଶୁଣ ସୁମିତ୍ରା କୁମର ।

 

 

 

ସୀତୟାକୁ ଘେନି ରହିଥାଅ ଗିରିତଟେ

 

ଦେଖଇଁ କେ ଆସୁଅଛି ମୋହର ନିକଟେ”

। ୯୦ ।

 

 

ବିଚିତ୍ର କବଚ ଗୋ ଶ୍ରୀରାମ ଅଙ୍ଗେ ଦେଲେ

 

ଖଡ଼ଗ ଅକ୍ଷୟତୂଣ କଟିରେ ବାନ୍ଧିଲେ ।

 

ଧନୁରେ ଚଢାଉ ଗୁଣ ଘେନି ତୀକ୍ଷ (କ୍ଷଣ)ଶର

 

ପର୍ଣ୍ଣକୁଟୀ ଭିତରୁ ଗୋ ହୋଇଲେ ବାହାର ।

 

ପ୍ରଭାତ ସମୟେ ସଖି ଯେହ୍ନେ ଦିବାକର

 

ତିମିର (ର) ନାଶିବା ପାଇଁ ହୋଇଲେ ବାହାର ।

 

ଅସୁରଙ୍କ ଆଗରେ ବିଜୟେ ରାମରାୟେ

 

ରହିଲେ ଅଚଳ ହୋଇ ମେରୁଶୃଙ୍ଗ ପ୍ରାୟେ ।

 

ରାମ ତହିଁ ପଡ଼ିଲା ଗୋ ସବୁଙ୍କରି ଦୃଷ୍ଟି

 

ଧାଇଁଣ ରାକ୍ଷସବଳ କଲେ ଶରବୃଷ୍ଟି

। ୯୫ ।

 

 

ଶରଜାଳେ ନ ଦିଶଇ ଶ୍ରୀ ରାମର କାୟେ ।

 

ଦେଖି ସୁରଗଣ ଗୋ ଆକାଶେ କଲେ ଭୟେ ।

 

ରାମ ଶରେ ସକଳ ଶହସ୍ତ୍ର (ଶସ୍ତ୍ର) ମାନ କାଟି

 

ରାକ୍ଷସ-ସୈନ୍ୟରେ ରାମ କଲେ ଶରବୃଷ୍ଟି ।

 

ନିରତେ ଧନୁରୁ ବାହାରିଲା ଶରଧାର

 

ଗଜଅଶ୍ୱ ଧନୁରୁ ବାହାରିଲା ଶରଧାର

 

ଗଜଅଶ୍ୱ ରଥୀଙ୍କର ସ୍ରବିଲା ରୁଧିର ।

 

ଛାଡ଼ିଲା କରଚରଣ ଶର କଟି କନ୍ଧ

 

ଶତଶତ ହୋଇ ତହୁଁ ଉଠିଲା କବନ୍ଧ ।

 

ପୁଣି ପୁଣି ଭାଷନ୍ତି ଧାମନ୍ତି ପୁଣି ପୁଣି

 

ରାମଙ୍କୁ ନାରାଚ ଗୋ ପେଶନ୍ତି ଧନୁ ଟାଣି

। ୧୦୦ ।

 

 

ରାମଶରେ ଶରୀର ହୋଇଲା ଖଣ୍ଡଖଣ୍ଡ

 

ପୃଥିବୀରେ ପଡ଼ିଲା ଅନେକ ମୃତପିଣ୍ଡ ।

 

ଭାଞ୍ଜିଲେ ରାକ୍ଷସବଳ ରାମଶରଘାତେ

 

ବୀରଙ୍କର ପାଶେ ଯାଇଁ କହନ୍ତି ତୁରିତେ ।

 

ସୈନ୍ୟଭଙ୍ଗ ଦେଖିଣ ଧାମନ୍ତି ତିନି ବୀରେ

 

ପ୍ରବେଶ ହୋଇଲେ ଯାଇଁ ଶ୍ରୀରାମ ଆଗରେ ।

 

ଅସଂଖ୍ୟ ପେଷିଲେ ବାଣ ଶ୍ରୀରାମ ଉପରେ

 

ଜଳ ବୃଷ୍ଟି କରଇ ଯେସନେ ଗିରିବରେ ।

 

ପୁଣି କୋପଭରେ ରାମ ପ୍ରହାରିଲେ ଶର

 

ଛେଦିଲେ ସକଳ ବାଣ ସାରଥିଙ୍କ ଶିର

। ୧୦୫ ।

 

 

ଶରଘାତେ ଛେଦିଲେ ଅସୁରଙ୍କ ପିଣ୍ଡ

 

ଛେଦିଲେ ସକଳ ରଥ କରି ଖଣ୍ଡ ଖଣ୍ଡ ।

 

ପାଦଗତି ହୋଇଲେ ଅସୁର ତିନିଜଣ

 

ସୀତାପତି ସଙ୍ଗତେ କରନ୍ତି ଘୋର ରଣ ।

 

ରାମଚନ୍ଦ୍ର ଶରେ ତିନି ଅସରୁଙ୍କ ଶରେ

 

ଦିନମଣି ଅଦୃଶ୍ୟ ହୋଇଲେ ଆକାଶରେ ।

 

ତାହାଙ୍କର ଶର ନାଶ କରି ରଘୁବୀର

 

ପୁଣି ବାଣ ପ୍ରହାରିଲେ ରାକ୍ଷସ ଉପର ।

 

ଦେଖିଲେ ଶ୍ରୀରାମ ବାଣ ଆସୁଛି ପ୍ରଚଣ୍ଡ

 

ତୁରିତେ ରାକ୍ଷସ ତାହା କଲେ ଖଣ୍ଡ ଖଣ୍ଡ

। ୧୧୦ ।

ପୁମି ବାଣ ପ୍ରହାରିଲେ ଶ୍ରୀରାମ ଉପରେ

 

ଆସନ୍ତେ ନାରାଚ ରାମ ଛେଦି ଧାତିକାରେ ।

 

ପୁଣି ରାମ ନାରାଚ ପେଷିଲେ ଭୁଜବଳେ

 

ତିନିଙ୍କର ଧନୁ ଛେଦି ବାଣ ପକାଇଲେ ତଳେ ।

 

ପୁଣି ରାମଚନ୍ଦ୍ର ତିନି ବାଣ ପ୍ରହାରିଲେ ।

 

କୁଣ୍ଡଳ ସହିତେ ଶିର ଛେଦି ପକାଇଲେ ।

 

କ୍ଷେଦିଚ୍ଛୁ (?) ଥୋକାଏ ବଞ୍ଚି ଥିଲେ ରଣ ଶେଷ

 

ପଳାଇ ଅରଣ୍ୟେ ଯାଇଁ ହୋଇଲେ ପ୍ରବେଶ ।

 

ଅନେକ ରାକ୍ଷସ ବଳ ସଂଗ୍ରାମେ ସଂହାରି

 

ତ୍ରିଶିରା ଖର ଦୂଷଣ ରଣେ ପ୍ରାଣେ ମାରି

। ୧୧୫ ।

ବାହୁଡ଼ି ବିଜୟ ଆସି ହେଲେ ପତ୍ରଘରେ ।

 

ସୀତୟା ଲକ୍ଷ୍ମଣ ଆସି ପ୍ରବେଶ ଛାମୁରେ ।

 

ଦେଖିଲା ଖର ଦୂଷଣ ତ୍ରିଶିରା ନିଧନ

 

ସୂପଲେଖା ଅତି ଦୁଃଖେ କରଇ ଗମନ ।

 

ତହୁଁ ସୂପଲେଖା ଗଲା ଲଙ୍କା ଭୁବନକୁ

 

ସକଳ ବୃତ୍ତାନ୍ତ ସେ କହିଲା ରାବଣକୁ ।

 

ତ୍ରିଭୁବନେ ବିଜୟୀ ରାବଣ ଯାର ଭାଇ

 

ମନୁଷ୍ୟ ମାତ୍ରକ ମୋତେ ଏତେ ଶାସ୍ତି ଦେଇ ।

 

ଶ୍ରୀରାମ ଲକ୍ଷ୍ମଣ ଦଶରଥର କୁମରେ

 

ଛେଦିଲେ ଶ୍ରବଣ ନାସା ବିନା ଅପ୍ରାଧରେ

। ୧୨୦ ।

 

 

ଚଉଦ ସହସ୍ର ସୈନ୍ୟ ସଂଗ୍ରାମରେ ସିଂହାରି

 

ତ୍ରିଶିରା ଖର ଦୂଷଣ ଏଙ୍କୁ ପ୍ରାଣେ ମାରି ।

 

ରାବଣ ବୋଲଇ ପଞ୍ଚବଟୀ ବନସ୍ତରେ

 

ଅଛନ୍ତି ସେ ବେନି ଭାଇ କେମନ୍ତ ପ୍ରକାରେ ।

 

କେ ଅବା ସଙ୍ଗ ସାରଥି ଅଛନ୍ତି ତାଙ୍କର

 

କେଡ଼େ ଯୁଦ୍ଧ ଧନୁ ତାର କେଡ଼େ ବଳିଆର ।

 

ସୂପଲେଖା ବୋଲଇ ତାଡ଼କୀ ମାରିଥିଲା

 

ପୂର୍ବେ ତୋତେ ସେ କଥା ତ ମାରିଚ କହିଲା ।

 

ଇନ୍ଦ୍ରଜିତ ସଙ୍ଗେ ରଣ ନ ପାରିବ କରି

 

ରୁପେଣ ମଦନ ତାକୁ ନୋହିବ ନା ସରି

। ୧୨୫ ।

 

 

ଭାଇ ତାର ଲକ୍ଷ୍ମଣ ଗୁଣରେ ଗୁଣମଣି

 

କରଇ ରାମକୁ ସେବା ଭକ୍ତି ଧର୍ମ ଜାଣି ।

 

ଭାରିଯା ତାହାର ସୀତା ଜନକକୁମାରୀ

 

ତ୍ରିଭୁବନେ ନାହିଁ ଭାଇ ଏମନ୍ତ ସୁନ୍ଦରୀ ।

 

ଉମା କି କମଳା କିବା ବେଦବର ନାରୀ

 

ଅନଙ୍ଗ ଯୁବତୀ ରତି ନୋହେ ତାକୁ ସରି ।

 

ସୂପଲେଖା ବଚନ ଶୁଣିଣ ଦଶଶିର

 

ଛନ ଛନ ମନ କାମେ କମ୍ପଇ ଶରୀର ।

 

ଉଠଇ ବସଇ ମୁଖ ଶୁଖାଇ ତାହାର

 

ତେଜିଲା ସକଳ ସୁଖ ଶୟନ ବିହାର

। ୧୩୦ ।

 

 

ଭୋଜନ ଶୟନେ ଏକା ଭାବୁଥାଏ ସୀତା

 

ବିପତ୍ତି ନିକଟ ବାମ ହୋଇଲା ବିଧାତା ।

 

ଯେତେବେଳେ ପ୍ରାଣୀଙ୍କି ଛାଡ଼ଇ ଭଗବାନ

 

ବିପତ୍ତି କଥାକୁ ତାର ଡାକୁଥାଇ ମନ ।

 

କାହାରି ଆୟତ ଗୋ ନୁହଇ ଭଲ ମନ୍ଦ

 

ବିଷକୁ ଅମୃତ ଗୋ ମଣିଲା ଦଶକନ୍ଧ ।

 

ସାରିଥିକି ବୋଇଲା ବିମାନ ବେଗେ ଆଣ

 

 

 

ବିମାନରେ ପୂରୋଇ ଖଡ଼ଗ ଧନୁର୍ବାଣ ।

 

ଆଜ୍ଞା ପାଇ ସାରଥି ବିମାନ ନେଇ କଲା

 

ବିମାନରେ ବସିବାକୁ ଦଶମାଥ ଗଲା

। ୧୩୫ ।

 

 

ଗମନ୍ତେ ମକୁଟ ତାର ବାଜିଲା ଚାଳରେ

 

ଚରଣ ହାବୋଡ଼ିଲା ସେ ବିମାନ ପାଖରେ ।

 

ଯହିଁ ଗୃହ କରିଅଛି ମାରୀଚ ରାକ୍ଷସ

 

ତହିଁ ଯାଇଁ ଲଙ୍କାପତି ହୋଇଲା ପ୍ରବେଶ ।

 

ରାବଣକୁ ଦେଖିଣ ମାରୀଚ ଅତି ବେଗେ

 

ହେଲା କର ଯୋଡ଼ି ଉଭା ରାବଣର ଆଗେ ।

 

ବୋଇଲା କି ନିମନ୍ତେ ବିଜୟ ଦଶଶିର

 

ଆଜ୍ଞା ଦେବା କି କାର୍ଯ୍ୟ ମୁଁ କରିବି ତୁମ୍ଭର ।

 

ରାବଣ ବୋଇଲା ତୁ ଯେ ପରମ ବିଶ୍ୱାସ

 

ତୋର ବାହୁବଳକୁ ସର୍ବଦା ମୋର ଆଶା

। ୧୪୦ ।

 

 

ପଞ୍ଚବଟୀ ବନେ ରହି ଶ୍ରୀରାମ ଲକ୍ଷ୍ମଣ

 

ଛେଦିଲେ ସୂପଲେଖାର ନାସିକା ଶ୍ରବଣ ।

 

ଚଉଦ ସହସ୍ର ଘୋର ଅସରନ୍ତ ନାଶି

 

ତ୍ରିଶିରା ଖର ଦୂଷଣ ସର୍ବବଳ ଧ୍ୱଂସି ।

 

କର୍ଣ୍ଣରେ କି ଶୁଣି ନାହିଁ ମୋହୋର ମହିମା

 

ନ ପଳାଇ ରହିଅଛି ଏମନ୍ତ ଗାରିମା ।

 

ତୁହି ଯେବେ ସାହା ମୋତେ ହୋଇବୁ ରାକ୍ଷସ

 

ରାମର ଭାରିଯା ସୀତା ହରିବି ଅବଶ୍ୟ ।

 

ମାରୀଚ ତୁ ସମସ୍ତ ଶରୀର ହୋଇ ପାରୁ

 

ହୋଇବି ସନ୍ତୋଷ ଯଦି ମୋର କାର୍ଯ୍ୟ କରୁ

। ୧୪୫ ।

 

 

କନକ ମୃଗ ସ୍ୱରୂପ ହୋଇ କରି ଯିବୁ

 

ରାମ ସୀତାୟାର ଆଗେ ପ୍ରବେଶ ହୋଇବୁ ।

 

ରାମ ତ ଆସିବ ତୋତେ ମାରିବାର ପାଇଁ

 

ଶୂନ୍ୟଗ୍ରହେ ସୀତୟାକୁ ଆଣିବି ଚୋରାଇ ।

 

ରାବଣର ବଚନେ ମାରୀଚ କହେ ବାଣୀ

 

ନାଶକୁ ଉପାୟ ରାଜା ଭିଆଇଲୁ ଆଣି ।

 

ଶ୍ରୀରାମର ମହିଁମା କି କର୍ଣ୍ଣେ ଶୁଣି ନାହୁଁ

 

ସମ୍ପତ୍ତି ନାଶନ ବୁଦ୍ଧି ପାଇଅଛୁ କାହୁଁ ?

 

ଯଜ୍ଞ ରଖିବାର ପାଇଁ ବିଶ୍ୱାମିତ୍ର ମୁନି

 

ବାଳକାଳେ ବନକୁ ଆଣିଲେ ଭାଇ ବେନି

। ୧୫୦ ।

 

 

ତାଡ଼କୀ ଅସୁରୀ ପ୍ରାଣ ଗଲା ରାମଶରେ

 

ପେଷିଲା ହାବୁଡ଼ା ଶର ମୋହର ଉପରେ ।

 

ବାଣଘାତେ ଉଡ଼ିଲି ପବନେ ତୁଳା ପ୍ରାଏ

 

ଅନେକ ଯୋଜନେ ଆସି ପଡ଼ିଲା ମୋ କାଏ ।

 

ଇନ୍ଦ୍ର ଯମ ବରୁଣ କୁବେର କଲୁ ଜୟ

 

ନ ଦେଖିଲି ଧନୁର୍ଦ୍ଧର ଶ୍ରୀରାମ ପରାୟ ।

 

ମୋହର ବଚନ ହିତ କରି ଘେନ ଚିତ୍ତେ

 

ବାହୁଡ଼ି ଲଙ୍କାରେ ଭୋଗ କର ତୁ ନିଶ୍ଚିନ୍ତେ

 

ମାରୀଚ ବଚନେ ପୁଣ କହଇ ରାବଣ

 

ତୁ ମୋର ପରମହିତକର ମୋତେ ଶୁଣ

। ୧୫୫ ।

 

 

କର ଉପକାର ମୋର ମୃଗ ରୂପ ଧରି

 

ତୋହୋର ବୁଦ୍ଧିରେ ସୀତା ହୋଇବ ମୋ ନାରୀ ।

 

ତୋତେ ନାଶିବାକୁ ସେ ଯେ ଭାଜନ ନୁହଇ

 

ଧନୁଶର ଘେନି ମୁଁ ଯେ ଥିବଇଁ ତୋ ପାଇଁ ।

 

ମାରୀଚ ବୋଇଲା ଲଙ୍କା କରିବୁ ତୁ କ୍ଷୟ

 

ବିଭୋଳିତ କହୁଛୁ ବାଳୁତ (ବାଣୀ) ପ୍ରାଣୀ ପ୍ରାୟ ।

 

ରାମ ଯେବେ ବିଚାରିବ ନାଶିବ ପାତାଳ

 

ଏକା ନାରାଚକେ ନାଗ ନାଶିବ ସକଳ ।

 

ପାରଇ ଶୁଖାଇ ବାଣେ ସପତ ସାଗର

 

ବାଣରେ ପାରଇ ଛେଦି ପୁରନ୍ଦର ପୁର

। ୧୬୦ ।

 

 

 

 

କୁଳ ଗୋତ୍ର ସହିତେ ରାବଣ ନୋହ ନାଶ

 

ମୋହର ବଚନେ ଯାଇଁ ଲଙ୍କାଗଡ଼େ ପଶ ।

 

ରାବଣ ବୋଇଲା ମୋର ବଚନେ ନ ଯାଉ

 

ରାମର ମହିମା କହି ମୋହରେ ଡ଼ରାଉ ।

 

ଭାଇ କୁମ୍ଭକର୍ଣ୍ଣ ମୋର ପୁତ୍ର ଇନ୍ଦ୍ରଜିତ

 

ପୁତ୍ର ନାତି ମହାରଥୀ ଅଛନ୍ତି ବହୁତ ।

 

ଦଶଭୁଜେ ଧନୁ ମୋର ଦଶଭୂଜେ ଶର

 

ସମ୍ମୁଖେ ନୁହନ୍ତି ଉଭା ଦେବତା ଅସୁର ।

 

ମନୁଷ୍ୟମାତ୍ରକୁ କେତେ କହୁଛୁ ବଢାଇ

 

କିଞ୍ଚିତ ସଂଗ୍ରାମରେ ମାରିବି ବେନି ଭାଇ

। ୧୬୫ ।

 

 

ଯାଅ ହୋ ମାରୀଚ ଘେନ ମୋହୋର ବଚନ

 

କନକର ମୃଗ ରୂପେ ଦିଅ ଦରଶନ ।

 

ମାରୀଚ ବୋଇଲା ତୋର ଖାଉଅଛି ଅନ୍ନ

 

ନ ଭାଞ୍ଜିବି ସର୍ବଥା ମୁଁ ତୋହୋର ବଚନ ।

 

ମୋହୋର ବଚନ ତୁ ରାବଣ ଥାଅ ଘେନି

 

ବୁଡିଲା ପ୍ରଳୟ ଜଳେ ଲଙ୍କାର ମେଦିନୀ ।

 

ମନ୍ଦୋଦରୀ ସୁନ୍ଦରୀ ତୋହର ନିଜ ନାରୀ

 

ସୁରନାରୀ ନାଗନାରୀ ସର୍ବ ଅପକ୍ଷ (ସ)ରୀ ।

 

ରତ୍ନମୟ ପାଚେରି ସମୁଦ୍ର ଯାର ଖଣା

। ୧୭୦।

 

 

କୁପଥେ ନ ଚାଲ ତୁ ସର୍ବଥା ନୁହ ବଣା ।

 

ମୋହୋର ବଚନ ଏ ପରମ ହିତ ଜାଣ

 

ଛାଡ ତୁ କୁବୁଦ୍ଧି ଲଙ୍କା ଯାଅ ତୁ ରାବଣ ।

 

ମାରୀଚ ବଚନ ଶୁଣି କୋପିତ ରାବଣ

 

ମୋହୋର ବଚନ ଭାଞ୍ଜି କହୁ ପୁଣ ପୁଣ ।

 

ଯାଅ ବେଗେ କନକ ମୃଗ ସ୍ୱରୂପ ହୋଇ

 

ଆଶ୍ରମ ଛାଡି ଆସିବ ମାରିବାର ପାଇଁ ।

 

କେତେ ଭାବେ କାର୍ଯ୍ୟ ହୋଇ ଜାଣୁ ତୁ ସକଳ

 

ବିବିଧ ଉପାୟ ତୁ କରିବୁ ମହାବଳ ।

 

ମାରୀଚ ବୋଲଇ ଯେତେ କହୁଛୁ ବିଚାରି

 

ପାଚିଲା ଫଳର ପ୍ରାୟ ହୋଇଲା ତୋ ଶିରୀ

।୧୭୫ ।

 

 

ମୃଗ ରୂପ ଧରିଣ ମାରୀଚ ଗଲା ଚଳି

 

ରାମ ସିତା ଲକ୍ଷ୍ମଣ ଆଗରେ ଯାଇଁ ମିଳି ।

 

ରୁପାର ହୋଇଛି ପେଟ କନକର ପିଠି

 

ବ୍ରହ୍ମଜାତି ହୀରାରେ ହୋଇଛି ଟୋପି ଟୋପି ।

 

ପୋହଳାରେ ନିର୍ମିତ ହୋଇଛି ଚାରି ଖୁର

 

ମର୍କତ ନିର୍ମିତ ଶୃଙ୍ଗ ଚକ୍ଷୁ ମାଣିକ୍ୟର ।

 

ନୀଳା ରତ୍ନ ପ୍ରାୟେକ ଦିଶଇ କର୍ଣ୍ଣକାନ୍ତି

 

ମୁକୁତାର ନିର୍ମଳ ହୋଇଛି ଦନ୍ତପନ୍ତି ।

 

ଆଗରେ ପ୍ରବେଶ ହୋଇ ମୃଗରୁପ ଧରି

 

ଚାଲଇ ଡାକଇ ସେ ବିବିଧ ଗତି କରି

। ୧୮୦ ।

 

 

ରାମର ନିକଟେ ଯାଇଁ ହୋଇଲା ପ୍ରବେଶ

 

ପୁଣ ବନେ ପଶଇ ସେ ହୁଅଇ ଅଦୃଶ୍ୟ ।

 

ପୁଣି ଖୁର କର୍ଣ୍ଣମୂଳେ ଦେଇ ଖୁଜୁ କରେ ।

 

ପୁଣି ପୁଣି ଖିନ୍ନ ହୋଇ ଲିହଇ ପାଶରେ ।

 

ନାନା ରତ୍ନେଶ୍ୱରୀ ଯହୁଁ ହୋଇଛି ନିର୍ମାଣି

 

ଦେଖିଲେ ବିଚିତ୍ର ରୂପ ଜନକଦୁଲଣୀ ।

 

କର ଯୋଡ଼ି କହନ୍ତି ଶୁଣିମା ରଘୁମଣି

 

ବିଚିତ୍ର ସ୍ୱରୂପ ମୃଗ ଦିଅ ମୋତେ ଆଣି ।

 

ମୋରେ ଶ୍ରଦ୍ଧା ଯେବେ ଅଛି ରଘୁବଳ ରାଣ

 

ମୃଗ ଆଣି ଦିଅ ଧରୁଅଛି ଶ୍ରୀଚରଣ

। ୧୮୫ ।

 

 

ସୀତାର ବଚନ ଶୁଣି ଦେବ ରଘୁମଣି

 

ବୋଇଲେ ଧଇର୍ଯ୍ୟ (ଧର) ହୁଅ ଜନକ ଦୁଲଣୀ ।

 

ଧନୁଶର ଧରିଣ ଗୋ ଅରଣ୍ୟକୁ ଯିବି

 

ମୃଗ ଧରି ଆଣି ତୋତେ ଦେବି ଗୋ ସାଧବୀ (ବି) ।

 

ଏତେ ବୋଲି ଧନୁରେ ଚଢାଇ ରାମ ଗୁଣ

 

ବୋଇଲେ ବଚନ ମୋର ଶୁଣ ହେ ଲକ୍ଷ୍ମଣ ।

 

ମୃଗ ମାରିବାକୁ ମୁଁ ଯେ କରୁଛି ଗମନ

 

ସୀତୟାକୁ ରଖିଥାଅ ହୋଇ ସାବଧାନ ।

 

ଗଣ୍ଡା ଗଜ ଉଲ୍ଲୁକ ଯେ ବାଘ ସିଂହମାନ

 

ପୂର୍ଣ୍ଣ ହୋଇଛନ୍ତି ବାବୁ ଗହନ କାନନେ

। ୧୯୦ ।

 

 

ଦଇତ ଦାନବମାନେ ଥାନ୍ତି ଅରଣ୍ୟରେ

 

ସୀତାକୁ ହରିବେଟି ଦେଖିଲେ ଏକାନ୍ତରେ ।

 

ସାବଧାନ ହୋଇ ଥିବୁ ଘେନି ଧନୁଶର

 

ଦଣ୍ଡେହେଁ ନ ଛାଡ଼ିବୁଟି ପତ୍ରକୁଟୀ ଦ୍ୱାର ।

 

ଏତେ ବୋଲି ଧାଇଁଲେ ହରଷ ହୋଇ ମନେ

 

ଗଜ ନାଶିବାକୁ କି ପଶିଲା ସିଂହ ବନେ ।

 

ମାରୀଚ ଦେଖିଲା ଧାଇଁଲେ ରଘୁପତି

 

ମୁହିଁ ନାଶଗଲି ଗଲା ଲଙ୍କାର ସମ୍ପତ୍ତି ।

 

ସ୍ୱାମୀ ଆଜ୍ଞା ନିମନ୍ତେ ହୋଇଲି ଆଗେ ଉଭା

 

ବିଚିତ୍ର ସ୍ୱରୂପ ମୃଗ ଦିଶୁଅଛି ଶୋଭା

। ୧୯୫ ।

 

 

ମୃଗ ଦେଖି ଧାମନ୍ତେ ଗୋ ଘେନି ଧନୁଶର

 

ଅନେକ ଯୋଜନ ମୃଗ ହୋଇଲା ଅନ୍ତର ।

 

ପବନ ସମାନ ବେଗ କରି ରଘୁମଣି

 

ମାୟା ମୃଗ ନିକଟେ ମିଳିଲେ ଧନୁ ଟାଣ ।

 

ଦେଖିଲା ମାରୀଚ ରାମ ନିକଟେ ପ୍ରବେଶ

 

ସେହିକ୍ଷଣି ମାୟା ମୃଗ ହୋଇଲା ଅଦୃଶ୍ୟ ।

 

ନାରାଚ ବସାଇ ପ୍ରହାରନ୍ତେ ଧନୁ ଟାଣି

 

ମାୟାମୃଗ ଆଅଗରେ ନ ଦେଖି ରଘୁମଣି ।

 

ଖୋଜନ୍ତି ବନରେ ପଶି ବିବିଧ ସ୍ଥାନରେ

 

ନିର୍ଝର କନ୍ଦର ନଦୀତଟମାନଙ୍କରେ

। ୨୦୦ ।

 

 

ଶ୍ରମଝାଳ ବହିଲା ସେ ଶ୍ୟାମ କଳେବରେ

 

ଜଳଧାରା ସ୍ରବିଲା କି ନବୀନ ମେଘରେ ।

 

ପୁଣି ଦୃଶ୍ୟ ଦେଲା ମୃଗ ଶ୍ରୀରାମ ଆଗରେ

 

ଚରୁଅଛି ମାୟାମୃଗ ଯୋଜନ ଅନ୍ତରେ ।

 

ଧାଇଁ ରଘୁମଣି ଗୋ ମିଳିଲେ ମୃଗପାଶେ

 

ବିଜୁଳି ଛଟକେ ମୃଗ ମିଳିଲା ଆକାଶେ ।

 

ସନ୍ଧିଲେ ନାରାଚ ରାମ ଆକାଶକୁ ଚାହିଁ

 

ଭୂମିରେ ଚରଇ ମୃଗ ଆକାଶରେ ନାହିଁ ।

 

କ୍ଷଣକେ ଆକାଶେ କ୍ଷଣେ ଶୂନ୍ୟରେ ଗମଇ

 

କ୍ଷଣକେ ଆକାଶେ କ୍ଷଣେ ଆଗରେ ଧାମଇ

।୨୦୫।

 

 

 

 

ବଡ଼ ଶ୍ରମ ପାଇ ଦଶରଥର ନନ୍ଦନ

 

ବୋଇଲେ କନକମୃଗ ମୋତେ କଲା ଭ୍ରମ ।

 

ପୃଥିବୀ ଆକାଶ ଅନ୍ତରୀକ୍ଷ ଆଦି କରି

 

ଦିଗ ଦିଗନ୍ତର ଗୋ ସାଗର ଯେତେ ଗିରି ।

 

ମନ୍ତ୍ର ପଢ଼ି ବାଣ ରାମ ବସାଇ ଧନୁରେ

 

ବୋଇଲେ ପଶିବ ଯହିଁ ମୋର ଧାତିକାରେ ।

 

ସୁରାସୁର ମାନବ ଦାନବ ଯେତେ ଜନ

 

ରାମବାଣ ନିବାରି କେ ରଖିବ ଜୀବନ ।

 

ସର୍ବଦିଗ ପୂରି ଗୋ ଧାଇଁଲେ ରାମ ଶର

 

ପଡିଲା ଅଚଳ ବାଣ ମାରୀଚହୁଦର

। ୨୧୦।

 

 

ପ୍ରାଣ ତ୍ୟାଗସମୟେ ଡାକିଲା ଘୋର ବାଣୀ

 

ରକ୍ଷାକର ଲକ୍ଷ୍ମଣ ମୋହୋର ଦୁଃଖ ଜାଣି ।

 

ପୁଣି ପୁଣି ଡାକିଲା ଲକ୍ଷ୍ମଣ ରକ୍ଷା କର

 

ମାୟାରେ ଡାକିଲା ରାମବଚନ ଆକାର ।

 

ପତ୍ରକୁଟୀ ଭିତରେ ସୀତୟା ବସିଥିଲେ

 

ମାୟାର ଆରତ ନାଦ ଶ୍ରବ ଣେ ଶୁଣିଲେ ।

 

ରାମର ଆରତ ପ୍ରାଏ ଶୁଭିଲା କର୍ଣ୍ଣକୁ

 

ଶୁଣିଲା କମଳମୁଖୀ ତରଳିଲା ବୁକୁ ।

 

 

 

କଦଳୀ ପଲ୍ଲବ ପ୍ରାଏ କମ୍ପିଲା ଶରୀର

 

ଢଳିଲେ ଭୂମିରେ ବହେ ନୟନରୁ ନୀର

।୨୧୫।

 

 

ବୋଇଲେ ଲକ୍ଷ୍ମଣ ଏତ ରାମଙ୍କ ବଚନ

 

ରଖ ରଖ ଲକ୍ଷ୍ମଣ ଡାକନ୍ତି ଘନ ଘନ ।

 

ଦେଖ ସ୍ତିରୀବୁଦ୍ଧି ମୋର କଲି ଏଡେ କର୍ମ

 

ରାମକୁ ପେଷିଲି ବନେ ହୋଇ ମତିଭ୍ରମ ।

 

କେଜାଣି ପାରିବ ଅବା ଦଇବର ଗତି

 

ଧର୍ମମୂଢ ଶ୍ରୀରାମକୁ ଏମନ୍ତ ଦୁର୍ଗତି ।

 

ପ୍ରଭାତେ ହୋଇବେ ରାଜା ଶୁଭ ଲଗ୍ନ ଘେନି

 

ରାଜ୍ୟଭ୍ରଷ୍ଟ କାରାଇଲେ ସାବତ ଜନନୀ ।

 

ଅରଣ୍ୟକୁ ପେଷିଲେ ଜୀବନେ ନ ନାଶଲେ

 

ତଥାପି ଜଗତ ତାଙ୍କୁ ଭଲ ନ ବୋଇଲେ

। ୨୨୦।

 

 

ମୁଁ ଏମନ୍ତ ରାମର ହୋଇଲି ଦୃଷ୍ଟ ନାରୀ

 

ଘୋର ବନେ ପେଷିଲି କନକମୃଗ ମାରି ।

 

କି ବୋଲିବେ ଜଗତେ ତୁ ଶୁଣ ହୋ ଲକ୍ଷ୍ମଣ

 

ସୀତୟାବୁଦ୍ଧି ରେ ରାମ ହରାଇଲେ ପ୍ରାଣ ।

 

ଯାବତ ଚନ୍ଦ୍ର ଆଦିତ୍ୟ ହୋଇବ ଉଦୟ

 

ଅଯଶ ଜଗତେ ମୋର ରହୁଛି ନିଶ୍ଚୟ ।

 

ଯାଅ ବେଗେ ଲକ୍ଷ୍ମଣ ସ୍ଵାମିଙ୍କି ଘେନିଆସ

 

କେବଣ ଦାନବ ରଣେ କରୁଅଛି ନାଶ ।

 

ତାହାକୁ ସଂଗ୍ରାମେ ମାରି ଆମ ବେନି ଭାଇ

 

ନୋହିଲେ ତେଜିବି ପ୍ରାଣ ଅଗ୍ନିରେ ସମ୍ଭାଇ

। ୨୨୫।

 

 

ଉଠ ଉଠ ଲକ୍ଷ୍ମଣ ତୁ ବିଳମ୍ବ ନକର

 

ବୋଲୁ ବୋଲୁ ବାଡୁଅଛି ଚେତନା ମୋହୋର ।

 

ଲକ୍ଷ୍ମଣ କହଇ ଶୁଣ ସାଧବୀ ଉତ୍ତମ

 

ତୋର ରକ୍ଷା ନିମନ୍ତେ ରୁହାଇ ଗଲେ ରାମ ।

 

ଅରଣ୍ୟରେ ଯଦି ଛାଡ଼ିକରି ଯିବି ତୋତେ

 

କରୁଣାସାଗର ଭଲ ବୋଲିବେ କି ମୋତେ ।

 

ସ୍ଵାମୀଙ୍କି ନ କର ଚିନ୍ତା ଜନକନନ୍ଦିନୀ

 

ଏହିକ୍ଷଣୀ ଆସିବ କନକମୃଗ ଘେନି ।

 

ରାମକୁ ଆଶଙ୍କା ଯାହା ବିଚାରୁଛ ମନେ

 

ରାମଙ୍କୁ ନାଶିବା ପାଇଁ ନାହିଁ ତ୍ରିଭୁବନେ

। ୨୩୦।

 

 

ସୀତୟା ବୋଲନ୍ତି ଜ୍ଞାନଭ୍ରଷ୍ଟ କଥା କହୁ

 

ବେଗ ହୋଇ ନ ଯଇ ମୋହୋର ପ୍ରାଣ ଦହୁ ।

 

ଲକ୍ଷ୍ମଣ ବୋଇଲେ ଯାହା ଆଜ୍ଞା ଦେଇଛନ୍ତି

 

ପ୍ରତ୍ୟକ୍ଷ ତ ଶୁଣିଛ ସମସ୍ତ ମହାସତୀ ।

 

ସ୍ଵାମୀ ଆଜ୍ଞା ଲଙ୍ଘି ଗୋ କେମେନ୍ତେ ଛାଡି ଯିବି

 

ଏକା ତୋତେ ଛାଡିଗଲେ ଅପ୍ରାଧୀ ହୋଇବି ।

 

ଶୁଣ ଗୋ ସୀତୟା ତୋତେ କହୁଛି ପ୍ରମାଣ

 

ତ୍ରିଭୁବନେ ଅଜୟ ରାମଙ୍କୁ ନିଶ୍ଚେ ଜାଣ ।

 

ସୀତୟା ବୋଇଲେ ଯେତେ କହୁ ତୁ ଉତ୍ତର

 

ବଜଘାତ ପଡୁଅଛି ହୃଦରେ ମୋହୋର ।

 

ତୁ ଯଦି ନ ଯାଉ ରାମ ଖୋଜିବା ନିମନ୍ତେ

 

ନୁହଇ ଆକୁଳ ସହି ବଧ କର ମୋତେ

। ୨୩୫ ।

 

 

ଲକ୍ଷ୍ମଣ କହଇ ଦେବି, ଶୁଣ ମୋ ଉତ୍ତର

 

ମୃଗ ମାରି ତୁରିତେ ଆସିବେ ରଘୁବୀର ।

 

ଧଇର୍ଯ୍ୟ ଧର ଗୋ ସତି ! ନୋହିବା ବିକଳ

 

ହେଉଅଛି ରଘୁମଣି ଆସିବାର ବେଳ ।

 

ସୀତୟା ବୋଇଲେ ଶୁଣ ସୁମିତ୍ରାକୁମର

 

ତୁ ତ ଜାଣୁ କଇକେୟୀ ରାଣୀର ବିଚାର ।

 

ସାବତ ହିଂସାରେ ରାମ ବନକୁ ପେଷିଲେ

 

କିଞ୍ଚିତେ ଦୟା ହିଁ ଦେବୀ ମନେ ନ ଧଇଲେ ।

 

ତୁ ତ ପୁଣି ଶ୍ରୀରାମଙ୍କ ସାବତ ସୋଦର

 

ତୁ କେମନ୍ତେ ଶୁଭ ଚିନ୍ତା କରିବୁ ତାଙ୍କର ।

 

ବିଚାରୁ କି ଶ୍ରୀରାମ ସଂଗ୍ରାମେ ହତ ହୋନ୍ତେ

 

ସୀତୟାକୁ ଘେନିଣ ମୁଁ ରହିବି ନିଶ୍ଚନ୍ତେ ।

 

ମୋତେ ଘେନି ଗୃହରେ ବଞ୍ଚିବୁ ଦିନ କାଳ

 

ଏମନ୍ତ ମନରେ ତୁ କି ବିଚାରୁ ବାତୁଳ ?

 

ସଂଗ୍ରାମେ ଶ୍ରୀରାମ ଯେବେ ହୋଇବେ ନିଧନ

 

ଅଧ ନିମିଷକେ କିମ୍ପା ରଖିବି ଜୀବନ ।

 

ଯେବେ ତୋର ପାପ ଚିନ୍ତା ନାହିଁ ନା ଶରୀରେ

 

ରାମଙ୍କୁ ଆଣିବା ପାଇଁ ଯାଅ ଧାତିକାରେ

। ୨୪୫ ।

ଲକ୍ଷ୍ମଣ ବୋଲନ୍ତି ସୀତା ଏମନ୍ତ ନ କହ

 

ବିନା ଦୋଷେ ପାପ ଭାରା ଶରୀରେ ନ ବହ ।

 

କଉଶଲ୍ୟା କଇକେୟୀ ସୁମିତ୍ରା ଏ ତିନି

 

ତେମନ୍ତ ଜନନୀ ତୁ ଗୋ ଜନକ ନନ୍ଦିନୀ ।

 

ତୁ କିମ୍ପା ଦୂଷଣ ବାଣୀ କହୁ ଗୋ ସୀତୟା

 

ମନ ବଚନରେ ମୋର ନାହିଁ କିଛି ମାୟା ।

 

ମାୟାରେ ରାକ୍ଷସମାନେ ନାନା ରୂପ ହୋନ୍ତି

 

ବିବିଧ ପ୍ରକାରେ ମାୟା ବଚନ କହନ୍ତି ।

 

ମୋତେ ଅବା ନେବା ପାଇଁ ରାକ୍ଷସଙ୍କ ମାୟା

 

ଏକଥା କିମ୍ପା ବିଚାର ନ କରୁ ସୀତୟା ?

। ୨୫୦ ।

ବରୁଣ କୁବେର ଯମ ପବନ ଅନଳ

 

ଆଦିତ୍ୟ ଚନ୍ଦ୍ରମା କିବା ସ୍ୱର୍ଗ ଆଖଣ୍ଡଳ ।

 

ଶ୍ରୀରାମ ସମ୍ମୁଖେ କେହି ନ ପାରନ୍ତି ରହି

 

ଏକଥା ବିଚାରି ଚିନ୍ତା ଛାଡ ବଇଦେହୀ ।

 

ଶୂନ୍ୟ ଗୃହେ ସୀତା ତୋତେ ଛାଡିକରି ଗଲେ

 

ଚିତ୍ତ ଡରୁଅଛି ତୋତେ ନ ଦେଖିବାକୁ ଭଲେ ।

 

ଲକ୍ଷ୍ମଣ ବଚନ ଶୁଣି କହନ୍ତି ସୀତୟା

 

ବାହାରେ ମଧୁର କହୁ ଅନ୍ତରେ ତୋ ମାୟା ।

 

ରାମଙ୍କୁ ତୋହର ଦୟା ନାହିଁ କଦାଚିତେ

 

ନିଶ୍ଚୟ ଜାଣିଲେ ପାପ ଆଶା ତୋର ମୋତେ

। ୨୫୫ ।

 

 

ଲକ୍ଷ୍ମଣ ବୋଇଲେ ଧିକ ଜନ୍ମ ସେବକର

 

ଦୁହିଁଙ୍କରିଠାରେ ଦୋଷ ହେଉଛି ମୋହର ।

 

ନ ଗଲେ ତ ସୀତୟା କହୁଛି ଦୃଷ୍ଟ ବାଣୀ

 

ଗଲେ କୋପ କରିବେ ଠାକୁର ରଘୁମଣୀ ।

 

ସାକ୍ଷୀ ହୋଇ ଥାଅ ତୁମ୍ଭେ ବନର ଦେବତା

 

ଏମନ୍ତ ଦୂଷଣ ବାଣୀ କହୁଅଛି ସୀତା ।

 

ନିନ୍ଦିତ ବଚନ ଶୁଣି ରହିବି କେମନ୍ତେ

 

କୋପ କରି ଭାଘୁପତି ନାଶୁ ପଛେ ମୋତେ ।

 

ମନ ବଚନରେ ମୋର ନାହିଁ କିଛି ମାୟା

 

ଦାରୁଣ ବଚନ ମୋତେ କହଇ ସୀତୟା ।

 

ଦଶ ଦିଗପାଳେ ତୁମ୍ଭେ ହୋଇଥାଅ ସାକ୍ଷୀ

 

ଅପ୍ରାଧ ମୋହୋର ନାହିଁ ଯାଉଛି ଉପେକ୍ଷି

। ୨୬୦ ।

 

 

ଜନକନନ୍ଦିନୀ ଯାହା କହୁଛି ବଚନ

 

ନିନ୍ଦିତ ବଚନ କିମ୍ପା ଶୁଣିବି ମୁଁ କର୍ଣ୍ଣ ।

 

ଏତେ ବୋଲି ଲକ୍ଷ୍ମଣ ତୂଣରୁ କାଢ଼ି ଶର

 

ପତ୍ର କୁଟୀ ଦ୍ୱାରରେ କାଟିଲେ ତିନି ଗାର ।

 

କଦାଚିତେ ଜାନକୀ ତୁ ବାହାର ନୋହିବୁ

 

ଏ ଗାର ନ ଡ଼େଇଁ ଗୃହ ଭିତରଣେ ଥିବୁ ।

 

ତୋହର ବଚନ ମୋତେ ଶୁଭ ନ ଦିଶଇ

 

ଯାଉଅଛି ଏକା ତୋତେ ଅରଣ୍ୟେ ବସାଇ

। ୨୬୫ ।

 

 

ରାମ ପଦ୍ମଚରଣ ପଡ଼ିଛି ଯେଉଁ ମାର୍ଗେ

 

ସେହି ମାର୍ଗେ ଲକ୍ଷ୍ମଣ ପଶିଲା ବନଭାଗେ ।

 

ସେହିଠାରେ ରାବଣ ଅନ୍ତର ହୋଇଥିଲା

 

ଜାଣିଲା ଲକ୍ଷ୍ମଣ ସୀତା ତେଜିକରି ଗଲା ।

 

ଏକ ତରୁବର ତଳେ ରଥ ରୁହାଇଲା

 

ଲଙ୍କପତି ପାଦଗତି ହୋଇକରି ଗଲା ।

 

ତପସ୍ୱୀ ସ୍ୱରୂପ ତହିଁ ହୋଇଲା ରାବଣ

 

ଶିରେ ଜଟାଭାର ଅଙ୍ଗେ ବିଭୂତିଭୂଷଣ ।

 

ଭିକ୍ଷାପାତ୍ର ଧରିଅଛି କରପଲ୍ଲବରେ

 

ପ୍ରବେଶ ହୋଇଲା ପତ୍ରନିବାସ ଦୁଆରେ

। ୨୭୦ ।

 

 

ଡାକଇ ରାବଣ ରାମ ଲକ୍ଷ୍ମଣ ନାମରେ

 

ଅଇଲି ଅତିଥି ମୁଁ ଯେ ତୁମ୍ଭର ମନ୍ଦିରେ ।

 

ଭିକ୍ଷା ହିଁ ମାଗିବି ମୁଁ ବସିବି ତୁମ୍ଭ ପାଶେ

 

ସନ୍ଥ ଦରଶନ କରି ଯିବଇଁ ହରଷେ ।

 

ବୋଲଇ ନ ଶୁଣ କିମ୍ପା ମୋହୋର ବଚନ

 

ଅତିଥି ପୂଜାକୁ କି ବା ନାହିଁ ସୁସ୍ଥ ମନ ?

 

ପରାଙ୍ ମୁଖ ହୋଇ ଯେବେ ଯାଉଛି ଅତିଥି

 

ନିଶ୍ଚୟ ଭୁଞ୍ଜିବ ତୁମ୍ଭେ ଏଥିର ଦୁର୍ଗତି ।

 

ଜନକନନ୍ଦିନୀ ତାହା ଶୁଣିଲେ ଶ୍ରବଣେ

 

ବୋଇଲେ ଅତିଥି କେବା ମୋହୋର ପ୍ରାଙ୍ଗଣେ

। ୨୭୫ ।

 

 

ସ୍ୱାମୀ ନାମ ଧରି କେ ଡାକଇ ଉଚ୍ଚସ୍ୱରେ

 

ଦୁର୍ଗତି ପାଇବ କେ ବୋଲଇ ବଚନରେ ।

 

ପରାଙ୍ ମୁଖ ହୋଇଣ ଅତିଥି ଯେବେ ଯିବ

 

ଦୁଷ୍କୃତ ସ୍ୱାମୀଙ୍କୁ ଦେଇ ସୁକୃତ ହରିବ ।

 

ଏତେ ବୋଲି ମୁନିର ସମ୍ମୁଖେ ଉଭା ହୋଇ

 

ରାବଣକୁ ବଚନ କହନ୍ତି ବଇଦେହୀ ।

 

ମନ୍ଦିରେ ମୋହୋର ନାହିଁ ଶ୍ରୀରାମ ଲକ୍ଷ୍ମଣ

 

ମୃଗମାୟାବିନୋଦେ ଯାଇଛନ୍ତି ବେନି ଜଣ ।

 

ଏ ତରୁଛାୟାରେ ତୁମ୍ଭେ ସୁସ୍ଥେ ବସିଥାଅ

 

ଅତିବେଗେ ଆସିବେନି ବିମୁଖ ନ ହୁଅ

। ୨୮୦ ।

 

 

ସମସ୍ତ ବିଧିରେ ରାମ କରିବେ ତ ତୋଷ

 

ପୂଜା ପାଇ ବାବୁ ଯିବ ହୋଇଣ ସନ୍ତୋଷ ।

 

ରାବଣ ବୋଲଇ କ୍ଷୁଧା କରୁଅଛି ପୀଡ଼ା

 

ବିଳମ୍ବେ ଆସିବେ ଯଦି ମୃଗ ଗଲେ ଲୋଡ଼ା ।

 

ଭିକ୍ଷା ମୋତେ ଦିଅ ସତି ! କରିବି ଆହାର

 

ସନ୍ତୋଷ ହୋଇବି ଧର୍ମ ହୋଇବ ତୁମ୍ଭର ।

 

ରନ୍ଧନ ଭୋଜନ କରି ନଦୀ ତଟେ ଥିବି

 

ଅଇଲେ ରାମ ଲକ୍ଷ୍ମଣ ଦର୍ଶନ କରିବି ।

 

ସୀତୟା ବୋଇଲେ ରାମ ନାହିଁ ଏ ମନ୍ଦିରେ

 

କେମନ୍ତେ ମୁଁ ଭିକ୍ଷା ଦେବି ତୁମ୍ଭରି ହସ୍ତରେ

। ୨୮୫ ।

 

 

ଶୁଣି ଲଙ୍କାପତି କୋପେ ହୋଇଲା ପ୍ରଚଣ୍ଡ

 

ଶାପ ଘେନ ବୋଲି କୋପେ କଚାଡ଼ିଲା ଦଣ୍ଡ ।

 

ଲକ୍ଷ୍ମଣ ସହିତେ ରାମ କରିବଇଁ ଭସ୍ମ

 

ନ ଜାଣୁ ଅତିଥି ପୂଜା କରାଉଛୁ ରୋଷ ।

 

ଶୁଣି ସୀତା କମ୍ପନ୍ତି ଓଶସ୍ତ ପତ୍ର ଜାଣି

 

ଅରଣ୍ୟକୁ କିମ୍ପାଇ ପେଷିଲି ଚାପପାଣି ।

 

ରାମ ଗୃହେ ନାହିଁ ମୁଁ କେମନ୍ତେ ଭିକ୍ଷା ଦେବି

 

କେମନ୍ତେ ମନ୍ଦିର ତେଜି ବାହାର ହୋଇବି ।

 

କି ବୃଦ୍ଧି କରିବି ମୋତେ ଦଇବ କଷଣ

 

ବେଗ ହୋଇ ନଇଲେ ତ ଶ୍ରୀରାମ ଲକ୍ଷ୍ମଣ

। ୨୯୦ ।

 

 

ସୀତୟା ବିଳମ୍ବ ଦେଖି କହଇ ରାବଣ

 

ଭିକ୍ଷା ଦିଅ ଗୃହଧର୍ମ ନୋହୁ ଅକାରଣ ।

 

ସୀତୟା ବୋଇଲେ ମୁଁ ଯେ ପିତାର ମନ୍ଦିରେ

 

ଅତିଥି ପୂଜାର ଧର୍ମ ଶୁଣିଛି କର୍ଣ୍ଣରେ ।

 

ଗୃହସ୍ଥର ମହାଧର୍ମ ଅତିଥିର ସେବା

 

ଅତିଥି କେବେହେଁ ପରାଙ୍ ମୁଖ ନ କରିବା ।

 

ଅତିଥିର ପରାଙ୍ ମୁଖ ଜାଣିଲେ ଶ୍ରୀରାମ

 

ବୋଲିବେ ନାଶିଲୁ ସୀତା ଗୃହସ୍ଥର ଧର୍ମ ।

 

ବେନି କର-ପଲ୍ଲବରେ ଫଳମୂଳ ଘେନି

 

ବାହାର ହୋଇଲେ ଘରୁ ଜନକନନ୍ଦିନୀ

। ୨୯୫ ।

 

 

ଦଶମାଥ ବିଚାରଇ ଦେଖିଣ ସୀତୟା

 

କେତେକାଳେ ବିଧାତା ନିର୍ମାଣ କଲା ଏହା ।

 

ଅରଣ୍ୟବାସକୁ ଯୋଗ୍ୟ ନୁହଇ ତରୁଣୀ

 

ଲଙ୍କା ଭୁବନକୁ ନିଶ୍ଚେ ହୋଇବ କାରେଣୀ ।

 

ଯେମନ୍ତ ଭୁବନ ଲଙ୍କା ଏ ତେମନ୍ତ ନାରୀ

 

ତହିଁକି ବିଧାତା ଗଢ଼ିଅଛି ଯତ୍ନ କରି ।

 

କହେ ରାଜା ଗୋବିନ୍ଦ ଶୁଣ ହେ ଲଙ୍କପତି

 

ପ୍ରାଣେ ନାଶ ଗଲୁ ଗଲା ଲଙ୍କାର ସମ୍ପତ୍ତି ।

 

ଯେଉଁ ବୁଦ୍ଧି ହୃଦରେ ତୋ ହୋଇଲା ଉଦୟ

 

ଲଙ୍କାକୁ ହୋଇଲା ଆସି କାଶଚକ୍ର ପ୍ରାୟ

। ୩୦୦ ।

 

 

ବିଭୀଷଣ ହୋଇବ ଲଙ୍କାରେ ଅଧିକାରୀ

 

ସୁଗୋତ୍ର ସହିତେ ନାଶଯିବୁ ଦଶଶିରୀ

। ୩୦୧ ।

 

 

ଭିକ୍ଷାନେଇ ଦେଲେ ଦେବୀ ରାବଣର କରେ

 

ମୃତ୍ୟୁ ଆସି ଗ୍ରାସିଲା ରାବଣ ମସ୍ତକରେ ।

 

ଯେଉଁ ଭିକ୍ଷା ରାବଣକୁ ସୀତା ଦେଲେ ନେଇ

 

ରାବଣ ନାଶନ ପୂର୍ଣ୍ଣ ଆହୁତିଟି ସେହି ।

 

ଭିକ୍ଷା ଯହୁ ଦେଲେ ନେଇ ଶ୍ରୀରାମର ନାରୀ

 

ସୀତୟାର ଭୁଜ ଯେ ଧଇଲା ଦଶଶିରୀ ।

 

ଶ୍ରୀରାମ ସୁମରି କର ଟାଣନ୍ତି ସୀତୟା

 

ବୋଲନ୍ତି ଚାଣ୍ଡାଳ ଯତି କେଡ଼େ ତୋର ମାୟା ।

 

ଛାଡ଼ ଛାଡ଼ ତୁ ଛୁଉଁ କାହିଁ ପାଇଁ

 

ରାମ ବାଣ ପ୍ରତାପ ନ ଜାଣୁ କି ରେ ବାଇ ?

। ୫ ।

 

 

ଛାଡ଼ ରେ ଚାଣ୍ଡାଳ ଧିକ ହେଉ ରେ ଜୀବନ

 

ଭ୍ରମମତି ଯତି ନିଶ୍ଚେ ହୋଇବୁ ନିଧନ ।

 

ଯତିବେଶ ସେହିକ୍ଷଣି ଛାଡ଼ିଲା ରାକ୍ଷସ

 

ବଂଶଭୁଜ ଦଶମାଥ କଲାକ ପ୍ରକାଶ ।

 

ଶରୀର ବଢିଲା ଯେହ୍ନେ ଗିରି କାଳୀଞ୍ଜନ

 

ଦିଶଇ ରକତ ବର୍ଣ୍ଣ କୋଡ଼ିଏ ଲୋଚନ ।

 

ବଂଶଭୁଜେ ସୀତୟାଙ୍କୁ ଧଇଲା ରାବଣ

 

ବେଗେ ହରିନେଳା ଯେହ୍ନେ ପବନେ ତିରଣ ।

 

ସୀତୟା ଡାକନ୍ତି ଛାଡ଼ ଛାଡ଼ ରେ ଚାଣ୍ଡାଳ

 

ନିଶ୍ଚୟେ ମାୟାବି ରେ ପୂରିଲା ତୋର କାଳ

। ୧୦ ।

 

 

ଉଚ୍ଚେ ଡାକ ଦ୍ୟନ୍ତି ରାମ ଲକ୍ଷ୍ମଣ ସୁମରି

 

ବେଗେ ଆସ ରାକ୍ଷସ ନେଉଛି ମୋତେ ଧରି ।

 

ରାବଣ ବୋଲଇ ସୀତା କି କରିବ ରାମ

 

ତ୍ରିଭୁବନେ ବିଜଏ (ୟୀ) ରାବଣ ମୋର ନାମ ।

 

ଦଶଦିଗପାଳେ ରଣେ ନ ପାରନ୍ତି ରହି

 

କି କରିବ ଶ୍ରୀରାମ ମାନବ ଦେହି ବହି ।

 

ଆପଣା ରାଜ୍ୟରେ ରାଜା ହୋଇ ନ ପାରିଲା

 

ରାଜ୍ୟଭ୍ରଷ୍ଟ ହୋଇ ଆସି ବନେ ବାସକଲା ।

 

କି ଅବା ରଖିବ, ବଳ ବୋଇବ ତାହାର

 

ମୋତେ ରଣେ ଜାଣି କି ସେ କରିବ ଉଦ୍ଧାର ?

। ୧୫ ।

 

 

ସୀତୟା ବୋଇଲେ ରେ ରାବଣ ଗଲୁ ନାଶ

 

କଣ୍ଠରେ ଖଞ୍ଜିଲୁ ଆଣି କାଳଦଣ୍ତ ଫାଶ ।

 

ତୁହି ନାଶ ଯିବୁ ତୋର ବଂଶ ନାଶଯିବ

 

ସିଂହର ଘରଣୀ କାହିଁ ଶୃଗାଳ ହରିବ ।

 

ଲଙ୍କାହିଁ ଦକ୍ଷିଣେ ଯମପଥ ହିଁ ଦକ୍ଷିଣେ

 

ଯହିଁ ନାଶଯିବ ସେ ରାବଣ ରାମବାଣେ ।

 

ଲଙ୍କାକୁ ଯିବାକୁ ବେଗେ ବଳାଇଲା ମତି

 

ଦକ୍ଷିଣକୁ ସମ୍ମୁଖ ହୋଇଲା ଲଙ୍କପତି ।

 

ସୀତୟାକୁ ଲଙ୍କପତି ଘେନି ଯିବାବେଳେ

 

ରାମ ଲକ୍ଷ୍ମଣଙ୍କୁ ସୀତା ଡାକନ୍ତି ଚହଳେ

। ୨୦ ।

 

 

ଆସ ବେଗେ ଶ୍ରୀରାମ ମୋହୋର ପ୍ରାଣବନ୍ଧୁ

 

ସୂର୍ଯ୍ୟବଂଶ କୁମୁଦ-ବନର ପୂର୍ଣ୍ଣଇନ୍ଦୁ ।

 

ରାବଣ ରାକ୍ଷସ ବଳେ ନେଉଅଛି ଧରି

 

ସଂକଟରୁ ଉଦ୍ଧର ରାବଣ ବେଗେ ମାରି ।

 

କେ ଅଛି ଅରଣ୍ୟବାସୀ ଶୁଣ ମୋର ବାଣୀ

 

ରାବଣ ନେଉଛି ରଘୁନାଥର ଘରଣୀ ।

 

ଦଶରଥ କୂଳବଧୂ ନେଉଛି ରାବଣ

 

ରାମଙ୍କୁ ବାରତା କହ ବାକ୍ୟ ମୋର ଶୁଣ ।

 

ଜଟାୟୁଷ ପକ୍ଷିବର ଥିଲା ଅରଣ୍ୟରେ

 

ସୀତୟା କାରୁଣ୍ୟ ବାଣୀ ଶୁଣିଲା କର୍ଣ୍ଣରେ

। ୨୫ ।

 

 

ବୋଲଇ କେ ଡାକଇ ଶ୍ରୀରାମ ନାମ ଧରି

 

କେ ବୋଲଇ ରାବଣ ନେଉଛି ମୋତେ ଧରି ।

 

ଏତେ କହି ପଥେ ଆସି ହୋଇଲା ପ୍ରବେଶ

 

ଦେଖିଲା ଆସଇ ବେଗେ ରାବଣ ରାକ୍ଷସ ।

 

ରଥରେ ବସାଇଅଛି ଜନକକୁମାରୀ

 

ରାମ ଲକ୍ଷ୍ମଣକୁ ଡାକୁଛନ୍ତି ଉଚ୍ଚ କରି ।

 

ଜଟାୟୁଷ କହଇ ହୋ ରାବଣ ରାକ୍ଷସ

 

କି ନିମନ୍ତେ ଅର୍ଜୁଅଛ ଏମନ୍ତ ଅଯଶ ?

 

ଛାଡ଼ ଛାଡ଼ ସୀତୟାକୁ ନ ପାଅ ଅଯଶ

 

ପକ୍ଷିବର ବଚନ ସେ ଶୁଣିଲା ରାକ୍ଷସ

। ୩୦ ।

 

 

ରାବଣ ବୋଲଇ ବେଗେ ପଥ ଛାଡ଼ିଦିଅ

 

ମୋହୋର ବାଣରେ ପକ୍ଷୀ ତୁ ନାଶ ନ ଯାଅ ।

 

ଜଟାୟୁଷ ବୋଲଇ ତୁ ଶୁଣ ହୋ ରାବଣ

 

ନେଉଛୁ ଶ୍ରୀରାମ ନାରୀ କେବଣ କାରଣ ।

 

ମଇତ୍ର ଅଟନ୍ତି ମୋର ଦଶରଥ ରାଜା

 

ତାହାଙ୍କର ବଧୂ ସୀତା ଜନକତନୁଜା ।

 

ମୋହୋର ଦେଖନ୍ତେ ତୁ କେମନ୍ତେ ନେବୁ ହରି

 

କେମନ୍ତେ ସହିବି ମୁଁ ଶରୀରେ ପ୍ରାଣ ଧରି ।

 

ଜଟାୟୁଷ ବୋଲ ଶୁଣି କୋପିତ ରାବଣ

 

ପକ୍ଷିବର ଉପରେ ପ୍ରହାର କଲା ବାଣ

। ୩୫ ।

 

 

ଡ଼େଣାରେ ଉଡ଼ିଲା ପଡ଼ି ଲଙ୍କାପତି-ଶର

 

ଚରଣ ପ୍ରହାର କଲା ରାବଣ ହୃଦର ।

 

ପୁଣି କୋପେ ବାଣ ପ୍ରହାରିଲା ମହାବଳ

 

ଡେଣାରେ ପଡ଼ି ନାରାଚ ଭାଞ୍ଜିଲା ସକଳ ।

 

ପୁଣି ଜଟାୟୁଷ ଯାଇଁ ବସିଲା ରଥରେ

 

ନଖ ଥଣ୍ଟ ପ୍ରହାରିଲା ରାବଣ ହୃଦରେ ।

 

ଗେରୁଧାରେ ଯେସନେ ଦିଶଇ ଗିରିବର

 

ରାବଣ ଶରୀରରେ ରୁଧିର ଜରଜର ।

 

ପୁଣି ଲଙ୍କାପତି କୋପେ ବାଣ ବୃଷ୍ଟି କଲା

 

ଜଟାୟୁଷ ପକ୍ଷିଘାତେ ସବୁ ଉଡ଼ିଗଲା

। ୪୦ ।

 

 

ଜଟାୟୁଷ ଉଡ଼ି ରଥ ଉପରେ ବସିଲା

 

ନଖ ଥଣ୍ଟ ଘାତେ ଚାରି ଅଶ୍ୱ ନାଶ କଲା ।

 

ଚାରି ଅଶ୍ୱ ନାଶ କରି ଆକାଶେ ଉଉିଲା

 

ରାବଣ ବଦନ ଚାହିଁ ଏମନ୍ତ ବୋଇଲା ।

 

ଛାଡ଼ି ଛାଡ଼ି ରାବଣ ତୁ ଜନକକୁମାରୀ

 

ତ୍ରିଭୁବନେ ଅଯଶ ନ କର ନାରୀ ଚୋରି ।

 

ଯେବେ ନ ଛାଡ଼ିବୁ ସୀତା ମୋହୋର ବଚନେ

 

ଲଙ୍କାକୁ କେମନ୍ତେ ଆଜି ଯିବୁ ତୁ ଜୀବନେ ।

 

ରାବଣ ବୋଇଲା ପକ୍ଷୀ ପଥ ଛାଡ଼ିଦିଅ

 

ରାମଙ୍କୁ କିମ୍ପାଇ ତୋର ଏଡ଼େକ ସେନେହ

। ୪୫ ।

 

 

ମୋତେ ଯୁଦ୍ଧ କରନ୍ତୁ ସେ ଶ୍ରୀରାମ ଲକ୍ଷ୍ମଣ

 

ତୁ କିମ୍ପାଇ ବଇରି ହେଉଛୁ ଅକାରଣ ।

 

Unknown

ଜଟାୟୁଷ ବୋଇଲେ ଅଧର୍ମ କିମ୍ପା କରୁ

 

ରାମ ନାରୀ ନେବି ବଳେ ଏମନ୍ତ ବିଚାରୁ ।

 

ଧର୍ମ ଥିଲା ପ୍ରାଣୀଙ୍କର ସଦା ପୁଣ୍ୟେ ଆଶ

 

ଅଧର୍ମ ହୋଇଲେ ପ୍ରାଣୀ ନରକେ ପ୍ରବେଶ ।

 

ଜଟାୟୁଷ ବାଣୀ ଯହୁଁ ଶୁଣିଲା ରାବଣ

 

ପୁଣି କୋପେ ଦଶଭୁଜେ ପ୍ରହାରିଲା ବାଣ ।

 

ହୃଦୟ ଚରଣ ଡ଼େଣା ଉପରେ ପଡ଼ିଲା

 

ଜଟାୟୁଷ ସର୍ବ ଅଙ୍ଗେ ରୁଧିର ଗଳିଲା

। ୫୦ ।

 

 

ଲାଞ୍ଜରେ ମାଡ଼ିଲେ ଯେହ୍ନେ ପନ୍ନଗର ରୋଷ

 

ଜଟାୟୁଷ ଲଙ୍କପତି ନିକଟେ ପ୍ରବେଶ ।

 

ପୁଣି ହିଁ ଚରଣଘାତ ହୃଦରେଣ ମାରି

 

ଆକାଶେ ଉଡ଼ିଲା ପୁଣି ଗଗନେ ସଞ୍ଚରି ।

 

ଆକାଶକୁ ରାବଣ ପେଷିଲା ଘୋର ବାଣ

 

ଡ଼େଣା ବାଏ ସମସ୍ତ ନାଶିଲେ ସେହିକ୍ଷଣ ।

 

ଆକାଶୁଁ ପଡ଼ିଲେ ଡ଼େଇଁ ରଥର ଉପର

 

ଭାଞ୍ଜିଣ ରାବଣ ରଥ ହୋଇଗଲା ଚୂର ।

 

ଯେତେବେଳେ ରଥ ଭଗ୍ନ ହୋଇଲା ତାହାର

 

ପାଦଗତି ହୋଇ କଲା ଦୁଃସହ ସମର

। ୫୫ ।

 

 

ଜଟାୟୁଷ ରାବଣର ସଂଗ୍ରାମ ସମମୟେ

 

ଥିର ଥିର ହୋଇ ସୀତା ପଳାଇଲେ ଭୟେ ।

 

ଏକ ତରୁବର ତଳେ ଲୁଚିଲା ସୀତୟା

 

କଦଳୀ ପଲ୍ଲବ ଜାଣି କମ୍ପୁଅଛି କାୟା ।

 

ନୟନରୁ ନୀର ସ୍ରବୁଅଛି ନିରନ୍ତରେ

 

ରାମ ତ ନଇଲେ ବୋଲି ଭାଳଇ ମନରେ ।

 

ଜଟାୟୁଷ ରାବଣର ଦୁଃସହ ସମର

 

ଦୁହିଁଙ୍କର ଶରୀରେ ରୁଧିର ଜରଜର ।

 

ଦଶଭୁଜେ ଧନୁ ତାର ଦଶଭୁଜେ ଶର

 

ଅସଂଖ୍ୟ ପେଶିଲା ବାଣ ପକ୍ଷୀର ଉପର

। ୬୦ ।

 

 

ରାବଣର ବାଣ ଯହୁଁ ପଡ଼ିଲା ଶରୀରେ

 

ଧାଇଁ ପକ୍ଷୀ ବସିଲା ରାବଣ ମସ୍ତକରେ ।

 

ତା ବେନି ଚରଣେ ଗୋ ମୁକୁଟ ତାର ଝୁଣି

 

ଭୂମିଗତେ ପକ୍ଷିବର ପକାଇଲା ଟାଣି ।

 

ହେଲା ମୁକୁଳିତ କେଶ ପ୍ରେତବେଶ ପ୍ରାଏ

 

ଆକାଶେ ବସନ୍ତି ହସି ସର୍ବ ଦେବତାଏ ।

 

ପୁଣି ଧନୁ ଶର ଧରି ଧାଇଁଲା ରାବଣ

 

କାଟାୟୁଷ ହୃଦରେ ପ୍ରହାର କଲା ବାଣ ।

 

ବାଣଘାତେ ଘୃମିତ ହୋଇଲେ ପକ୍ଷିବର

 

ନିମିଷେ ଅଚେତ ତାର ହୋଇଲା ଶରୀର

। ୬୫ ।

 

 

ସହଜେ ଚେତନା ପକ୍ଷୀ ପାଇଲାକ ଯହୁଁ

 

ରାବଣ ଉପରକୁ ଧାଇଁଲା ପୁଣି ତହୁଁ ।

 

ଆତ୍ରୋଶିଣ ପକ୍ଷ ବର ଡ଼େଣାଘାତକଲେ

 

ରାବଣ ହସ୍ତରୁ ଶସ୍ତ୍ର ପଡ଼ିଲା ଭୂମିରେ ।

 

ଜଟାୟୁଷ ପକ୍ଷୀ ସେ ଅନେକ କାଳ ବୃଦ୍ଧ

 

ରାବଣର ସଙ୍ଗତେ କଲାକ ଘୋର ଯୁଦ୍ଧ ।

 

ଥକିଲା କର ଚରଣ ସଂଗ୍ରାମର ଶ୍ରମେ

 

ରାବଣ ଖଡ଼ଗ ଘେନି ଧାଇଁ ଲାକ ତମେ ।

 

ଦୁଇ ଡ଼େଣା ଛେଦିଲା ସେ ଖଡ଼ଗର ଘାଏ

 

ଅଚଳେ ରହିଲା ପକ୍ଷୀ ମୁଣ୍ଡା ବୃକ୍ଷ ପ୍ରାଏ

। ୭୦ ।

 

 

ପକ୍ଷୀକି ସଂଗ୍ରାମେ ମାରି ବିଚାରିଲା ମନେ

 

ସୀତା ତ ଏଠାରେ ନାହିଁ ପଶିଲା କି ବନେ ?

 

ଲୋଡ଼ିଯାଇ ରାବଣ ଦେଖିଲା ବୃକ୍ଷ ମୂଳେ

 

ଭୟେ ଲୁଚିଅଛି ସତୀ ତରୁବର ତଳେ ।

 

ରାବଣ ଧଇଲା ଯାଇଁ ସୀତୟା-ବସନେ

 

ଲୁଚିଲେ ବଞ୍ଚିବୁ ବୋଲି ବିଚାରୁ କି ମନେ ?

 

ଓଟାରନ୍ତେ ତରୁବର ଧଇଲେ ସୀତୟା

 

ରୋଷେ କେଶ ଧଇଲା ସେ ଚାଣ୍ଡାଳ ନିର୍ଦ୍ଦୟା ।

 

ଆକର୍ଷି ଉଠାଇ ଆଣି ବସାଇ କାଖରେ

 

ଭୁଜେ ଭିଡ଼ି ରାବଣ ଉଡ଼ିଲା ଆକାଶରେ

। ୭୫ ।

 

 

କାଖରେ ବସାଇଛି ସୀତୟା ମହାସତୀ

 

ଆକାଶରେ ଗମଇ ରାବଣ ଲଙ୍କପତି ।

 

କହେ ରାଜା ଗୋବିନ୍ଦ ରାବଣ କ୍ଷୟ ଯାଉ

 

ଆଦିତ୍ୟଣ୍ଡଳ-ତଳେ କ୍ଷଣେହଁ ନ ଥାଉ ।

 

କାଖରେ ବସାଇଛି ସୀତୟା ମହାସତୀ

 

ଆକାଶରେ ଗମଇ ରାବଣ ଲଙ୍କପତି ।

 

ବନଘନ ଗିରିବର ଲଙ୍ଗଇ ରାବଣ

 

ସୀତୟା ଡାକନ୍ତି ରଖ ଶ୍ରୀରାମ ଲକ୍ଷ୍ମଣ ।

 

କାମରୂପୀ ରାକ୍ଷସ ଗମଇ ଶୂନ୍ୟମାର୍ଗେ

 

ପ୍ରବେଶ ହୋଇଲା ଋଷ୍ୟମୂକ ଗିରି ଲାଗେ ।

 

ଜାମ୍ବବ ସୁଷେଣ ସଙ୍ଗେ ହନୁମାନ ବୀର

 

ସେ ଗିତିତଟରେ ରହିଛନ୍ତି ସୁଗ୍ରୀବର ।

 

ଶ୍ରବଣେ ଶୁଭିଲା ଆସି ସୀତୟାର ବାଣୀ

 

ଡାକଇ ଶ୍ରୀରାମ ରକ୍ଷାକର ଚାପପାଣି

। ୫ ।

 

 

ଶବଦକୁ କାନରେ ଉଠିଲେ ଧାତିକାରେ

 

ଦେଖିଲେ ରାବଣ ଯାଉଅଛି ଆକାଶରେ ।

 

ଅଛି ଏକ ଯୁବତୀଏ ରାବଣ ଭୁଜରେ

 

ଉଡ଼ଇ ଅଞ୍ଚଳ ତାର ଯିବାର ବେଳରେ ।

 

ଡାକୁଅଛି ରାମ ରାମ ଲକ୍ଷ୍ମଣ ଲକ୍ଷ୍ମଣ

 

ମୋତେ ହରି ନେଉଅଛି ଲଙ୍କାର ରାବଣ ।

 

ଶବଦକୁ ବାନରେ ଗୋଡ଼ାଇଛନ୍ତି ତଳେ

 

ବୋଲନ୍ତି ଡାକଇ ଏ ତ ପରମ ଆକୁଳେ ।

 

ବାନରନ୍ତ ଦେଖି ସୀତା ମନେ ମନେ ଭାଳି

 

ଅମଳାନ ବସନେ ବାନ୍ଧିଲେ ରତ୍ମଚୂଡ଼ୀ

। ୧୦ ।

 

 

ବାନରନ୍ତ ଚାହିଁ ସୀତା ପକାଇଲେ ତଳେ

 

ରାମଙ୍କୁ ବାରତା କହ ଭାକନ୍ତି ଚହଳେ ।

 

ସୁଗ୍ରୀବର ନିକଟେ ପଡ଼ିଲା ରତ୍ନଚୂଡ଼ୀ

 

ଯାଉଛି ରାବଣ ଭୟେ ଯେସନେ ବିଜୁଳି ।

 

ସାଗର ମଧ୍ୟରେ ଯାଇଁ ହୋଇଲେ ପ୍ରବେଶ

 

ନ ଦିଶିଲା ବନ ଗିରି ନ ଦିଶିଲା ଦେଶ ।

 

ସୀତୟା ବୋଲନ୍ତି ଆରେ ଶୁଣ ମୂଢ଼ ପକାଇ ।

 

ଜଳଜନ୍ତୁମାନେ ମୋର ଭକ୍ଷନ୍ତୁ ଶରୀର

 

ତ୍ରିପୃତି ହୋଇବେ ଧର୍ମ ହୋଇବ ତୋହୋର

। ୧୫ ।

 

 

କାଲ ଜାଡ଼ ପ୍ରାଏକ ସେ ନ ଶୁଣଇ କିଛି

 

ଲଙ୍କାର ସମ୍ମୁଖ ହୋଇ ଗମନ କରୁଛି ।

 

ସୀତୟାଙ୍କୁ ଘେନିଣ ସେ ଲଙ୍ଘିଲା ସାଗର

 

ପ୍ରବେଶ ହୋଇଲା ଯାଇଁ ଲଙ୍କାଗଡ଼ଦ୍ୱାର ।

 

ଭିତରେ ପ୍ରବେଶ ଯାଇଁ ହୋଇଲା ପ୍ରବେଶ

 

ପାଇଲଇ କାର୍ଯ୍ୟ ବୋଲି ହେଉଛି ହରଷ ।

 

ମନେ ବିଚାରଇ ସୀତା ରଖିବଇଁ କାହିଁ

 

ଯେଉଁ ସ୍ଥାନେ କେଣୁସି ଜନର ଗମ୍ୟ ନାହିଁ ।

 

ମନେ ବିଚାରିଲା ସେ ଅଶୋକ ମହାବନ

 

ସୀତୟାକୁ ରଖିବାକୁ ଉଚିତ ସେ ସ୍ଥାନ

। ୨୦ ।

 

 

ବିଚାରି ସୀତାକୁ ଘେନି ରାବଣ ରାକ୍ଷସ

 

ଅଶୋକ ବିପିନେ ଯାଇଁ ହୋଇଲା ପ୍ରବେଶ ।

 

ବିବିଧ ପାଦପ ତହିଁ ଅଛନ୍ତି ଗହଳ

 

ନାନା ପକ୍ଷିଗଣ ନାଦ କରନ୍ତି ଚହଳ ।

 

ବନ ମଧ୍ୟଭାଗରେ ସେ ଅଶୋକ ମୂଳରେ

 

ନାନାରତ୍ନ ଖଞ୍ଜିଛନ୍ତି କାଞ୍ଚନ ବେଦୀରେ ।

 

ସେ ବେଦୀ ଉପରେ ନେଇ ସୀତୟା ବସାଇ

 

ରାକ୍ଷସୀମାନନ୍ତ ବେଗେ ଆଣିଲେ ଡକାଇ ।

 

ବୋଇଲା ସୀତୟା ଜାଗିଥାଅ ନିରନ୍ତରେ

 

ଆନ ଦୃଷ୍ଟି ସର୍ବସ୍ଥାନ କରିବା ଚକ୍ଷୁରେ

। ୨୫ ।

 

 

ଶତେଜଣ ରାକ୍ଷସୀ ସେ ସୀତାକୁ ଜଗାଇ

 

ଭୁବନକୁ ଅଇଲା ସେ ଭୋଜନର ପାଇଁ ।

 

ଛନଛନ ହୋଏ ମନ ନ ଭାଳଇ ମନ

 

ନିରନ୍ତରେ ସୀତାରୂପ କରିଥାଇ ଧ୍ୟାନ ।

 

ପାପୀରେ ଜାଣିଲେ ଇନ୍ଦ୍ର ସୀତୟାହରଣ

 

ବୋଇଲେ ହୋଇବ ଏବେ ରାବଣ ମରଣ ।

 

ସୀତୟା ଯେ ରହିଲେ ଅଶୋକ ବିପିନରେ

 

ଆହାର ତ ନ ଭକ୍ଷିବେ ଦୁଃଖିତ ମନରେ ।

 

ସୀତୟାର ଶରୀର ହୋଇବ ଯଦି ନାଶ

 

ନାଶ ତ ନ ଜୀବ ତେବେ ରାବଣର ବଂଶ

। ୩୦।

 

 

ଏତେ ବୋଲି ପୁରନ୍ଦର ମନ୍ତ୍ର ଯଜ୍ଞ କରି

 

ଯଜ୍ଞରୁ ଉପୁଜିଲା ଅମୃତ ନାମେ କ୍ଷୀରି ।

 

କ୍ଷୀରପାତ୍ର ହସ୍ତେ ଧରି ଦେବ ଶଚୀପତି

 

ଗୁପତେ ଅଇଲେ ଯହି ଛନ୍ତି ମହାସତୀ ।

 

ରାକ୍ଷସୀମାନନ୍ତ ନିଦ୍ରା ମୋହିତ କରାଇ

 

ସୀତୟା ଆଗରେ ଯାଇଁ ପ୍ରବେଶ ଯେ ହୋଇ ।

 

ସୀତୟା ଆଗରେ ଉଭା ହୋଇ ପୁରନ୍ଦର

 

ବୋଲନ୍ତି ସୀତୟା ଶୁଣ ମୋହୋର ଉତ୍ତର ।

 

ମାୟାରେ ରାବଣ ସୀତା ଆଣିଲା ଗୋ ତୋତେ

 

ରଖିଲା ଅଶୋକ ବନେ ପରମ ଗୁପତେ

। ୩୫।

 

 

ଶୁଣିଲୁ କଷଣ ତୋର ରାବଣ ସକାଶେ

 

ଏ ଘେନି ପ୍ରବେଶ ମୁଁ ହୋଇଲି ତୋର ପାଶେ ।

 

ଶୁଣ ଗୋ ସୀତୟା ତୋତେ କହୁଛି ପ୍ରମାଣ

 

ଆଣିଛି ପାୟସ ମୋତେ ଇନ୍ଦ୍ର ବୋଲି ଜାଣ ।

 

ଶ୍ରୀରାମବିଚ୍ଛେଦେ ଅନ୍ନ ନ କରୁ ଆହାର

 

କେମନ୍ତେ ପାଇବା ରକ୍ଷା ତୋହର ଶରୀର ।

 

ଏ କ୍ଷୀରି ଆହାର ତୁ ଗୋ କରନ୍ତେ ସୀତୟା

 

କ୍ଷୁଧା ତୃଷା ନ କରିବ ନ ତୁଟିବ କାୟା ।

 

ଇନ୍ଦ୍ରର ବଚନ ଶୁଣି କହନ୍ତି ସୀତୟା

 

ନୋହୁ ଇନ୍ଦ୍ର, ରାବଣ ଆସିଛୁ କରି ମାୟା

। ୪୦ ।

 

 

ମନ୍ଦିରେ ନ ଥିଲେ ମୋର ସ୍ଵାମୀ ରଘୁପତି

 

ଯତିରୁପ ହୋଇ ତୁ ଯେ ଗଲୁ ଦୃଷ୍ଟମତି ।

 

ବିବିଧ ମାୟାରେ ଦୃଷ୍ଟ ଆଣିଲୁ ତୁ ହରି

 

କି ମାୟା ଭିଆଣ କରି ଆଣିଅଛୁ କ୍ଷୀରି ।

 

ପୁରନ୍ଦର ବୋଇଲେ ନୁହଇ ମାୟା ସତି

 

ନିଶ୍ଚଏ ତୁ ଜାଣ ମୁଁ ପ୍ରମାଣ ସୁରପତି ।

 

ରାମଚନ୍ଦ୍ର ଅଟନ୍ତି ପ୍ରତ୍ୟକ୍ଷେ ନାରାୟଣ

 

ତାହାଙ୍କ ହସ୍ତରେ ନାଶଯିବ ଏ ରାବଣ ।

 

ଦେବକାର୍ଯ୍ୟେ ପୃଥ୍ୱୀରେ ବିଜୟ ବିଷ୍ଣୁ ଆସି

 

ତୁ ଦେବୀ ପ୍ରତ୍ୟକ୍ଷ ଲକ୍ଷ୍ମୀ ଶ୍ଵେତପଦ୍ମବାସୀ

।୪୫।

 

 

କର ଗୋ ପାୟସ ଭୋଗ ଶୁଣ ଗୋ ସୀତୟା

 

ନିଶ୍ଚୟ ମୁଁ ଦେବ ଇନ୍ଦ୍ର ନାହିଁ କିଛି ମାୟା ।

 

ସୀତୟା ବୋଇଲେ ନିଶ୍ଚେ ଯେବେ ପୁରନ୍ଦର

 

କର ଅନୁଗ୍ରହ ମୋତେ ନିଜ ରୁପ ଧର ।

 

ସତୀର ବଚନେ ଇନ୍ଦ୍ର ନିଜ ରୁପ ହୋଇ

 

ମୁକୁଟ କୁଣ୍ଡଳ ସସ୍ର ଲୋଚନ ଶୋହଇ ।

 

ପିଞ୍ଛୋଡ଼ା ନ ପଡ଼ଇ ଶୂନ୍ୟରେ ଉଭାହୋଇ

 

କ୍ଷୀରି ପାତ୍ର ସୀତୟାର ଆଗରେ ଯୋଗାଇ ।

 

ବୋଇଲେ ଗୋ ଗ୍ରାସକର ଜନକ ଦୁହିତା ।

 

ଆସିବେ ନି ଶ୍ରୀରାମ ନ କର ମନେ ଚିନ୍ତା

। ୫୦ ।

 

 

ଦେବଶତ୍ରୁ ରାବଣକୁ ରଣେ ନାଶକରି

 

ସୁଗୋତ୍ର ସହିତେ ତାର ସର୍ବ ବଳ ମାରି ।

 

ଉଦ୍ଧାରିବ ତୋତେ ଗୋ ତଦ୍ଦଣ୍ଡେ ଚାପପାଣି

 

ମିଥ୍ୟା ଏ ନୁହଇ ଶୁଣ ଜନକଦୁଲଣୀ ।

 

ଶୁଣି ପ୍ରତେ ଗଲେ ଦେବୀ ଜନକ କୁମାରୀ

 

ବୋଇଲେ ନୁହଇ ଏ ମାୟାବୀ ଦଶଶିରୀ ।

 

ସୁରପତି ବଚନ ମୁଁ ଭାଗିବି କେସନେ

 

କଲେ କ୍ଷୀରି ଭୋଜନ ଯେ ଇନ୍ଦ୍ରର ବଚନେ ।

 

କ୍ଷୁଧା ତୃଷା ହରିଲା ନୋହିଲା କାନ୍ତିହୀନ

 

ରାମଚନ୍ଦ୍ର ଚରଣ ଭାବନ୍ତି ରାତ୍ରଦିନ

। ୫୫ ।

 

 

କ୍ଷୀରି ପାନକରାଇ ଯେ ଦେବ ପୁରନ୍ଦର

 

ଅନ୍ତର୍ଦ୍ଧାନ ହୋଇଗଲେ ଅମର ନବର ।

 

ଅଶୋକ ତରୁମୂଳରେ ଏକାବସନରେ

 

ଧୂଳିମାନ ପଡ଼ିଅଛି ଚନ୍ଦ୍ର ବଦନରେ ।

 

କ୍ଷଣେ କ୍ଷଣେ ରୋଦନ୍ତି ସେ କ୍ଷଣେ ହୋନ୍ତି ସ୍ଥିର

 

ଶ୍ରୀରାମ ସୁମରି ନେତ୍ରେ ପୂରିଥାଇ ନୀର ।

 

ବୋଲନ୍ତି ଲଲାଟେ ଯାହା ହୋଇଛି ଲେଖନ

 

ପୂର୍ବରୁ ପାତକ ତାହା କେ କରିବ ଆନ ?

 

ଜନକରାଜାର ଯଜ୍ଞୁ ହୋଇଛି ମୁଁ ଜାତ

 

ଭୂମି ମୋର ଜନନୀ ଜନକ ମୋର ତାତ

। ୬୦ ।

 

 

ଧନୁର୍ଦ୍ଧର ସୁନ୍ଦର ରାଜାର ଜ୍ୟେଷ୍ଠ ସୁତ

 

ସର୍ବଗୁଣେ ଗୁଣମଣି ରାମ ମୋର କାନ୍ତ ।

 

ଦଶରଥ ରାଜାର ଅଟଇ କୂଳବଧୂ

 

ମେଦିନୀ ମଣ୍ଡଳରେ ମହିମା ଯାର ସାଧୁ।

 

ଭରତ ଲକ୍ଷ୍ମଣ ଶତ୍ରୁଘନ ଏ ଦିଅର

 

ଭବନ ଅଟଇ ମୋର ଅଯୋଧ୍ୟା ନବର ।

 

ଏତେକ ଛଡ଼ାଇଲା ସେ ଦଇବ ନିର୍ଦ୍ଦୟା

 

ଅରଣ୍ୟେ ଭ୍ରମିଲୁ ରାମ ଲକ୍ଷ୍ମଣ ସୀତୟା

 

ତହିଁ ପୁଣି ଅନ୍ୟୋଽନ୍ୟେ ନ ଗଲା ମୋର ଦିନ

 

ହୋଇଲି (ପାଇଲି) ରାମ ବିଚ୍ଛେଦ କର୍ମ ମୋର ହୀନ ।

୬୫

 

 

କାହିଁ ଯେ ଅଯୋଧ୍ୟା କାହିଁ ରାକ୍ଷସ ନଗରୀ

 

ରହିଲି ସମୁଦ୍ରପାରେ ଶ୍ରୀରାମ ସୁମରି ।

 

ଏତେ କହି ବେନି କର ଲଲାଟେ ମାଇଲେ

 

ଆକୁଳେ କାଞ୍ଚନବେଦୀ ଉପରେ ଶୋଇଲେ ।

 

ଗୁଣି ଗୁଣି ଉଠନ୍ତି ଶୁଅନ୍ତି ପୁଣ ପୁଣି

 

ସ୍ରବଇ ଲୋତକଧାରା ରାମ ଗୁଣ ଗୁଣି ।

 

ମହାରାଜା କିପାଇଁ ପେଷିଲ ଘୋରବନ

 

ଶ୍ୟାମଳ ସୁନ୍ଦର ରାମ ଜୀବନଲୋଚନ ।

 

ରଖ ରଖ ଲକ୍ଷ୍ମଣ ଶୁଭିଲା ଉଚ୍ଚେ ବାଣୀ

 

ଭଲ ମନ୍ଦ ଦୁଇ ନ ଜାଣିଲି ଚାଣ୍ଡାଳୁଣୀ

। ୭୦ ।

 

 

ଲକ୍ଷ୍ମଣଙ୍କୁ ପେଷିଲି ମୁଁ ତୁମ୍ଭର କତିକି

 

ତିହ୍ନଙ୍କର କାଏ ବିହି ଦେଲା ବିପତ୍ତିକି ।

 

ଦୁଇ ଭାଇଙ୍କର ଦୂତେ ଭଲ ମନ୍ଦ ଶୁଣି

 

ପ୍ରାଣତ୍ୟାଗ ଅବଶ୍ୟ ରଘୁମଣି ।

 

ସରମା ନାମେ ରାକ୍ଷସୀ ଥିଲା ତହିଁ ବସି

 

ସୀତା ଦୁଃଖ ଶୁଣି ନାରୀ କହିଲା ଆଶ୍ୱାସି ।

 

ଶୁଣ ଗୋ ସୀତୟା ସୁଖଦୁଃଖ ଦୁଇ କଥା

 

ପ୍ରାଣୀଙ୍କ ସର୍ବଥା ଏହା କରୁଛି ବିଧାତା ।

 

ଆକାଶେ ଭ୍ରମନ୍ତି ଦେଖ ଚନ୍ଦ୍ର ସୂର୍ଯ୍ୟ ବେନି

 

ତାହାଙ୍କୁ ଗ୍ରାସଇ ରାହୁ ସର୍ବକାଳ ଜାଣି

। ୭୫ ।

 

 

କର୍ମଫଳେ ଇନ୍ଦ୍ରହିଁ ହୋଇଲେ ସସ୍ରଯୋନି

 

ପୁତ୍ର କଷ୍ଟ ପାଇଲେ ବଶିଷ୍ଟ ମହାମୁନି ।

 

ବଡ଼କୁ ବଡ଼ ବିପତ୍ତି ପଡ଼ଇ ଗୋ ସତି

 

ଧର୍ମେ ନାଶଯିବ ତୋର ସକଳ ଦୁର୍ଗତି ।

 

ଯେଉଁ କର୍ମ କରିଅଛି ଲଙ୍କାର ନୃପତି

 

ନିଶ୍ଚୟେ ହୋଇବ ତାର ନିକଟେ ଦୁର୍ଗତି ।

 

ଘୋର ତପ କରି ଗୋ ବ୍ରହ୍ମାକୁ ତୋଷ କରି

 

ପାଇଲା ଅମର ବର କାଞ୍ଚନ ନଗରୀ ।

 

ନାରୀ ଯାର ମନ୍ଦୋଦରୀ ପରମ ସୁନ୍ଦରୀ

 

ପୁରେ ପୂରିଅଛନ୍ତି କିନ୍ନରୀ ଅପସରୀ ।

୮୦ ।

 

 

ପୁତ୍ର ନାତି ଅଛନ୍ତି ଗୋ ପଦ୍ମବନ ଜାଣି

 

ଦଇବରେ ମୋହିତ ହୋଇଲା ବଂଶପାଣି ।

 

ରାମ ଲକ୍ଷ୍ମଣଙ୍କୁ ସତୀ ପାଇବୁ ତୁ ଭେଟ

 

ଅବଶ୍ୟ ନାଶିବେ ତୋର ଦୁଃସହ ସଙ୍କଟ

 

ସରମା ବଚନ ଶୁଣି ଜନକ-ଦୁଲଣୀ

 

ମୁଖେ ଜଳ ସିଞ୍ଚିଲେ ଯେସନେ ମୋହ ପ୍ରାଣୀ ।

 

ସୀତୟା ବୋଇଲେ ଧନ୍ୟ ସରମା ତୋ ବାଣୀ

 

ଜଳିଲା କୃଷିରେ ଜଳ ସିଞ୍ଚୁଅଛୁ ଆଣି ।

 

ତୋହୋର ବଚନ ମୋତେ ମଳୟ ପବନ

 

ଶୀତଳ ହୋଇଲା ଶୁଣି ମୋହୋର ଜୀବନ

। ୮୫ ।

 

 

କହେ ରାଜା ଗୋବିନ୍ଦ ଶୁଣ ଗୋ ସ୍ରମାନାରୀ

 

ପରମ ଲକ୍ଷ୍ମୀର ତୁ ହୋଇଲୁ ପରିବାରୀ ।

 

ଏଥୁଅନନ୍ତରେ କଥା ଶୁଣ ଏକ ଚିତ୍ତେ

 

ପଡ଼ିଲା କନକମୃଗ ରାମଶରଘାତେ ।

 

ଯାର ନାମ ମାତ୍ରକେ ପରମ ଲାଭ ପାଇ

 

ଅନ୍ତକାଳେ ମାରୀଚ ତାହାର ମୁଖ ଚାହିଁ

 

ଜାଣ ରାମ ମହିମା ସେ ରାମ ବାଣେ ମଲା

 

ଊର୍ଦ୍ଧ୍ୱପଥେ ଯାଇ ଦେବ ଥାନରେ ବସିଲା ।

 

ପଡ଼ିଲା କନକମୃଗ ଜାଣି ରଘୁମଣି

 

ଧାଇଁ ମୃଗ ନିକଟେ ମିଳିଲେ ସେହିକ୍ଷଣୀ ।

 

ଦେଖିଲେ ବିବିଧ ରତ୍ନେ ହୋଇଛି ମଣ୍ଡିତ

 

ବୋଇଲେ ସୀତାର ଏବେ ଶାନ୍ତ ହେଉ ଚିତ୍ତ

। ୫ ।

 

 

ବୋଇଲେ କନକମୃଗ ଲୁଚାଇଣ ଥିବି

 

ନ ପାଇଲେ ବୋଲି ଦଣ୍ଡେ ଭଣ୍ଡାଉଣ ଥିବି ।

 

ପୁଣି ବିଚାରିଲେ ଲୁଚାଇବି କି ନିମନ୍ତେ

 

ଦୁଃଖିତ ହୋଇବ ସୀତା ମୃଗ ନ ଦେଖନ୍ତେ ।

 

ମୋର ଯିବା ପାଇଁ ସୀତା ଚାହିଁଥିବ ପଥ

 

ମୃଗ ମାରି ଅବଶ୍ୟ ଆସିବେ ରଘୁନାଥ ।

 

ଦୂରହୁଁ ଦେଖିବେ ଯେବେ ମୋହର ବଦନ

 

ଆସିବ ମୃଗଲୋଚନା ତେଜିଣ ସଦନ ।

 

ଜଳପାତ୍ର ସୀତୟା ହସ୍ତରେ ଥିବ ଘେନି

 

ହସ ହସ ହେଉଥିବ ମରାଳଗମନୀ

। ୧୦ ।

 

 

ନିକଟେ ପ୍ରବେଶ ଆସି ହୋଇବ ସୀତୟା

 

ଶ୍ରମ ଯିବ ଶୀତଳ ହୋଇବ ମୋର କାୟା ।

 

ଏମନ୍ତ ବିଚାର ରାମ କରନ୍ତି ମନରେ

 

ଲକ୍ଷ୍ମଣ ପ୍ରବେଶ ଆସି ହୋଇଲେ ଛାମୁରେ ।

 

ଦଣ୍ଡମତେ ଶୋଇଲେ ଶ୍ରୀରାମ ପଦ୍ମ ପାଦେ

 

ଉଠ ହୋ ଲକ୍ଷ୍ମଣ ବୋଲି ତୋଳିଲେ ବିଷାଦେ ।

 

ବୋଇଲେ ଲକ୍ଷ୍ମଣ ମୋର ସୀତା ଅଛି କାହିଁ ।

 

ଏକା ହୋଇ ଅଇଲୁ ତ ସୀତା ସଙ୍ଗେ ନାହିଁ ।

 

ଧନୁଶର ଥୋଇଲେ ଯୋଡ଼ିଲେ ବେନି କର

 

ବୋଇଲେ ଜାନକୀନାଥ ଶୁଣ ମୋ ଉତ୍ତର

। ୧୫ ।

 

 

ସୀତାକୁ ବସାଇ ପତ୍ର କୁଟୀର ଭିତର

 

ଦ୍ୱାରେ ଉଭା ହୋଇଥିଲି ଘେନି ଧନୁଶର ।

 

ଅଦଭୁତ ହୋଇ ଦେବ ଶୁଭିଲା ଶବଦ

 

ରଖ ରଖ ଲକ୍ଷ୍ମଣ ବୋଲିଣ ଶୋକନାଦ ।

 

ତୁମ୍ଭର ବଚନ ପ୍ରାଏ ସୁସ୍ୱର ଶୁଭଇ

 

ସୀତୟା ଶୁଣିଲେ ଯେ ଶୁଣିଲା ଦେବ ମୁହିଁ ।

 

ଶୁଣି ତ ତା ସୀତୟା ପାଇଲେ ବଡ଼ ତ୍ରାସ

 

ବୋଇଲେ ଲକ୍ଷ୍ମଣ ଯା ସ୍ୱାମୀଙ୍କି ଘେନି ଆସ ।

 

ବେଗେ ଯାଅ ଆକୁଳ ହେଉଛି ମୋର ଚିତ୍ତ

 

କେବଣ ଦାନବ ରଣେ କରୁଅଛି ହତ

। ୨୦ ।

 

 

ମୁଁ ବୋଇଲି ସୀତୟା ନ କର ଦୁଃଖ ଚିତ୍ତ

 

ରାମଙ୍କୁ ଜାଣିବା ଭଳି ନାହିଁ ନା ଜଗତ୍ର ।

 

ଭଉତ ପ୍ରକାରେ ତାକୁ କହିଲି ବୁଝାଇ

 

କେହୁଣି ପ୍ରକାରେ ମୋର ବୋଲ ନ ଘେନଇ ।

 

ଅନେକ ପ୍ରକାରେ ତାର ବଚନ ନ କଲି

 

ରାମକୁ ଜିଣନ୍ତା ନାହିଁ ବୁଝାଇ କହିଲି ।

 

ଶୁଣି କୋପେ ବୋଇଲା ସେ ଜନକଦୁଲଣୀ

 

ରାମ ବିନୁ କରିବୁ କି ତୋହୋର ଘରଣୀ ?

 

ମୁଁ ବୋଇଲି ସୁମିତ୍ରା ଯେସନ ମୋର ମାତା

 

ତେସନ ଜନନୀ ତୁ ଗୋ ଜନକଦୁହିତା

। ୨୫ ।

 

 

ଶୁଣି କୋପେ ବୋଇଲେ କପଟ କଥା କହୁ

 

ପାପ ପ୍ରତିଆଶାରେ ନ ଯାଇ କିମ୍ପା ରହୁ ।

 

ଅନେକ ଝିଙ୍ଗାସି * ଯହୁଁ ବୋଇଲା ବଚନ

 

ଅଯଶ କଥାକୁ ଭୟ କଲା ମୋର ମନ ।

 

ପତ୍ରକୁଟୀ ଭିତରେ ମୁଁ ସୀତାକୁ ବସାଇ

 

ଅଇଲି ଶ୍ରୀରାମ ତୋତେ ଲୋଡ଼ିବାର ପାଇଁ ।

 

ଶୁଣି ସ୍ତମ୍ଭୀଭୂତ ଯେ ହୋଇଲେ ଦାଶରଥି

 

ବୋଇଲେ ଜୀବନେ ଆଉ ନାହିଁ ମୋର ପାଇଁ ।

 

ଶୁଣି ସ୍ତମ୍ଭୀଭୂତ ଯେ ହୋଇଲେ ଦାଶରଥି

 

ବୋଇଲେ ଜୀବନେ ଆଉ ନାହିଁ ମୋର ସତୀ ।

 

ଧନୁଶର ପକାଇ ବସିଲେ ରଘୁମଣି

 

ବୋଇଲେ କୁଶଳେ ନାହିଁ ଜନକଦୁଲଣୀ

। ୩୦ ।

 

 

ଲକ୍ଷ୍ମଣ ବୋଇଲେ ଦେବ ଶୁଣ ମୋ ଉତ୍ତର

 

ବେଗ ହୋଇ ଯିବା ଦେବ ବିଷାଦ ନ କର ।

 

ଲକ୍ଷ୍ମଣ ଧଇଲେ ବେଗେ ମୃଗର ଚରଣ

 

ଧନୁଦଣ୍ଡ ଗଳାଇ ବହିଲେ ବେନିଜନ ।

 

ବେଗେ ରାମ ଲକ୍ଷ୍ମଣ ଆସନ୍ତି ମନ ଦୁଃଖେ

 

ପ୍ରଚଣ୍ଡ ପବନ ତାଙ୍କୁ ବହିଲା ସମ୍ମୁଖେ ।

 

ଶ୍ରୀରାମ ବୋଲନ୍ତି ଶୁଣ ସୁମିତ୍ରା-କୁମର

 

ଅଦଭୂତ ହୋଇ ମନ ଭ୍ରମୁଛି ମୋହୋର ।

 

ପ୍ରଚଣ୍ଡ ପବନ ମୋର ଶରୀରେ ଲଗାଇ

 

ନିଶ୍ଚୟେ-ଜାଣିଲି ଭଲେ ନାହିଁ ବଇଦେହୀ

। ୩୫ ।

 

 

ପୁଣି ରାମ ବୋଲନ୍ତି ହୋ ସୁମିତ୍ରା-ନନ୍ଦନ

 

କରିବେନି ବନଜୀବେ ସୀତାକୁ ନିଧନ ।

 

*ଝିଙ୍ଗାସି-ଧିକକାର କରି ।

 

ଦେଖ ମୃଗଗଣ ମୋତେ ବାମ କରୁଛନ୍ତି

 

ଦେଖ ଦଶଦିଗ ମୋତେ ଶୁଭ ନ ଦିଶନ୍ତି ।

 

ଆଶ୍ରମ ନିକଟେ ରାମ ପ୍ରବେଶ ହୋଇଲେ

 

ଲକ୍ଷ୍ମଣଙ୍କୁ ଚାହିଁ ରାମ ବଚନ ବୋଇଲେ ।

 

ଦେଖ ଦେଖ ଲକ୍ଷ୍ମଣ ଦିଶଇ ପତ୍ରଘର

 

ମୋତେ ଦେଖି ସୀତୟା ତ ନୋହିଲା ବାହାର ।

 

ଯେତେ ଯେତେ ନିକଟ ହୁଅଇ ପତ୍ରଘର

 

ସୀତାକୁ ନ ଦେଖିଣ ଆକୁଳ ରଘୁବୀର

। ୪୦ ।

 

 

ଅନେକ ବିଳାପ କରି ଦେବ ରଘୁନାଥ

 

ପତ୍ରଘର ଦ୍ୱାରେ ଯାଇ ହୋଇଲେ ପ୍ରାପତ ।

 

କାଞ୍ଚନ କୁରଙ୍ଗୀ ରାମ ଭୂମିରେ ପକାଇ

 

ପତ୍ରଘର ଭିତରେ ପ୍ରବେଶ ହେଲେ ଯାଇଁ ।

 

ଚଉକତି ଚାହାନ୍ତି ଡାକନ୍ତି ସୀତା ସୀତା

 

କେତେ ଦୁଃଖ ଦେଉ ମୋତେ ଜନକଦୁହିତା ।

 

କେଣେ ଗଲୁ ସୀତୟା ଗୋ ମନ୍ଦିରେ ନ ରହି

 

ଜୀବନ ସମାନ ପ୍ରିୟା ଲୁଚିଅଛୁ କାହିଁ ।

 

ମୋହୋର ଦୁଃଖିତ ଚିତ୍ତ ଦଣ୍ଡେ ହେଁ ନ ସହୁ

 

ଏତେ କରି ଡାକୁଛି ଗୋ କଥା ତ ନ କହୁ

। ୪୫ ।

 

 

ସୀତାକୁ ନ ଦେଖି ରାମ ହୋଇଲେ ବାହାର

 

ପୃଥିବୀରେ ଶୋଇଲେ ପକାଇ ଧନୁଶର ।

 

ଶ୍ରୀରାମ ଆକୁଳ ଯହୁଁ ଦେଖିଲେ ଲକ୍ଷ୍ମଣ

 

ବୋଇଲେ ଶରୀରେ କିମ୍ପା ରହିବ କି ପ୍ରାଣ ।

 

ଏତେ କହି ଶ୍ରୀରାମର ଧରି ଶ୍ରୀପୟର

 

ଉଠ ରଘୁମଣୀ ଦୁଃଖ ମନରେ ନ ଧର ।

 

ଅଭିମାନେ ସୀତା ଅବା ଅଛି କେଉଁଠାରେ

 

ଧନୁଶର ଘେନି ନାଥ ଖୋଜିବା ବନରେ ।

 

ସୁଶୀତଳ ଜଳ ନେଇ ମୁଖରେ ସିଞ୍ଚିଲେ

 

କୋମଳ ପଲ୍ଲବ ଘେନି ଲକ୍ଷ୍ମଣ ବଞ୍ଚିଲେ

। ୫୦।

 

 

ଘଡିକ ଉତ୍ତାରେ ରାମ ଚେତନା ପାଇଲେ

 

ଲକ୍ଷ୍ମଣ ବଦନ ଚାହିଁ ଏମନ୍ତ ବୋଇଲେ ।

 

ସୀତୟାକୁ ଏକା ଛାଡି ଗଲୁ ଦୃଷ୍ଟମତି

 

ପ୍ରାଣ ସମ ପ୍ରିୟା ନାଶଗଲା ମହାସତୀ ।

 

ଶୁଣ ରେ ଲକ୍ଷ୍ମଣ ତୋତେ କରିବି ରେ ଦଣ୍ଡ

 

ବାଣଘାତେ ଶରୀର କରିବି ଖଣ୍ଡ ଖଣ୍ଡ ।

 

ଲକ୍ଷ୍ମଣ ବୋଲନ୍ତି ସ୍ଵାମୀ ଅପରାଧ ମୋର

 

ଦଣ୍ଡ କର କିଛି ପାପ ନୋହିବ ତୋହୋର ।

 

ଆଜ୍ଞା ମେଣ୍ଟି ଅରଣ୍ୟେ ସୀତାକୁ ଛାଡି ଗଲି ।

 

ସହଜେ ସୀତୟାକାନ୍ତ ମହାଦୋଷ କଲି

।୫୫।

 

 

ଲକ୍ଷ୍ମଣ ବଚନ ଶୁଣି ଉଠି ଦାଶରଥି

 

କୋଳକରି ଲକ୍ଷ୍ମଣକୁ ଧଇଲେ ତଡତି ।

 

କି ବୋଇଲି ବାବୁ ତୋତେ ଦୃଷ୍ଟ ବଚନରେ

 

ନ ଜାଣଇ ସାବତରେ ଦୁଃଖିତ ମତରେ ।

 

ପରମ ସୁବୁଦ୍ଧି ସୁଲକ୍ଷଣ ମୋର ଭାଇ

 

ରାଜ୍ୟ ପିତା ମାତା ଛାଡି ଅଇଲୁ ଗୋଡାଇ ।

 

ତୋତେ ପୁଣି କହିଲି ମୁଁ ନିଷ୍ଠୁର ବଚନ

 

(ନୁ) ଲୁଛି ହୋଇଯିବି ବାବୁ ତୋହର ଜୀବନ ।

 

ଲକ୍ଷ୍ମଣ ବୋଇଲେ ସ୍ଵାମୀ ଭୃତ୍ୟ ମୁଁ ତୋହର ।

 

ମୋତେ ବୋଲିବାକୁ କିମ୍ପା ବିଚାର ତୋହର

। ୬୦।

 

 

ଉଠ ସ୍ଵାମୀ ଶ୍ରୀଭୁଜରେ ଘେନ ଧନୁ ଶର

 

ସୀତୟାକୁ ଲୋଡିବା ବନରେ ଧାତିକାର ।

 

ଲକ୍ଷ୍ମଣ ବଚନେ ରାମ ଧନୁଶର ଘେନି

 

ପଞ୍ଚବଟୀ ବନରେ ଭ୍ରମନ୍ତି ଭାଇବେନି ।

 

ଲୋଡନ୍ତି ଗିରି କନ୍ଦରେ ଗହନ ବନରେ

 

ସୀତା ସୀତା ଡାକନ୍ତି ସେ ଦୁଃଖିତ ମନରେ ।

 

ଗହନ ବନ ଭିତରେ ବୃକ୍ଷଙ୍କ ମୂଳରେ

 

ଲୋଡ଼ୁଛନ୍ତି ବେନି ଭାଇ ଆକୁଳ ମନରେ ।

 

ଘନବନେ ଗିରିବରେ ଗୋଦାବରୀ ତୀରେ

 

ଖୋଜନ୍ତି ସୀତାକୁ ରାମ ଆକୁଳ ମନରେ

। ୬୫ ।

 

 

ଭ୍ରମରେ ଦେଖିଲେ ପଥେ ରଥଚକ୍ରଚିହ୍ନ

 

ବୋଲନ୍ତି ତୁ ଦେଖ ବାବୁ ସୁମିତ୍ରାନନ୍ଦନ ।

 

ରଥଚକ୍ର ଚିହ୍ନ ଦେଖ ଗହନ ବନରେ

 

ସୀତାକୁ ମୋହୋର ନିଶ୍ଚେ ନେଲା ଏ ପଥରେ ।

 

ଏତେ କହି ଧନୁଶର ପକାଇ ଭୂମିରେ

 

ଆଉଜି ବସିଲେ ଯାଇଁ ବୃକ୍ଷର ମୂଳରେ ।

 

କର ଯୋଡ଼ି ଲକ୍ଷ୍ମଣ କହଇ ରାମ ଆଗେ

 

ଧଇର୍ଯ୍ୟ ହୋଇବା ଏ ଖୋଜିବା ବନଭାଗେ ।

 

କାତର ହୋଇଲେ କାର୍ଯ୍ୟ ହୁଅଇ ବିନାଶ

 

କି ଅବା ନ ଜାଣୁ ସ୍ୱାମୀ କହିବି ମୁଁ କିସ

। ୭୦ ।

 

 

ଲକ୍ଷ୍ମଣ ବୋଇଲେ ଯହୁଁ ଉଠିଲେ ଶ୍ରୀରାମ

 

ସୀତା ସୀତା ବୋଲିଣ ପଶିଲେ ଘୋର ବନ ।

 

ଯେଉଁ ମାର୍ଗେ ପଡ଼ିଅଛି ରଥଚକ୍ର ଚିହ୍ନ

 

ଚିହ୍ନ ଦେଖି ବେନି ଭାଇ କରନ୍ତି ରୋଦନ ।

 

ଯେଉଁ ଠାରେ ପଡ଼ିଅଛି ଜଟାୟୁଷ

 

ସେଠାବରେ ବେନି ଭାଇ ହୋଇଲେ ପ୍ରବେଶ ।

 

ପଡ଼ିଅଛି ସେଠାବରେ ଧନୁଶରମାନ

 

ରଥ ଭାଞ୍ଜି ଧୁରା ଚକ୍ର ହୋଇ ଭିନ୍ନ ଭିନ୍ନ ।

 

ରାବଣର ଶରୀରୁ ରୁଧିର ପଡ଼ିଅଛି

 

ହାବୋଡ଼େ ସକଳ ତରୁ ଭଗ୍ନ ହୋଇଅଛି ।

 

ଶ୍ରୀରାମ ବୋଲନ୍ତି ଶୁଣ ସୁମିତ୍ରାତନୟ

 

ଦିଶୁଅଛି ଏଠାରେ ସଂଗ୍ରାମ ଭୂମି ପ୍ରାୟ ।

 

ପଡ଼ିଅଛି ପକ୍ଷବର ଲୋଚନେ ଦେଖିଲେ

 

ଏତେ କହି ଭୋଡ଼ା କେତେ ଆଗ ହୋଇ ଗଲେ ।

 

ଛିଡ଼ିଅଛି ବେନି ଡ଼େଣା ଖଡ଼ଗର ଘାଏ

 

ବୋଇଲେ ଏହାଙ୍କୁ କେ ସଂଗ୍ରାମେ କଲା ଜୟେ ।

 

ଆଶ୍ୱାସି ପୁଚ୍ଛନ୍ତି ରାମ ଶୁଣ ପକ୍ଷିବର

 

କେଉଁ କାରଣରୁ ଏଡ଼େ ଅବସ୍ଥା ତୋହୋର ।

 

ସକଳ ବେଭାର ପକ୍ଷୀ କହ ମୋର ଆଗେ

 

ମହାକଷ୍ଟ ପାଇଣ ପଡ଼ିଛୁ ବନଭାଗେ

। ୮୦।

 

 

ଯିବାର ନିମନ୍ତେ ପ୍ରାଣ ହେଉଛି ଆକୁଳ

 

କଥାଏ କହଇ ପୁଣି ହୁଅଇ ବିକଳ ।

 

ପକ୍ଷିବର କହଇ ତୁ ଶୁଣ ଧନୁର୍ଧର

 

ଦଶରଥ ରାଜା ପୂର୍ବେ ମଇତ୍ର ମୋହୋର ।

 

ସେ ରାଜାର କୁଳବଧୂ ଜନକଦୁହିତା

 

ରାବଣ ରାକ୍ଷସ ହରି ନେଉଥିଲା ସୀତା ।

 

ରଥରେ ଡାକଇ ବସି ଶ୍ରୀରାମ ଲକ୍ଷ୍ମଣ

 

ମୋତେ ହରି ନେଉଅଛି ଲଙ୍କାର ରାବଣ ।

 

କେ ଅଛ ଅରଣ୍ୟବାସୀ ଶୁଣ ମୋ ଉତ୍ତର

 

ରାମଲକ୍ଷ୍ମଣଙ୍କୁ ଯାଇଁ କହ ଧାତିକାର

। ୮୫ ।

 

 

ବୋଲିବ ରାବଣ ସୀତା ନେଉଅଛି ହରି

 

ସୀତୟାକୁ ଉଧର ରାବଣ ପ୍ରାଣେ ମାରି ।

 

ଶ୍ରବଣେ ମୁଁ ଶୁଣିଲି ଯେ ସୀତାର ଆରତ

 

ଗିରିବରେ ଥିଲି ଆସି ମିଳିଲି ତୁରିତ ।

 

ସୀତୟାକୁ ରଥରେ ରାବଣ ଥିଲା ଧରି

 

ରଥ ନେଉଅଛି ସେ ପବନ ଗତି କରି ।

 

ଏମନ୍ତ ସମୟେ ଆଗେ ଓଗାଳିଲି ଯାଇଁ

 

ବୋଇଲି ଜାନକୀ ନେଉଅଛୁ କାହିଁ ପାଇଁ ।

 

ରାବଣ ବୋଇଲା ପକ୍ଷୀ ଛାଡ଼ିଯାଅ ପଥ

 

ନୋହିଲେ ସଂଗ୍ରାମେଣ କରିବି ପ୍ରାଣେ ହତ

। ୯୦ ।

 

 

ମୁହିଁ ତାକୁ କହିଲି ନିରାଶ କଥାମାନ

 

ସୀତୟାକୁ ନ ଛାଡ଼ିଲେ ହରିବି ଜୀବନ ।

 

ଧର୍ମ ଅର୍ଥ କଥାମାନ କହିଲି ଥୋକାଏ

 

ସର୍ବଥା ସେ ନ ଛାଡ଼ିଲା ଚାଣ୍ଡାଳ ନିର୍ଦ୍ଦୟେ ।

 

ଏ ଘେନି ତାହାର ତୁଲେ ଘୋର ରଣ କଲି

 

ବୃଦ୍ଧ ସିନା ରଣଶ୍ରମେ ଥକିତ ହୋଇଲି ।

 

ଖଡ଼ଗର ଘାଏ ମୋର ବେନି ଡ଼େଣା ହାଣି

 

ସୀତା ଘେନି ଶୂନ୍ୟମାର୍ଗେ ଗଲା ବଂଶପାଣି ।

 

ଶରୀର ତେଜିବା ମୋର ନିକଟ ହେଉଛି

 

ଏ ଘେନି ଅଧିକ କିଛି କହି ନ ପାରୁଛି

। ୯୫ ।

 

 

ମଇତ୍ର ନନ୍ଦନ ବିଷ୍ଣୁ ମାନବ ଶରୀର

 

ତୋତେ ମୁଁ ଦେଖିଲି ଧନ୍ୟ ଜୀବନ ମୋହୋର ।

 

ଯାଉଅଛି ରଘୁପତି ଅମରମଣ୍ଡଳେ

 

ସୀତୟାକୁ ରାବଣ ନିଶ୍ଚୟେ ନେଲା ବଳେ ।

 

ଏତେ କହି ମଉନ ହୋଇଲା ପଛି (କ୍ଷି)ବର

 

ଶୁଣନ୍ତେ ସ୍ରବିଲା ରାମ ନୟନରୁ ନୀର ।

 

ବୋଇଲେ ତୁ ପିତା ମୋର ଦଶରଥ ପ୍ରାଏ

 

ମୋହୋର ନିମନ୍ତେ ତୋର ଏତେ କଷ୍ଟ କାୟେ ।

 

ଦଶରଥ ନୃପତି ହୋଇଲେ ପ୍ରାଣେ ନାଶ

 

ଛାଡ଼ିଲି ଅଯୋଧ୍ୟା ପୁର ବନେ କଲି ବାସ

। ୧୦୦ ।

 

 

ବନରେ ହୋଇଲା ପୁଣ ସୀତୟା-ହରଣ

 

ତହୁଁ ଆସି ଦେଖୁଅଛି ତୋହୋର ମରଣ ।

 

ଭୋ ପିତା ତୋହୋର କଷ୍ଟ ଦେଖନ୍ତେ ନୟନେ

 

ସୀତୟା-ହରଣରେ ଅଧିକ ତାପ ମନେ ।

 

ଭୋ ପିତା ତୋହୋର ଆଗେ କରୁଛି ବିନୟ

 

ସ୍ୱର୍ଗଭୁବନକୁ ତୁ ଯେ କରୁଛୁ ବିଜୟ ।

 

ଦେବଗଣ ଘେନି ବସିଥିବେ ଶଚୀନାଥ

 

ସେଠାବରେ ଥିବେ ମୋର ପିତା ଦଶରଥ ।

 

ଯେତେ କଷ୍ଟ ମୋହୋର ହୋଇଲା ବନଭାଗେ

 

ସୀତୟା ହରଣ ନ କହିବୁ ପିତା ଆଗେ

। ୧୦୫ ।

 

 

ସୀତୟା-ହରଣ ଯେବେ ଶୁଣିବେ ପିଅର

 

ଦେବସଭା ମଧ୍ୟେ ମୋତେ କରିବେ ଧିକକାର ।

 

ବୋଲିବେ ଯାହାର ବଂଶେ ରାଜା ମାନଧାତା

 

ସପତ ସାଗରେ ସାତ ଦ୍ୱୀପରେ କରତା ।

 

ଭଗୀରଥ ନାମେ ପୁତ୍ର ଯେବଣ ବଂଶରେ

 

ବ୍ରହ୍ମଲୋକୁ ଗଙ୍ଗା ଆଣି କଲା ପୃଥିବୀରେ ।

 

ରାମଚନ୍ଦ୍ର ନାମେ ପୁତ୍ର ହୋଇଲା ସେ କୁଳେ

 

ରଖି ନ ପାରିଲା କେ ଭାରିଯା ନେଲା ବଳେ ।

 

ହସିବେ ଯେ ଦେବତାଏ ଶୁଣି ଏହୁ କଥା

 

ଦଶରଥ ନୃପତି ପୋତିବେ ଲାଜେ ମଥା

। ୧୧୦ ।

 

 

ଯଦି ଦର୍ପବଳେ ମୁଁ ହୋଇବି ସିନ୍ଧୁ ପାରି

 

ଲଙ୍କା ଧ୍ୱଂସ କରିବି ରାକ୍ଷସବଳ ମାରି ।

 

ଭ୍ରାତାବନ୍ଧୁ ସହିତେ ରାବଣ ଯିବ ନାଶ

 

ମାରିବି ସକଳ ଯଦି ରାବଣର ବଂଶ ।

 

ପୁତ୍ର ନାତି ବନ୍ଧୁ ସୈନ୍ୟ ସଙ୍ଗତରେ ପାଇ

 

ସୁରପତିସଭାରେ ରାବଣ ହେବ ଯାଇଁ ।

 

ଦେବଗଣମାନେ ପଚାରିବେ ରାବଣକୁ

 

ସୁଗୋତ୍ର ସହିତେ ତୁ ତ ଅଇଲୁ ସ୍ୱର୍ଗକୁ ।

 

ତେତେବେଳେ କହିବ ରାବଣ ଲଙ୍କପତି

 

ହରି ଯେ ଅଣିଥିଲି ମୁଁ ରାମର ଯୁବତୀ

। ୧୧୫ ।

 

 

ସେ ଅପ୍ରାଧେ ସାଗର ବାନ୍ଧିଲା ରଘୁବୀର

 

ମାରି ସର୍ବ ରାକ୍ଷସ ଛେଦିଲା ଦଶଶିର ।

 

ଭୋ ତାତୁ ତୁ ନ କହିବୁ ଅମର ସଭାରେ

 

ଆପଣେ ରାବଣ ସେ କହିବ ସେହିଠାରେ ।

 

କହୁଁ କହୁଁ ପକ୍ଷିବର ହାରିଲା ଚେତନ

 

ମୁଖ ବିସ୍ତାରିଲା କଲା ବିକୃତ ବଦନ ।

 

ନୟନ ବୁଲାଇ ପ୍ରାଣ ଛାଡ଼ିଲା ତାହାର

 

ବିଷ୍ଣୁ ବିଷ୍ଣୁ ବୋଲିଣ ବୋଇଲେ ରଘୁବୀର ।

 

ଆକାଶୁଁ ବିମାନ ଆସି ପ୍ରବେଶ ହୋଇଲା

 

ରାମ ରୂପ ଚାହିଁଣ ବିମାନେ ବସି ଗଲା

। ୧୨୦ ।

 

 

ଅନ୍ତକାଳେ ଚାହିଁଲା ଶ୍ରୀରାମ ଶ୍ୟାମକାୟ

 

ବସିଲା ପରମସ୍ଥାନେ ଗଲା ତାର ଭୟ ।

 

ଧନୁଶର ଥୋଇ ରାମ ଲକ୍ଷ୍ମଣ ସହିତେ

 

ବେନିଭାଇ କାଠମାନ ଆଣିଲେ ତୁରିତେ ।

 

ଚିତା (ତି) ସଜାଡ଼ିଣ ପକ୍ଷୀ ଦହନ କରାଇ

 

ଜଟାୟୁଷ ପକ୍ଷୀକି ବହିଲେ ବେନି ଭାଇ ।

 

ଚିତାର ଉପରେ ଜଟାୟୁଷକୁ ବସାଇ

 

ଚାରି ପାରୁଶରେ ଦେଲେ ଅନଳ ଲଗାଇ ।

 

ଜଟାୟୁଷ ଦହନ କରାଇ ବେନି ଭାଇ

 

ସ୍ନାହାନ କରନ୍ତି ଯାଇଁ ଜଳରେ ସମ୍ଭାଇ

। ୧୨୫ ।

 

 

ଜଟାୟୁଷ ପକ୍ଷୀକି ସେ ଜଳକ୍ରିୟା କଲେ

 

ତହୁଁ ରାମ ଲକ୍ଷ୍ମଣ ଅରଣ୍ୟେ ସମ୍ଭାଇଲେ ।

 

ସୀତା ସୀତା ବୋଲନ୍ତି ଗମନ୍ତି ବେନି ଭାଇ

 

ଜଳ କନ୍ଦମୂଳ କିଛି ଆହାର ନ ଖାଇ ।

 

ଯେଉଁ ଅରଣ୍ୟେରେ ଅଛି କବନ୍ଧ ରାକ୍ଷସ

 

ଯୋଜନ ଅନ୍ତରେ ପାତିଥାଇ ବାହୁ ଫାଶ ।

 

ହୃଦୟରେ ଅଛି ତାର ଏକଇ ନନ୍ଦନ ।

 

ଉଦର ବଦନ ଅଛି ବିକଟ ଦଶନ (ଦର୍ଶନ) ।

 

ଗଣ୍ଡାଗଣ ଗୟଳ ସକଳ କରେ ଗ୍ରାସ

 

ଦେହଧାରୀ ସକଳ କରନ୍ତି ତାକୁ ତ୍ରାସ

। ୧୩୦ ।

 

 

ବେନି ଭାଇ ଭ୍ରମନ୍ତି ଆକୁଳ ହୋଇ ମନେ

 

ପଥ କି ବିପଥ କିଛି ନ ଜାଣନ୍ତି ବନେ ।

 

କବନ୍ଧ ନିକଟେ ସେ ପ୍ରବେଶ ହେଲେ ଯାଇଁ

 

ବେନି ବାହୁ ଭିତରେ ପଶିଲେ ବେନି ଭାଇ ।

 

ଦେଖିଣ ହରଷଚିତ୍ତ କବନ୍ଧ ରାକ୍ଷସ

 

କୁଣ୍ଡଳ କରଇ ବାହୁ କରିବାକୁ ଗ୍ରାସ ।

 

ଦେଖିଲେ ପର୍ବତ ପ୍ରାୟ ଦିଶୁଅଛି କାୟ

 

ବାହୁ ବେନି ଦିଶଇ ଅନ୍ତକଦାନ୍ତ ପ୍ରାୟ ।

 

ଶ୍ରୀରାମ ବୋଲନ୍ତି ଶୁଣ ସୁମିତ୍ରା-କୁମର

 

ଦୁର୍ଗତି ପଡ଼ିଲାଟି ଖଡ଼ଗ ବେଗେ ଧର

। ୧୩୫ ।

 

 

ଏତେ କହି ବେନି ଭାଇ ଖଡ଼ଗ କରେ ଘେନି

 

ବାମ ଦକ୍ଷିଣକୁ ସେ ଧାଇଁଲେ ଭାଇ ବେନି ।

 

ବେନି ଭାଇ ବେନି ବାହୁ ଛେଦିଲେ ତୁରିତେ

 

ଗିରିଶୃଙ୍ଗ ଛିଡ଼ଇ ଯେସନେ ବଜ୍ରଘାତେ ।

 

କବନ୍ଧ ରାକ୍ଷସ ଗଲା ଦେହ ତ୍ୟାଗକରି

 

ବିମାନ ବସି ଗଲା ଗନ୍ଧର୍ବ ରୁପ ଧରି ।

 

ବିମାନରେ ବସିଲା ଯୋଡ଼ିଲା ବେନି କର

 

ଶ୍ରୀରାମ ଶ୍ରୀମୁଖ ଚାହିଁ କଲା ନମସ୍କାର ।

 

କହେ ରାଜା ଗୋବିନ୍ଦ ଅଗତି ଗତିଦାତା

 

ରାମ ମୋର ଭ୍ରାତା ବନ୍ଧୁ ରାମ ପିତା ମାତା

। ୧୪୦ ।

 

 

କବନ୍ଧ କହଇ ବସି ବିମାନ ଉପରେ

 

ମୋହୋର ବଚନ ଦେବ ଶୁଣ ରଘୁବୀର ।

 

ଆତ୍ମା ଅପରାଧେ ଶାପ ପାଇଥିଲି ପୂର୍ବେ

 

ଚରଣ ଦର୍ଶନେ ଦୁଃଖ ନାଶ କଲି ଏବେ ।

 

ପରମ ଯୋଗୀକି ନୋହୁ ଲୋଚନେ ଗୋଚର

 

ଶାପ ଯାହା ଦେଲେ ମୋତେ ହୋଇଲା ସେ ବର ।

 

ଯେବେଣ ଚରଣ ଲାଗି ଗଉତମନାରୀ

 

ତେଜିଲା ପାଷାଣ କାୟ ଗଲା ସୁଖେ ତରି ।

 

ସେ ଚରଣ ବନ୍ଧୁ ଲୋକ ଦେଖିଲି ନୟନେ

 

ତେଜିଲି ସକଳ ଦୁଃଖ ବସିଲି ବିମାନେ

। ୫ ।

 

 

ଯାହାର ପ୍ରସନ୍ନେ ମୋକ୍ଷଗତି ଏ ଶୟଳେ

 

ସେ ଚରଣ ଦେଖିଲି ମୁଁ ଲୋଚନ-ଯୁଗଳେ ।

 

ନିରଞ୍ଜନ ପୁରୁଷ ହୋଇଛି ନରକାଏ

 

ପୁଣି ପୁଣି ପଡ଼ୁଛି ତୋହୋର ପଦ୍ମପାଏ ।

 

ଭୋ ଦେବ କରୁଣାସିନ୍ଧୁ ହୁଅ ସାହଧାନ

 

ସର୍ବଜ୍ଞ ପୁରୁଷ ଶୁଣ ମୋହୋର ବଚନ ।

 

ସୀତୟାଙ୍କୁ ଲଙ୍କାର ରାବଣ ନେଲା ହରି

 

ସୁଗ୍ରୀବ ସମସ୍ତ ଜାଣି ଅଛି ନିଶ୍ଚେ କରି ।

 

ବାଳୀ ନାମେ ବାନର ସେ କିଷ୍କିନ୍ଧା ରାଜନ

 

ସୁଗ୍ରୀବ ତାହାର ଭାଇ ତାହା ତହୁଁ ସାନ

। ୧୦ ।

 

 

ଦୁଇ ଭାଇ ଯୋଗରେ ସେ ହୋଇଲେ ବିରୋଧୀ

 

ସୁଗ୍ରୀବ ବାନରକୁ ରାଜ୍ୟରୁ ଦେଲା ଖେଦି।

 

ସୁଗ୍ରୀବ ବାନର ତାକୁ ପାଇଅଛି ତ୍ରାସ

 

ଋଷ୍ୟମୂକ ଗିରିବରେ କରିଅଛ ବାସ ।

 

ଜାମ୍ବବାନ ହନୁମାନ ସୁଷେଣ ସହିତେ

 

ନଳ ନୀଳ ଶତବାଳି ଅଛନ୍ତି ସଙ୍ଗତେ ।

 

ଋଷ୍ୟମୂକ ଗିରିକି ବିଜୟ କର ରାମ

 

ସୁଗ୍ରୀବ ବାନର ଯହିଁ କରିଛି ବିଶ୍ରାମ ।

 

ତାହାକୁ ଭେଟିବ ଋଷ୍ୟମୂକ ଗିରିବରେ

 

ସୀତୟା ସନ୍ଦେଶ ସବୁ କହିବି ଛାମୁରେ

। ୧୫ ।

 

 

ତାହାକୁ ଆଶ୍ୱାସି ସଖା କରିବୁ ଗୋସାଇଁ

 

ସୀତୟାକୁ ଲୋଡ଼ିବ ତୋହୋର ଦୁଃଖ ପାଇଁ ।

 

ତୋତେ ବଳବନ୍ତ କଥା ନାହି ଏ ଜଗତେ

 

ହେତୁ ମାତ୍ର ସୁଗ୍ରୀବ ସେ ତୋହୋର ସଙ୍ଗତେ ।

 

ତେଣୁ ସେ ପ୍ରାପତ ତୋତେ ହେବ ମହାସତୀ

 

ଉପାୟ କରିବ ସବୁ ବାନରନୃପତି ।

 

ଏତେ କହି ରାମଙ୍କୁ ସେ ପ୍ରଦକ୍ଷିଣ କରି

 

ଶିରେ କର ଦେଇଣ ଚଳିଲା ସ୍ୱର୍ଗପୁରୀ ।

 

କଥା ହୋନ୍ତେ ନିଶି ଆସି ହୋଇଲା ପ୍ରବେଶ

 

ଆଦିତ୍ୟ ହୋଇଲେ ହତ (ଅସ୍ତ) ଚନ୍ଦ୍ରମା ପ୍ରକାଶ

। ୨୦ ।

 

 

ରାମଚନ୍ଦ୍ର ବିଜେକଲେ ତରୁବର ତଳେ

 

ବସିଲେ ଲକ୍ଷ୍ମଣ ବୀର ଚନ୍ଦ୍ରମା ଉଜ୍ଜ୍ୱଳେ ।

 

ଜାନକୀବିଚ୍ଛେଦେ ରାମ ବିଭଳିତ ଚିତ୍ତ

 

ସୀତା ସୀତା ବୋଲି ପୁଣି ହୋଇଲେ ମୋହିତ ।

 

ଚେତନା ପାଇଣ ପୁଣି ବୋଲନ୍ତି ବଚନ

 

ଶୁଣି ବାବୁ ଲକ୍ଷ୍ମଣ ରେ ସୁମିତ୍ରାନନ୍ଦନ ।

 

ଆଦିତ୍ୟକିରଣ କିମ୍ପା ଦହୁଅଛି କାୟ

 

ମୋତେ ଦିଶୁଅଛି ହୋ ଅନଳ ବୃଷ୍ଟି ପ୍ରାୟ ।

 

ତରୁବର-ଛାୟାରେ ତୁ ବସ ଭାଇ ମୋର

 

ଆଦିତ୍ୟକିରଣ-କଷ୍ଟୀ ନ କର ଶରୀର

। ୨୫ ।

 

 

କହଇ ଲକ୍ଷ୍ମଣ ବୀର ଯୋଡ଼ି ବେନି କର

 

ଆଦିତ୍ୟକିରଣ ଏ ନୋହଇ ଚାପଧର ।

 

ଆଦିତ୍ୟ ହୋଇଲେ ହତ ଚନ୍ଦ୍ରମା ଉଦୟ

 

ଚନ୍ଦ୍ରମାକିରଣକୁ ନ କର ଦେବ ଭୟ ।

 

ଶ୍ରୀରାମ ବୋଇଲେ ବାବୁ ଶୁଣ ମୋର ବାଣୀ

 

ସର୍ବକାଳେ ଉଦୟ ହୁଅନ୍ତି ନିଶାମଣି ।

 

ଏ ଯେବେ ଚନ୍ଦ୍ରମା କିମ୍ପା ଦେଉଅଛି ତାପ

 

ଏତେ ବୋଲି ଶ୍ରୀ ଭୁଜେ ଧଇଲେ ଶରଚାପ ।

 

ଦେବଇଁ ତାପର ଫଳ କରିବଇଁ ଦଣ୍ଡ

 

ଛେଦିବି ଚନ୍ଦ୍ରମଣ୍ଡଳ କରି ଖଣ୍ଡ ଖଣ୍ଡ

। ୩୦।

 

 

ଲକ୍ଷ୍ମଣ ବୋଲନ୍ତି ଦେବ କୋପ କର ଶାନ୍ତି

 

ଚିତ୍ତ ଭ୍ରମିହେଉଅଛି ବିଚ୍ଛେଦୁଁ ମହାସତୀ ।

 

ଶରଦ-ସମ୍ପୂର୍ଣ-ଚନ୍ଦ୍ରମୁଖୀ ଦେବୀସୀତା

 

ଜଗତର ଜନନୀ ଯେ ତୋହୋର ବନିତ ।

 

ନିକଟେ ସେ ନ ଥିଲାକୁ ବିଚ୍ଛେଦ- ଅନଳ

 

ସୀତୟା ବିହୁନେ ଦେବ ଆତ୍ମା ତୋ ବିକଳ ।

 

ଶ୍ରୀରାମ ବୋଲନ୍ତି ଯାହା କହୁ ବଚନରେ

 

ସୀତୟା କିପାଇଁ ମୋର ନାହିଁ ନିକଟରେ ।

 

ଲକ୍ଷ୍ମଣ ବୋଲଇଁ ଆମ୍ଭେ ଗୃହେ ନ ଥିଲାଇ

 

ସୀତାୟାକୁ କେହୁ ହରିନେଲା ବନସ୍ତଇଁ

। ୩୫ ।

 

 

ଲକ୍ଷ୍ମଣର ବଚନ ଯେ ରାମଚନ୍ଦ୍ର ଶୁଣି

 

ସୀତା ସୀତା ବୋଲି ରାମ ଶୋଇଲେ ଧରଣୀ ।

 

ଧନୁଶର ପକାଇଲେ ସୁମିତ୍ରାକୁମର

 

କୋଳକରି ଶ୍ରୀରାମକୁ ଧଇଲେ କୋଡର ।

 

ଧଇର୍ଯ୍ୟ ହୋଇବା ସ୍ଵାମୀ ନୋହିବା ଦୁଃଖିତ

 

ଉଦଯୋଗ କରିବା ହରଷ ହୁଏ ଚିତ୍ତ ।

 

କ୍ଷଣେ କ୍ଷଣେ ଚେତନା କ୍ଷଣକେ ଅଚେତନ

 

କ୍ଷଣେ କ୍ଷଣେ ସୀତା ସୀତା ବୋଲନ୍ତି ବଚନ ।

 

ଏମନ୍ତ ପ୍ରକାରେ ତହିଁ ବସି ବେନି ବୀର

 

ହୋଇଲା ପ୍ରଭାତ କାଳ ନିଶି ଉଜାଗର

। ୪୦।

 

 

କବନ୍ଧ ଗନ୍ଧର୍ବର ବଚନ ରାମ ଶୁଣି

 

କାହିଁ ଥିବ ସୁଗ୍ରୀବର ତଥ୍ୟ ତ ନ ଜାଣି ।

 

ଯାଉଁ ଯାଉଁ ବାଟରେ ସେ ଭେଟିଲେ ତାହାକୁ

 

ତିହ୍ନିଙ୍କରି କାୟେ ବିହି କରିଛି କଷ୍ଟକୁ ।

 

ଏତେ ବୋଲି ଅରଣ୍ୟେ ଗମନ୍ତି ବେନି ଭାଇ

 

ଜଳଇ ବିରହଅଗ୍ନି ସୀତାକୁ ହରାଇ ।

 

ପମ୍ପାସରୋବରକୁ ସେ ଅଟଇ ପଶ୍ଚିମ

 

ଶ୍ରମଣା ଶବରୀ ଯହିଁ କରିଛି ଆଶ୍ରମ ।

 

ତହି ଯାଇଁ ପ୍ରବେଶ ହୋଇଲେ ବେନି ବୀର

 

ଦେଖିଣ ଶବରୀ ହୋଏ ଗୃହରୁ ବାହାର

। ୪୫।

 

 

ବିବିଧ କୁସୁମ ଉପହାର କରେ ଘେନି

 

ଯଥାଶକ୍ୟ (ଶକ୍ଷ ବା ଶକ୍ତି ) ଭାବରେ ପୂଜିଲା ଭାଇ ବେନି ।

 

କରପତ୍ର ଯୋଡି କହେ ଶ୍ରୀରାମ ଆଗର

 

ସାବଧାନେ ଶୁଣ ଦେବ ମୋହୋର ଉତ୍ତର ।

 

ଏ ଆଶ୍ରମେ ତପ କରୁଥିଲେ ମୁନିଗଣ

 

ମୁହିଁ ସେବା କରୁଥିଲି ତାହାଙ୍କ ଚରଣ ।

 

ତୋପୋବଳେ ମୁନିଗଣ ଗଲେ ସ୍ଵର୍ଗପୁର

 

ଯାହା କହିଗଲେ ମୋତେ ଶୁଣ ରଘୁବୀର ।

 

ଦଶରଥ ନନ୍ଦନ ଶ୍ରୀରାମଚନ୍ଦ୍ର ନାମ

 

ତୋର ଭାଗ୍ୟବଳେ ସେ ଆସିବେ ଏ ଆଶ୍ରମ

। ୫୦।

 

 

ତାହାଙ୍କର ଚରଣ ତୁ ଦେଖିବୁ ନୟନେ

 

ଆନନ୍ଦେ ବସିବୁ ଯାଇଁ ଆମର ଭୁବନେ ।

 

ଭୋ ଦେବ ମୋହୋର ଭାଗ୍ୟେ ଅଇଲ ଏ ବନ

 

ତୁମ୍ଭ ରୁପ ଦେଖି ଗଲା ପାତକ ଦହନ ।

 

ଏତେ କହି ଶ୍ରୀରାମଚରଣେ ଦେଇ ଶିର

 

ଶୂନ୍ୟରେ ମିଶିଲା ସେ ଶବରୀ ସୁରପୁର ।

 

ସେଦିନରେ ବେନି ଭାଇ ରହିଲେ ସେଠାରେ

 

ରାତ୍ରଶେଷେ ସେଠାବରୁ ଗଲେ ଧାତିକାରେ ।

 

ପମ୍ପା ନାମେ ସରୋବରେ ହୋଇଲେ ପ୍ରବେଶ

 

ତୃଷା ଶେଷ କଲ ତହିଁ କରି ଜଳଗ୍ରାସ

। ୫୫ ।

 

 

କହେ ରାଜା ଗୋବିନ୍ଦ ସେ ଧନ୍ୟ ସରୋବର

 

ଯାର ଜଳ ଗ୍ରାସ କଲେ ଜଗତସୋଦର ।

 

ଶରଣ ଦ୍ରୋହୀ ଗୋବିନ୍ଦ ଶ୍ରୀରାମ ପୟରେ

 

ଜନ୍ମେ ଜନ୍ମେ ବିଚ୍ଛେଦ ନୋହିବ ହୃଦୟରେ ।

 

କଳହଂସ ବେନି ଗୋଟି ଶରେ ନାଶ କରି

 

କ୍ଷୁଧା ନାଶ କଲେ ହରି ପିତୃକାର୍ଯ୍ୟ କରି ।

 

ଦିବସ ହୋଇଲା ଶେଷ ରଜନୀ ପ୍ରବେଶ

 

ସୀତାକୁ ସୁମରି ରାମ ଛାଡ଼ନ୍ତି ନିଃଶ୍ୱାସ ।

 

ବିଶ୍ରାମିଲେ ବେନି ଭାଇ ତରୁବର ତଳେ

 

ପ୍ରକାଶ ସକଳ ଦିଗ ଚନ୍ଦ୍ରମା ଉଜ୍ଜ୍ୱଳେ ।

 

ହୋଇଛି ବସନ୍ତ ଋତୁ ଷଡ଼ଋତୁ ରାଜା

 

ହୋଇଲେ ସକଳ ଜନ୍ତୁ ଅନଙ୍ଗର ପ୍ରଜା ।

 

ଚୂତ ତରୁମାନେ ବିଜୁଳିରେ ତା ରାଜ୍ୟରେ

 

କୋକିଳ ପଞ୍ଚମ ସ୍ୱର ଡାକଇ ସୁସ୍ୱରେ

। ୫ ।

 

 

ଘନବନ ପୂରିଅଛି ଝିଙ୍କାରିର ସ୍ୱନ

 

Unknown

ସୁଗନ୍ଧ ସହିତେ ବହେ ମଳୟ ପବନ ।

 

ବୃକ୍ଷରୁ କୁସୁମମାନେ ପଡ଼ୁଛନ୍ତି ଖସି

 

ମତ୍ତଭରେ ଭ୍ରମରେ ପିବନ୍ତି ମଧୁ ବସି ।

 

ଯୋଡ଼ି ଯୋଡ଼ି ହୋଇଛନ୍ତି ବାନର ବାନରୀ

 

ଡାକଇ ପିପିଆ ପକ୍ଷୀ ପ୍ରିୟା କରି ।

 

ବନଜୀବେ କ୍ରୀଡ଼ନ୍ତି ବନରେ ମତ୍ତଭରେ

 

ରାମଚନ୍ଦ୍ର ଦେଖିଲେ ସକଳ ନୟନରେ ।

 

ବୋଲନ୍ତି ଲକ୍ଷ୍ମଣ ଶୁଣ ପ୍ରାଣ ସମ ଭାଇ

 

ଦହଇ ଶରୀର ମୋର ସୀତାକୁ ହରାଇ

। ୧୦ ।

 

 

ସୀତୟା-ବିଚ୍ଛେଦ ମୋର ଜାଣିଲା ମଦନ

 

ବସାଇ ପଞ୍ଚମ ଶର ବିନ୍ଧୁଅଛି ବାଣ ।

 

ନିରନ୍ତରେ ପ୍ରହାରଇ ହୃଦରେ ମୋହର

 

ସହିବି କେମନ୍ତେ କହ ସୁମିତ୍ରାକୁମର ।

 

ବନଜୀବେ କ୍ରୀଡ଼ା ଦେଖ କରନ୍ତି ବନରେ

 

ଯୋଡ଼ି ଯୋଡ଼ି ହୋଇଛନ୍ତି ହରଷମନରେ ।

 

ସୀତୟାର ସଙ୍ଗ ମୋର ଭଙ୍ଗ କଲା ବିହି

 

ମଦନେ ଦହନ ମନ ଛନ୍ନ ମୋର ଦେହି ।

 

ଲକ୍ଷ୍ମଣ କହଇ ତୁ ଯେ ପରମ ପୁରୁଷ

 

କି ଅବା ନ ଜାଣୁ ଦେବ କହିବି ମୁଁ କିସ

। ୧୫ ।

 

 

କୋଟି ମେରୁ ଗିରି ଜିଣି ଧଇର୍ଯ୍ୟ ଯାହାର

 

ଗଭୀରେ ନୁହନ୍ତି ସମ ଯା କୋଟି ସାଗର ।

 

କାରୁଣ୍ୟ ବଚନେ ତୁ କହିଲୁ ଦୟାନିଧି

 

ବୃହସ୍ପତି ବେଳେ ତୋତେ ନୋହିବ ପ୍ରବୋଧି ।

 

ଆପଣାକୁ ଆପଣ ପ୍ରବୋଧ ଦେବ କର

 

ତୁ ତ ଜାଣୁ ଦୟାନିଧି ସକଳ ବିଚାର ।

 

ଡ଼ାକେ ଦ୍ରୋହୀ ଗୋବିନ୍ଦ ଶ୍ରୀରାମ ରକ୍ଷା କର

 

ନିଗମେ ଅଗମ୍ୟ ଦେବ ମହିମା ତୋହୋର ।

 

କଥାବାର୍ତ୍ତା ହୋନ୍ତେ ନିଶି ହୋଇଲା ପ୍ରଭାତ

 

ପୂର୍ବ ଦିଗେ ପ୍ରକାଶ ହୋଇଲେ ଦିନନାଥ

। ୨୦ ।

 

 

ପମ୍ପାସରୋବରେ ରାମ ନିତ୍ୟକର୍ମ ସାରି

 

ପିତୃଗଣମାନଙ୍କୁ ସେ ଜଳଦାନ କରି ।

 

ବେନି ଭାଇ ଅଙ୍ଗରେ କବଚ ବେନି ଭରି

 

ତୂଣ ବାଣ ଖଡ଼ଗ ବାନ୍ଧିଲେ ଦୃଢ କରି ।

 

ବାମେ ଧନୁ ଧଇଲେ ଦକ୍ଷିଣେ ତୀକ୍ଷ ଶର

 

ଋଷ୍ୟମୂକଗିରିକୁ ବିଜୟେ ବେନି ବୀର ।

 

ଘନବନ ଗିରିବର ଲଙ୍ଘି ବେନି ଭାଇ

 

ଋଷ୍ୟମୂକ ନିକଟେ ପ୍ରବେଶ ହେଲେ ଯାଇ ।

 

ସୁଗ୍ରୀବର ରହିଥିଲେ ଋଷ୍ୟମୂକ ଗିରି

 

ଯୂଥପତିମାନେ ହନୁମାନ ଆଦି କରି

। ୨୫ ।

 

 

ଋଷ୍ୟମୂକ ଗିରିବରୁ ଓହ୍ଲାଇ ସକଳ

 

ପୃଥିବୀରେ ଗମନ୍ତି ସକଳ ମହାବୀର ।

 

ଦୂରୁହୁଁ ଦେଖିଲେ ସର୍ବ ବାନରସଇନି

 

ବେନି ବୀର ଦିଶନ୍ତି କି ପ୍ରଚଣ୍ଡ ବହନି ।

 

ସୁଗ୍ରୀବର କହଇ ତୁ ଶୁଣ ହନୁମାନ

 

ଧନୁଶର ଧରି କେ ଆସନ୍ତି ବେନି ଜନ ।

 

କରେ ଶସ୍ତ୍ର ଘେନିଣ ଆସନ୍ତି ବେନି ବୀରେ

 

ତେଜ ଦେଖିଣ ତ୍ରାସ ବାବୁ ଲାଗୁଛି ମୋହୋରେ ।

 

ନରଲୋକ ଦେବଲୋକ ଦାନବ ଲୋକରେ

 

ସର୍ବ ଧନୁର୍ଧର ଦେଖିଅଛି ନୟନରେ

। ୩୦ ।

 

 

ଏମନ୍ତ ପରମଜ୍ୟୋତି ଦେଖିଲା ତ ନାହିଁ

 

କାହୁଁ ଆସି ପ୍ରବେଶ ହୋଇଲେ ଥିଲେ କାହି

 

ପଳାଇବା ହନୁମାନ ଏ ଅରଣ୍ୟ ଛାଡ଼ି

 

ପ୍ରଳୟ ଅନଳ ପ୍ରାୟେ ଆସୁଅଛି ମାଡ଼ି ।

 

ଏତେ କହି ସୁଗ୍ରୀବର ଉଠିଲା ତଡ଼ତି

 

ଚିର ତେଜି ପଳାଇଲା ଘେନି ଯୂଥପତି ।

 

ଅନେକ ପର୍ବତ ତେଜି ସକଳ ବାନରେ

 

ପଳାଇ ପଶିଲେ ଗିରି ଗହନ କନ୍ଦରେ ।

 

ସର୍ବ ଯୂଥପତି ଘେନି ସୁଗ୍ରୀବ ବାନର

 

ସର୍ବଥା ଧଇର୍ଯ୍ୟ ତାର ନୋହିଲା ଶରୀର

। ୩୫ ।

 

 

ଯୂଥପତି ସହିତେ ସେ କରଇ ବିଚାର

 

ଅଇଲେ କେବଣ ସ୍ଥାନୁ ବେନି ଧନୁର୍ଦ୍ଧର ।

 

ତୁମ୍ଭେ ଅବା କି ବୋଲ ମୋହୋର ବଡ଼ ଭୟ

 

ମଣଇ ମୁଁ ବାଳିର ସେ ପକ୍ଷ ଲୋକ ପ୍ରାୟ ।

 

ଋଷିତପ-ତେଜବଳେ ନ ପାରଇ ଆସି

 

ସେ ଘେନି ବେନି ବୀରଙ୍କୁ ଦେଇଅଛି ପେଷି ।

 

ଗୁପତେ ଆମ୍ଭଙ୍କୁ ଅରଣ୍ୟରେ ଯିବେ ନାଶି

 

ଧନୁଶର ଦିଶଇ ପ୍ରତ୍ୟେକ୍ଷ କାଳଫାଶି ।

 

ମୋହୋର ବଚନ ଶୁଣ ସକଳ ବାନରେ

 

ଦିଗନ୍ତରେ ଯିବା ନ ରହିବା ଏ ବନରେ

। ୪୦ ।

 

 

ସୁଗ୍ରୀବର ବଚନେ କହଇ ଜାମ୍ବବାନ

 

ମୋହୋର ବଚନ ଶୁଣ ବାନରରାଜନ ।

 

ବେନି ଧନୁର୍ଦ୍ଧର ଯାହା ଦେଖିଲୁ ବନରେ

 

ତେଜିଲୁ ନୋହଇ ଚାହିଁ ବେନି ନୟନରେ ।

 

ପରମ ପୁରୁଷ ବେନି ହରିହର ପ୍ରାୟ

 

କପଟେ କି ଧରିଛନ୍ତି ମନୁଷ୍ୟର କାୟ ।

 

ବାଳିର ପ୍ରେଷିତ ପ୍ରାୟ ନ ଦିଶନ୍ତି ବେନି

 

ଦୂତ ପେଷି ବୁଝିବା ନିୟତ ଭାବ ଘେନି ।

 

ଭୟ କି ନିର୍ଭୟ ସର୍ବ ଦିଗରୁ ବୁଝିବା

 

ଦୁଇ କଥା ଜାଣି କରି ଅରଣ୍ୟେ ପଶିବା

। ୪୫ ।

 

 

ଶୌର୍ଯ୍ୟବନ୍ତ ସୁବୁଦ୍ଧି ଜାଣଇ ଧର୍ମଗତ

 

ଅଞ୍ଜନାର ନନ୍ଦନ ସେ ପବନସନ୍ତତି ।

 

ବେଗେ ଯାଉ ହନୁମାନ ତୋର ଆଜ୍ଞା ଘେନି

 

ବୁଝି କରି ଆସୁ ସେ ଯେ ମହାବୀର ବେନି ।

 

ଜାଣି ତ ନ ପାରି ରାଜା ଦଇବର ବଳ

 

ତାହାଙ୍କରେ ଲାଭ ଅବା ଲଭିବା ସକଳ ।

 

ଜାମ୍ବବବଚନେ ସୁଗ୍ରୀବର କହେ ବାଣୀ

 

ଯାଅ ବାବୁ ହନୁମାନ ଆସ ସର୍ବ ଜାଣି ।

 

ଏଠାରେ ରହିଲେ ନ ହୋଇବ ଯଦି ତ୍ରାସ

 

ଭଲ ମନ୍ଦ ଦୁଇ କଥା ବୁଝି କରି ଆସ

। ୫୦ ।

 

 

ଆଜ୍ଞା ପାଇ ଉଠିଲା ସେ ପବନତନୟେ

 

ବେଳ ଘରି ଲଗ୍ନଯୋଗ ବୁଝି ଶୁଭସୋୟେ ।

 

ଅଦଭୁତ ହୋଇ ଚିତ୍ତ ହେଉଛି ହରଷ

 

ଶ୍ରୀରାମ ନିକଟେ ଯାଇଁ ହୋଇଲା ପ୍ରବେଶ ।

 

ଦୂରୁହୁଁ ଦେଖିଲା ରାମ ପ୍ରସନ୍ନବଦନ

 

ରୂପରେ ଶୋହଇ ସମ କୋଟିଏ ମଦନ ।

 

ଶ୍ୟାମଳ ସୁନ୍ଦର ରାମ ପଙ୍କଜନୟନ

 

ଶିରେ ଜଟାଭାର କଟି ବକଳବସନ ।

 

ରକତ କୁମୁଦ କରଚରଣର କାନ୍ତି

 

ଗଣ୍ଡମୂଳେ ବିଚିତ୍ର କୁଣ୍ଡଳ ବିରାଜନ୍ତି

। ୫୫ ।

 

 

ହରି ସଙ୍ଗେ ହର ପ୍ରାୟେ ଲକ୍ଷ୍ମଣ ଦିଶଇ

 

ବେନି ଶ୍ରୀଭୁଜରେ ଧନୁଶର ବିରାଜଇ ।

 

ଦୂରୁହୁଁ ଦେଖି ଜାଣିଲେ ପବନ ତନୟ

 

ନିରଞ୍ଜନ ପୁରୁଷ ହୋଇଲା ନରକାୟ ।

 

ତ୍ରାହି ତ୍ରାହି ବୋଲିଣ ତୋଳିଲା ବେନି କର

 

ଦଣ୍ଡବତେ ଶୋଇଲା କ୍ଷିତିରେ ମହାବୀର

 

ଲକ୍ଷ୍ମଣ ଜଣାଇ ଶୁଣ ଦେବ ରଘୁବୀର

 

ଦଣ୍ଡବତେ ଶୋଇଅଛି କେବଣ ବାନର ।

 

ସାବଧାନେ ମହାପ୍ରଭୁ କରିବା ସଦୟ

 

କରୁଣାବଚନେ ତାର ଛଡ଼ାଇବା ଭୟ

। ୬୦ ।

 

 

କବନ୍ଧ ଗନ୍ଧର୍ବ ଯାହା ପୂର୍ବେ ଥିଲା କହି

 

ସୁଗ୍ରୀବ ବାନର ଶୁଣି ଅବା ହୋଇବେଟି ଏହି ।

 

ଲକ୍ଷ୍ମଣ ବଚନ ଶୁଣି କରୁଣାସାଗର

 

ଆଜ୍ଞା ଦେଲେ ଉଠ ଉଠ ବିନୟ ବାନର ।

 

ହରଷେ ପୁଲକ ତାର ସକଳ ଶରୀର

 

ଆନନ୍ଦରେ ନୟନୁଁ ବହଇ ଅଶ୍ରୁଜଳ ।

 

ବୋଲଇ ଦେଖିଲି ବ୍ରହ୍ମ ବେନି ଚର୍ମଡ଼ୋଳେ

 

ଏମନ୍ତ ବୋଲିଣ ବୀର ଉଭା ହୋଇ ଭୋଳେ ।

 

ଲକ୍ଷ୍ମଣ କହଇ ଧନ୍ୟ ଜନନୀ ତୋହୋର

 

ଧନ୍ୟ ପୁତ୍ର ପାଇଅଛି ଯେ ତୋର ପିଅର

। ୬୫ ।

 

 

ଶ୍ରୀରାମଚରଣେ ତୋର ଏଡ଼େ ଭକ୍ତି ବୁଦ୍ଧି

 

ବୁଡ଼ିଲୁ ବାନର ନିଶ୍ଚେ ଆନନ୍ଦପୟୋଧି ।

 

ହନୁମାନ ମସ୍ତକରେ ଦେଇ ରାମ କର

 

ବୋଇଲେ ହୋ ସୁସ୍ଥ ଚିତ୍ତେ କହ ତୁ ବାନର ।

 

କି ନିମନ୍ତେ ମୋତେ ତୋର ଏତେକ ସେନେହ

 

କି ନିମନ୍ତେ ଅଇଲୁ ସମସ୍ତ ମୋତେ କହ ।

 

କହଇ ପବନସୁତ ଯୋଡ଼ି ବେନି କର

 

ଋଷ୍ୟମୂକେ ଅଛି ଦେବ ସୁଗ୍ରୀବ ବାନର ।

 

ଆସନ୍ତେ ଦେଖିଲା ପଥେ ଧନୁର୍ଦ୍ଧର ବେନି

 

ଭୟେ ପଳାଇଲା ତୋତେ ନ ପାରିଲା ଚିହ୍ନି

। ୭୦ ।

 

 

ଦେଖିଲା ତୋହୋର ତେଜ ଅନଳ ସମାନ

 

ଭୟ ପାଇ ଗିରିବର ଛାଡ଼ିବାକୁ ମନ ।

 

ଧଇର୍ଯ୍ୟ କରାଇ ତାକୁ ଅଇଲି ଗୋସାଇଁ

 

ପରମ ପୁରୁଷ ତୋତେ ଜାଣିବାର ପାଇ ।

 

ପବନନନ୍ଦନ ମୋର ନାମ ହନୁମାନ

 

ପୂର୍ବ ଭାଗ୍ୟବଳେ ତୋର ପାଇଲି ଦର୍ଶନ ।

 

ତୋହୋର ଶ୍ରୀମୁଖ ଆଜ୍ଞା ପାଇକରି ଯିବି

 

ଯାହା ଆଜ୍ଞା ଦେବ ତାକୁ ସମସ୍ତ କହିବି ।

 

ମୁଁ କିସ କହିବି ତୁ ଯେ ସର୍ବ ଅନ୍ତର୍ଯ୍ୟାମୀ

 

କି ବୋଲି କହିବି ଆଜ୍ଞା ଦେବା ମୋତେ ସ୍ୱାମୀ

। ୭୫ ।

 

 

ହନୁମାନ ମୁଖରୁ ବିନୟ ବାଣୀ ଶୁଣି

 

ଆଜ୍ଞା ଦେଲେ ମେଘ ଯେ ଗମ୍ଭୀର ଗୁରୁ ବାଣୀ ।

 

ସରଯୂ ନଦୀର ତଟେ ଅଯୋଧ୍ୟା ନଗର

 

ତହିଁର ରାଜନ ଦଶରଥ ନୃପବର ।

 

ତାହାର ନନ୍ଦନ ରାମଚନ୍ଦ୍ର ନାମ ମୋର

 

ଭରତ ଶତ୍ରୁଘ୍ନ ଭାଇ ଲକ୍ଷ୍ମଣ ସୋଦର ।

 

ଭାରିଯା ମୋହର ସୀତା ପରମ ସୁନ୍ଦରୀ ।

 

କଉଶଲ୍ୟା ଅଟନ୍ତି ମୋହୋର ଗର୍ଭଧାରୀ

 

କଇକେୟୀ ସୁମିତ୍ରା ରାଜାର ତିନି ନାରୀ ।

୮୦ ।

 

 

ରାଜ୍ୟରେ ରାଜନ ମୋତେ କରୁଥିଲେ ତାତ

 

କଇକେୟୀ ନାମେ ନାରୀ ଭରତର ମାତ ।

 

ସଉଭଗୀ ସର୍ବଦା ସେ ଅଟନ୍ତି ରାଜାର

 

ସେବା ଫଳେ ତୁଷ୍ଟ ହୋଇ ରାଜା ଦେଲେ ବର ।

 

ବୋଇଲା ଭରତ ରାଜା ଅଯୋଧ୍ୟା ନଗର

 

ସତ୍ୟରେ ହୋଇଲେ ବନ୍ଦୀ ମୋହୋର ପିଅର ।

 

ପିତାସତ୍ୟ ନିମନ୍ତେ ମୁଁ ଅଇଲି ବନରେ

 

ସୀତା ହରାଇଲେ ପଞ୍ଚବଟୀ ବନସ୍ତରେ ।

 

ପଞ୍ଚବଟୀ ବନରେ ମୁଁ ସୀତା ହରାଇଲି

 

କେହୁ ନେଲା ସୀତୟାକୁ ତଥ୍ୟ ନ ପାଇଲି

। ୮୫ ।

 

 

ବନେ ପଶ ଖୋଜିଲି ସୀତାର ପ୍ରତିଆଶେ

 

ପ୍ରବେଶ ହୋଇଲି ଜଟାୟୁଷ ପକ୍ଷୀ ପାଶେ ।

 

ଜଟାୟୁଷ ପକ୍ଷୀ ଏକା କହିଲା ବାରତା

 

ଲଙ୍କାପତି ରାକ୍ଷସ ନିଶ୍ଚୟ ନେଲା ସୀତା

 

ତାହାର ବଚନେ ମୁଁ ଅବୋଧଚିତ୍ତ ହୋଇ

 

ଭ୍ରମର ଅରଣ୍ୟେ ପଶି ସୀତୟାର ପାଇଁ ।

 

ସୀତାକୁ ଖୋଜନ୍ତେ ବନ ବନାନ୍ତରେ ପଶି

 

କବନ୍ଧ ରାକ୍ଷସକୁ ଭେଟିଲୁ ଆମ୍ଭେ ଆସି ।

 

ଆମ୍ଭନ୍ତ ଭକ୍ଷିବ ବୋଲି ବିଚାରିଲା ଚିତ୍ତେ

 

ଛେଦିଲୁ ତାହର ବାହୁ ଖଡ଼ଗର ଘାତେ

। ୯୦ ।

 

 

ଦେହତ୍ୟାଗ କରି ଯାଇଁ ବସିଲା ଗଗନେ

 

ଗନ୍ଧର୍ବ ସ୍ୱରୂପ ହୋଇ ବସିଲା ବିମାନେ ।

 

ବିମାନରେ ବସି ସେ କହିଲା ଚାରୁ ବାଣୀ

 

ମୋହୋର ବଚନ ତୁମ୍ଭେ ଶୁଣ ରଘୁମଣି ।

 

ଋଷ୍ୟମୂକେ ରହିଅଛି ସୁଗ୍ରୀବ ବାନର

 

ସୀତୟାର ସନ୍ଦେଶ ଜାଣଇ ମହାବୀର ।

 

ବେନିଭାଇ ଚଳିଯାଅ ତାହାର ପାଶକୁ

 

ସୀତୟା ସନ୍ଦେଶ ସବୁ କହିବି ତୁମ୍ଭଙ୍କୁ ।

 

ତାହାର ବଚନ ଶୁଣି ଅଇଲୁ ଏ ସ୍ଥାନ

 

ସକଳ କହିଲୁ ତୋତେ ଶୁଣ ହନୁମାନ

। ୯୫ ।

 

 

କାହିଁ ଅଛି ସୁଗ୍ରୀବ ପାଉଛି ମନେ ତ୍ରାସ

 

ଯାଅ ବାବୁ ପାବନି ତୁରିତେ ଘେନିଆସ ।

 

ଶ୍ରୀରାମ ମଧୁର ବାଣୀ ଶୁଣି ହନୁମାନ

 

ଶରେ କର ଦେଇ ବୀର ଉଠିଲା ବହନ ।

 

ପ୍ରଦକ୍ଷିଣ କରି ଶିର ଚରଣେ ଲଗାଇ

 

ଗିରି ସର୍ବ ଲଙ୍ଘି ଗଲା ପବନତନଇ ।

 

ସର୍ବ ବଳ ଘେନି ଯହିଁ ଅଛି ରଘୁବୀର

 

ପ୍ରବେଶ ହୋଇଲା ତହିଁ କେଶରିକୁମର ।

 

ଦେଖିଲେ ହନୁକୁ ଦୂରୁ ସକଳ ବାନରେ

 

ହସ ହସ ହେଉଅଛି ହରଷମନରେ

। ୧୦୦ ।

 

 

ଜାମ୍ବବାନ ମୁଖ ଚାହିଁ ସୁଗ୍ରୀବ କହଇ

 

ହରଷେ ତ ଆସୁଅଛି ପବନତନଇ ।

 

ଦୂତର ହରଷେ କାର୍ଯ୍ୟ ହୁଅଇ ସଫଳ

 

କଥା ହୋନ୍ତେ ପ୍ରବେଶ ହୋଇଲା ମହାବଳ ।

 

ସୁଗ୍ରୀବର ଜାମ୍ବବାନ ସୁଷେଣ ସହିତେ

 

ନମସ୍କାର କଲା ବୀର ହରଷିତ ଚିତ୍ତେ ।

 

ସୁଗ୍ରୀବ କହଇ ବାବୁ ଶୁଣ ହନୁମାନ

 

ଭୟ କି ନିର୍ଭୟ କହ କୁଶଳ ବଚନ ।

 

ହନୁମାନ କହେ ଶୁଣ ବାନର ନୃପତି

 

ଆଜିଠାରୁ ଗଲା ତୋର ସକଳ ଦୁର୍ଗତି

। ୧୦୫ ।

 

 

ଅଯୋଧ୍ୟାନୃପତି ଦଶରଥ କୁମର

 

ଶ୍ରୀରାମ ଲକ୍ଷ୍ମଣ ନାମେ ବେନି ଧନୁର୍ଦ୍ଧର ।

 

ପରମପୁରୁଷ ରାମ ନର ରୂପ ଧରି

 

ତୋର ଭାଗ୍ୟବଳରୁ ଅଇଲେ ବିଜେ କରି ।

 

ବିଳମ୍ବ ନ କର ରାଜା ଉଠ ବେଗ ହୋଇ

 

ରାମଚନ୍ଦ୍ର ଚରଣେ ଶରଣ ପଶ ଯାଇଁ ।

 

ଦର୍ଶନେ ନାଶିବ ତୋର ସର୍ବ ଦୁଃଖଭାର

 

ଜନ୍ମ ମୃତ୍ୟୁ ଭୟ ଆଉ ନୋହିବ ତୋହୋର ।

 

ଯେଉଁ ଭାବେ ବନକୁ ଅଇଲେ ମହାସତୀ

। ୧୧୦ ।

 

 

ଯେଉଁ ଭାବେ ରାମକୁ କହିଲା ପକ୍ଷିବର

 

କରାଦ କହିଲା ଯାହା ବିମାନ ଉପର ।

 

ଯେତେ ଭାବେ ଆଜ୍ଞା ଦେଇଥିଲେ ରଘୁପତି

 

ସୁଗ୍ରୀବ ଆଗରେ ସବୁ କହିଲା ମାରୁତି ।

 

ହନୁମାନବଚନେ ଉଠିଲା ସୁଗ୍ରୀବର

 

ରାମନାମ ଶବଦେ ପୂରିଲା ଗିରିବର ।

 

ଅଇଲା ସୁଗ୍ରୀବ ସବୁ ଯୂଥପତି ଘେନି

 

ପଥଯାକ ଶୁଭୁଅଛି ତ୍ରାହି ରାମ ଧ୍ୱନି ।

 

ବସିଛନ୍ତି ବେନିଭାଇ ନଦୀର ତଟରେ

 

ଧନୁଶର ଘେନି ବେନି ପାଷାଣ ଉପରେ

। ୧୧୫ ।

 

 

ସୁଗ୍ରୀବର ଆସନ୍ତେ କିମ୍ପଇ ଗିରିବର

 

ସର୍ବଶାଖା ସହିତେ କିମ୍ପନ୍ତି ତରୁବର ।

 

ଲକ୍ଷ୍ମଣ କହନ୍ତି ଦେବ ଶୁଣ ଦାଶରଥି

 

ଆସୁଅଛି ପରା ଦେବ ବାନରନୃପତି ।

 

ଗିରିବର କମ୍ପଇ କମ୍ପଇ ତରୁଡ଼ାଳ

 

ସୁଗ୍ରୀବ ଆସୁଛି ଘେନି ବାନର ସକଳ ।

 

ଏତେ କହି ଆଗରେ ହୋଇଲେ ଯାଇ ଉଭା

 

ଦ୍ୟୁତିତ କାଞ୍ଚନ ପ୍ରାଏ ଦିଶୁଅଛି ଶୋଭା ।

 

ଦୂରହୁଁ ଦେଖିଲା ରୁପ ସୁଗ୍ରୀବ ବାନର

 

ନିରାକାର ପୁରୁଷ ଏ ହୋଇଛି ବଆକାର

। ୧୨୦ ।

 

 

ଯେତେଦୂରୁ ଦିଶିଲା ଶ୍ରୀରାମ ବଦନ

 

ଦଣ୍ଡବତେ ଶୋଇଲା ସେ ବାନରରାଜନ ।

 

ପୁଣି ପୁଣି ଉଠଇ ଶୁଅଇ ପୁଣି ପୁଣି

 

ପୁଣି ପୁଣି ଯୋଡ଼ଇ ମସ୍ତକେ ବେନି ପାଣି ।

 

ନିସ୍ତରିଲି ନିସ୍ତରିଲି ତ୍ରାହି କର ରାମ

 

ସଂସାର ତାପରୁ ତୋର ଚରଣ ବିଶ୍ରାମ ।

 

ତୁ ଦେବ ନିର୍ମଳବପୁ ପରମପୁରୁଷ

 

କୃପା କଲୁ ବାନର ଚକ୍ଷୁକୁ ଦେଲୁ ଦୃଶ୍ୟ ।

 

ବନସ୍ତରେ ପାଇଲି ଅମୃତମୟ ଗ୍ରାସ

 

ଜନ୍ମ-ମୃତ୍ୟୁ-କଷଣ ଦର୍ଶନେ ଗଲା ନାଶ

। ୧୨୫ ।

 

 

ସୁଗ୍ରୀବର କହନ୍ତେ ସନ୍ତୋଷ ସୀତାପତି

 

ଆଶ୍ଵାସେ ଡାକନ୍ତି ଶୁଣ ବାନରନୃପତି ।

 

ତୋହୋର ସନ୍ତୋଷଭାବ ଶୁଣିଥିଲେ କର୍ଣ୍ଣେ

 

ତହିଁକି ଅଧିକ ତୋତେ ଦେଖିଲୁ ନୟନେ ।

 

ଏତେ କହି ଶ୍ରୀରାମ ତୋଳିଲେ ବେନି କର

 

ଆଶ୍ଵାସି ସୁଗ୍ରୀବରକୁ ବସାଇ ପାଶର ।

 

ଏଥୁ ଅନନ୍ତରେ ତହିଁ ସୁଗ୍ରୀବରାଜନ

 

ଭୋ ଦେବ ସୀତୟାକାନ୍ତ ହୁଅ ସାବଧାନ ।

 

ଉଠି ବେନି କର ଯୋଡି କହଇ ବଚନ

 

ସୀତାକୁ ଗଗନେ ନେଉଥିଲା ଦଶାନନ

। ୧୩୦।

 

 

ତାହାର କୋଡରେ ସୀତା ମହାସତୀ ଥାଇ

 

ଶ୍ରୀରାମ ଲକ୍ଷ୍ମଣ ବୋଲି ଉଚ୍ଚେ ଡାକ ଦେଇ ।

 

ତାହାଙ୍କ ବଚନ ଶୁଣି ବାନର ସକଳ

 

ତଳେ ଧାଇଁଥିଲୁ ଚାହିଁ ଆକାଶମଣ୍ଡଳ ।

 

ଆମ୍ଭନ୍ତ ଦେଖିଣ ସତୀ ପରମ ଆକୁଳେ

 

ବୋଇଲେ ବଚନ ଶୁଣ ବାନର ସକଳେ ।

 

ଶ୍ରୀରାମ ଲକ୍ଷ୍ମଣଙ୍କୁ ଦେଖିଲେ ଅରଣ୍ୟରେ

 

ମୋହୋର ଆକୁଳ ସବୁ କହିବ ଛାମୁରେ ।

 

କହିବ ସୀତାକୁ ନେଲା ଲଙ୍କାର ରାବଣ

 

ମୋହୋର ବଚନ ତୁମ୍ଭେ କପିଗଣ ଶୁଣ

। ୧୩୫।

 

 

ଅମଳାଣ ବସନରେ ବାନ୍ଧି ରତ୍ନଚୂଡୀ

 

ବାନରମଣ୍ଡଳ ମଧ୍ୟେ ପକାଇଲେ ତୋଳି ।

 

ଏତେ କହି ବସ୍ତ୍ର ଚୂଡୀ ଆଗରେ ଥୋଇଲେ

 

ଶିରେ କର ଦେଇ ଦଣ୍ଡବତରେ ଶୋଇଲେ ।

 

କହେ ରାଜା ଗୋବିନ୍ଦ ବାନରରାଜ ଧନ୍ୟ

 

ବିଶେଷି କହିବ କେ ତୋହୋର ଯେତେ ପୁଣ୍ୟ ।

 

ନିର୍ମଳ ପୁରୁଷକୁ ଦର୍ଶନ କଲୁ ଆସି

 

ଯାହାର ଦର୍ଶନେ ଦୂର ହୁଏ ଦୁଃଖରାଶି

। ୧୩୯ ।

 

 

ଏଥୁ ଅନନ୍ତରେ ରାମ ସୁଗ୍ରୀବକୁ ଚାହିଁ

 

ଦେଖ ଦେଖ ସୁଗ୍ରୀବ ମୋହୋର ଦୁଃଖ ତୁହି ।

 

ପିତା ସତ୍ୟ ନିମନ୍ତେ ମୁଁ ଅଇଲି ବନରେ

 

ସୀତା ହରାଇଲି ପଞ୍ଚବଟୀ ବନସ୍ତରେ ।

 

କବନ୍ଧ ନାମେ ଗନ୍ଧର୍ବ ବସି ବିମାନରେ

 

ତୋହୋର ଚରିତ ସବୁ କହିଲା ମୋହୋରେ ।

 

ତାହାର ବଚନେ ମୁଁ ଅଇଲି ତୋର ପାଶ

 

ଶୁଣିଲି ତୋହୋର ତହୁଁ ସୀତୟା- ସନ୍ଦେଶ ।

 

ନ ଜାଣିଣ କେ ତୋହୋରେ ଦେଉଅଛି ଦୁଃଖ

 

କି ନିମନ୍ତେ ବିହି ତୋତେ ହୋଇଛି ବିମୁଖ

। ୫।

 

 

ଦୁଃଖ କହୁଁ କହୁଁ କୋପ ହୋଇଲା ମନରେ

 

ସଂହାର ସ୍ୱରୂପ ବାଣ ବସାଇ ଧନୁରେ ।

 

ଯଦି ଦୁଃଖ ଦେଉଅଛି ଦଶଦିଗପାଳ

 

ପ୍ରାଣେ ନାଶ କରି ଶିରୀ ହରିବି ସକଳ ।

 

ଯଦି ତୋତେ ( ମୋତେ ) ଦୁଃଖ ଦେଉଅଛି ସୁରପତି

 

ଦହିବି ଅମର ପୁର ନାଶିବି ସମ୍ପତ୍ତି ।

 

ବିରଞ୍ଚି ବିହରେ ସିନା ସକଳ ସଂସାର

 

ତାହାରି କୃତ୍ୟରେ ଏଡେ ଅବସ୍ଥା ମୋହୋର ।

 

ଦେଖ ତୁ ସୁଗ୍ରୀବ ମୋର ବାଣ-ବେଗ-ବଳ

 

ଛେଦିବି ବ୍ରହ୍ମମଣ୍ଡଳ ପକାଇବି ତକ୍ଷଣ

। ୧୦।

 

 

ସମୁଦ୍ରଭିତରେ ଥିଲେ ସୀତୟା ମୋହୋର

 

ବାଣଘାତେ ଶୁଖାଇବି ସପତ ସାଗର ।

 

କୋପ ଦେଖି ସୁଗ୍ରୀବ ବିଚାର କଲା ଚିତ୍ତେ

 

ନାଶିବ ଜଗତ ରାମ ସୀତାର ନିମନ୍ତେ ।

 

ଉଠି ସୁଗ୍ରୀବର ଯୋଡେ ମସ୍ତକରେ କର

 

ସାବଧାନ ହୋଇବା କୋଦଣ୍ଡ ଚାପଧର ।

 

ଯହିଁ ଥିବ ମହାସତୀ ଜନକକୁମାରୀ

 

କାହିଁ ଅଛି ବିଚାରି ଜାଣିମା ତଥ୍ୟ କରି ।

 

ତହିଁ କି ଉପାୟ ସ୍ଵାମୀ କରିବା ବିଚାରି

 

କୋପ ଶାନ୍ତ କର ଦେବ ନାରଚ ସଂହାରି

। ୧୫।

 

 

ସୁଗ୍ରୀବ କହନ୍ତେ ଶାନ୍ତ ଚିତ୍ତ ରାମ ହୋଇ

 

ପଚାରନ୍ତି ସୁଗ୍ରୀବକୁ ପାଶରେ ବସାଇ ।

 

କହ ସୁଗ୍ରୀବର ରାଜା ମୋହର ବଚନେ

 

କି ନିମନ୍ତେ ବାନର ଆଶ୍ରମ କଲୁ ବନେ ।

 

ସୁଗ୍ରୀବ କହଇ ଦେବ ଶୁଣ ଚାପପାଣି

 

ବାଳି ନାମେ ବାନର କିସ୍କିନ୍ଧାନୃପମଣି ।

 

ବଳବନ୍ତ ପଣରେ ସଂସାରେ ନାହିଁ ସରି

 

ଭରିଯା ତାହାର ତାରା ପରମ ସୁନ୍ଦରୀ ।

 

ତର୍ପଣ କରଇ ନୀତି ଚାରି ସିନ୍ଧୁଜଳେ

 

କେହି ତାକୁ ସମ୍ମୁଖ ନୁହନ୍ତି ରଣଗୋଳେ

। ୨୦।

 

 

ମୁ ତାହାର କନିଷ୍ଠ ସୋଦର ରଘୁବୀର

 

ସାବଧାନେ ସେବଇ ମୁଁ ଚରଣ ତାହାର ।

 

ଏମନ୍ତେ ଥୋକାଏ କାଳ ଅନ୍ତରେଣ କଥା

 

ସାବଧାନେ ଶୁଣ ଦେବ କହଇ ବ୍ୟବସ୍ଥା ।

 

ଦୁନ୍ଦୁଭି ନାମରେ ସେ ଦଇତ ନିଶାଚର

 

ଭ୍ରମଙ୍ଗର ମଇଁଷି ରୁପେ ସକଳ ସଂସାର ।

 

ସମୁଦ୍ର ନିକଟେ ବୀର ହୋଇଲା ପ୍ରବେଶ

 

ବୋଲଇ ସମୁଦ୍ର ବେଗେ ଆସ ମୋର ପାଶ ।

 

ମୋର ସମ ବଳବନ୍ତ କାହିଁ ନ ଦେଖିଲି

 

ତେଣୁ ତୋର ସଙ୍ଗେ ଯୁଦ୍ଧ କରିତେ ଅଇଲି

। ୨୫ ।

 

 

ତୋହୋର ମୋହୋର ଆଜି କରିବା ସମର

 

ଅସୁରବଚନ ଶୁଣି କହେ ରତ୍ନାକର ।

 

ତୋହୋର ସମାନ ମୁଁ ନୁହଇ ବଳବନ୍ତ

 

ପାର୍ବତୀର ପିତା ହିମଗିରି ବଳବନ୍ତ ।

 

ତାହାର ସଙ୍ଗରେ ବୀର ସଂଗ୍ରାମ ତୁ କର

 

ଶୁଣି କୋପେ ଧାଇଁଲା ଦୁନ୍ଦୁଭି ମହାବୀର ।

 

ହିମବନ୍ତ ନିକଟେ ପ୍ରବେଶ ହେଲା ଯାଇଁ

 

ମହାନାଦ କରଇ ଖୋଳଇ ଖୁରେ ମହୀ ।

 

ତରୁଲତାମାନନ୍ତ ଭାଞ୍ଜଇ କୋପଭରେ

 

କୋପ ଦେଖି କହେ ଗିରି ଅସୁର ଆଗରେ

। ୩୦ ।

 

 

ତୋହୋର ସଙ୍ଗତେ ମୁଁ ନୋହୋଇ ବଳେ ସମ

 

କିସ୍କିନ୍ଧାରେ ରାଜା ମହାବଳୀ ବାଳି ନାମ ।

 

ତାହାର ସଙ୍ଗତେ ରଣ କର ବୀରବର

 

ଶୁଣି କୋପ କରି ବାହୁଡ଼ିଲା ମହାସୁର ।

 

ଗିରିରାଜ-ତହୁଁ ଶୁଣି ଦୁନ୍ଦୁଭି ରାକ୍ଷସ ।

 

କିସ୍କିନ୍ଧା ନଗରେ ଆସି ହୋଇଲା ପ୍ରବେଶ

 

ଦୁଇ ମହାବଳଙ୍କର ଘୋର ସଂଗ୍ରାମରେ

 

ଗିରିବର ଭାଞ୍ଜିଲେ ଭାଞ୍ଜିଲେ ତରୁବରେ ।

 

ରାତ୍ରିଦିବା ଅବିଶ୍ରାମ ଘୋର ସଂଗ୍ରାମରେ

 

ବାଳି ତାକୁ ବୁଲାଇବା ଧରି ଚରଣରେ

। ୩୫ ।

 

 

ବୁଲାବନ୍ତେ ଦୁନ୍ଦୁଭି ଛାଡ଼ିଲା ନିଜକାୟ

 

ଅସ୍ଥି ତାର ପଡ଼ିଅଛି ଗିରିବର ପ୍ରାୟ

 

ମାୟାବୀ ନାମରେ ଦୁନ୍ଦୁଭିର ଜ୍ୟେଷ୍ଠ ଭାଇ

 

ମହାବଳେ ବଳୀ ତାକୁ ସମ ନାହିଁ କେହି ।

 

ଶୁଣିଲେ କର୍ଣ୍ଣରେ ବୀର ଦୁନ୍ଦୁଭି-ମରଣ

 

କିସ୍କିନ୍ଧା ନଗରେ ଆସି ଆରମ୍ଭିଲା ରଣ ।

 

ବାଳିକି ଦେଖି ଦାନବ ଧଇଲା ତୁରିତ

 

ବୋଇଲା ଭାଇକି ମୋର କରିଅଛୁ ହତ ।

 

ଆଜ ତୁ ବାନର ରାଜା ଯିବୁ ଯମପଥ

 

ଯୁଦ୍ଧ ହେଲେ ଜାଣିବୁ ତୁ ମୋହୋର ଅନର୍ଥ

। ୪୦ ।

 

 

ବାହାନାଦ କରିଣ ଛାଡ଼ିଲା ଦୀର୍ଘରଡ଼ି

 

ପୁର ଛାଡ଼ି ବାହାର ହୋଇଲା ବୀର ବାଳି ।

 

ବାଳିକି ଦାନବ ସେ ଯେ ଧଇଲା ତୁରିତେ

 

ବାନର ନୃପତିକି ମାଇଲା ବଜ୍ରମୁଥେ ।

 

ପାଷାଣ ଉପରେ ଯେହ୍ନେ ପକ୍ୱଫଳ ପଡ଼ି

 

ତାର ବଜ୍ରମୁଥ କିଛି ନ ମାନିଲା ବାଳି ।

 

ଦାନବ ଜାଣିଲା ବାଳି ଅତି ବଳବନ୍ତ

 

ନ କମ୍ପିଲା ଦେବୀ ତାର ପଡ଼ି ବଜ୍ରମୁଥ ।

 

ଏତେ ବୋଲି ଦାନବ ବିଚାର କଲା ମନେ

 

ରହିଲେ ନ ବଞ୍ଚିବି ବାଳିର ସନ୍ନିଧାନେ

। ୪୫ ।

 

 

ଏତେ ବୋଲି ଦାନବ ପଳାଇ ପିଠିଦେଇ

 

ତାହାକ ପଛରେ ବାଳି ଧାଇଁଲା ଗୋଡ଼ାଇ ।

 

ଅନେକ ଯୋଜନ ଗଲା ପଳାଇ ତ୍ରାସରେ

 

ପ୍ରବେଶ ହୋଇଲା ଯାଇଁ ପାତାଳ ବିବରେ ।

 

ଗୋଡ଼ାଇ ବାନର-ରାଜା କରିଅଛି ରୋଷ

 

ପାତାଳ ବିବର ଦ୍ୱାରେ ହୋଇଲା ପ୍ରବେଶ ।

 

ପଶିଲା ବାନରରାଜା ବିବର ଭିତରେ

 

ସମସ୍ତେ ଗୋଡ଼ାଇଥିଲୁ ରାଜାର ପଛରେ ।

 

ପ୍ରବେଶ ହୋଇଲୁ ଯାଇଁ ବିବରଦ୍ୱାରରେ

 

ବିବର ବେଢ଼ି ରହିଲୁ ସକଳ ବାନରେ

। ୫୦ ।

 

 

ଦାନବକୁ ବାନରରାଜା ରଣେ ଜିଣି

 

ଅବଶ୍ୟ ତ ବିଜୟ କରିବ ଏହିକ୍ଷଣି ।

 

ଏମନ୍ତ ବିଚାର କରି ସକଳ ବାନରେ

 

ଉଭାହୋଇ ରହିଥିଲୁ ସେ ବିବରଦ୍ୱାରେ ।

 

ବେନି ମାସ ରହିଥିଲୁ ବାନର ସକଳ

 

ବିବରୁ ବାହାର ସେ ନୋହିଲା ମହାବଳ ।

 

ବାଳି ନଖ ଦନ୍ତଘାତେ ଦଇତର କାୟ

 

ସ୍ରବିଲା ରୁଧିର ତାର ଗିରିନଦୀ ପ୍ରାୟ ।

 

ରୁଧିର ବାହାର ହେଲା ବିବରଦ୍ୱାରରେ

 

ଲୋଚନ ଦେଖିଲେ ତାହା ସକଳ ବାନରେ

। ୫୫ ।

 

 

ରୁଧିର ଦେଖନ୍ତେ ଆମ୍ଭେ ନ ଛାଡ଼ିଲୁ ଦ୍ୱାର

 

ପୁଣି ବେନି ମାସରେ ନଇଲା ମହାବୀର ।

 

ବେନି ବୀର ସଂଗ୍ରାମେ ନୋହନ୍ତି କେହି ଭଙ୍ଗ

 

ବେଳୁଁ ବେଳ ବଢିଲା ଅନେକ ରଣରଙ୍ଗ ।

 

ସମସ୍ତେ ବୋଇଲେ ରାଜା ସଂଗ୍ରାମେ ପଡ଼ିଲା

 

ବିବରଦ୍ୱାରରେ ଦେଖ ରୁଧିର ସ୍ରବିଲା ।

 

ଦଇତକୁ ବାଳି ଯେବେ ସଂଗ୍ରାମେ ମାରନ୍ତା

 

ରଣ ଜୟ କରି ରାଜା ଅବଶ୍ୟ ଆସନ୍ତା ।

 

ବାଳିକି ନିଶ୍ଚୟ ସେ ଦାନବ ନାଶ କଲା

 

ନୋହିଲେ କିମ୍ପାଇ ରାଜା ବାହାର ନୋହିଲା

। ୬୦ ।

 

 

ବିଚାରି ଛାଡ଼ିଲେ ସେ ରାଜାର ପ୍ରତିଆଶ

 

ବୋଇଲେ ରାଜାକୁ ନିଶ୍ଚେଁ ମାଇଲା ରାକ୍ଷସ ।

 

ଏତେ ବୋଲି ଦଇତକୁ ମହାଭୟ କଲେ

 

ସମସ୍ତେ ବିବରଦ୍ୱାରେ ପାଷାଣ ପୋତିଲେ ।

 

ସମସ୍ତେ ରୋଦନ କଲୁ ବାଳିକି ସୁମରି

 

ସମସ୍ତଙ୍କୁ ଲୋଚନୁଁ ବହିଲା ଦୁଃଖବାରି ।

 

ମୋତେ ଘେନି ଅଇଲେ ସମସ୍ତ ମହାବଳୀ

 

କିସ୍କନ୍ଧାକୁ ସମସ୍ତ ବାନର ଗଲୁ ଚଳି ।

 

ବିଧିମତେ ନୃପତିକି କ୍ରିୟା କର୍ମ କଲୁ

 

ରାଜ ବିନୁ ସର୍ବଜନେ ଅନାସ୍ତ (ଛ) ହୋଇଲୁ

। ୬୫ ।

 

 

ସର୍ବ ମନ୍ତ୍ରିଗଣମାନେ ବିଚାରିଲେ ଚିତ୍ତେ

 

କିସ୍କିନ୍ଧା ଭୁବନେ ରାଜା କରିବା ନିମନ୍ତେ ।

 

ଅଙ୍ଗଦ ରାଜାର ପୁତ୍ର ହୋଇଛି ବାଳୁତ

 

କିସ୍କିନ୍ଧାକୁ ଶତ୍ରୁ ପଣେ ଅଛନ୍ତି ବହୁତ ।

 

ସୁଗ୍ରୀବ ଅଟଇ ସେ ରାଜାର ସାନ ଭାଇ

 

ଶୌର୍ଯ୍ୟବନ୍ତ ଧାର୍ମିକ ଏ ସୁବୁଦ୍ଧି ଅଟଇ ।

 

କିସ୍କନ୍ଧାରେ ଅଭିଷେକ କରିବା ଏହାର

 

ଏହାରେ ହରଷ ହୋଇ ସକଳ ବାନର ।

 

ଏତେ ବୋଲି ବିଚାରି ସମସ୍ତେ ଏକ ହୋଇ

 

ସମସ୍ତ ବାନରଙ୍କୁ ସେ ଦୂତ ପଠିଆଇ

। ୭୦ ।

 

 

ଗିରିବରେ ତରୁବରେ ସର୍ବ ନଦୀତୀରେ

 

ନାନା ବନେ ନାନ ଥାନେ ଦିଗ ଦିଗନ୍ତରେ ।

 

ସେ ଯାହାର ସନ୍ୟ (ସୈନ୍ୟ) ଘେନି ସକଳ ବାନରେ

 

ପ୍ରବେଶ ହୋଇଲେ ଆସି କିସ୍କିନ୍ଧା ନଗରେ ।

 

ରହିଲେ ସକଳ ଯେସନେ କେ ମେଘ ସୈନ୍ୟ ଘେନି

 

ରହିଲେ ସକଳ ସ୍ଥାନେ ବାନର ସଇନି ।

 

ଜାମ୍ବବାନ ହନୁମାନ ସୁଷେଣ ସହିତେ

 

ନଳ ନୀଳ ଆଦି କରି ଯୂଥପତି ଯେବେ ।

 

କାଳାଞ୍ଜନ ଅଞ୍ଜନ ପବନ ଶତବଳ

 

ଗନ୍ଧମାଦନ ସହିତେ ସେନାଏ ସକଳ

। ୭୫ ।

 

 

ପଞ୍ଚାଶ ଯୂଥପତି ସକଳ ବଳ ଘେନି

 

ମିଳିଲେ ମୋହୋର ଆଗେ ଘେନି ଦରଶନି ।

 

ଅଙ୍ଗଦକୁ କୋଳରେ ବସାଇ ଥିଲି ବସି

 

ସର୍ବ ସନମତେ ସତ୍ୟ ବାଳି ବାକ୍ୟ ଭାଷି ।

 

ଶୁଣ ସୁଗ୍ରୀବର ସର୍ବ ଯୂଥପତିମାନେ

 

ଏକ ଚିତ୍ତ ହୋଇ ଯାହା କହିଲେ ବଚନେ ।

 

ରାଜା ହୋଇଥିଲେ ବାଳି କିସ୍କିନ୍ଧା ଭୁବନ

 

ବାହୁବଳେ ପାଳିଲା ଏ ସକଳ ଭୁବନ ।

 

ଦେବାସୁରେ ଭୟ ଆମ୍ଭେ ନ କଲୁ ତାହାରେ

 

ଦଇବବିପାକେ ରାଜା ପଡ଼ିଲା ସମରେ

। ୮୦ ।

 

 

ଅରାଜକ ହୋଇଅଛି କିସ୍କିନ୍ଧା ନଗର

 

ତୋହୋରେ କରୁଛୁ ରାଜା ସକଳ ବାନର ।

 

କିସ୍କିନ୍ଧା ନଗରେ ତୁ ଯେ ହୁଅ ନୃପବର

 

ସକଳ ବାନରକୁ ତୁ ପ୍ରତିପାଳ କର ।

 

ସମସ୍ତେ ବିଚାର କରି ମୋତେ କଲେ ରାଜା

 

ଯୁବରାଜ ପଣେ ଅଙ୍ଗଦକୁ କଲେ ପୂଜା ।

 

ରୋମା ନାମେ ସୁନ୍ଦରୀ ମୋହୋର ପାଟରାଣୀ

 

ତାହାକୁ ସହିତେ ଅଭିଷେକ କଲେ ଆଣି ।

 

କିସ୍କିନ୍ଧା ଭୁବନେ ଯେ ହୋଇଲି ମୁହିଁ ରାଜା

 

ଧର୍ମରେ ପାଳଇ ମୁଁ ତ ସକଳ ପରଜା

। ୮୫ ।

 

 

ଏମନ୍ତେ ପାଳଇ ମୁଁ ଯେ କିସ୍କିନ୍ଧା ଭୁବନ

 

ଅଙ୍ଗଦକୁ ଦେଖାଇ ମୁଁ ଜୀବନ ସମାନ ।

 

ଏମନ୍ତେ ଥୋକାଏ ଦିନ ଅନ୍ତରେଣ କଥା

 

ଶୁଣିବାକୁ ରଘୁପତି ତହିଁର ବ୍ୟବସ୍ଥା ।

 

ଏମନ୍ତେ ଅନେକ ଦିନ ବିବର ଭିତରେ

 

ରାକ୍ଷସକୁ ବାଳି ରାଜା ମାଇଲା ସମରେ ।

 

ରାକ୍ଷସକୁ ମାରି ତହିଁ ବାଳିନୃପବର

 

ରଣଜୟ କରି ବାହୁଡ଼ନ୍ତେ ମହାବୀର ।

 

ପ୍ରବେଶ ହୋଇଲା ଆସି ବିବର ଦୁଆର

 

ଦେଖିଲା ପର୍ବତ ସମ ଅନେକ ପଥର

। ୯୦ ।

 

 

ନିବିଡ଼େ ହୋଇଛି ପୋତା ବିବରଦୁଆର

 

ଦେଖି ରୋଷେ ମୁଥେ ପ୍ରହାରିଲା ମହାବୀର ।

 

ଉଡ଼ିଲେ ପାଷାଣ ସବୁ ପଡ଼ିଲେ ପୃଥ୍ୱୀର

 

ବିବରଦୁଆରେ ରାଜା ହୋଇଲା ବାହାର ।

 

ଦେଖିଲା ଦୁଆରେ ନାହିଁ ସକଳ ବାନରେ

 

ରୋଷଭରେ ବିଚାର ସେ କଲାକ ମନରେ ।

 

ବୋଇଲା ମୋହୋର ଭାଇ ସୁଗ୍ରୀବର ଥିଲା

 

ସେ କିମ୍ପା ନିରାଶ ହୋଇ ମୋତେ ଛାଡ଼ିଗଲା ।

 

ବାନରନ୍ତ ଘେନି ମୋର ମନ୍ତ୍ରିଗଣ ଥିଲେ

 

ସେ କିମ୍ପା ନିରାଶ ହୋଇ ମୋତେ ଛାଡ଼ିଗଲେ

। ୯୫ ।

 

 

ଯେବେ ଗଲେ ପାଷାଣ ତ ପୋତିଲେ ଦୁଆର

 

ସେ କେମନ୍ତେ ଶୁଭ ତିନ୍ତା ଚିନ୍ତିଲେ ମୋହୋର ।

 

ତଥାପି ନଗରେ ଯାଇଁ ଜାଣିମା ଉଦନ୍ତ

 

ସୁଗ୍ରୀବର ମନ୍ତ୍ରୀଙ୍କର ଚରିତ କେମନ୍ତ ।

 

ଏତେ ବୋଲି ରୋଷରେ ଧାଇଁଲା ପାଦଗତି

 

କିସ୍କିନ୍ଧା ଭୁବନେ ଯାଇଁ ମିଳିଲା ତଡ଼ତି ।

 

ଗହ ଗହ ହୋଇ ସୈନ୍ୟ ଅଛନ୍ତି ଦୁଆରେ

 

ଶାଳ ଶିଳ ଘେନିଛନ୍ତି ସକଳ ବାନରେ ।

 

ଦେଖିଲା ମୁଁ ବସିଅଛି ରାଜ ଆସନରେ

 

ପଡ଼ୁଛି ବେନି ଚାମର ବେନି ପାରୁଶରେ

। ୧୦୦ ।

 

 

ବେଢି ସେବା କରୁଛନ୍ତି ସର୍ବ ମନ୍ତ୍ରିବରେ

 

ଏମନ୍ତ ସମୟେ ବାଳି ପ୍ରବେଶ ସଭାରେ ।

 

ଦେଖି ତାକୁ ଆସନ ତେଜିଲି ଧାତିକାରେ

 

ଦଣ୍ଡବତେ ଶୋଇଲି ମୁଁ ରାଜାର ପୟରେ ।

 

ହୋଇଲୁ ମହା ହରଷ ସକଳ ବାନରେ

 

କରଯୋଡ଼ି ଉଭା ସର୍ବେ ହୋଇଲୁ ଛାମୁରେ ।

 

ଭଲ ମନ୍ଦ ଦୁଇ କଥା ନ କଲା ବିଚାର

 

କ୍ରୋଧକଟାକ୍ଷରେ ଚାହିଁ ବୋଇଲା ଉତ୍ତର ।

 

ବୋଇଲା ସୁଗ୍ରୀବ ମୁଁ ଜାଣିଲି ତୋର ଗତି

 

ବିବରେ ପାଷାଣ ପୋତି ହୋଇଲୁ ନୃପତି

। ୧୦୫ ।

 

 

ଭଉତ ସମୟ ଯଦି ଭେଟ ନ ପାଇଲ

 

ବିବର ଦୁଆର କିମ୍ପା ପାଷାଣେ ପୋତିଲ ।

 

ଯେବେ ନିଶ୍ଚେ ଜାଣିଲ ସଂଗ୍ରାମେ ଗଲି ମାର

 

ଅଙ୍ଗଦକୁ ନ କଲ ତ ବାନରଈଶ୍ୱର ।

 

ନିଶ୍ଚୟେ ମୋହୋର ଶୁଭ ଚିନ୍ତା ତୋତେ ନାହି

 

ଧର୍ମାଧର୍ମ ବିଚାର କରିବୁ ଅବା କାହିଁ ।

 

ମୁଁ ବୋଇଲି ଶୁଣ ଦେବ ବାନରରାଜନ

 

ପାପ ଚିନ୍ତା ଥିଲେ ହତ କରୁ ନିରଞ୍ଜନ ।

 

କିସ୍କିନ୍ଧାର ନୃପତି ମୋହୋର ଜ୍ୟେଷ୍ଠ ଭାଇ

 

ପାପଚିନ୍ତା ଥିଲେ ଥିବି ନରକେ ସମ୍ଭାଇ

। ୧୧୦ ।

 

 

ନିଶ୍ଚୟେ ନୃପତି ତୋତେ ନାହିଁ ପାପଚିନ୍ତା

 

ଏକଥା ବିଚାର ମୋର କରିବ ବିଧାତା ।

 

ମୋହୋର କହନ୍ତେ କିଛି ନ ଶୁଣିଲା କର୍ଣ୍ଣେ

 

ହୃଦରେ ପ୍ରହାର ମୁଥେ କଲା କୋପମନେ ।

 

କେଶ ଧରିବାକୁ ସେ ବଢାଇଦେଲା କର

 

ଆବୋରିଲା ହନୁମାନ ହୋଇଲା ଆଗର ।

 

ବୋଇଲା ମାତୁଳ କୋପ କରୁ କି ନିମନ୍ତେ

 

କିଛି ଦୋଷ ନାହିଁ ରାଜା ବିଚାରି ବୁଝନ୍ତେ ।

 

ଅଟେ ସୁଗ୍ରୀବର ତୋର ପ୍ରୀତିଭଙ୍ଗୁ (?) ଭାଇ

 

ତୋହୋର ବାହାରେ ଆନ କିଛି ନ ଜାଣଇ

। ୧୧୫ ।

 

 

କାହାର ବଚନେ ନ ଘେନିଲା କଦାଚିତେ

 

ଅନଃପୁର ପଶିଲା ସେ ରୋମାର ନିକଟେ ।

 

ଯିବି ଘେନି ଏବେ ତାର ରୋମା ଯେ ଯୁବତୀ ।

 

ଏତେ ବୋଲି ଧଇଲା ରୋମାର କରବେନି

 

× × × ଧାଇଁଲା ମହାବୀର

 

ଜାମ୍ବବାନ ସତବାଳୀ ହନୁମାନ ବୀର

 

ବୋଇଲେ ଅବିଚାର ତ କଲା ନୃପବର ।

 

ବିଚାରିଲେ ରାଜାକୁ ତ ନ କରିବା ମନ୍ଦ

 

ଏଠାରେ ରହିଲେ ତ ହୋଇବ ମହାଦ୍ଵନ୍ଦ ।

 

ଏମନ୍ତ ପ୍ରକାରେ ସର୍ବ ବାନର ବିଚାରି

 

ମୋତେ ଘେନି ଅଇଲେ ସେ ଋଷ୍ୟମୂକ ଗିରି ।

 

ଆମ୍ଭର ପଛରେ ଧାଇଁ ଥିଲା ରୋଷଭରେ

 

ଜାଣିଲା ପଶିଲା ଋଷ୍ୟମୂକ ଗିରିବରେ ।

 

ପଥରୁ ବାହୁଡିଯାଇ ମନ୍ଦିରେ ପ୍ରବେଶ

 

ନିରନ୍ତରେ ମୋହୋର ଉପରେ ମହାରୋଷ ।

 

ବୋଲଇ ସୁଗ୍ରୀବକୁ ଦେଖିଲେ ନୟନେ

 

ମନ୍ଥିବି ସକଳ କାୟ ମାରିବି ଜୀବନେ

। ୧୨୫।

 

 

ତାରା ରୋମା ସହିତେ ସେ ବିହରଇ ପୁରେ

 

ସଂଗ୍ରାମରେ ଭୟ ନ କରଇ ଦେବାସୁରେ ।

 

ଭ୍ରାତୃନାରୀ ଘେନି କରି ହରୁଅଛି ଦିନ

 

ବିଚାରଇ ସୁଗ୍ରୀବକୁ କରିବି ନିଧନ ।

 

ଶ୍ରୀରାମ ବୋଲନ୍ତି ତୁ ହୋ ଶୁଣ କପିବୀର

 

ଶୁଣିଲି ତୋହୋର ତହୁଁ ସମସ୍ତ ଉତ୍ତର ।

 

ପୂର୍ବେ କହିଥିଲୁ ହୋ ବଳିର ଯେତେ ବଳ

 

ତର୍ପଣ କରଇ ବୀର ଚାରିସିନ୍ଧୁ ଜଳ ।

 

ସମ୍ମୁଖ ସଂଗ୍ରାମେ ତାକୁ ନିବାରି ନୁହଇ

 

ଋଷ୍ୟମୂକେ କେମନ୍ତେ ରହିଲ ଗୋପ୍ୟ ହୋଇ ।

 

କେହି ତ ସଂଗ୍ରାମେ ନ ପାରନ୍ତି ଟାଳି

 

ଏ ସ୍ଥାନକୁ କି ନିମନ୍ତେ ନ ଆସଇ ବାଳି ।

 

ସୁଗ୍ରୀବ କହଇ ଦେବ ଶୁଣ ଚାପପାଣି

 

କହିବି ତହିଁର କଥା ଶୁଣ ରଘୁମଣି ।

 

ପୂର୍ବେ ସେ ବାନରରାଜା ଦୁନ୍ଦୁଭିର ତୁଲେ

 

ବେନି ବୀରେ ମହରୋଷେ ଘୋର ଯୁଦ୍ଧ କଲେ ।

 

ବହୁତ ଦିନ ଅନ୍ତରେ ବାଳି ମହାବୀର

 

ଫୁଟନ୍ତେ ଚରଣେ ସେ ଧଇଲା ଦୁନ୍ଦୁଭିର ।

 

ବୁଲାଇ ଚରଣ ସେ ଫିଙ୍ଗିଲା ରୋଷଭରେ

 

ପଡିଲା ଦଇତ ଋଷ୍ୟମୂକ ନିକଟରେ

। ୧୩୫ ।

 

 

ଦୁର୍ବାସା କରନ୍ତି ତପ ଋଷ୍ୟମୂକ ତଟେ

 

ପଡିଲା ଦଇତ ଯାଇଁ ତାହାଙ୍କ ନିକଟେ ।

 

ଋଷ୍ୟମୂକ ଗିରିବରେ ଯେତେ ଜନ୍ତୁ ଥିଲେ

 

ଘୋର ଗର୍ଜନ ପଡନ୍ତେ ମହାଭୟ କଲେ ।

 

ଭୟ ପାଇ ଭ୍ରମନ୍ତେ ସକଳ ଜନ୍ତୁମାନେ

 

ଜନ୍ତୁଙ୍କ ତରସ୍ତ ମୁନି ଦେଖିଲେ ନୟନେ ।

 

ଦୁର୍ବାସା ବୋଇଲେ ମୋର ଅଗ୍ଥେ ( କ୍ଷୋ ) ଭ ଆଶ୍ରମ

 

କେ ଅବା ବନଜୀବଙ୍କୁ କରାଇଲା ଭ୍ରମ ।

 

ଦୁନ୍ଦୁଭିର ପଛେ ଆସିଥିଲା ମହାବୀର

 

ପ୍ରତ୍ୟକ୍ଷେ ଶୁଣିଲା ବାଳି ଦୁର୍ବାସାଉତ୍ତର

। ୧୪୦ ।

 

 

ବିଚାରିଲା ଦୁର୍ବାସା ହୋଇଲେ କୋପମନ

 

ନ ପୁଣ ଶାପରେ ମୋତେ କରଇ ଦହନ ।

 

ଦ୍ୱିତୀୟ ମହେଶ ଯେଉ ଠାବରେଣ ବସି

 

ସେଠାବରେ ବାନର ପ୍ରବେଶ ହେଲା ଆସି ।

 

କର ଶିରେ ଦେଇଣ ଶୋଇଲା ଦଣ୍ଡବତେ

 

କମ୍ପଇ ବାନରରାଜା ଜୀବନ ତରସ୍ତେ ।

 

ଦୁର୍ବାସା ବୋଇଲେ ଉଠ ଉଠରେ ବାନର

 

ତୋହୋରେ ହୋଇଲେ କ୍ଷୋଭ ଅରଣ୍ୟେ ମୋହୋର ।

 

ତୋହରେ ପାଇଲେ ପ୍ରାଣ ସର୍ବଜୀବ ଜନ୍ତୁ

 

ନିକଟ ହୋଇ କି ରେ ତୋର ନିଜ ମୃତ୍ୟୁ

। ୧୪୫ ।

 

 

ଦୁନ୍ଦୁଭି ରାକ୍ଷସକୁ ଯେ ପ୍ରାଣରେ ମାଇଲୁ

 

କି ନିମନ୍ତେ ଆଶ୍ରମ ନିକଟେ ପକାଇଲୁ ।

 

କରଯୋଡ଼ି କହିଲା ସେ ବାନରରାଜନ

 

ଅପ୍ରାଧ କରିବ କ୍ଷମା ରଖିବା ଜୀବନ ।

 

ଭୋ ମୁନି ଶରଣ ମୁଁ ପଶିଲି ତୋର ପାଏ

 

ତୋହୋର କୃପାଏ ମୁଁ ଛାଡ଼ିବି ପ୍ରାଣଭଏ ।

 

ଦୁର୍ବାସା ବୋଇଲେ ଶୁଣ ଶୁଣରେ ବାନର

 

ତୋହୋରେ ପାଇଲେ ପ୍ରାସ ସର୍ବ ବନଚର ।

 

ତୁ ଯଦି ସର୍ବ ଜନ୍ତୁଙ୍କୁ କରାଇଲୁ ଭୟ

 

ଆର ବେଳେ ଅଇଲେ ହୋଇବୁ ନିଶ୍ଚେଁ କ୍ଷୟ

। ୧୫୦ ।

 

 

ମୁନିଙ୍କର ବଚନେ ସେ ଗଲା ତ୍ରାସ ପାଇ

 

ସେ ଘେନି ବାନର ଏ ବନକୁ ନ ପଶଇ ।

 

ପ୍ରବେଶ ହୋଇଲା ଯାଇଁ କିସ୍କିନ୍ଧା ଭୁବନେ

 

ପାଳଇ ସକଳ ଜନ ହରଷିତ ମନେ ।

 

ତାର ତାରା ପାଟନାରୀ ଖଟିଥାଇ ପାଏ

 

ମୁଖ ତାର ଦିଶଇ ଶରଦ ଚନ୍ଦ୍ର ପ୍ରାଏ ।

 

ତାରା ରୋମା ସହିତେ ବସଇ ଦିବ୍ୟପୁରେ

 

ଚରଣେ ଖଟନ୍ତି ତାର ସକଳ ବାନରେ ।

 

ସ୍ତିରୀ ରାଜ୍ୟ ହରାଇ ବଞ୍ଚଇ ବନେ ପଶି

 

କେତେ ଅବା କହିବି ମୋହୋର ଦୁଃଖରାଶି

। ୧୫୫ ।

 

 

ଭ୍ରାତା ବନ୍ଧୁ ହରିଲା ରାଜ୍ୟରୁ ଭ୍ରଷ୍ଟ କରି

 

ବିଚାରଇ ତ୍ରିପୃତି ( ତୃପତି ) ହୋଇବି ପ୍ରାଣେ ମାରି ।

 

ଭୋ ଦେବ ତାହାର ଭୟେ ଚଉଦର ପ୍ରାୟ

 

ଋଷ୍ୟମୂକ ପର୍ବତେ ଲୁଚାଇଅଛି କାୟ ।

 

ଭୋ ଦେବ ଅନେକ କଷ୍ଟେ ବଞ୍ଚୁ ଅଛି ଦିନ

 

ଛିଦ୍ର ଯଦି ପାଇବ ସେ ହରିବ ଜୀବନ ।

 

ଆଜ ମୋତେ ସୁପ୍ରଭାତ ହୋଇଲା ଦିବସ

 

ଆଜ ମୋତେ ନିର୍ମଳ ଦିଶିଲା ଦଶଦିଶ ।

 

ଆଜ ମୋର ଜନମ ସୁଫଳ ଅନ୍ତର୍ଯ୍ୟାମୀ

 

ଆଜ ମୋର ତପସ୍ୟା ସୁଫଳ ଦେବ ସ୍ୱାମୀ

। ୧୬୦ ।

 

 

ଯୋଗିଜନ ଯାହାର ଚରଣେ ଧ୍ୟାନ କରେ

 

ସେ ଚରଣ ବହିଲି ମୋହୋର ମସ୍ତକରେ ।

 

ଆଜ ମୋର ଦୁଃଖରାଶି ପଡ଼ିଲା ସାଗରେ

 

ଦୁଃଖ ଭସ୍ମ ହୋଇଲା ବଡ଼ବା ଅନଳରେ ।

 

ଆଜ ମୁଁ ପାଇଲି ରାଜ୍ୟ ପାଇଲି ଯୁବତୀ

 

ଆଜଠାରୁ ଗଲା ମୋର ସକଳ ଦୁର୍ଗତି ।

 

ଶୁଣି ରାମଚନ୍ଦ୍ର ଦେବ ବିଚାରିଲେ ଚିତ୍ତେ

 

କି କହିବି ଦୁଃଖ ମୁଁ ଏହାର ଦୁଃଖ ଏତେ ।

 

ବୋଇଲେ ସୁଗ୍ରୀବ ଶୁଣ ବାନର ରାଜନ

 

ତୋହୋର ମୋହୋର ଦୁଃଖ ହୋଇଲା ସମାନ

। ୧୬୫ ।

 

 

ସୂର୍ଯ୍ୟବଂଶେ ଜାତ ମୁଁ ହୋଇଲି ଆସି ପୃଥ୍ୱୀ

 

ସୂର୍ଯ୍ୟର ନନ୍ଦନ ତୁ ଯେ ବାନରପତି ।

 

ସୀତାକୁ ମୋହୋର ହରି ନେଲା ଦଶଶିର

 

ରୋମାକୁ ତୋହୋର ନେଲା ବାନରଈଶ୍ୱର ।

 

ରାଜ୍ୟ ନାରୀ ହରାଇ ମୁଁ ବୁଲଇ ବନରେ

 

ରାଜ୍ୟ ନାରୀ ବିନୁ ତ ରହିଲୁ ଗିରିବରେ ।

 

ତୋହୋର ମୋହୋର ଦୁଃଖ ହୋଇଲା ସମାନ

 

ଦଇବ ସଂଯୋଗ ଯେବେ କଲା ଏକସ୍ଥାନ ।

 

ଶୁଣ ହୋ ବାନରରାଜା ମୋହୋର ଉତ୍ତର

 

ଆଜିଠାରୁ ହୋଇଲୁ ତୁ ମଇତ୍ର ମୋହୋର

। ୧୭୦ ।

 

 

କହଇ ସୁଗ୍ରୀବ ରାଜା ଯୋଡ଼ି ବେନି ପାଣି

 

ଗୁଞ୍ଜ ମାଣିକ୍ୟରୁ ପ୍ରଭୁ ସମ କର ଆଣି ।

 

ସାଗର ଜଳରେ ଆଣି କୂପ ସମ କରୁ

 

ବାଲିକଣିକାର ସଙ୍ଗେ ସମ କରୁ ମେରୁ ।

 

ନିରଞ୍ଜନ ପୁରୁଷ କପଟେ ନରକାୟ

 

ସଂସାର ଭିଆଇ ଖେଳୁ ବାଳୁତ ପରାୟ ।

 

ମୁଁ ଅଟଇ ଶାଖାମୃଗ ପଞ୍ଚଭୂତ କାୟ ( ଏ )

 

ଭାଗ୍ୟ ଥିଲେ ଖଟିବି ତୋହୋର ପଦ୍ମପାୟ ।

 

ଶ୍ରୀରାମ ବୋଲନ୍ତି ଶୁଣ ବାନର-ନୃପତି

 

ଜାଣିଲି ନିଶ୍ଚୟ ତୋର ନିର୍ମଳ ଭକତି

। ୧୭୫ ।

 

 

ତୋହୋର ଭକତିଭାବେ ବଶ ମୁଁ ହୋଇଲି

 

ନିଶ୍ଚୟେ ତୋହୋର ସଙ୍ଗେ ମଇତ୍ରୀ ମୁଁ କଲି ।

 

ଜାମ୍ବବାନ ଶୁଣିଣ ମସ୍ତକେ ଦେଲା କର

 

ସାବଧାନ ଶ୍ୟାମଳ ସୁନ୍ଦର କଳେବର ।

 

କେତେ ଭାଗ୍ୟ କରିଛି ବାନର-ନୃପମଣି

 

ମିତ୍ରଭାବେ ସଦୟ କରୁଛ ଚାପପାଣି ।

 

ସୁଗ୍ରୀବର ସଙ୍ଗତରେ ଅଛୁ ଯେତେ ଜନ

 

ସୁଫଳ ଆମ୍ଭର ମନ ଲୋଚନ ଜୀବନ ।

 

ପରମ ପୁରୁଷକୁ ଦେଖିଲୁ ଚର୍ମଡ଼ୋଳେ

 

ଏଡ଼େ ଲାଭ ପାଇବ କେ ଅବା ଭୂମଣ୍ଡଳେ

। ୧୮୦ ।

 

 

ଶ୍ରୀରାମ ବୋଲନ୍ତି ବେଗେ ଅଗ୍ନି ଘେନିଆସ

 

ଆସ ହୋ ବାନର-ରାଜା ନିକଟରେ ବସ ।

 

ଆଜ୍ଞା ପାଇ ନଳ ନୀଳ ଅଗ୍ନି ଘେନିଗଲେ

 

ଶ୍ରୀରାମ ସୁଗ୍ରୀବ ମଧ୍ୟେ ଅନଳ ଥୋଇଲେ ।

 

ନାନ ତୀର୍ଥ ଜଳ ଦେଇ ଥାପି ପୂର୍ଣ୍ଣକୁମ୍ଭ

 

ମଙ୍ଗଳ ଆରୋପଣର ସମସ୍ତ ଆରମ୍ଭ ।

 

ଅନଳରେ ଆହୁତି ଢାଳନ୍ତି ବିଧିମତେ

 

କରନ୍ତି ସକଳ ବିଧି ମଇତ୍ର ନିମନ୍ତେ ।

 

ଇନ୍ଦ ଚନ୍ଦ୍ର ଆଦି କରି ଦଶଦିଗପାଳ

 

ମଇତ୍ର ନିମନ୍ତେ ସାକ୍ଷୀ କରନ୍ତି ସକଳ

। ୧୮୫ ।

 

 

ଅଗ୍ନି ସାକ୍ଷୀ କରି ଧରି ସୁଗ୍ରୀବର କର

 

ଆଜ ତୁ ମଇତ୍ର ରାଜା ହୋଇଲୁ ମୋହୋର ।

 

ଶ୍ରୀରାମ ଧଇଲେ ଯହୁ ସୁଗ୍ରୀବର କରେ

 

ସୁଗ୍ରୀବର ଦେଲା କର ଶ୍ରୀରାମ ପୟରେ ।

 

ସୁଗ୍ରୀବର ସଙ୍ଗତେ ବାନର ଯେତେ ଥିଲେ

 

ତ୍ରାହି ରାମ ତ୍ରାହି ରାମ ସମସ୍ତେ ଡାକିଲେ ।

 

ସୁଗ୍ରୀବକୁ କୋଳ କରି ଦେବ ରଘୁମଣି

 

ଦକ୍ଷିଣ ପାରୁଶେ ତାକୁ ବସାଇଲେ ଆଣି ।

 

ବୋଇଲେ ମଇତ୍ର ଛାଡ଼ ଆଜଠାରୁ ଭୟ

Unknown

 

ତ୍ରିଭୁବନେ ହୋଇଲୁ ତୁ ନିଶ୍ଚୟେ ଅଜେୟ

। ୧୯୦ ।

 

 

ଆଜଠାରୁ ହୋଇଲୁ ତୁ କିସ୍କିନ୍ଧାନୃପତି

 

ଆଜଠାରୁ ପାଇଲୁ ତୁ ଯୁବତୀ ସମ୍ପତ୍ତି ।

 

ତୋହୋର ନିମନ୍ତେ କରେ ଘେନି ଧନୁଶର

 

ବାଳିକି ମାରିବି ଶୁଣ ବାନର-ଈଶ୍ୱର ।

 

ଶ୍ରୀରାମ ବଚନ ଶୁଣି ସୁଗ୍ରୀବ ରାଜନ

 

ବୋଇଲା ତୋହୋର କାର୍ଯ୍ୟେ ମୋହୋର ଜୀବନ

 

ଯେଉଁ ଠାରେ ଥିବେ ସୀତା ଜନକକୁମାରୀ

 

ଦୂତ ପେଶି ସେ କଥା ବୁଝିବା ନିଶ୍ଚେ କରି ।

 

ଠାବ ନିଶ୍ଚେ କରି ମୁଁ କହିବି ତୋର ପାୟ

 

ଯାହା ଆଜ୍ଞା ଦେବୁ ତାହା କରିବି ଉପାୟ

। ୧୯୫ ।

 

 

ଏକା ମନ ବଚନରେ ତୋର କାର୍ଯ୍ୟ ପାଇଁ

 

ପ୍ରାଣତ୍ୟାଗ ପରିଯନ୍ତେ କରିବି ଗୋସାଇଁ ।

 

ତୋତେ ତ ଅଶକ୍ୟ କଥା ନାହିଁ ଜଗତରେ

 

ମୋର ଭାଗ୍ୟ ଥିଲେ ସେବା କରିବି ପୟରେ ।

 

ମୋହୋର ଭଣଞ୍ଜା ଯେବେ ହନୁମାନ ବୀର

 

ତୋହୋର ଆଜ୍ଞାକୁ ଖଟିଥିବ ନିରନ୍ତର ।

 

ଶୌର୍ଯ୍ୟବନ୍ତ ସୁବୁଦ୍ଧି ଜାଣନ୍ତି ଧର୍ମଗତି

 

ରାତ୍ରିଦିବା କରିଥିବ ଚରଣେ ଭକତି ।

 

ଜାମ୍ବବାନ ସୁଷେଣ ମୋହୋର ମନ୍ତ୍ରୀ ଦୁଇ

 

ଯଥାଶକ୍ତି ଥିବେ ସେବା ସେ ଯୋଗାଇ

। ୨୦୦ ।

 

 

ନଳ ନୀଳ ସହିତେ ଯେତେକ କପିବଳ

 

ଚରଣ ଆଶ୍ରୟ କରି ରହିଲେ ସକଳ ।

 

ଶ୍ରୀରାମ ବୋଲନ୍ତି ମିତ୍ର ଶୁଣ ତୁ ବଚନ

 

ଯାଅ ଋଷ୍ୟମୂକ ଯହିଁ କରିଛୁ ଭୁବନ ।

 

କାଲି ପ୍ରଭାତରେ ମୈତ୍ର ସାରି ନିତ୍ୟ କୃତ୍ୟ

 

ମୋହୋର ନିକଟେ ଆସି ହୋଇବ ପ୍ରାପତ ।

 

ଯଦି ତୁ ବାନର ମୈତ୍ର ହୋଇଲୁ ମୋହୋର

 

ହୃଦୟ ସନ୍ତାପ କିମ୍ପା ରଖିବି ତୋହୋର ।

 

ଆଜ୍ଞା ପାଇ ଉଠିଲା ବାନର କୁଳମଣି

 

ଦଣ୍ଡର୍ଗତେ କପିବୀର ଶୋଇଲା ଧରଣୀ

। ୨୦୫ ।

 

 

ଉଠି ଶିରେ କର ଦେଇ ହରଷିତ ମନେ

 

ପ୍ରବେଶ ହୋଇଲା ଯାଇ ଆପଣା ଭୁବନେ ।

 

ରାଜାର ସଙ୍ଗତେ ଚଳିଗଲେ ସର୍ବ ବଳ

 

ରହିଲା ଅଞ୍ଜନାସୁତ ଶ୍ରୀଚରଣ ତଳ ।

 

ନିଶି ହୋନ୍ତେ ରଘୁପତି ପହୁଡ଼ିବା ପାଇଁ

 

କୋମଳ ପଲ୍ଲବ ମାନ ପାଷାଣେ ବିଛାଇ ।

 

ଧନୁ ଧରି ଲକ୍ଷ୍ମଣ ରହିଲେ ଉଭାହୋଇ

 

ରହିଲେ ରଚଣ ତଳେ ପବନ ତନଇ ।

 

ଅଯୋଧ୍ୟା ରାଜ୍ୟରେଣ ବିଚିତ୍ର କଥାମାନ

 

ରଘୁପତି ଲକ୍ଷ୍ମଣ କହନ୍ତି ହନୁମାନ

। ୨୧୦ ।

 

 

କଥା ହୋନ୍ତେ ନିଦ୍ରା ଆସି ଘାରିଲା ନୟନ

 

ଲକ୍ଷ୍ମଣ ଅଞ୍ଜନା ସୁତ ହୋଇଲେ ମଉନ ।

 

ସୁଗ୍ରୀବର ଜାମ୍ବବାନ ସୁଷେଣ ସହିତେ

 

କହନ୍ତି ରାମ ମହିମା ହରଷିତ ଚିତ୍ତେ ।

 

ନ ଭୁଞ୍ଜିଲେ ଫଳ ମୂଳ ନ କଲେ ଶୟନ

 

ରଘୁପତି ଦର୍ଶନେ ଉତ୍ସାହ କଲେ ମନ ।

 

ଯେମନ୍ତେ ଜଟା ମୁକୁଟ ଯେମନ୍ତ କପୋଳ

 

ସୁନ୍ଦର ଭ୍ରୁଲତା ନାସା ଲୋଚନ କୁଣ୍ଡଳ ।

 

ଦନ୍ତପତି କାନ୍ତି ଯେହ୍ନେ ସୁରଙ୍ଗ ଅଧର

 

ଯେମନ୍ତ ମେଘ ଗମ୍ଭୀର ବଚନ ମଧୁର

। ୨୧୫ ।

 

 

ଯେମନ୍ତ ଆଜାନୁ ବାହୁ ହୃଦୟ ବିସ୍ତାର

 

ମଧ୍ୟ କଟି ଜାନୁ ରାମ କଦଳୀ ଆକାର ।

 

ସୁଗ୍ରୀବ ସହିତେ ବସି ସକଳ ବାନରେ

 

ରୂପ ଗୁଣ କହି ଧ୍ୟାନ କରନ୍ତି ମନରେ ।

 

ବୋଇଲେ ଅଇଲୁ ଛାଡ଼ି କଲୁ ଏଡ଼େ କର୍ମ

 

କି ନିମନ୍ତେ ହୋଇଲେ ଏମନ୍ତେ ମତିଭ୍ରମ ?

 

କେତେବେଳେ ଚାହିଁ ବା ଶ୍ରୀରାମ ପଦ୍ମମୁଖ

 

କେତେବେଳେ ଦହିବା ମନର ସର୍ବ ଦୁଃଖ ।

 

ସୁଗ୍ରୀବ କହନ୍ତି ରାତ୍ର ହୋଇଲା ତ ଶେଷ

 

ପରଂବ୍ରହ୍ମ ନିଶ୍ଚୟେ କି ହୋଇଲା ପ୍ରବେଶ

। ୨୨୦।

 

 

ଅତିଅନ୍ତ ହରଷ ସକଳ କପିବଳ

 

ରଘୁପତି ଧ୍ୟାନେ ଚିତ୍ତ ହୋଇଣ ନିଶ୍ଚଳ ।

 

ସୁଗ୍ରୀବର ସହିତେ ସକଳ ଯୂଥପତି

 

କହି ରାମ ମହିମା ବଞ୍ଚିଲେ ପୂଣ୍ୟ ରାତି ।

 

ଅରୁଣକିରଣ ପୂର୍ବ ଦିଗରେ ପ୍ରକାଶ

 

ନୃତ୍ୟ କୃତ୍ୟ ସାରିବାରେ ନଦୀରେ ପ୍ରବେଶ ।

 

ଜାମ୍ବବାନ ସୁଷେଣ ସହିତେ ମନ୍ତ୍ରୀମାନେ

 

ପ୍ରବେଶ ହୋଇଲେ ଆସି ରାଜା ସନ୍ନିଧାନେ

 

ସୁଗ୍ରୀବ କହନ୍ତି ଶୁଣ ସର୍ବ ମନ୍ତ୍ରୀମାନେ ।

 

ଚାଲଯିବା ରାମଚନ୍ଦ୍ର ଚରଣ ଦର୍ଶନେ

। ୨୨୫।

 

 

ଏତେ ବୋଲି ଉଠିଲେ ଶ୍ରୀରାମ ନାମ ଧରି

 

ସଙ୍ଗତେ ଗୋଡାଇଲେ ସମସ୍ତ ବନଚାରି ।

 

ଅତିଅନ୍ତ ହରଷେ ଚାଲନ୍ତି କପିବୀରେ

 

ପ୍ରବେଶ ହୋଇଲେ ରାମଚନ୍ଦ୍ର ନିକଟରେ ।

 

ନିତ୍ୟକର୍ମ ସରି ରାମ ଧନୁଶର ଘେନି

 

ପାଷାଣ ଉପରେ ବସିଛନ୍ତି ଭାଇ ବେନି ।

 

ଆଗେ ଉଭା ହୋଇଛନ୍ତି କେଶରିକୁମାର

 

ଯୂଥପତି ସହିତେ ମିଳିଲେ ସୁଗ୍ରୀବର ।

 

ଦଣ୍ଡବତେ ଶୋଇଲେ ଭୂମିରେ ଦେଇ ଶିର

 

ଆଜ୍ଞା ପାଇ ଉଠିଲେ ମସ୍ତକେ ଦେଇ କର

। ୨୩୦।

 

 

ଆସ ଆସ ମଇତ୍ର ଡାକନ୍ତି ରଘୁବୀର

 

ଆଜ୍ଞା ପାଇ ଦକ୍ଷିଣେ ବସିଲା ସୁଗ୍ରୀବର ।

 

ଯୂଥପତି ସହିତେ ସକଳ ମନ୍ତ୍ରିବର

 

ଦଣ୍ଡବତ କରି ଉଭା ହୋଇଲେ ଛାମୁର ।

 

କର ଯୋଡି ରାମଙ୍କୁ କହଇ ସୁଗ୍ରୀବର

 

ଋଷ୍ୟମୂକ ଗିରି କି ବିଜୟ ଦେବ କର ।

 

ପର୍ବତ ସହିତେ ଯେତେ ବନଜୀବମାନେ

 

ପବିତ୍ର ହୋଇବେ ରାମ ଦେଖିଲେ ନୟନେ ।

 

ସୁଗ୍ରୀବର ବଚନେ କହନ୍ତି ରଘୁବୀର

 

କେମନ୍ତେ ଭାଞ୍ଜିବି ମିତ୍ର ବଚନ ତୁମ୍ଭର

। ୨୩୫ ।

 

 

ଉଠିଲେ ସୀତୟାକାନ୍ତ ଧରି ଧନୁଶର

 

ରଷ୍ୟମୂକ ଯିବା ମିତ୍ର ଦୂତ ଆଗ କର ।

 

ସୁଗ୍ରୀବ ବୋଲଇ ପଛେ ଥିବି ମୁଁ ଯୋଗାଇ

 

ଆଗରେ କଢ଼ାଉ ପଥ ପବନତନଇ ।

 

ସୁଗ୍ରୀବର ବଚନେ ରାମର ସେବା ପାଇଁ

 

ସାବଧାନ କରାଇ ଆଗରେ ବୀର ହୋଇ ।

 

ଋଷ୍ୟମୂକ ପର୍ବତେ ବିଜୟ ରଘୁମଣି

 

ନଦୀତୀର ଅରଣ୍ୟେ ରହିଲେ ଚାପପାଣି ।

 

ସୁଗ୍ରୀବ ସୁମିତ୍ରା ସୁତ ବସିଲେ ଡ଼ାହାଣେ

 

ବସିଲେ ବାମପାରୁଶେ ସର୍ବ ମନ୍ତ୍ରିଗଣେ

। ୨୪୦ ।

 

 

ନଳ ନୀଳ ହନୁମାନ ଘେନି ସର୍ବ ସୈନ୍ୟ

 

ଆଗରେ ବୋଇଲେ ଉଭା ଯୋଡ଼ି କର ବେନି

 

ସର୍ବସଭା ମଉନେ ଉଠିଲେ ସୁଗ୍ରୀବର

 

ଜାମ୍ବବାନ ସୁଗ୍ରୀବକୁ ଘେନି ସଙ୍ଗତର ।

 

ସୁଗ୍ରୀବ କହଇ ପୁଣ ସୁଷେଣକୁ ଚାହିଁ

 

ରାମଚନ୍ଦ୍ର ଶ୍ରୀଚରଣେ ଜଣାଇବା ପାଇଁ ।

 

ସୁଗ୍ରୀବର ବଚନେ ସୁଷେଣ ପାୟେ ପଡି

 

ଉଠିକରି କହଇ ମସ୍ତକେ କର ଯୋଡି ।

 

ସୁଷେଣ କହଇ ସାବଧାନ ରଘୁପତି

 

ଶରଣ ପଶିଲା ତୋରେ ବାନର-ନୃପତି

। ୨୪୫।

 

 

ମୁଁ କିସ କହିବି ତୁ ଯେ ସର୍ବ ଅନ୍ତର୍ଯ୍ୟାମୀ

 

ଏଥିକି ଯେ ଉଚିତ କରିବା ଦେବସ୍ଵାମୀ ।

 

ଏତେ କହି ତିନି ଜଣେ ମଉନ ହୋଇଲେ

 

ସୁଗ୍ରୀବକୁ ଚାହିଁ ରାମ ଏମନ୍ତ ବୋଇଲେ ।

 

ଶୁଣ ତୁ ମଇତ୍ର ପୂର୍ବେ କହିଅଛି ତୋତେ

 

ବାଳିକି ମାରିବି ନିଶ୍ଚେଁ ତୋହୋର ନିମନ୍ତେ ।

 

ଆଗ ହୋଇ କଢ଼ାଅ ବାଳିର ନିଜ ସ୍ଥାନ

 

ଯିବଇଁ ତୋହୋର ପଛେ ଧରି ଶରାସନ ।

 

ଦୃଷ୍ଟିଗତ କରାଇ ମଇତ୍ର ଦେବୁ ମୋତେ

 

ମିତ୍ରେ ଅର୍ଥେ ବାଳିକି ମାରିବି ଶରଘାତେ

। ୨୫୦।

 

 

ବସ ବସ ମିତ୍ର ତୁ ନ ଧାର ଆନମନ

 

ସର୍ବଥା ନୋହଇ ଆଣ ମୋହୋର ବଚନ ।

 

ଆଜ୍ଞା ପାଇ ବସିଲେ ସେ ସୂର୍ଯ୍ୟର ନନ୍ଦନ

 

ଶୁଣି ରାମ ବଚନ ହରଷ କରି ମନ ।

 

ଶ୍ରୀରାମ ବୋଇଲେ ମିତ୍ର ଯାଅ ନିଜ ସ୍ଥାନ

 

ଋକ୍ଷ କପି ଘେନି ଯାଅ କର ତୁ ଭୋଜନ ।

 

ଆଜ୍ଞା ପାଇ ଯେ ଯାହାରେ ନିଜ ସ୍ଥାନ ଗଲେ

 

ଫଳ ମୂମ ତଣ୍ଡୁଳ ସମସ୍ତେ ଗ୍ରାସ କାଲେ ।

 

ଶ୍ରୀରାମ ଲକ୍ଷ୍ମଣ ବେନି, କେଶରିନନ୍ଦନ

 

ବନଫଳମାନ ତହିଁ କଲେକ ଭୋଜନ

। ୨୫୫।

 

 

ସେ ଦିନ ଦିବସରାତ୍ର ରହିଲେ ସେ ସ୍ଥାନେ

 

ଆରମ୍ଭିଲେ ଯୋଗନିଦ୍ରା ଋଷ୍ୟମୂକ ବନେ ।

 

ଏଥୁ ଅନନ୍ତରେ ସେ ବାଳିର ଦୂତମାନେ

 

ନିରନ୍ତରେ ଭ୍ରମୁଥାନ୍ତି ଋଷ୍ୟମୂକ ବନେ ।

 

ସୁଗ୍ରୀବର ସଙ୍ଗେ ରାମ ଯେତେ କଥାମାନେ

 

ବାଳିରାଜା ଚାରମାନେ ଦେଖିଲେ ନୟନେ ।

 

ପ୍ରବେଶ ହୋଇଲେ ଯାଇଁ ବାଳି ଏକାନ୍ତରେ

 

ଋଷ୍ୟମୂକ ଚରିତ ସେ କହନ୍ତି ରାଜାରେ ।

 

ବୋଲନ୍ତି ତୁ ଶୁଣ ଦେବ କିସ୍କିନ୍ଧାନୃପତି

 

ଋଷ୍ୟମୂକ ପର୍ବତେ ପ୍ରବେଶ ବେନି ଯତି

। ୨୬୦।

 

 

ମସ୍ତକେ ଜଟା ମୁକୁଟ କର୍ଣ୍ଣରେ କୁଣ୍ଡଳ

 

ପରମ ସୁନ୍ଦର ତନୁ ଲୋଚନ ବୃଷାଳ ।

 

କଟିତଟେ ବକଳ-ବସନ ତାହାଙ୍କର

 

ବେନିପାଖେ ବେନି ତୂଣ କରେ ଧନୁ ଶର ।

 

ପ୍ରବେଶ ହୋଇଲେ ଋଷ୍ୟମୂକ ନିକଟର

 

ଦେଖି ତାଙ୍କୁ ଭୟେ ପଳାଇଲା ସୁଗ୍ରୀବର ।

 

ପଶିଲା ଗିରିକନ୍ଦରେ ମହାଭୟ ପାଇ

 

ବୋଇଲା ତୁ ହନୁମାନ ବୁଝି ଆସ ଯାଇ ।

 

କେ ଅବା ଅଇଲା କାହୁଁ ବୁଝ ତୁ ସକଳ

 

ଭୟ କି ନିର୍ଭୟ ଜାଣି ଆସ ମହାବଳ

। ୨୬୫।

 

 

ସୁଗ୍ରୀବ ବଚନେ ଗଲା ପବନନନ୍ଦନ

 

ତେଜ ଦେଖି କଲା ତାର ଚରଣବନ୍ଦନ ।

 

ବୋଇଲା ସୁଗ୍ରୀବ ଆସୁଥିଲା ଏ ବନରେ

 

ଦେଖିଲା ତୋହର ରୂପ ପଳାଇଲା ଡରେ ।

 

ସେ ଯତି ବୋଇଲା ମନେ ଭୟ ତୁ ନ କର

 

ଭୟ ଛାଡି ବେଗେ ଆସୁ ସୁଗ୍ରୀବ ବାନର ।

 

ସୁଗ୍ରୀବକୁ ଆଣିଲା ସେ ତାହାର ବଚନେ

 

ଅନେକ ଆଶ୍ଵାସ ତାକୁ କଲେ ଯତିମାନେ ।

 

ସୁଗ୍ରୀବ କହିଲା ତାର ଦୁଃଖ କଥା ଯେତେ

 

ରାଜ୍ୟଭ୍ରଷ୍ଟ ଅରଣ୍ୟ ସେ ରହିଲା ଯେମନ୍ତେ

l ୨୭୦ l

 

 

ତାହା ଶୁଣି ଚିନ୍ତି ତାକୁ ବୋଇଲା ଉତ୍ତର

 

ଶରେ ମୁଁ ମାରିବି ମିତ୍ର ଶତୃକୁ ତୋହୋର l

 

ଶୁଣିକରି କପିରାଜା ସ୍ତମ୍ଭୀଭୁତ ହୋଇ

 

ଅଦଭୂତେ ଶତ୍ରୁ ସେ ଆଇଲ କାହିଁ ପାଇଁ l

 

ବୋଇଲା ଦଇବ କୃତ୍ୟ ଥିବ ଯେବେ ମୋତେ

 

ତାହାର (ଅୟତେ) ଆୟତ୍ତ ମୁଁ ଡରିବି କି ନିମନ୍ତେ l

 

ବଚନ କହଇ ଭୟେ ଡରଇ ମନରେ

 

ତାରାକୁ କେବଳ ସେ କହଇ ଏକାନ୍ତରେ l

 

ଚାରିଗଣ ଡକାଇ କହଇ ବାଳିବର

 

ଯାଅ ବାବୁ ଥାଅ ଋଷ୍ୟମୂକଗିରିବର

l ୨୭୫ l

 

 

ଯେତେବେଳେ ଯେଉଁ କଥା ହୋଇବ ବନରେ

 

ନିରନ୍ତରେ କହୁଥିବ ମୋହର ଆଗରେ l

 

ଆଜ୍ଞା ପାଇ ଚାରିଗଣ ସମସ୍ତେ ଅଇଲେ

 

ଗୋପ୍ୟ ହୋଇ ଋଷ୍ୟମୁକ ବନରେ ରହିଲେ l

 

ଏଥୁ ଅନନ୍ତରେ ତହିଁ ସୁଗ୍ରୀବ ରାଜନ

 

ନିତ୍ୟକର୍ମ ସାରିଲେ ଡାକିଲେ ସର୍ବସୈନ୍ୟ l

 

ସଂଗତରେ ମନ୍ତ୍ରୀ ବର ସକଳ ବାନରେ

 

ପ୍ରବେଶ ହୋଇଲେ ଯାଇଁ ଶ୍ରୀରାମ ଆଗରେ l

 

ଦଶରଥ ନନ୍ଦନ ଧନୁରେ ଗୁଣ ଦେଇ

 

ବୋଇଲେ ମଇତ୍ର ତୁ କଢ଼ାଅ ଆଗ ହୋଇ

l ୨୮୦ l

 

 

ଆଜ୍ଞା ପାଇ ସୁଗ୍ରୀବ ମସ୍ତକେ କର ଦେଇ

 

ଯୂଥପତି ସହିତେ ସେ ଆଗରେ ଚଳଇ l

 

*ବାଳି

 

ମଧ୍ୟରେ ଶ୍ରୀରାମ ପଛେ ସୁମିତ୍ରା କୁମର

 

ତାହାଙ୍କ ପଛରେ ଚାଲେ ହନୁମାନ ବୀର l

 

କିସ୍କିଦ୍ଧା ନିକଟେ ଯାଇଁ ହୋଇଲେ ପ୍ରବେଶ

 

ଧନ୍ୟ ଧନ୍ୟ ଗୋ ଅନ୍ୟ ମଣ୍ଡିତ ସେହୁ ଦେଶ l

 

ସୁଗ୍ରୀବ କହଇ ଦେବ ବାଳିର ଏ ପୁର

 

ଚାହିଁ ନ ପାରନ୍ତି ଭୟେ ଦେବତା ଅସୁର l

 

ତୋହର ଅଜ୍ଞାକୁ ଦେବ ନିର୍ଭୟ ହୋଇଲି

 

ତୋହରି ଆଜ୍ଞାଏ ଦେବ ଏଥକୁ ଅଇଲି

l ୧୮୫l

 

 

ଯେବେ ସ୍ଵାମୀ ମୋହରି ପାରିବୁ ରକ୍ଷା କରି

 

ପୁରଦ୍ଵାର ବାଳିକି ଡାକିବି ନାମ ଧରି l

 

ଏକ ତରୁ (ଓ) ଉହାଡେ ରହିଲେ ରଘୁମଣି

 

ଦକ୍ଷିଣ କରରେ ଶର କାଳସର୍ପ ଜାଣି l

 

ଧନୁ ର୍ଗଣ ମାଜି ହୋଇଲେ ସ୍ୱାମୀ ଉଭା

 

ତ୍ରିପୁର ବିନାଶନେ ଯେସନେ ରୁଦ୍ରଶୋଭା l

 

ବୋଇଲେ ମଇତ୍ର ଯାଅ ପୁର ନିକଟକୁ

 

ନାମ ଧରି ଡାକି ମିତ୍ର ବାନର ରାଜାକୁ l

 

ଆଜ୍ଞା ପାଇ ସୁଗ୍ରୀବ ଆଗରେ ଉଭା ହୋଇ

 

ଆସ ବାଳି ଆସିଅଛି ସଂଗ୍ରାମର ପାଇଁ

l ୨୯୦ l

 

 

ତାରା ରୋମା ସହିତେ ବିହରୁ ପୁରେ ପଶି

 

ନିକଟ ହୋଇଲା ତୋର କାଳଦଣ୍ଡ ଫାଶୀ l

 

ଭାତ୍ରୃବଧୂ ହରିଲୁ ତୁ ଧର୍ମ ନ ବିଚାର

 

ବେଗ ହୋଇ ନ ଆସି ରହିଛୁ କି ବିଚାରି l

 

ସୁଗ୍ରୀବର ବଚନ ଶୁଣିଲା ରାଜା ବାଳି

 

ବୋଇଲା ମୋହରେ କେହୂ ଦେଉଛ ଗାଳି

 

ଶୁଭୁଅଛି ସୁଗ୍ରୀବର ବଚନ ପରାୟ

 

ଶାର୍ଦ୍ଧଳ ଆଗରେ ମୃଗ ହୋଇଲା ନିର୍ଭୟ l

 

ମଞ୍ଜାରି ଆଗରେ ମୂଷା କରୁଛି ଗର୍ଜନ

 

ମୋତେ ଡାକିବାକୁ ସୁଗ୍ରୀ ହୋଇଲା ଭାଜନ

l ୧୯୫ l

 

 

କେ ଅବା ପାରିବ ଜାଣି ଦଇବ କଷଣ

 

ଯାହା ମୋତେ କହିଲେ ସକଳ ନାରାଗଣ l

 

ଡାକଇ ପାମର ଏ ତ ଋଣ ସଂଗ୍ରାମରେ

 

କେବଣ ଭରସା ପାଇ ଡାକଇ ମୋହାରେ ;l

 

କେ ଜାଣିପାରିବ ଅବା ଭଲ ମନ୍ଦ ଗତି

 

ଏତେ ବୋଲି ବାହାର ସେ ହୋଇଲା ତଡତି l

 

ଯେସନେ ସ୍ଵର୍ଗରୂ ତାରା ଅକାଶେ ଖସଇ

 

ସୁଗ୍ରୀବର ନିକଟେ ପ୍ରବେଶ ହେଲା ଯାଇଁ l

 

ତମଭରେ ଉଡ଼ିଲେ ସକଳ ତରୁବରେ

 

ଉଠନ୍ତି ପଡନ୍ତି ବେନି ଦୁଃସହ ସମରେ

l ୩୦୦l

 

 

ଧନୁରେ ବସାଇ ବାଣ ଦେବ ରଘୁମଣି

 

ବାଳି ସୁଗ୍ରୀବର ତନୁ ନ ପାରିଲେ ଚିହ୍ନି l

 

ସମାନ ବୟସ ରୂପ କାନ୍ତି ଏହାଙ୍କର

 

ନ ଜାଣି କେମନ୍ତେ ମୁଁ ଛାଡ଼ିବି ଘୋରଶର l

 

ନ ଜାଣି ମିତ୍ରକୁ ମୁଁ ମାଇଲେ ଶରଘାତେ ।

 

ମିତ୍ରଦ୍ରୋହୀ ବୋଲି ବୋଲିବେ ଜଗତେ l

 

ସୁଗ୍ରୀବର ମାଥେ ମୁଥ ପ୍ରହାରିଲା ବାଳି ।

 

ମୋହଗତେ ସୁଗ୍ରୀବ ପଡିଲା ବୀର ଢଳି l

 

ପଡ଼ନ୍ତେ ପାଦପ୍ରହାର କଲା ମସ୍ତକରେ

 

ପବନ ସମାନେ ଯାଇଁ ପଶିଲା ମନ୍ଦିରେ

l ୩୦୫l

 

 

ଜାମ୍ବବାନ ସୁଷେଣ କହନ୍ତି କର ଯୋଡି

 

ସୁଗ୍ରୀବକୁ ସଂଗ୍ରାମେ ମାଇଲା ବୀର ବାଳି l

 

ମନ୍ଥିଲା ସକଳ କାୟ ପଶିଲା ମନ୍ଦରେ

 

ମରଣ ଲଭିଲା କିବା ଅଛି ଜୀବନରେ l

 

ଦେଖିବା ତାହାକୁ ସ୍ୱାମୀ ସେଠାବକୁ ଯାଇ

 

ତୋହୋର କୃପାରେ ଅବା ଥିବ ପ୍ରାଣ ଯାଇ l

 

ଯେଉଁଠାରେ ପଡିଅଛି ସଂଗ୍ରାମ ଭୂମିରେ

 

ପ୍ରବେଶ ହୋଇଲେ ସୁଗ୍ରୀବର ନିକଟରେ l

 

ରାମର ବଦନ ଚାହିଁ କହିଲା ଉତ୍ତର

l ୩୧୦

 

 

ମହାମେରୁ ବୋଲି ସ୍ଵାମୀ ଜାଣିଥିଲି ତୋତେ

 

ମୃଗତୃଷ୍ଣା ରୂପରେ ଦର୍ଶନ ଦେଲୁ ମୋତେ l

 

ଅରଣ୍ୟେ ଯେସନେ କ୍ଷୁଦ୍ର ମର୍କଟ ସକଳ

 

ଡାଳେ ଡାଳେ ଭ୍ରମି ଭ୍ରମି ଭକ୍ଷୁଥାନ୍ତି ଫଳ

 

ତାହାଙ୍କୁ କେମନ୍ତେ ଶରେ ମାରିଅଛୁ ରାମ

 

ତାହା ପ୍ରାୟେ ବୁଝିଲୁ ବାଳିର ପରାକ୍ରମ ।

 

କ୍ଷୁଦ୍ର ପ୍ରାୟେ ବୁଝି ତୁ ପ୍ରତିଜ୍ଞା କରିଥିଲୁ

 

ଦେଖି ତାକୁ ଭୟେ ଧୁନ ଧରି ନ ପାରିଲୁ ।

 

ଯେବେ ତୁ ବାଳିକି ମାରି ନ ପାରିବୁ ରଣେ

 

ମୋତେ ଘେନି ଅଇଲୁ ତୁ କେବଣ କାରଣେ

।୩୧୫।

 

 

ସୁଗ୍ରୀବର ବଚନ ଶୁଣିଣ ହନୁମାନ

 

କୋପଭର ବୀର କହଇ ବଚନ l

 

ବୋଇଲା ମାତୁଲ ଭ୍ରମ ହୋଇଲୁ ନିଶ୍ଚୟ

 

ବିହ୍ଵଳିତ କହୁଛୁ ବାତୁଳିମତିପ୍ରାୟ l

 

ଯାହାର ଇଚ୍ଛାରୁ ଏ ସକଳ ସୃଷ୍ଟି ଜାତ

 

ଇଚ୍ଛା କଲେ ଜଗତ କରିବି ଶରେ ହତ l

 

ତାହାକୁ ବୋଇଲୁ ତୁ ବାଳିକି ଭୟ କଲୁ

 

ଭ୍ରମ ହୋଇ ଏମନ୍ତ ବଚନ କିଂପା ବୋଲୁ l

 

ହନୁମାନ ବଚନେ ସୁଗ୍ରୀବ ଜ୍ଞାନ ପାଇ

 

କରଯୋଡି ରାମଚନ୍ଦ୍ର ଛାମୁରେ ଜଣାଇ

l ୩୨୦l

 

 

ଭୋ ଦେବ ଜଗତରୁ ଦୋଷ କ୍ଷମାକର

 

ଭୃତ୍ୟ ଭାବେ ଯହୁଁ ତୋତେ ଭରସା ମୋହର l

 

ବାଳିଠାରୁ ପାଇଲି ବହୁତ ପରାଭବ

 

ଜାଣିଲି ପିଣ୍ଡାରେ ଆଉ ପ୍ରାଣ ନ ରଖିବ l

 

ଏ ଘେନି ମୋହର ଦେବ ଦୁଃଖିତ ମନରେ

 

ବହୁତ ଅପ୍ରାଧ କଲି ପଦ୍ମଚରଣରେ l

 

ଭୋ ଦେବ ଦୟାକୁ ପ୍ରଭୁ ଦୋଷ କ୍ଷମା କର

 

ମୋହର କିଞ୍ଚିତ ବୁଦ୍ଧି ଜାତିରେ ବାନର l

 

ଶ୍ରୀରାମ ବୋଲନ୍ତି ମିତ୍ର ଆସ ମୋର ପାଶ

 

ତୋତେ କି ବୋଲିବି ମିତ୍ର ତୋହୋର ନିମନ୍ତେ

 

ବାଳିକି ଅବଶ୍ୟ ମୁଁ ମାରିବି ଶରଘାତେ ।

 

ଦେଖିଲି ବାଳିକି ତୋର ସଂଗ୍ରାମ ସଂଶୟେ

 

ଏକଇ ବୟସ ତୁଲ୍ୟ ଦୁହିଁଙ୍କର କାୟେ l

 

ସେ ଘେନି ଭ୍ରାନ୍ତିରେ ମିତ୍ର ନ ଛାଡିଲି ଶର

 

ବଚନ ବିଅର୍ଥ ମିତ୍ର ହୋଇଛି ମୋହର l

 

ଯଦି ମୋର ଥିବ ବେନି ଭୁଜେ ଶରଚାପ

 

ସର୍ବଥା ମନରେ ମିତ୍ର ନ ଧର ସନ୍ତାପ l

 

ଚାଲ ହେ ମଇତ୍ର ଯିବା ଋଷ୍ୟମୁକ ସ୍ଥାନେ

 

ସର୍ବଥା କେବେହେଁ ଦୁଃଖ ନ ଧରିବ ମନେ

l ୩୩୦l

 

 

ଦେହ ଶୋଧ କରି ପୁଣି ଲେଉଟି ଆସିବା

 

ତୋହରେ ନିମନ୍ତେ ମିତ୍ର ବାଳିକି ନାଶିବା l

 

ସମ୍ପତ୍ତି ବିପତ୍ତି ଯେଉଁ କାଳରେ ଯେ କଥା

 

ପ୍ରାଣିକି ଲଲାଟେ ଯାହା ଲହିଛି ବିଧାତା

 

ଯେତେ ଦିନ ବାଳିକି ସେ ଅଛି ଭୋଗ ଯୋଗ

 

ଅର୍ଜିଲାର ଫଳ କର୍ମ କେ ଆନ କରିବ l

 

ଯେଉଁ ଦିନୁଁ ଧର୍ମକୁ ଛାଡିଲା ନିଶ୍ଚୟ

 

ସେହି ଦିନୁ ନିକଟ ହୋଇଲା ତାର ଭୟ l

 

ଏତେ କହି କପିଗଣ ସଙ୍ଗରେ ଲଗାଇ

 

ଋଶ୍ୟମୂକ ପର୍ବତରେ ମିଳିଲେକେ ଯାଇଁ

l ୩୩୫ l

 

 

ଆଜ୍ଞା ପାଇ ମନ୍ଦରକୁ ଗଲା ସୁଗ୍ରୀବର

 

ରହିଲେ ରାମ ଲକ୍ଷ୍ମଣ ନଦୀର ତଟର l

 

ରହିଲା ଅଜ୍ଞାନାସୁତ ଶ୍ରୀ ଚରଣ ତଳେ

 

କରପତ୍ର ଯୋଡି ବୀର ରହିଲା ଅଚଳେ l

 

କହେ ଦ୍ରୋହୀ ଗୋବିନ୍ଦ ସେ ଧନ୍ୟ ହନୁମାନ

 

ବ୍ରହ୍ମଲୋକେ ତପସ୍ୟା କରିଛି କେତେ ଦିନ

 

ବ୍ରହ୍ମାର ନନ୍ଦନ ସର୍ବ ଦେବଗଣ ଘେନି

 

ଶ୍ଵେତଦ୍ଵୀପେ ତପସ୍ୟା କରନ୍ତେ ସର୍ବ ମୁନି l

 

ହୟଗ୍ରୀବ ରୂପେ ଶ୍ଵେତଦ୍ଵୀପେ ନରହରି

 

ପ୍ରସନ୍ନ କରାଇଲେ ଯେ ଘୋର ତପ କରି

l ୩୪୦ l

 

 

ଆଜ୍ଞା ଦେଲେ ଯାଅ ତୁମ୍ଭେ ସର୍ବ ଦେବଗଣ

 

ରାମ ଅବତାର ମୁଁ ହୋଇବି ନାରାୟଣ l

 

ବାନର ସ୍ଵରୂପେ ଜାତ ହୋଇବ ସକଳ

 

କରିବା ଦର୍ଶନ ମୋର ଚରଣ କମଳ l

 

ସେ ଫଳ ପ୍ରାପତ ଆସି ହୋଇଲା ତୁମ୍ଭରେ

 

ଦେଖିଲ ପରମବ୍ରହ୍ମ ଚର୍ମ ନୟନରେ l

 

ଫଳିଲା ସୃକୃତ ସର୍ବ ଦୁଃଖ ଗଲା ନାଶ

 

ଲଭିଲା ପରମ ମୋକ୍ଷ ଛେଦି ମୋହ ଫାଶ l

 

ଏମନ୍ତେ ଦିବସେ ରାତ୍ରେ ଋଷ୍ୟମୁକ ରହି

 

ବାଳୀ ସୁଗ୍ରୀବର ସଂଗ୍ରାମ କଥା କହି

l ୩୪୫ l

 

 

ରାତ୍ର ପ୍ରଭାତରୁ ରାମ ଦର୍ଶନ ନିମନ୍ତେ

 

ସୁଗ୍ରୀବର ଜାମ୍ବବାନ ସୁଷେଣ ସହିତେ l

 

ନଳନୀଳ ସତବାଳି ସହିତେ ବାନରେ

 

ପ୍ରବେଶ ହୋଇଲେ ରାଜା ସୁଗ୍ରୀବ ଆଗରେ l

 

ଶ୍ରୀରାମ ଲକ୍ଷ୍ମଣ ବସିଛନ୍ତି ନଦୀତୀରେ

 

ବେନି ପାଖେ ବେନି ତୂଣ ଧନୁଶର କରେ l

 

ଆଗେ ଉଭା ହୋଇଅଛି ଅଞ୍ଜନା କୁମର

 

ପ୍ରବେଶ ହୋଇଲେ ଯାଇଁ ରାଜା ସୁଗ୍ରୀବର l

 

ଯାର ପାଦ ପଦେ ମୁନି ଧଉଥା ନ୍ତି ନିତ୍ୟେ

 

ସେ ଚରଣ ସୁଗ୍ରୀବ ଧାଇଲା ଦଣ୍ଡବତେ

l ୩୫୦ l

 

 

ଆସ ଆସ ମଇତ୍ର ଡାକନ୍ତି ରଘୁମଣି

 

ବାଳି ଭୁବନକୁ ମିତ୍ର ଯିବା ଏହିକ୍ଷଣି l

 

ଆଜ୍ଞା ପାଇ କହନ୍ତି ସୁଗ୍ରୀବ ଯୋଡି କର

 

ମୋହୋର ବଚନ ଦେବ ଶୁଣ ରଘୁବୀର l

 

ପୂର୍ବରୁ ଚରିତ ଦେବ ଯାହା ଅଛି ଶୁଣି

 

ଆଜ୍ଞା ଦେଲେ କହିବି ଠାକୁର ରଘୁମଣି l

 

ଶ୍ରୀରାମ ବୋଲନ୍ତି ମିତ୍ର ବସ ମୋ ପାଶରେ

 

ଯାହା ଶୁଣିଅଛ ମିତ୍ର କହିବ ମୋହରେ l

 

ସୁଗ୍ରୀବ କହନ୍ତି ଶୁଣ କରୁଣାସାଗର

 

ବାଳି ଦୂଦୀ ଭିର ପୂର୍ବେ ହୋଇଲା ସମର

l ୩୫୫ l

 

 

ଦୁନ୍ଦଭିକି ସଂଗ୍ରାମେ ମାଇଲା ବାଳିରାୟ

 

ଅସ୍ଥିତାର ପଡିଅଛି ଗିରିବର ପ୍ରାୟ

 

କେହି ବଳବନ୍ତେ ତାହା ନ ପାରନ୍ତି ଚଳି

 

ମୁନି ତପୋବନ ର ନିକଟେ ଅଛି ପଡି l

 

ଭୋ ଦେବ ଆକାଶବାଣୀ ଯାହା ଅଛି ଶୁଣି

 

ସେ କଥା କହିବି ଦେବ ଶୁଣ ଚାପପାଣି ଲ

 

ଶୁଭିଲା ହେ ଶୁଣ ତୁମ୍ଭେ ସକଳ ବାନରେ

 

ବାଲିକି ମରଣତେ ଆନ ନାହିଁ ପୃଥିବୀରେ l

 

ଦୁନ୍ଦୁଭିରାକ୍ଷସ ଅସ୍ଥି ଯହିଁ ଅଛି ପଡି

 

କେହି ବଳବନ୍ତା ତାହା ନପାରନ୍ତି ଚଳି

l ୩୬୦ l

 

 

ଚରଣ ଆଘାତେ ଯେ ପାରିବି ତାହା ଟାଳି

 

ତାହାର ହସ୍ତରେ ନିଶ୍ଚେଁ ନାଶଯିବ ବାଳି

 

ଆବର କଥାଏ ଦେବ କହିବି ଛାମୁରେ

 

ବୃଷାଳ ସପତ ଶାଳ ଅଛି ଅରଣ୍ୟରେ l

 

ବାଳି ବେନି ଶାଳ ଯେ ଭେଦଇ ନାରାଚରେ l

 

ସାତ ଶାଳ ଭେଦନ୍ତା ହେନାହିଁ ଜଗତରେ l

 

ଯେ ଭେଦି ପାରିବ ସେ ସପତ ମହାଶାଳ

 

ତାହାର ଶରେ ମରିବ ସେହୁ ବାଳିବର l

 

ଯାହା ଶୁଣିଥିଲି ଦେବ ମୋହୋର କର୍ଣ୍ଣରେ

 

ଶୁଣିବା ପଙ୍କଜ ନେତ୍ର କହିଲି ଛାମୁରେ

l ୩୬୫ l

 

 

ମୁଁ ତ ନ ବୋଲିବି ଦେବ କରିବା ବିଜୟ

 

ନୟନେ ଦେଖିବି ଯଦି ହୋଇବି ନିର୍ଭୟ l

 

ସୁଗ୍ରୀବର ତହୁଁ ଦେବ ଶୁଣି ତା ଉତ୍ତର

 

ଯୁବା ସିଂହ ପ୍ରାୟକ ଉଠିଲେ ଧାତିକାର l

 

ଦୁନ୍ଦୁଭିର ଅସ୍ଥି ମିତ୍ର ଅଛି କେଉଁଠାରେ

 

ଆସ ଆସ ମଇତ୍ର ହୋ ଯିବା ଧାତିକାରେ l

 

ଦୁନ୍ଦୁଭିର ଅସ୍ଥି କେମନ୍ତ ପ୍ରକାର

 

ଗରିବର ପ୍ରାୟ କାୟ ଦେଖିବା ତାହାର l

 

ଆଗରେ କଢ଼ାଇ ବାଟ ପବନ କୁମର

 

ପଛରେ ବିଜୟ ରାମ ଲକ୍ଷ୍ମଣ ସୋଦର

l ୩୭୦ l

 

 

ସୁଗ୍ରୀବର ସୁଷେଣ ପଛରେ ଜାମ୍ବବାନ

 

ବିଜେ କରି ଗଲେ ପ୍ରଭୁ ଭୁବନ ମୋହନ l

 

ଶ୍ରୀରାମ ପଛରେ ବିଜେ ସୁମିତ୍ରା କୁମର

 

ସମସ୍ତ ବାନର ଘେନି ପଛେ ସୁଗ୍ରୀବର l

 

ଦୁନ୍ଦୁଭିର ଅସ୍ଥି ପଡିଅଛି ଯେଉଁ ଠାଏ

 

ସେଠାରେ ସୁଗତି ଦାତା କଲେଜ ବିଜୟେ l

 

ସୁଗ୍ରୀବ କହଇ ବେନି କରପତ୍ର ଯୋଡି

 

ସାବଧାନ ଦୁନ୍ଦୁ ଭରି ଅସ୍ଥି ଅଛି ପଡି l

 

ସୁଗ୍ରୀବ କହନ୍ତେ ରାମ କର୍ଣ୍ଣରେ ଶୁଣିଲେ

 

ଦୁନ୍ଦୁଭିର ଅସ୍ଥି ବୋଲି ନିଶ୍ଚୟ ଜାଣିଲେ

l ୩୭୫ l

 

 

ପଡିଅଛି ଅସ୍ଥି ତାର ଗିରିବର ପ୍ରାୟ

 

ସୁଗ୍ରୀବର ବଚନେ ଛୁଇଁ ଲେ ରାମ ରାୟ l

 

ଚରଣ ଆଘାତେ ଅସ୍ଥି ଉଡ଼ିଲା ଅକାଶେ

 

ଅସ୍ଥିର ନିର୍ଘାତ ଯେ ଶୁଭିଲା ଦଶଦିଗେ l

 

ଅସ୍ଥିର ଭିତରୁ ଜାତ ହୋଇଲା ପୁରୁଷେ

 

କରପାତ୍ର ଯୋଡି ସ୍ତୁତି କରଇ ଅକାଶେ l

 

ନମସ୍ତେ ନମସ୍ତେ ଦଶରଥର ନନ୍ଦନ

 

ଅଶେଷ ଜଗତ ତୋର ଚରଣ ବନ୍ଦନ l

 

ନମସ୍ତେ ନମସ୍ତେ ଦେବ ଜାନକୀ ବଲ୍ଲଭ

 

ଧ୍ୟାନ ଧାରଣରେ ଯୋଗୀମାନଙ୍କୁ ଦୁର୍ଲଭ

l ୩୮୦ l

 

 

ନମସ୍ତେ ନମସ୍ତେ ଦେବ ସୁର୍ଯ୍ୟବଂଶେ ଜାତ

 

ଲିଲାଏ (ରେ) ମାନବ କାୟ ଜଗତର ନାଥ l

 

ନମସ୍ତେ ନମସ୍ତେ ଦେବ ଶ୍ୟାମଳ ସୁନ୍ଦର

 

ପରମ ଅଶୃତ (?) ଯୋଗୀଜନମାନଙ୍କର l

 

ନମସ୍ତେ ନମସ୍ତେ ଦେବ ଜଗତର ଗୁରୁ

 

ଅନେକ ଜନ୍ମର ଦୁଃଖ ନିମିଷକେ ହରୁ l

 

ଭୋ ଦେବ ପୂର୍ବର ଦୋଷେ ରାକ୍ଷସ ହୋଇଲି

 

ଅଜ୍ଞାନ ଶରୀରେ ମୁଁ ଅନେକ ଯୁଗ ନେଲି l

 

ପାଇଲି ଅନେକ କଷ୍ଟ ବ୍ରହ୍ମାର ଶାପରୁ

 

ତରିଲି ତୋହୋର ଶ୍ରୀ ଚରଣ ପ୍ରସାଦରୁ

l ୩୮୫l

 

 

କହୁଁ କହୁ ପ୍ରବେଶ ହେଲା ଆସି

 

ରାମରୂପ ଚାହିଁଣ ବିମାନେ ଗଲା ବସି l

 

ନୟନେ ଦେଖିଲା ତାହା ସରଳ ବାନରେ

 

ନୋହଇ ବାନର ବୋଲି ଭାବନ୍ତି ମନରେ l

 

ମନ୍ଦବୁଦ୍ଧି ସିନା ଆମ୍ଭେ ସଂଶୟ ବିଚାର

 

ବୋଇଲୁ ବାଳିକି ରାମ ନ ପାରିବେ ମାରି l

 

ଯେଉଁ ରୂପେ ସମସ୍ତେ ଦେଖିଲୁ ନୟନରେ

 

ସର୍ବଥା କରନ୍ତା ନାହିଁ ଦେବତା ଅସୁରେ l

 

ଶ୍ରୀରାମ ବୋଲନ୍ତି ମିତ୍ର ଏଠାବରୁ ଯିବା

 

କାହିଁ ଅଛି ସପ୍ତଶାଳ ମୋତେ କହିଦେବା

l ୩୯୦ l

 

 

ସୁଗ୍ରୀବ କାହଇ ଶୁଣ କେଶରିନନ୍ଦନ

 

ସପତ ଶାଳାକୁ ବାବୁ କଢ଼ାଅ ବହନ l

 

ସୁଗ୍ରୀବ ବଚନ ଶୁଣି ଆଗ ହୋଇଗଲା

 

ସପତଶାଳା ଠାବରୁ ପଥ କଢ଼ାଇଲା l

 

କହଇ କର ଦେଖାଇ ଶୁଣ ରଘୁବୀର l

 

ଦେଖ ଦେବ ସପ୍ତଶାଳା ମହାତରୁବର l

 

କେହି ତାହା ଭେଦି ନ ପାରନ୍ତି ରଘୁବୀର

 

ବେନି ଶାଳା ଭେଦଇ ସେ ବାଳୀ ମହାବୀର l

 

ସୁଗ୍ରୀବ ବଚନେ ବାଣ ଚାପରେ ବସାଇ

 

ସପତ ଶାଳାକୁ ରାମ ଆନନ୍ଦେ ଅନାଇଁ

l ୩୯୫ l

 

 

ଆକର୍ଣ୍ଣ ପୁରୋଇ ରାମ ପ୍ରହାରିଲେ ଶର

 

ଭେଦିଲା ସପତଶାଳା ହୋଇଲା ବାହାର l

 

ରିପୁନାଶ ଅଟଇ ଯେ ଶ୍ରୀରାମ ଶର

 

ଛେଦିବ ବଜ୍ରସମ ସପତ ତରୁବର l

 

ତହୁଁ ଭେଦି ଗଲେ ବାଣ ଋଷ୍ୟମୁକ ଗିରି

 

ପାତାଳେ ପଶିଲା ବାଣ ପୃଥିବୀ ବିଦାରି l

 

ଯେତେ ଦୁଷ୍ଟ ରାକ୍ଷସ ପାତାଳ ପୁରେ ଥିଲେ

 

ରାମବାଣ ଅନଳେ ସେ ଦହନ ହୋଇଲେ l

 

ପାତାଳ ଭୁବନେ ଦୁଷ୍ଟ ଦାନବଙ୍କୁ ମାରି

 

ଫେରିଲା ନାରାଚ ରାଜହଂସ ରୂପ ଧରି

l ୪୦୦l

 

 

ରାଜହଂସ ରୂପ ବାଣ ଆସଇ ଗଗନେ

 

ସୁଗ୍ରୀବର ସହିତେ ଦେଖନ୍ତି କପିମାନେ l

 

ରାଜହଂସ ରୂପେ ବାଣ ଗଗନୁ ଖସିଲା

 

ସମସ୍ତେ ଦେଖିଲେ ରାମ ତୁଣୀରେ ପଶିଲା l

 

ରାମ ବାଣ ଛେଦନ କରନ୍ତେ ତରୁବରେ

 

ମୂର୍ତ୍ତିବନ୍ତ ହୋଇଣ ବସିଲେ ମେଦିନୀରେ l

 

କରଯୋଡି କହନ୍ତି ସେ ଶ୍ରୀରାମ ଛାମୁରେ

 

ଆବର ଜନମ ପାଇଥିଲୁ ପୃଥିବୀରେ l

 

ନାରାଚ ରେ ଛେଦୀଲୁ ଆମ୍ଭର ଦୁଃଖଭାର

 

ଅଜ୍ଞାନ ଘୋର ସଂସାରୁ କଲୁ ଦେବ ପାର

l ୪୦୫ l

 

 

ବିଚିତ୍ର ମହିମା ଦେବ କେ ପାରିବ ଜାଣି

 

ଯାହା ନାମ ନିରତେ ଜପଇ କୁଶପାଣି l

 

ତୁ ଅଟୁ ଜଗତ ବନ୍ଧୁ ତୁ ସେ ପିତାମାତା

 

ତୁ ତୋହର ସର୍ବ ରୂପ ଗଢିବା ବିଧାତା l

 

କଉତୁକ ପୁରୁଷ ଟୀ ସଂସାର ଭିଆଇ

 

ହେଉ ତୁ ଶରୀର ଧାରୀ ଖେଳିବାର ପାଇଁ l

 

ଆତ୍ମଅପରାଧେ ତରୁ ଜନ୍ମ ହୋଇଥିଲୁ l

 

ତୋହର ଦର୍ଶନେ ମହା ଦୁଃଖ ଦୂର କଲୁ l

 

ରାମଚନ୍ଦ୍ର ଦର୍ଶନେ ନିର୍ମଳ ବସ୍ତୁ ପାଇ

 

ବିମାନରେ ବସି ଗଲେ ଗଗନେ ସମ୍ଭାଇ

l ୪୧୦ l

 

 

କହେ ରାଜା ଗୋବିନ୍ଦ ଜାନକୀ ପତି ରାମ

 

ସଂସାର ଘୋର ପାପକୁ ଚରଣେ ବିଶ୍ରାମ l

 

ମୁଁ ଅତି ଦୁର୍ବୁଦ୍ଧି ତୁ ଯେ କୁବୁଦ୍ଧି ହରଣ

 

ତ୍ରାହି କର ଶ୍ରୀରାମ ତୋ ଚରଣ ଶରଣ l

 

ଦେଖି ସ୍ତମ୍ଭୀଭୁତ ହୋଇ ସକଳ ବାନରେ

 

ଦେଖିଲା ଶୁଣିଲା ନାହିଁ ତିନି ଜଗତରେ l

 

ଦେବଗଣ ସହିତେ ଯେସନେ ଚଉମାଥ

 

କ୍ଷୀରନିଧି ତଟରେ ଭେଟିଲେ ଜଗନ୍ନାଥ l

 

ସେହି ମତେ ସୁଗ୍ରୀବ ସକଳ ସୈନ୍ୟ ଘେନି

 

ଭେଟିଲା ଶ୍ରୀ ରଘୁନାଥ ଶ୍ରୀପୟର ବେନି

l ୪୧୫l

 

 

ସୁଗ୍ରୀବର ସହିତେ ସକଳ କପିଗଣ

 

ପ୍ରଦକ୍ଷଣ କରି ଶୋଇ ଶ୍ରୀରାମ ଚରଣ l

 

ଉଠିକରି ସର୍ବ କପି ଶିରେ କର ଦେଇ

 

ମହା ଭୟ ପାଇ ବୀର କହଇ ବିନୋଇ l

 

ବାସବ ସହିତେ ଯେତେ ସର୍ବ ଦେବଗଣ

 

ନିମିଷ ମାତ୍ର ସହ ନ ପରିଲି ତୋ ଋଣ l

 

ସେ ବାଳି ମାରିବ ବୋଲି ନ ଗଲି ପରତେ

 

ଦେଖି ଅଜ୍ଞାନ ପଣ ଅପ୍ରତେ କଲି ତୋତେ l

 

ଅପ୍ରାଧ ଭଞ୍ଜନ ହେ ଅପ୍ରାଧ କ୍ଷମା କର

 

ଭବଜଳେ ବୁଡିଲି ଉଦ୍ଧରି ମୋତେ ଧର

l ୪୨୦ l

 

 

ପାଦ ଘାତେ ପଡିଲା ଦୁନ୍ଦୁଭି ମହାମେରୁ

 

ବାଣ ଘାତେ ଛେଦିଲ ସପତଶାଳ ତରୁ l

 

ବାହୁଡି ବିଜୟ ଆସି କଲେ ନଦୀତୀରେ

 

ସଙ୍ଗତେ ଗୋଡାଇଛନ୍ତି ସକଳ ବାନରେ l

 

ଏଥୁ ଅନନ୍ତରେ ସେ ବାଳିର ଚାରମାନେ

 

ନିରନ୍ତରେ ଭ୍ରମୁ ଥାନ୍ତି ଋଶ୍ୟମୂକ ବନେ l

 

ସୁଗ୍ରୀବର ସଙ୍ଗେ ରାମ ଯେତେ କଥାମାନ

 

ବୁଝି ଶୁଣିଗଲେ ସବୁ କିସ୍କିନ୍ଧା ଭୁବନେ l

 

ଦୁନ୍ଦୁଭି ଅସ୍ଥ ଚଳିବା ତରୁଙ୍କ ଛେଦନ

 

ଦେଖି କରି ପଚାରନ୍ତି ସମସ୍ତ ବିଧାନ

l ୪୨୫l

 

 

ପ୍ରବେଶ ହୋଇଲେ ଯାଇ କିସ୍କିନ୍ଧା ନଗରେ

 

ବାଳିରାଜା ବିଜୟ କରିଛି ଆସ୍ଥାନରେ

 

ରାଜ ଆସନରେ ବିଜେ କରିଛି ନୃପତ

 

ବେଢ ସେବା କରୁଛନ୍ତି ଅନେକ ଯୁବତୀ l

 

ମଣିମୟ ମୁକୁଟ ଶୋହଇ ମସ୍ତକରେ

 

ମାଳ ଚନ୍ଦନ ବିଲେପି ଅଛିଟି ଶରୀରେ l

 

ନାନାରତ୍ନ କୁଣ୍ଡଳ ଖଚିତ କର୍ଣ୍ଣ ମୂଳେ

 

ବିବିଧ କୁସୁମ ଖଞ୍ଜି ଅଛଇ କୁଣ୍ଡଳେ l

 

ବିଚିତ୍ର ବସନେ ପିନ୍ଧିଅଛି କଟି ଭାଗେ

 

ତାରା ତାକୁ ତାମ୍ବୁଲ ଯୋଗାଇ ବସି ଲାଗେ

l ୪୩୦ l

 

 

ଧରି ବେନି ଚରଣ ବସିଛ ରୋମା ନାରୀ

 

କେହୁ ବିଞ୍ଚେ ଆଲଟ ରାମର କରେ ଧରି l

 

ରତ୍ନମୟ ମନ୍ଦର ସେ ମନ୍ଦ ମନ୍ଦ ଜାଣି

 

ସର୍ବଦା ବାସଇ ତହିଁ କପୁକୁଳମଣି l

 

କପିରାଜା ବସିଛି କନକ ଆସନରେ

 

କହଇ ହରଷ କଥା ଅତି ହରଷରେ l

 

ତାରାକୁ ଧରଇ ସେହୁ ତାମ୍ବୂଳ ସହିତେ

 

ରାମକୁ ଚାହଇଁ ପୁଣି ହରଷିତ ଚିତ୍ତେ l

 

ଦେବାସୁର ଦାନବେ ସେ ଭୟ ନ କରଇ

 

ରତ୍ନମୟ ଭୁବନ ଭିତରେ ବିହରଇ

l ୪୩୫ l

 

 

ଏମନ୍ତ ସମୟେ ସେ ହୋଇଲେ ସର୍ବଚାରେ

 

ପରବେଶ ଯାଇଁ କପିରାଜା ସିଂହଦ୍ଵାରେ l

 

ଦ୍ଵାରପାଳ କହିଲା ସେ ବୃଦ୍ଧ ନାରୀଠାରେ

 

ଋଷ୍ୟମୁକ ପର୍ବତୁ ଅଇଲେ ସର୍ବଚାରେ l

 

ଯାଅ ମାତ କହ ଆମ୍ଭ ବଚନ ତୁରିତ

 

ବେଗ କରି କହ ଯାଇଁ ରାଜାର ଅଗ୍ରତ l

 

ଦ୍ଵାରପାଳ ବଚନେ ସେ ବୃଦ୍ଧ ନାରୀ ଯାଇଁ

 

ବେନି କରଯୋଡି ବାଳି ଆଗରେ ଜଣାଇ l

 

ଶୁଣ ଭୋ ଦେବ ବାନର କୁଳ ଶିରୋମଣି

 

ଚାରମାନେ ପ୍ରବେଶ ହୋଇଲେ ଏହିକ୍ଷଣି

l ୪୪୦ l

 

 

ତାହାର ବଚନେ ଶୁଣି ବାନର ରାଜନ

 

ତାରା ରୋମା ମୁଖ ଚାହିଁ କହଇ ବଚନ l

 

ଭିତର ଭୁବନକୁ ଯାଅ ଗୋ ସୁନ୍ଦରୀ

 

ତାରା ରୋମା ସଂଗତରେ ଯାଅ ସର୍ବ ନାରୀ l

 

ଆଜ୍ଞା ପାଇ ଭିତରକୁ ଚଳିଲେ ସେମାନେ

 

ବୋଇଲେ ଏବେ ଆସନ୍ତୁ ସର୍ବ ଚାରଗଣେ l

 

ଆଜ୍ଞା ପାଇ ଅଇଲେ ସକଳ ଚାରଗଣେ l

 

ଶିରେ କରଯୋଡି ଉଭା ହେଲେ ସନ୍ନିଧାନେ l

 

ବୋଇଲେ ହୋ ଚାରମାନେ ଋଷ୍ୟମୁକେ ଥିଲ

 

ଯେତେକ ଚରିତ ସବୁ ଦେଖିଲ ଶୁଣିଲ

l ୪୪୫ l

 

 

କହ ସର୍ବ କଥା ଚାରେ ମୋହର ଆଗରେ

 

କେହୁଣୀ କଥାକୁ ଭ୍ରାନ୍ତି ନ କର ମନରେ l

 

କରପାତ୍ର ଯୋଡ଼ିଣ ସକଳ ଚାର ମାନେ

 

ଦେଖି ଶୁଣି ଅଇଲୁ ଯା ଋଷ୍ୟମୁକ ବନେ l

 

ସାବଧାନେ ଶୁଣ ଦେବ ବାନର ଈଶ୍ୱର

 

ପୂର୍ବେ ଜ୍ଞାତ କରିଛି ଚରିତ ଯା ତାଙ୍କର l

 

ସମର ନିମନ୍ତେ ଯତି କହିଲା ସେ ଯେତେ

 

କଦାଚିତେ ସୁଗ୍ରୀବର ନ ଗଲା ପରତେ l

 

ବୋଇଲା ଦୁନ୍ଦୁଭିକି ମାଇଲା ରାଜା ବାଳି

 

ପର୍ବତ ପରାୟ ତାର ଅଛି ଅସ୍ଥି ପଡି

l ୪୫୦ l

 

 

କେହି ବଳବନ୍ତ ତାହା ନ ପାରନ୍ତି ଚଳି

 

ତାହା ଯେବେ କରନେ ପାରିବୁ ଦେବ ତୋଳି l

 

ତେବେ ପ୍ରତେ କରିବି ରଣେ ମାରିବି ବାଳି

 

ସଂଗ୍ରାମ ଭୂମିରେ ସେ ଅଟଇ ମହାବଳୀ l

 

ଆହୁରି କଥାଏ ଦେବ କହିବି ଛାମୁର

 

ଅରଣ୍ୟରେ ଅଛି ସାତଶାଳ ତରୁବର l

 

ଦୁଇ ତରୁ ଭେଦଇ ବାନର ନୃପମଣି

 

ତାହା ଯଦି ଭେଦିବୂ ,ପାରିବୁ ରୁଣେ ଜିଣି l

 

ଶୁଣିଣ ଉଠିଲେ ସେ ଯେ ବେନି ମହାଯତି

 

ପ୍ରବେଶ ହୋଇଲେ ଅସ୍ଥି ନିକଟେ ତଡିତ

l ୪୫୫l

 

 

ଚଉଦିଗ ଦେଖନ୍ତି ସମସ୍ତ କପିମାନେ

 

ଚରଣ ଆଘାତେ ଅସ୍ଥି ଉଠିଲା ଗଗନେ l

 

ଦେଖିଣ ସ୍ଥକିତ ହେଲେ ସକଳ ବାନରେ

 

ଉଡ଼ିଲା ସମସ୍ତେ ତାହା ଦେଖିଲେ ଚକ୍ଷୁରେ l

 

ତହୁଁ ଶୁଣ ଶୁଣ ଦେବ ଏଥୁ ଅନନ୍ତରେ

 

ସୁଗ୍ରୀବର ସଙ୍ଗତରେ ସମସ୍ତ ବାନରେ l

 

ଯତିକି କଢ଼ାଇଲେ ସେ ଅରଣ୍ୟ ଭିତରେ

 

ପ୍ରବେଶ ହୋଇଲେ ସପ୍ତଶାଳ ନିକଟରେ l

 

କହିଲା କର ଦେଖାଇ ସୁଗ୍ରୀବ ବାନର

 

ସାବଧାନ ହୁଅ ଏ ସପତ ତରୁବର

l ୪୬୦l

 

 

ସୁଗ୍ରୀବର ବଚନେ ପ୍ରହର କଲେ ଶର

 

ଛେଦିଲେ ନାରାଚଘାତେ ସପ୍ତ ତରୁବର l

 

ଋଷ୍ୟମୁକ ପର୍ବତ ନାରାଚ ଭେଦିଗଲା

 

ଜାଣି ନ ପାରିଲୁ ବାଣ କାହିଁ ବିଶ୍ରାମିଲା l

 

ସୁଗ୍ରୀବର ସହିତେ ସେ ବାହୁଡି ଅଇଲେ

 

ବିଶ୍ରାମିଲେ ଆସି ବେଗେ ସେହି ନଦୀକୂଳେ l

 

ଦେଖିଲୁଁ ନୟନେ ଯାହା କହିଲୁ ନୃପତ

 

ଶୁଣିଲା କହିବାକୁ ସେ କରୁଛୁ ବିନତ l

 

ଆଜ୍ଞା ଦେଲେ କହିବୁ ଶୁଣିଲା କଥାମାନ

 

କହ ବୋଲି ବାଳିନୃପ ହେଲା ସାବଧାନ

l ୪୬୫ l

 

 

ଋଷ୍ୟମୁକ ଗିରିବରେ ସକଳ ବାନରେ

 

କଥାମାନ ହେଉଥାନ୍ତି ଏକୁ ଆରକରେ l

 

ସେ କଥା ସମସ୍ତ ଯାହା ଶୁଣିଲୁ କର୍ଣ୍ଣରେ

 

ସାବଧାନେ ମହାପତି କହିବୁ ଛାମୁରେ l

 

ଦଶରଥ ନାମେ ରାଜା ଅଯୋଧ୍ୟା ନଗରେ

 

ଧର୍ମରେ ଉଦିତ ରାଜା ଆଦିତ୍ୟ ବଂଶରେ l

 

ତାହାଙ୍କର ହୋଇଲେ ସେ ଚାରୋଟି ନନ୍ଦନ

 

ଶ୍ରୀରାମ ଲକ୍ଷ୍ମଣ ଯେ ଭରତ ଶତ୍ରୁଘନ l

 

ଶ୍ରୀରାମକୁ ରାଜ୍ୟ ପିତା କରନ୍ତେ ନୃପତି

 

ସତ୍ୟ କରାଇଲା ତାକୁ କେକୟା ଯୁବତୀ

l ୪୭୦l

 

 

ହୋଇଲେ ଭରତ ରାଜା ଅଯୋଧ୍ୟା ନଗରେ

 

ଶ୍ରୀରାମ ଲକ୍ଷ୍ମଣ ସୀତା ପଶିଲେ ବନରେ l

 

ପଞ୍ଚବଟି ବନରେ ସେ କରିଥିଲେ ବାସ

 

ସୀତାକୁ ଚୋରାଇ ନେଲା ରାବଣ ରାକ୍ଷସ l

 

ଭ୍ରମନ୍ତେ ବନରେ ପଶି ଜାନକୀ ନ ପାଇ

 

ଋଷ୍ୟମୁକ ପର୍ବତେ ପ୍ରବେଶ ବେନିଭାଇ l

 

ବିଚାର ଜାଣିଲା ସବୁ ପବନତନଇ

 

ସେଠାବରେ ସୁଗ୍ରୀବ ଦର୍ଶନ କଲାଯାଇଁ l

 

କେମନ୍ତେ ପ୍ରକାରେ ରାମ ବନକୁ ଅଇଲେ

 

କେମନ୍ତେ ପ୍ରକାରେ ରାମ ସୀତା ହରାଇଲେ

l ୪୭୫ l

 

 

ସୁଗ୍ରୀବକୁ କହିଲେ ସମସ୍ତ କଥା ସାର

 

ଯାହା ଶୁଣିଥିଲୁଁ ଦେବ କହିଲୁ ଛାମୁର l

 

ଆପଣାର ଦୁଃଖ ରାମ ସୁଗ୍ରୀବକୁ କହି

 

ବୋଇଲେ ଏ ବନେ ତୁ କିମ୍ପାଇଁ ଅଛୁ ରହି l

 

ଏହା ନାରୀ ହରଣ କହିଲା ସୁଗ୍ରୀବର

 

ବୋଇଲେ ସମାନ ଦୁଃଖ ତୋହର ମୋହର l

 

ଶୁଣ ହେ ବାନର ମିତ୍ର ହୋଇଲେ ମୋହୋର

 

ଶରଘାତେ ମାରିବି ମୁଁ ଶତ୍ରୁ କୁ ତୋହର

l ୪୮୦l

 

 

ରାଜ୍ୟନାରୀ ପ୍ରାପତ ମୁଁ କରିବି ତୋହୋରେ

 

ଏ କଥାକୁ ଭ୍ରାନ୍ତି ମିତ୍ର ନ କର ମନରେ l

 

ସୁଗ୍ରୀବ ବୋଇଲା ଦେବ ତୋହରି ନିମନ୍ତେ

 

ଜନକ ନନ୍ଦିନୀ କି ମୁଁ ଖୋଜିବି ଜଗତେ l

 

ଯେମନ୍ତ ପ୍ରାପତ ହେବ ଜନକନନ୍ଦିନୀ

 

ଉପାୟ କରିବି ମୁଁ ବାନର ବଳ ଘେନି l

 

ଯାହା ଆମ୍ଭେ ଦେଖିଲୁ ଶୁଣିଲୁ ସେ ବନରେ

 

ସମସ୍ତ ଚରିତ ରାଜା କହିଲୁ ତୁମ୍ଭରେ l

 

ଏ କଥାକୁ ଉପାୟ ବିଚାର ନିରନ୍ତରେ

 

ଇତର ଚରିତ ବୋଲି ନ ଧର ମନରେ

l ୪୮୫ l

 

 

ଶୁଣିକରି ଥକିତରେ ହୋଇଲା ମଉନ

 

ବୋଇଲା ଜାଣିବ କେବା ଦଇବ ବିଧାନ l

 

ବେଣୁକାରମାନଙ୍କୁ ସେ କହଇ ଆପଣ

 

ବୋଇଲା ତାକିତେ ଥିବ ବେଣ୍ଠକାରଗଣ l

 

ଆଜ୍ଞା ପାଇ ବେଣ୍ଟକାରେ ଧାତି କାରେ ଗଲେ

 

ଯେ ଯାହାର ତାକିତରେ ସମସ୍ତେ ରହିଲେ l

 

ଏମନ୍ତେ ଡାକୁଆକୁ ଚାଇଳା କପିସାଇଁ

 

ବୋଲାଇ ହୋ ମନ୍ତ୍ରୀଗଣ ବେଗେ ଆଣ ରାଈ l

 

ଆଜ୍ଞା ପାଇ ଡାକୁଥାଏ ତୁରିତରେ ଗଲେ

 

ମନ୍ତ୍ରିଗଣମାନଙ୍କୁ ସେ ଡାକିଣ ଆଣିଲେ

l ୪୯୦l

 

 

ଛାମୁରେ ପ୍ରବେଶ ହୋଇ ସର୍ବମନ୍ତ୍ରିବରେ

 

ଚାରମାନେ ଥିଲେ ଋଷ୍ୟମୁକ ପର୍ବତରେ l

 

ସେଠାରେ ଶୁଣିଲେ ସେ ଯେତେକ କଥାମାନ

 

କହ କହ ଚାର ଗଣେ ମନ୍ତ୍ରିସନ୍ନି ଧାନ l

 

ଆଜ୍ଞା ପାଇ କହିଲେ ସମସ୍ତ କଥାମାନ

 

ସବୁ ସେ ଶୁଣିଲେ ମନ୍ତ୍ରୀ ହୋଇ ଏକମନ l

 

ଚାରଙ୍କର ତହୁଁ ଯହୁଁ ଶୁଣିଲେ ବାରତା

 

ସମସ୍ତ ମନ୍ତ୍ରୀଏ କଲେ ଗୁରୁତର ଚିନ୍ତା l

 

କହଇ ବାନରେଶ୍ଵର ଶୁଣ ମନ୍ତ୍ରୀ ଗଣ

 

ବନେ ଧନୁର୍ଦ୍ଧର ଅଛି ଶ୍ରୀରାମ ଲକ୍ଷ୍ମଣ

l ୪୯୫ l

 

 

ତାଙ୍କର ମୋହୋରେ ତ ଅଇରି ଭାବ ନାହିଁ

 

ମୋଟେ କିମ୍ପା ଶତ୍ରୁ ଚିନ୍ତା ସୁଗ୍ରୀବର ପାଇଁ l

 

ଶୁଣିଣ ମଉନ ହୋଇ ସକଳ ବାନରେ

 

କରଯୋଡି କହୁଛନ୍ତି ବାଳିର ଛାମୁରେ l

 

ଭୋ ଦେବ ବାନରେଶ୍ଵର ଶୁଣ ଚିତ୍ତ ଦେଇ

 

ଚାରଙ୍କର ବାରତା ଏ ଇତର ନୋହଇ l

 

ହେଳାପକ୍ଷ ହୋଇ ଦେବ କେବେହେଁ ନୋହିବା

 

ଯଥାଶକ୍ୟେ ଆପଣା ଉପାୟ କରୁଥିବା l

 

ଚାରି ଦ୍ଵାରେ ଥିବେ ସର୍ବ ମହାବଳେ

 

ଶାଳ ଶିଳ ଧରି ଥିବେ କପି ବୀରେ

l ୫୦୦ l

 

 

କପଟ ଶକଟ ବ୍ୟୁହ (ଭୁଅ) କରିବା ଦୁଆରେ

 

ସ୍ଥାନମାନ ଧରି ରହିଥିବେ ମାଲବୀରେ l

 

ଆପଣେ ବିଜୟେ କରିଥିବ ଅନ୍ତଃପୁର

 

ବିଜେ କରିଥିବ ରାଜା ଉତ୍ତର ମନ୍ଦର l

 

ଏମନ୍ତ ପ୍ରକାରେ ରାଜା ରାଜନୀତି ଘେନି

 

ସାବଧାନ ହୋଇଥିବା ସର୍ବ ସୈନ୍ୟ ଘେନି l

 

ଋଷ୍ୟମୂକ ପାଶେ ଥିବେ ସର୍ବ ଚାରଗଣେ

 

ତହିଁର ବାରତା କହୁଥିବେ କ୍ଷଣେ କ୍ଷଣେ l

 

ଏ କଥାକୁ ନୃପତି ନୋହିବ ଅଚେତନ

 

ସର୍ବ କାର୍ଯ୍ୟ ସଂଯୋଗରେ ଦେଇଥିବା ମନ

l ୫୦୫ l

 

 

ସୁଗ୍ରୀବର ଚରିତ ତ ସମସ୍ତ ହେ ଜାଣି

 

ସମ୍ମୁଖ ସଂଗ୍ରାମେ ସେ ତ ନ ପାରିବି ଜିଣି l

 

ସୁଗ୍ରୀବର ପ୍ରବେଶ ହୋଇଲେ ସିଂହଦ୍ଵାରେ

 

ସଂଗ୍ରାମକୁ ଆସ ବୋଲି ଡାକିବି ତୁମ୍ଭରେ l

 

ଅନୁମାନେ ଜାଣିବା ବିଚାର ଏହୁ କଥା

 

ସେ ବଡ ପିଠିଆ କରି ଆସିଛି ସର୍ବଥା l

 

ଅନୁମାନେ ଜାଣିବା ଶୁଣି ତ ଅଛ କର୍ଣ୍ଣେ

 

ବାହାର ନୋହିବ ଥିବ ଉତ୍ତର ଭୁବନେ ।

 

ଏ କଥା ବିଚାରି ଦେବ ଦେବ ନୋହିବ ନାଚଳ

 

ଅନ୍ତଃପୁରେ ବିଜେ କରିଥିବ ମହାବଳ

l ୫୧୦l

 

 

ତୁ ତ ରାଜେ ରାଜଧର୍ମ ଜାଣିଆଛୁ ସର୍ବ

Unknown

 

ସମୟ ବିଚାର କର କର କାର୍ଯ୍ୟ ଦେବ l

 

ରହିବେ ସୁର ଆବୋରି ସକଳ ବାନରେ

 

କଦାଚିତେ ବାହାର ତୁ ନୋହିବୁ ସମରେ l

 

ଆମ୍ଭକୁ ଯଦି ବିନାଶୀ ପଶିବି ଭିତରେ

 

ତହିଁକି ଦେବ ଉଚିତ କରିବ ସମରେ l

 

ଏମନ୍ତ ବିଚାର ମନ୍ତ୍ରୀ ଯେ ଯାହାର ମତେ

 

ସଂଯୋଗ କରିଣ ସୈନ୍ୟ ରହିଲେ ସମସ୍ତେ l

 

ଏଥୁ ଅନନ୍ତରେ ରାମ ରାଜୀବ ଲୋଚଣ

 

ସୁଗ୍ରୀବକୁ ଚାହିଁ ରାମ ବୋଲନ୍ତି ବଚନ

l ୫୧୫l

 

 

ଚାଲ ହୋ ମଇତ୍ର ଯିବା କିସ୍କିନ୍ଧା ନଗର

 

ବାଳିର ସଙ୍ଗତେ ତୁମ୍ଭ ଦେଖିବା ସମର l

 

ହୃଦୟେ ସନ୍ତାପ ତୁମ୍ଭ ଯେ ଅଛି ମନରେ

 

ଛଡାଇବା ବାଳି କି ମାରିବା ଘୋର ଶରେ l

 

ଏମନ୍ତ ବୋଲି ଉଠିଲେ ଠାକୁର ଦାଶରଥି

 

ଆସ ହୋ ମଇତ୍ର ଘେନି ତୁମ୍ଭ ଯୂଥପତି l

 

ଆଗୁଆ ପାଇ ମନ୍ତ୍ରୀଗଣ ସଙ୍ଗତେ ଲଗାଇ

 

ଆଗରେ ହୋଇଲା ପଥ କଢ଼ାଇବା ପାଇଁ l

 

କରନ୍ତି ବିଜୟ ରାମ ଲକ୍ଷ୍ମଣ ସହିତେ

 

ବାଳି ମାରି ସୁଗ୍ରୀବକୁ ଆସିବା ନିମନ୍ତେ

l ୫୨୦l

 

 

ପଛରେ ଚାଲଇ ବୀର ଅଞ୍ଜନା ନନ୍ଦନ

 

ରାମସେବା ବିନୁ ମନ ନ ଭବଇ ଆନ l

 

ଅମନ୍ଦ ମନ୍ଦ ପବନ ବହଇ ପୂର୍ବମାର୍ଗେ

 

ଶୁଭ ଅନୁକୂଳରେ ଚାଳନ୍ତି ବନଭାଗେ l

 

ସୁଗ୍ରୀବ ଦକ୍ଷିଣ ଚକ୍ଷୁ ଘନଘନ ଫୁରେ

 

ଯାନ୍ତି ରଙ୍ଗ ଭଙ୍ଗ ଭର ଉହାଡି ଆଗରେ l

 

ଗୋରୁ ମୃଗ ବନଜୀବ ଦକ୍ଷିଣ ଭାଗରେ

 

ବନରୁ ଡେଇଁଣ ହଂସ ପଡିଲା ଆଗରେ l

 

କହେ ରାଜା ଗୋବିନ୍ଦ ହେ ଶୁଣ ସର୍ବଜନେ

 

ଯାହାକୁ ସାହା ଶ୍ରୀରାମ ରାଜୀବଲୋଚଣ

l ୫୨୫ l

 

 

ତାହାକୁ ଶୁଭ କେମନ୍ତେ ନୋହିବେ ସକଳ

 

ଯାହାର କୃପାରେ ପାଇ ଚଉବର୍ଗ ଫଳ l

 

କେତେ ପୁଣ୍ୟ କରିଛି ବାନର ନୃପତି

 

ଯାହାର ନିମନ୍ତେ ରଘୁନାଥ ପାଦଗତି l

 

ତାହାର ତପସ୍ୟା କେ ବା କରିବ ନିର୍ଣ୍ଣୟେ

 

ଶରଣ ରାଜା ଗୋବିନ୍ଦ ଶ୍ରୀରାମର ପାୟେ l

 

କିସ୍କିନ୍ଧା ନିକଟେ ଯାଇଁ ହୋଇଲେ ପ୍ରବେଶ

 

ଡାକନ୍ତି ଶ୍ରୀରାମ ମିତ୍ର ନିକଟକୁ ଆସ l

 

ପୂର୍ବେ ତୁ ସଂଗ୍ରାମ କଲୁ ବାଳିର ସଙ୍ଗତେ

 

ଦୁଇଭାଇ ଏକରୂପ ନ ଚିହ୍ନିବୁ ତୋତେ l

 

ନାଗେଶ୍ଵର ପୁଷ୍ପ ରାମ ତୋଳିଣ ଶ୍ରୀକରେ

 

ଗୁନ୍ଥିଲେ ମାଳ ଗୋଟିଏ ବିଚିତ୍ର ପ୍ରକାରେ l

 

ସୁଗ୍ରୀବର ଗଳାରେ ଲମ୍ବାଇଲେ ଶ୍ରୀରାମ

 

ଦିଶିଲା କପି ସୁଗ୍ରୀବ ଅତି ଅନୁପମ l

 

ବୋଇଲେ ମଇତ୍ର ଉଠ ହୁଅ ପୂର୍ବାଦ୍ଵାରେ

 

ବାଳିକି ସଂଗ୍ରାମ ପାଇଁ ଡାକ ଧାତିକାରେ

l ୫ l

 

 

ପୂର୍ବପ୍ରାୟ ମଣି ଭ୍ରାନ୍ତି ନ କରିବି ଚିତ୍ତେ

 

ଆଜି ତାକୁ ମାରିବି ଅବଶ୍ୟ ବାଣଘାତେ l

 

ସୁଗ୍ରୀବ ବୋଲଇ ଦେବ ତୁମ୍ଭର ଆଜ୍ଞାରେ

 

ସର୍ବଥା ମୋହୋର ଭୟ ନାହିଁ ଜଗତ ରେ l

 

କିସ୍କିନ୍ଧା କଟକପତି କରିବ ନିର୍ଭୟେ

 

ପାଦପଦ୍ମ ପ୍ରସାଦରୁ ହୋଇଲୁ ନିର୍ଭୟେ l

 

ଏତେ ବୋଲି ବାନର ବୁଡ଼ିଲା ଭବଜଳେ

 

ଶିର ସର୍ମପିଲା ରାମଚରଣକମଲେ l

 

ଉଠ ବୋଲି ଆଜ୍ଞା ଦେଲେ ଜାନକୀର ପତି

 

ଆଶିଷରେ ଦେଲେ ରାମ କିସ୍କିନ୍ଧା ସମ୍ପତ୍ତ

l ୧୦l

 

 

ଚଳ ତୁ ସୁଗ୍ରୀବ କପି ଆଜ୍ଞା ଅନୁକୂଲେ

 

ରହିଲେ ଦିନଦୟାଳୁ ଏକ ତରୁମୂଳେ l

 

ଦୁଷ୍ଟ ନାଶୀ ସନ୍ଥ ରକ୍ଷା ଯେହୁବାହୁ ବେନି

 

ପ୍ରଳୟ ଅନଳ ସମ ଶର କରେ ଘେନି l

 

ପୁରଦ୍ଵାରେ ଉଭା ହୋଇ ସୁଗ୍ରୀବ ବାନର

 

ଡାକଇ ବାଳିକି ଆସ କରିବା ସମର l

 

ତୁମ୍ଭର ନଇଲା ଦେଖି ସକଳ ବାନରେ

 

ଅଭିଷେକ କଲେ ମୋତେ କିସ୍କିନ୍ଧା ନଗରେ l

 

ଅଙ୍ଗଦ କୁମାରକୁ ମୁଁ ଯୁବରଜ କରି

 

ପାଳଇ ସକଳ ବନଗିରି ଋଷି ହରି

l ୧୫ l

 

 

ମୁଁ ଯେବେ ତୋହର ବିନୁ ବିଚାର ମନରେ

 

ହୋଇଲେ ବାନରପତି କିସ୍କିନ୍ଧା ନଗରେ l

 

ଯେବେ ମୋର ଅଙ୍ଗଦକୁ ପାପଚିନ୍ତା ଥିବ

 

ଅଧର୍ମେ ହୋଇବି ହତ ସୁଗତି ନୋହିବ l

 

ଋକ୍ଷସକୁ ମାରି ତୁ ଅଇଲୁ ଯେତେବେଳେ

 

ଥିଲି ମୁଁ ରାଜ ଆସନେ ବାନରମଣ୍ଡଳେ l

 

ତୋତେ ଦେଖି ହରଷ ନୋହିଲା ଯଦି ଚିତ୍ତ

 

ତେବେ ମୋର ସର୍ବ ଧର୍ମ ହୋଇବ ବିନାଶ

 

ସୃଗତି ନୋହିବ ମୁଁ ହୋଇବି ପ୍ରାଣେ ନାଶ

l ୨୦ l

 

 

ଦୋଷାଦୋଷ ମୋହର ତୁ ବିଚାର ନ କଲୁ

 

ହୃଦୟ ଭାଗରେ ମୋର ମୁଥକେ ମାଇଲୁ l

 

ତଥାପି ତୋହୋର ତୁଲେ ନ କଲି ସମର

 

ରାଜା ଜ୍ୟୋଷ୍ଠ ଭାଇ ବୋଲି ହୋଇଲି ଅନ୍ତର l

 

ମୂହୁର୍ତ୍ତ ମାତ୍ରକ କୋପ ଶାନ୍ତି ତୁ ନ କରି

 

ଭଲ ମନ୍ଦ କିଛି କଥା ମାନେ ନ ବିଚାର l

 

ଦୋଷାଦୋଷ ଧର୍ମାଧର୍ମ ମନେ ନ ବିଚାର

 

ଅନ୍ତଃପୁରେ ପଶିଲୁ ଆଣିଲୁ ରୋମା ନାରୀ l

 

ମୁଁ ତୋହର ଅଟଇ ସୋଦର ସାନ ଭାଇ

 

ଭାତ୍ରୃବଧୁ ହରିବା ତ ଉଚିତ ନୋହଇ

l ୨୫ l

 

 

ଭ୍ରମ କଲା ଚିତ୍ତ ତୁରେ ଦଇବ ପୁରୁଷ

 

ସେ ଅଧର୍ମ ଦୋଷରେ ନିକଟେ ଯିବୁ ନାଶ l

 

ତାରା ରୋମା ବିହରୁ ଯେ ଅନ୍ତଃପୁରେ ପଶି

 

ନିକଟ ହୋଇଲା ତୋର କାଳଦଣ୍ଡ ଫାଶି l

 

ଆସ ତୁ ବାହାର ହୋଇ କରିବା ସମର

 

ଯେ ରଣେ ଜିଣିବ ରାଜ୍ୟ ହୋଇବ ତାହାର l

 

ବାଳି ରାଜା ଅନ୍ତଃପୁରେ କନକ ଆସନେ

 

ତାରା ରୋମା ସଂଗତରେ ହରଷିତ ମନେ l

 

ଏମନ୍ତ ସମୟେ ରାଜ ସୁଗ୍ରୀବ ବଚନ

 

ଶୁଣିଲା ଶ୍ରବଣ ବାଳୀ ହୋଇଲା ଉଚ୍ଛନ୍ନ

l ୩୦l

 

 

କହଇ କପିନୃପତି ଶୁଣ ଗୋ ସୁନ୍ଦରୀ

 

ଡାକଇ ସୁଗ୍ରୀବ ମୋତେ ବାହାନାଦ କରି l

 

ଯାହା ମୋତେ କହିଗଲେ ଋଷ୍ୟମୂକ ଚାରେ

 

ଡାକଇ ବାନର ମୋତେ ସେହି ଭରସାରେ l

 

ବରଷକେ ସମ୍ମୁଖ ନୋହଇ ମୋତେ ବାରେ

 

ଦୁଇ ବେଳ ଅଇଲା ସେ ମାସକ ଭିତରେ l

 

ପିଠି ପାଇକରୀ ଆସିଅଛି ସଂଗ୍ରାମକୁ

 

ଶୃକାଲ ଆସଇ କାହିଁ କେଶରୀ ଆଗକୁ ?

 

ତଥାପି ହିଁ ସଂଗ୍ରାମ ହୁଁ ନ କରିବି ସଖୀ

 

ଜାଣିବା କେମନ୍ତେ ତାକୁ କେ ପାରିବ ରଖି

l ୩୫ l

 

 

ନିଶ୍ଚେ ଆଯ ସଂଗ୍ରାମ କରିବି ଯେବେ ଜୟ

 

କରିବି ମେଦିନୀ ଭୋଗ ହୋଇଣ ନିର୍ଭୟ l

 

ଯଦି ମାରି ରାଜା ମୁଁ ହୋଇବି ଧରଣୀରେ

 

ପରମ ଆନନ୍ଦରେ ବସିବ ସୁରପୁରେ l

 

ଏତେ କହି ପରମ ଆନନ୍ଦ ମନ ହୋଇ

 

ବାହାର ହୋଇଲା ରାଜା ସଂଗ୍ରାମର ପାଇଁ l

 

ପ୍ରବେଶ ହୋଇଲା ଯାଇଁ ସୁଗ୍ରୀବର ପାଶେ

 

ଆଦିତ୍ୟକୁ ଯେସନେକ ରାହୁ ଗ୍ରହ ଗ୍ରାସେ l

 

ଅତିରସେ ସଂଗ୍ରାମ କରନ୍ତି ବେନି ବୀରେ

 

ହସ୍ତୀନି ଲୁବୁଧେ ଯେହେ ବେନି କରିବରେ

l ୪୦l

 

ପୃଥିବୀ କମ୍ପନ୍ତି ବେନି ବୀର ପାଦଘାତେ

 

ହାବୋଡେ ଝଡଇ ଗିରି ଯେହ୍ନେ ବଜ୍ରଘାତେ l

 

ଧରାଧରି ପଡାପଡି ମୃଥ ମରାମରି

 

ରୁଧିର ସ୍ରବିଳା ନଖ ଦନ୍ତରେ ବିଦାରି l

 

ସୁଗ୍ରୀବକୁ ବାଳୀ ରାଜା ପାତି ପୃଥିବୀରେ

 

ଜାନୁକଟି ଛନ୍ଦ ମଡିବସିଲା ଉପରେ l

 

ବାମ ଭୁଜେ ସୁଗ୍ରୀବକୁ ଧରଇ କଣ୍ଠରେ

 

ମୃଥ ମାରିବାକୁ କଲା ଦକ୍ଷିଣ ଭୁଜରେ l

 

ଶ୍ରୀରାମ ସମ୍ମୁଖେ ବସିଲା ରାଜା ବାଳି

 

ସୁଗ୍ରୀବ ସଂଗ୍ରାମେ ତାକୁ ନ ପାରିଲା ଟାଳି

l ୪୫l

 

 

ଛିଦ୍ର ପାଇ ନାରାଚ ବସାଇ ଧନୁ ଟାଣି

 

ଛାଡିଲେ ନାରାଚ ରାମ ବ୍ରଜଘାତ ଜାଣି l

 

ମହୀସର୍ପ ପଶିଲା କି ପର୍ବତ କନ୍ଦରେ

 

ପଡିଲା ଅଚଳ ବାଣ ବାଳିହୃଦୟରେ l

 

ଶରଘାତେ ଘୃମିତ ହୋଇଲା ରାଜା ବାଳି

 

ମୁଖ ନାଶାକର୍ଣ୍ଣ ଦ୍ଵାରେ ରୁଧିର ନିକିଳି l

 

ଗିରି ଶୃଙ୍ଗଯେସନେ ଦିଶଇ ଗିରିବରେ

 

ସେହି ମତେ ରାମଶର ବାଳି ହୃଦୟରେ l

 

ବାଳି ଶରଘାତ ଜାଣି ଉଠିଲା ସୁଗ୍ରୀବ

 

ବୋଇଲା ତୁ କାହା କରି ନ ପାରୁ ଦଇବ

l ୫୦l

 

 

ବାଳି ସୁଗ୍ରୀବର ନାମ ଜଗତେ ବିଦିତ

 

ଅତିଅନ୍ତ ପ୍ରୀତି ଭିନ୍ନା ଭିନ୍ନ ନାହିଁ ଚିତ୍ତ l

 

ଏମନ୍ତ ପ୍ରୀତିରେ ଭେଦ କଲୁ ତୁ ବିଧାତା

 

ଏକ ଚିତ୍ତ ଏକ ହିତ ଏକ ପତା ମାତା l

 

ଏହାର ହୋଇଲା ବୁଦ୍ଧି ଭାରିଯା ହରଣେ

 

ମୋହୋର ହୋଇଲା ବୁଦ୍ଧି ଏହାର ମାଇଣେ l

 

ଭୋ ଦଇବ କାହା କରି ନୋହଇ ତୋହରେ

 

ଏଡେ ବିଘଟଣା କଲୁ ଏଡେ ସହୋଦରେ l

 

ଧିକ ଧିକ ଜୀବନ ରହିଛି କାହିଁ ପାଇଁ

 

ବେନି ନୟନଋ ତାର ଲୋତକ ସ୍ରବଇ

l ୫୫l

 

 

ଶ୍ରୀରାମ ଲକ୍ଷ୍ମଣ ସର୍ବ ଯୂଥପତିମାନେ

 

ପ୍ରବେଶ ହୋଇଲେ ବାଳି ଅଛି ଯେଉଁ ସ୍ଥାନେ l

 

ଦେଖିଲା ରମକୁ ବାଳି ଲୋଚନ ବିସ୍ତାରି

 

କେଉଁ ଦେଶୁ ଅଇଲୁ ମାୟାବୀ ଧନୁର୍ଦ୍ଧାରୀ l

 

କେବଣ କାରଣେ ଧନୁ ପ୍ରହାରିଲୁ ମୋତେ

 

କହ ମୁଁ କେବଣ ଦୋଷ କରିଅଛି ତୋତେ

 

ଚୋର ବୃତ୍ତି କରି ତୁ ସଂଗ୍ରାମ କଲୁ ମୋତେ

 

ବାଧ୍ୟ ଯେହ୍ନେ ମୃଗକୁ ମାରଇ ଶରଘାତେ

 

କେଉଁ ଦେଶୁ ଆସି ତୁମ୍ଭେ କଲ ଏଡେ କର୍ମ

l ୬୦l

 

 

ଏ କଥା କି ବିହିତ ହୋଇବ ତୋର ଧର୍ମ l

 

ଶ୍ରୀରାମ ବୋଲନ୍ତି ଶୁଣ ବାନର ନୃପତି

 

ଦଶରଥ ନାମେ ରାଜା ଅଯୋଧ୍ୟା ନୃପତି l

 

ତାହାର ହୋଇଲୁ ଆମ୍ଭେ ଚତୁର୍ଥ ନନ୍ଦନ

 

ଶ୍ରୀରାମ ଲକ୍ଷ୍ମଣ ଯେ ଭରତ ଶତ୍ରୁଘନ l

 

ପିତା ସତ୍ୟ ନିମନ୍ତେ ହୋଇଲି ବନଚାରୀ

 

ଭରତ ହୋଇଲା ଅଯୋଧ୍ୟାରେ ଦଣ୍ଡଧାରୀ l

 

ଭରତ ଭରତ ଖଣ୍ଡେ ହୋଇଅଛି ରାଜା

 

ଧର୍ମରେ ପାଳଇ ଭୂମଣ୍ଡଳେ ଜନ ପ୍ରଜା l

 

ଭରତ ପୃଥିବୀରେ ତୁ ଅନ୍ୟାୟ କିମ୍ପା କଲୁ

 

ପାପକୁ ନ ଡରି ଭାତୃ ବଧୂକୁ ହରିଲୁ

l ୬୫l

 

 

ସେ ଅମାଧେ ଭରତ ବିହିଲା ଦଣ୍ଡ ତୋତେ

 

ଅଧର୍ମ ଚରିତ ବୋଲି ଦୋଷ ଦେଲୁ ମୋତେ l

 

କହଇ ବାନର ରାଜା ଶୁଣ ରଘୁପତି

 

ବାନରସକଳ ଏ ସ୍ଵଭାବେ ପଶୁଜାତି l

 

ପୁରୁଷ ଗୌରବ କାହିଁ ବନ ଜନ୍ତୁଙ୍କର

 

ଏ କଥା କିମ୍ପାଇ ସ୍ୱାମୀ ନ କରୁ ବିଚାର l

 

ନାନା ଜନ୍ତୁମାନେ ଯେତେ ଅଛନ୍ତି ବନରେ

 

ଏହି ଦୋଷ ବିଚାର ସମସ୍ତ ମାର ଶରେ l

 

ଭୋ ଦେବ ଶ୍ରୀରାମ ଯଦି ସୂର୍ଯ୍ୟବଂଶେ ଜାତ

 

ଦଶରଥ ନୃପତିର ଅଟୁ ଜ୍ୟଷ୍ଠ ସୁତ

l ୭୦l

 

 

ଅନ୍ୟାୟେ ସଂଗ୍ରାମ କିମ୍ପା କଲୁ ରଘୁବୀର

 

ଲୁଚି କରି କି ନିମନ୍ତେ ପ୍ରହାରିଲୁ ଶର

 

ସତ୍ୟବାଦୀ ବୀରଙ୍କର କଥା ଅଛୁ ଶୁଣି

 

ଅଧର୍ମ ଚରିତ କିମ୍ପା କଲୁ ରଘୁମଣି l

 

କ୍ଷାତ୍ର ଧର୍ମ ସମସ୍ତ ତୁ ଜାଣୁ ରଘୁବୀର

 

ଜାଣି ଶୁଣି କଲୁ କିମ୍ପା ଏଡେ ଅବିଚାର l

 

ସଂଗ୍ରାମ ସମୟେ କେଶ ଫିଟଇ ଯାହାର

 

ସତ୍ୟବନ୍ତ କ୍ଷତ୍ରି ତାଙ୍କୁ ନ ମାରନ୍ତି ଶର l

 

ଆନର ସଙ୍ଗତେ ଆନ କରନ୍ତେ ସମର

 

ସତ୍ୟବନ୍ତ କ୍ଷତ୍ରି ତାକୁ ନ ମରନ୍ତି ଶର

l ୭୫l

 

 

ସମ୍ଭାଳ ସମରେ ଡାକି ନ ପେଷିଲୁ ଶର

 

ସମ୍ମୁଖେ ତ ସଂଗ୍ରାମ ନ କଲୁ ରଘୁବୀର l

 

ସୁଗ୍ରୀବର ସଙ୍ଗତେ ମୋହୋର ଘୋର ଋଣ

 

ତରୁବର ଉହାଡେ ପ୍ରହାର କଲୁ ବାଣ l

 

ତୋହର ସମାନ ବୀର ଅଛି କେ ଜଗତେ

 

ସମ୍ମୁଖ ସଂଗ୍ରାମେ କହ କେ ଜିଣିବ ତୋତେ l

 

ସତ୍ୟବନ୍ତ ପଣେ ସମ କେ ଅଛି ସଂସାରେ

 

କେ ଅବା ପାଳିବ ଧର୍ମ ତୋହର ବାହାରେ l

 

ଶ୍ରୀରାମ ବୋଲନ୍ତି ଶୁଣ ବାନର –ରାଜନ

 

ପିତା ସତ୍ୟ ନିମନ୍ତେ ପ୍ରବେଶ ହେଲି ବନ

l ୮୦l

 

 

ଭାଇ ମୋର ଲକ୍ଷ୍ମଣ ସାଧବା ସୀତା ନାରୀ

 

ପଞ୍ଚବଟୀ ବନରେ ରହିଲୁ ବସା କରି l

 

ପରମ ସାଧବା ସୀତା ପରମ ସୁନ୍ଦରୀ

 

ଲଙ୍କାର ରାବଣ ନେଲା ବଳେ ଚୋରୀ କରି l

 

ଆମ୍ଭେ ଦୁଇଭାଇ ଯାଇଥିଲୁ ମୃଗୟାରେ

 

ଆସି ନ ଦେଖିଲୁ ସୀତା ପତ୍ରକୁଟିଦ୍ଵାରେ

 

ସୀତାକୁ ଖୋଜନ୍ତେ ଆମ୍ଭେ ବନଭାଗେ ପଶି

 

ଜଟାଯୂଷ ପକ୍ଷୀକି ଦେଖିଲୁ ଭାଗ୍ୟ ଆସି l

 

ରାବଣ କୁ ଓଗାଳି ସେ କଲା ମହାରଣ

 

ଖଡ଼ଗେ ତାହାର ଡେଣା କାଟିଲା ରାବଣ

l ୮୫l

 

 

ଶୂନ୍ୟମାର୍ଗେ ସିତାକୁ ହରଣ ସେହୁ ନେଲା

 

ଜଟାଯୂଷ ଏ ବାରତା ଆମ୍ଭକୁ କହିଲା l

 

ତହୁଁଣ କବନ୍ଧଠାରୁ ପାଇଲୁ ବାରତା

 

ରାବଣ ରାକ୍ଷସ ନିଶ୍ଚେ ହରିନେଲା ସୀତା l

 

ତହୁଁ ଆସି ଋଷ୍ୟମୁକେ ହୋଇଲୁ ପ୍ରବେଶ

 

ପାଇଲୁଁ ସୁଗ୍ରୀବଠାରୁ ସୀତୟା ସନ୍ଦେଶ l

 

ସୀତାଙ୍କୁ ରାବଣ ରାଜା ହରିନେଲା ବେଳେ

 

ଅମଲାଣ ରତ୍ନଚୁଡି ପକାଇଲା ତଳେ l

 

ମୋହର ପାଶରେ ଯେତେ କହିଥିଲା ସୀତା

 

ପାଇଲି ସୁଗ୍ରୀବଠାରୁ ସମସ୍ତ ବାରତା

l ୯୦l

 

 

ବିନାଶେ ବଇରି ମୋତେ କଲା ଦଶାନନ

 

ବିନା ଭେଟ ପ୍ରୀତି ମୋତେ ସୁଗ୍ରୀବ –ରାଜନ l

 

ଅମଲାଣ ବସନରେ ରତ୍ନଚୁଡି ପାଇ

 

ମୋତେ ଯେବେ ପ୍ରୀତି ନାଶ କଲା କିସ ପାଇଁ (?)

 

ଯେଉ ଦିନୁ ଭେଟ ମୋତେ ପାଇଲା ବାନର

 

ଲକ୍ଷ୍ମଣ ସମାନ ଭକ୍ତି କରଇ ମୋହର l

 

ଉପକାର କଲା ମୋତେ ରତ୍ନ ଚୁଡୀ ଦେଇ

 

ରାତ୍ର ଦିବା ଥାଇ ମୋର ଅଜ୍ଞାକୁ ଯୋଗାଇ l

 

ମୋହର ଏହାର ଦୁଃଖ ହୋଇଲା ସମାନ

 

ଏ ଘେନି ଏହାକୁ ମିତ୍ର କଲି ହୋ ରାଜନ

l ୯୫l

 

 

ଶୁଝିବ ସୁଗ୍ରୀବ ଭକ୍ତି ମନରେ ମୁଁ ଗୁଣି l

 

ଭାତ୍ରୃବୂଧ ହରଣ ଅନ୍ୟାୟ ତୋର ଶୁଣି l

 

ଦୁଇକଥା ବିଚାର ଅଇଲି ତୋର ପୁରେ

 

ଅନ୍ୟାୟକୁ ମିତ୍ର ଛଳେ ମାଇଲି ତୋହରେ l

 

ତୁ ହୋ ବୋଲୁ ଅରଣ୍ୟରେ ଜନ୍ତୁମାନଙ୍କର

 

ଗୁରୁଗୌରବ ଦୋଷ ନାହିଁ ତାହାଙ୍କର l

 

ପଶୁଗଣଙ୍କର ସଙ୍ଗେ ନୋହ ବନଚାରୀ

 

ନାମ ମାତ୍ର ଶାଖାମୃଗ ଦେବଗଣ ସରି l

 

ତୁମ୍ଭେ କି ନ ଜାଣ ଧର୍ମା ଧର୍ମର ବିଚାର

 

ଦଇବ –ମୋହିତ ଚିତ୍ତ ହୋଇଲା ତୁମ୍ଭର

l ୧୦୦l

 

 

କିସ୍କିନ୍ଧା ଭୁବନଜନ ବାନର ସକଳ

 

ଦେଖିଲେ ସଂଗ୍ରାମ ରେ ପଡିଲା ମହାବଳ l

 

ଧାଇଁ ଯାଇ ସମସ୍ତେ କହିଲେ ଅନ୍ତଃପୁରେ

 

ପଡିଲା ବାନର ରାଜା ଆଜର ସମରେ l

 

ଶୁଣି ତାରା ଢଲୀଳା ଅଚେତ ମୋହ ହୋଇ

 

ନାରୀଗଣମାନେ ମୁଖେ ଜଳେ ଦେଲେ ନେଇ l

 

ଘଡିକି ଉତ୍ତାରେ ତାରା ପାଇଲା ଚେତନ

 

ଆକୁଳେ ଡାକଇ ସ୍ୱାମୀ ନ କଲୁ ବଚନ l

 

ଭବନରୁ ବାହାର ହୋଇଲା ତାରା ନାରୀ

 

ସଂଗତରେ ଧାଇଁଲେ ଅନେକ ପରିବାରୀ

l ୧୦୫l

 

 

କେଶ ବାସ ଅସମ୍ଭାଳ ହୋଇ ସର୍ବନାରୀ

 

ଉଠନ୍ତି ପଡନ୍ତି ସେ ଆରତନାଦ କରି l

 

ସମୁଦ୍ର ମନ୍ଥନ ପ୍ରାୟେ ଶୁଭୁଅଛି ଗୋଳ

 

କେ କହିପାରିବ ଶୋକ –ନାଦର ଚହଳ

 

ବାଳିରାଜା ନିକଟେ ପ୍ରବେଶ ହେଲେ ଯାଇଁ

 

ସମସ୍ତେ ହୋଇଲେ ବାଳି ବିଚ୍ଛେଦରେ ବାଇ

 

ବାଳିକି ବେଢିଣ ବାମା ଉର ଶିର କୋଡି

 

ଭେଳା ବୁଡାଇଲୁ ବୋଲି ପଡନ୍ତି ବୋବାଳି l

 

ତାରା ଯାଇଁ ପଡିଲା ବାଳିର ଚରଣରେ

 

ବେନିକର ଯୋଡ଼ଇ ସମସ୍ତ ହୃଦୟରେ

l ୧୧୦l

 

 

କେବେହେଁ ମୋହର ସ୍ୱାମୀ କୋପ ଚିତ୍ତ ନୋହୁ

 

ମୋହର ମଳିନ ମୁଖ ଦଣ୍ଡହେଁ ନ ସହୁ l

 

ଗଜଦନ୍ତ ପଲଙ୍କେ ନୋହଇ ନିଦ୍ରା ତୋତେ

 

ଏବେ କିମ୍ପା ଶୟନେ କରିଛୁ ଭୂମିଗତେ l

 

କୋଟି କୋଟି ବାନର ଖଟନ୍ତି ଯାର ପାୟେ

 

ଶ୍ମଶାନରେ ଶୋଇଲୁ ଅନାସ୍ତ ପ୍ରାଣୀ ପ୍ରାୟେ l

 

ନିରନ୍ତରେ ହରଷ ନୟନେ ମୋତେ ଚାହୁଁ

 

ଧରନ୍ତେ ବେନି ଚରଣ କଥା ତୁ ନ କହୁ l

 

କିସ୍କିନ୍ଧା ନଗରଜନେ ବନବାସୀ ଯେତେ

 

ପିତା ମାତା ପ୍ରାୟେ ଆଶ୍ରେ କରିଛନ୍ତି ତୋତେ

l ୧୧୫l

 

 

କୁବେର ଭଣ୍ଡାର ପ୍ରାୟେ ନାନା ରତ୍ନମାନ

 

ଅନେକ ସୁନ୍ଦରୀ ନାରୀ ଅଛନ୍ତି ଭୁବନ l

 

ଇନ୍ଦ୍ରଙ୍କୁ ଆଶ୍ରୟ ଜେନେ ଦେବତା ସକଳେ

 

ଆଶ୍ରେ କରିଥାନ୍ତି ତୋତେ କପି ମହାବଳେ l

 

ଅଙ୍ଗଦ ବାଳୁତ ଏ ତୁମ୍ଭର ନିଜ ସୃତ

 

ପିତୃ ଭକ୍ତ ସୃତ ସେ କରୁଛି ଯେ ଉଚିତ l

 

ନିମିଷେ ହେଁ ତୋତେ ନ ଦେଖନ୍ତ ସେ କୁମାର

 

ଦିବସ ହିଁ ମଣଇ ନିବିଡ ଅନ୍ଧକାର l

 

ଏତେକ କାହାକୁ ଦେଇ ଯାଉଅଛି ସ୍ୱାମୀ

 

ଶୋକଜଳେ ବୁଡିଲିମୁଁ କି ବୁଦ୍ଧି କରମି

l ୧୨୦l

 

 

ଅତି ଘୋର ନାରୀଙ୍କର ଶୋକନାଦ ଶୁଣି

 

ଦୟାୟେ ଦୁଃଖିତ ହେଲେ ରଘୁକୁଳମଣି l

 

ଦେଖିଲେ ଶୟନେ ବାଳି କ୍ଷିତ –ପଲଙ୍କରେ

 

କାଳସର୍ପ ପ୍ରାୟେ ବାଣ ପଡିଛି ହୃଦରେ l

 

ପରମଦୟାଳୁ ପ୍ରଭୁ ନାହିଁ ମନେ ତୋଷ

 

ବୋଲେ କେମନ୍ତେ ଏହାକୁ କଲେ ପ୍ରାଣନାଶ l

 

କର ଯୋଡି କହଇ ସେ ତାରା ମହାସତୀ

 

ଭୋ ନାଥ ମୋହରେ ଦେଲ ଏମନ୍ତ ବିପତ୍ତି l

 

କି ଅବା ଅପ୍ରାଧ କଲା ବାନର –ରାଜନ

 

ମୋହର ସ୍ୱାମୀ କି କିମ୍ପା କଲୁ ତୁ ନିଧନ

l ୧୨୫l

 

 

କାହାର ନନ୍ଦନ ତୁ ଅଇଲୁ କି ନିମନ୍ତେ

 

କି ନିମନ୍ତେ ଭ୍ରଥାକୁ ନିଧନ କଲୁ ମୋତେ l

 

ଶ୍ରୀରାମ ବୋଲନ୍ତି ଶୁଣ ଶୁଣ ରେ ଯୁବତୀ

 

ସଂସାର ବେଭାର ଚାହିଁ ଶୋକ କର ଶାନ୍ତି l

 

ଯେତେ ଦିନେ ଥାଇଟୀ ତାହାର ପରାକୃତ

 

କେ ଆନ କରିବ ଦେବ ଫଳଇ ନିୟତ l

 

ଜନମ ମରଣ କିବା ସମ୍ପତ୍ତି ବିପତ୍ତି

 

ଅର୍ଜିତ କରମ ଫଳେ ଉଦୟ ହୁଅନ୍ତି l

 

ଏ କଥା ବିଚାର ଶୋକ ଛାଡି ଚନ୍ଦ୍ରମୁଖୀ

 

ଛାଡି ତୁ ସକଳ ଚିନ୍ତା ଅଙ୍ଗଦକୁ ଦେଖି

l ୧୩୦l

 

 

ଯେମନ୍ତେ ଅଙ୍ଗଦ ଆଉ ନ ଲୋଡିବ ପିତା

 

ପୁତ୍ରକୁ ପ୍ରବୋଧ କର ଛାଡ ପ୍ରୀତିଚିନ୍ତା l

 

ଜନ୍ମ ହେଲେ ମରଣ ତ ଅଛି ଜଗତରେ

 

ଏ କଥାକୁ ସନ୍ତାପ ନ କର ହୃଦୟରେ l

 

ପରଲୋକେ ଏହାର ଯେମନ୍ତେ ଶୁଭ ହୋଇ

 

ସେ କଥାରେ ଉଦଯୋଗ କର ମନ ଦେଇ l

 

ରାମ-ବାଣୀ ଶୁଣି ବାଳି ଚେତନା ପାଇଲା

 

ମଧୁର କୋମଳ କରି ବଚନ କହିଲା l

 

ଭୋ ଦେବ ! ଶ୍ରୀମୁଖ ତୋର ଶୁଣିଲି ବଚନ

 

ଦେଖିଲି ନୟନେ ତୋତେ ଦେବ ଭଗବାନ

l ୧୩୫

 

 

ରାବଣ ଦଇତ ଯେବେ ହରିନେଲା ସୀତା

 

ଜନକ ରାଜାର ସୂତା ତୋହରେ ବନିତା l

 

ମୋତେ ଯଦି ଆଜ୍ଞା ତୁ ଦିଅନ୍ତୁ ରଘୁବୀର

 

ନିମିଷକେ ଧରି ମୁଁ ଆଣନ୍ତି ଦଶଶିର l

 

ବୋଇଲେ ସକଳ ବଳ ଲଙ୍କାର ରାକ୍ଷସ

 

ରାବଣ ସହିତେ ମୁଁ କରନ୍ତି ସର୍ବନାଶ l

 

ତର୍ପଣ କରଇ ମୁଁ ଯେ ଚାରିସିନ୍ଧୁ ଜଳେ

 

ରାବଣ ଅଇଲା ଦିନେ ମୋର ସନ୍ଧ୍ୟାକାଳେ l

 

ମୋତେ ମାରିବାକୁ ସେ ଉପାୟ ମନେ କରି

 

କାଖତଳେ ପଶିଲା ମୋହୋର ଦଶଶିର

l ୧୪୦ l

 

 

ଘେନିଛି ଜଳ ଅଞ୍ଜଳ ତର୍ପଣ ନିମନ୍ତେ

 

ଜଳରେ ଦେଖିଲି ଛାୟା କାଖରେ ପଶନ୍ତେ l

 

ଦେଖିଲି ଦଶବଦନ କୋଡିଏ ଲୋଚନ

 

ବଂଶ ବାହୁ କାୟା କାନ୍ତି ଯେସନେ ଅଞ୍ଜନ l

 

ଜଣାଇ ସଂଗ୍ରାମେ ମୋତେ ନୁହଇ ସେ ସରି

 

କାଖ ତଳେ ପଶୁଛି କପଟେ ଯିବି ମାରି l

 

ଏହାର ସଙ୍ଗତେ ଯଦି କରିବି ମୁଁ ରଣ

 

ସନ୍ଧ୍ୟା ହିଁ ହୋଇବ ଲୋପ ନୋହିବ ତର୍ପଣ l

 

ଏତେ ବୋଲି ଦଶମୁଣ୍ଡ ଯାକିଲି କାଖରେ

 

ପଳାଇ ସେ ନ ପାରିଲା ଯାକିବା କଷ୍ଟରେ

l ୧୪୫l

 

 

କାଖରେ ଯାକିଣ ପୃଥ୍ୱୀ ଲଙ୍ଘିଲି ମୁଁ ହେଳେ

 

କଲି ମୁଁ ସନ୍ଧ୍ୟା ତର୍ପଣ ଗୃହେ ଚାରିସିନ୍ଧୁ ଜଳେ l

 

ନିତ୍ୟକୃତ୍ୟ ସାରି ଗୃହେ ଆସିବାର ବେଳେ

 

ଲମ୍ବିଅଛି ଦଶମାଥ ମୋର କାଖ ତଳେ l

 

କିସ୍କିନ୍ଧା କଟକେ ନେଇଁ ବନରେ ପକାଇ

 

ପୁର ସଭାମଧ୍ୟରେ ଆସ୍ଥାନ କଲି ଯାଇଁ l

 

ମୋହଗତ ହୋଇ ପଡିଥିଲା ଦଶାନନ

 

ଅନେକ ବେଳରେ ରାଜା ପାଇଲା ଚେତନ l

 

କଷ୍ଟେ କଷ୍ଟେ ଉଠିଲା ସେ ଅପମାନ ପାଇ

 

ଶୂନ୍ୟ ମାର୍ଗେ ଲଙ୍କାକୁ ସେ ଗଲାକ ପଳାଇ

l ୧୫୦ l

 

 

ଶାର୍ଦ୍ଦୂଳ ଯେସନେ କ୍ଷୁଦ୍ର ମୃଗକୁ ମଣଇଁ

 

କେଶରୀ ଯେସନେ ଗଜଯୂଥ ନ ମଣଇ l

 

ସେହି ମତି ରାବଣ କୁ ନ ମଣଇ କିଛି

 

କି କହିବି ବାଣ ମୋ ହୃଦରେ ପଡିଅଛି l

 

ଯେତେଦିନ ପୃଥିବୀରେ ଥିଲା ମୋର ଭୋଗ

 

ଭୁଞ୍ଜିଲି ସମୟ ଟିକି ଥିଲା ଏତେ ଯୋଗ l

 

ଯାହା ଅର୍ଜିଥିଲି ଫଳ ଭୁଞ୍ଜିଲି ଆପଣେ

 

ତୋତେ ନିନ୍ଦା ବଚନ କହଇ ଅକାରଣେ l

 

ତଥାପି ସୀତାଙ୍କୁ ଯଦି ନେଲା ଦଶାନନ

 

ଜାଣିଲି ନିଶ୍ଚୟ ତାର ଛାଡିଲା ଜୀବନ

l ୧୫୫l

 

 

ସୁଗ୍ରୀବ ଏ ମୋହର ଅଟଇ ସାନଭାଇ

 

ତୋର ପଦ ପଦ୍ମଙ୍କୁ ଆଶ୍ରୟ କଲା ଯାଇ l

 

ଏହାକୁ ସଦୟେ କରିଥିବୁ ଚାପଧର

 

ଯଥାଶକ୍ୟେ କାର୍ଯ୍ୟମାନ କରିବ ତୋହର l

 

ଶୌର୍ଯ୍ୟବନ୍ତ ଧାର୍ମିକ ଜାଣଇ କାର୍ଯ୍ୟ

 

ଜାଣେ କି ନିମନ୍ତେ କାର୍ଯ୍ୟ କରିବ ତଡିତ l

 

ହନୁମାନ ଜାମ୍ବୁବାନ ସୁଷେଣ ସହିତେ

 

ଶତବାଳି ନଳନୀଳ ଯୂଥପତି ଯେତେ l

 

ଏକ ଏକ ପାରନ୍ତି ସକଳ ଲୋକ ଜିଣି

 

ଏମାନନ୍ତ ସଦୟେ କରିବୁ ଚାପପାଣି

l ୧୬୦l

 

 

ମୋହର ନନ୍ଦନ ଏ ଅଙ୍ଗଦ ଯୁବରାଜ

 

କୃପା କରିଥିବୁ ଏ କରିବି କିଛି କାର୍ଯ୍ୟ

 

ମୋହର ବାଳକ ପୁତ୍ର ନ ଜାଣଇ କିଛି

 

ଅନେକ ସୁଖରେ ଏ କୁମାର ବଢିଅଛି l

 

ଏହାକୁ ସଦୟେ ନ ଛାଡ଼ିବୁ ରଘୁବୀର

 

ନିଜପୁତ୍ର ପ୍ରାୟ ଦେବ ପ୍ରତିପାଳ କର l

 

ମୋହର ବିଚ୍ଛେଦ ଏ ପରମ ସାଧୁ ପୁତ୍ର

 

ଦେଖ ରଘୁମଣି ଶୋକ କରୁଛି ବହୁତ l

 

ଭୟ ଶୋକ ଛଡାଅ ଏହାର ରଘୁମଣି

 

ଅଙ୍ଗଦକୁ ସମର୍ପି ଦେଉଛି ପୁଣ ପୁଣି

l ୧୬୫l

 

 

କରୁଣାସାଗର ତୁ ଯେ ଅଧର୍ମ ତାରଣ

 

ଅଙ୍ଗଦ ପଶିଲା ତୋର ଚାରେ ଶରଣ l

 

ଶୁଣି ଅଛି ଦେବଲୋକେ ଋଷି ମଣ୍ଡଳରେ

 

ନାନା ପୂଣ୍ୟ ସ୍ଥାନ ବନ ଜନଙ୍କ ସୋଦରେ l

 

ଆଦି ଅନ୍ତ ମଧ୍ୟ ଯାର ନାମ ରୂପ ନାହିଁ

 

ତାହାର ମହିମା କେ ଜାଣିବ ଅବା କାହିଁ l

 

ବ୍ରହ୍ମାଙ୍କ ବଚନେ ଦେବ କାର୍ଯ୍ୟ କରିବାରେ

 

ଦେହଧାରୀ ହୋଇ କ୍ରିଡା କରିବ ସଂସାରେ l

 

ସନ୍ଥ ରକ୍ଷା କରି ଦୁଷ୍ଟ ନାଶିବ ସଂସାର

 

ତାରିବ ଅନେକ ଜୀବ ଦର୍ଶନେ ଯାହାର

l ୧୭୦l

 

 

ଦଶରଥ କୌଶଲ୍ୟା ଘୋର ତପ କଲେ

 

ରାମ ନାମେ ପୁତ୍ରେକ ଉପଜିବ ତାଙ୍କ କୋଳେ l

 

ଯାହା ଶୁଣିଥିଲି ତାହା ଦେଖିଲି ନୟନେ

 

ନଜାଣି କହିଲି ତୋତେ ନିଷ୍ଠୁର ବଚନେ l

 

ମୋହର ଭାଗ୍ୟରେ ବନେ ଅଇଲୁ ଗୋସାଇଁ

 

ନିର୍ମଳ ପୁରୁଷ ମୋତେ ଗତି ଦେବା ପାଇଁ l

 

ଧ୍ୟାନ ଧାରଣାରେ ଯୋଗ୍ୟ ହୃଦୟକମଳେ

 

ଧରିବାକୁ ଲୋଡୂଥାନ୍ତି ଘୋର ତପବଳେ l

 

କେହି ତାକୁ ଧରିବାକୁ ନ ପାରନ୍ତି ଚିତ୍ତେ

 

ପଡିଲି ମୁଁ ଶ୍ରୀରାମ ଙ୍କ ବାଣ ଶରଘାତେ

l ୧୭୫l

 

 

ପ୍ରାଣ ତ୍ୟାଗ ସମୟେ ଆଗରେ ରଘୁପତି

 

ଦେଖିଅଛି ଶ୍ୟାମଳ ସୁନ୍ଦର ଶାନ୍ତମୂର୍ତ୍ତି l

 

ମସ୍ତକେ ଜଟା ମୁକୁଟ ବକଳ ବସନ

 

ବୃଷାଳ ଲୋଚନ ଅତି ମଧୁର ବଚନ l

 

ମନ୍ଦହାସେ କିଂଚିତେ ଦିଶଇ ଦନ୍ତ ଦୁଇ

 

ମନ୍ଦହାସ କିରଣ ସୁନ୍ଦର ପ୍ରକାଶଇ l

 

ଏତେ କହି ରାମରୂପ ହୃଦରେ ଧାଇଁଲା

 

ଭାଗ୍ୟବଳେ ଭଗବାନ ନିକଟେ ପାଇଲା l

 

ନୟନ ବୁଲିଲା ଦେହ କମ୍ପିଲା ତାହାର

 

କଣ୍ଠର ଗର୍ଜନେ ଶ୍ୱାସ ଉଠିଲା ଉପର

l ୧୮୦l

 

 

ଚାଲଇ କରଚରଣ ବିକୃତ ବଦନ

 

ଦେଖାଇ ଦଶନପନ୍ତି ଛାଡିଲା ଜୀବନ l

 

ବାନର ରାଜନ ପ୍ରାଣ ଛାଡିବାର ବେଳେ

 

ନାରାୟଣ ନାରାୟଣ ଡାକିଲେ ସକଳେ l

 

ଦେବକାୟା ପାଇଲା ଛାଡିଲା କପିକାୟେ

 

ଦିଶିଲା ବାନର ତେଜ ଆଦିତ୍ୟର ପ୍ରାୟେ l

 

ଦିବ୍ୟ ବିମାନରେ ଯାଇ ବସିଲା ବାନର

 

ଗନ୍ଧର୍ବ କିନ୍ନର ନୃତ୍ୟ କରନ୍ତି ଆଗର l

 

ଆଲଟ ରାମର ପକାବନ୍ତୀ ଅପକ୍ଷରୀ

 

ହୁଳୁହୁଳୀ ମଙ୍ଗଳ କରନ୍ତି ଦେବନାରୀ

l ୧୮୫l

 

 

ରାମରୂପ ଦର୍ଶନେ ନିର୍ମଳ ବପୁ ପାଇ

 

ସୁରସଭା ମୈଧ୍ୟରେ ବସିଲା ବୀର ଯଇଁ l

 

ଏଥୁ ଅନନ୍ତରେ ରାମ ରାଜୀବଲୋଚନ

 

ସୁଗ୍ରୀବକୁ ଚାହିଁ ରାମ ବୋଲନ୍ତି ବଚନ l

 

ପ୍ରାଣତ୍ୟାଗେ ଭୂମିରେ ଏ ଶୋଇଛି ବାନର

 

ଯାଅ ମିତ୍ର ଦହନ ଏହାକୁ ବେଗେ କର l

 

ପ୍ରେତକାର୍ଯ୍ୟ ଏହାର ଯେମନ୍ତେ ଭଲ ହୋଇ

 

ଅଳସ ନକରି ବେଗେ କର ମନ ଦେଇ l

 

ଶାସ୍ତ୍ରବିଧି ପ୍ରମାଣେ ସକଳ କାର୍ଯ୍ୟ କର

 

ଜାଣ ତ ସକଳ ଧର୍ମ ବିଶେଷ ସୋଦର

l ୧୯୦l

 

 

ପିତା ସତ୍ୟ ନିମନ୍ତେ ନଗରେ ନ ପଶିଲେ

 

କିସ୍କିନ୍ଧା ନିକଟେ ବଣ ମଧ୍ୟରେ ରହିଲେ l

 

ଆଜ୍ଞା ପାଇ ସୁଗ୍ରୀବ ଉଠିଲା ଧାତିକାରେ

 

ସକଳ ବାନର ଘେନି ବହିଲା ତାହରେ l

 

ନଦୀ ତୀରେ ପ୍ରବେଶ ହୋଇଲେ ତାକୁ ଘେନି

 

ଚିତା ଶୁଆଇଣ ତାକୁ ଦେଲେ ମୁଖାଅଗ୍ନି l

 

ବିଧିମତେ ସମସ୍ତେ ତାହାକୁ ଦାହା କଲେ

 

ସ୍ନାହାନ ସାରି ସକଳେ ଜଳ ଟେକି ଦେଲେ ।

 

ବିଧିମତେ ଏକାଦଶ ଦିନ ପରିଯନ୍ତେ

 

ସର୍ବକାର୍ଯ୍ୟ ସୁଗ୍ରୀବ ସେ କଲା ଶାସ୍ତ୍ରମତେ

l ୧୯୫ l

 

 

ଜାମ୍ବବାନ ସୁଷେଣକୁ ଚାହିଁ ରଘୁବୀର

 

ଆଜ୍ଞା ଦେଲେ ଶୁଣ ତୁମ୍ଭେ ସମସ୍ତ ବାନର l

 

କିସ୍କିନ୍ଧାରେ ସୁଗ୍ରୀବକୁ ଅଭିଷେକ କର

 

ଚରଣେ ଖଟନ୍ତୁ ତାର ସମସ୍ତ ବାନର l

 

ଏ ଅଙ୍ଗଦ କୁମାରଙ୍କୁ ଯୁବରାଜ କର

 

ପ୍ରତିପାଳ କର ମିତ୍ର ସର୍ବ ମନୋହର l

 

ରାମ ଆଜ୍ଞା ପାଇଣ ସକଳ ମନ୍ତ୍ରୀ ଗଣେ

 

ଅଭିଷେକ ବିଧି ନିବାଡ଼ିଲେ ଜଣେ ଜଣେ l

 

ବୋଇଲେ ହେ ହନୁମାନ ଅଞ୍ଜନା କୁମର

 

ସକଳ ତୀର୍ଥ ଜଳ ଆଣ ଧାତିକାର

l ୨୦୦l

 

 

ଆଜ୍ଞା ପାଇ ଅକାଶେ ଉଡ଼ିଲେ କପିଗଣ

 

ଭ୍ରମିଲା ସକଳଦିଗେ ଜାଣି ଦିନମଣି l

 

କହିଲା ବାରତା ୟୁମଭୟେ ଶୁଣ ସର୍ବକପି

 

ବାଳିକି ମାରିଣ ରାମ ସୁଗ୍ରୀବକୁ ଥାପି l

 

କିସ୍କିନ୍ଧା ନଗରେ ରାଜା ହୋଇବେ ସୁଗ୍ରୀବ

 

ନାନାରତ୍ନ ଘେନି ଋଷି ହରି ତୁମ୍ଭେ ଯିବ l

 

ଅଭିଷେକ ହୋଇବ ପଞ୍ଚମ ଦିବସରେ

 

ବେଗ ହୋଇ ଯାଅ ତୁମ୍ଭେ ସମସ୍ତ ବାନରେ l

 

ବାରତା ସକଳ ଦିଗେ କହି ମହାବଳ

 

ପ୍ରବେଶ ହୋଇଲା ଘେନି ସର୍ବ ତୀର୍ଥଜଳ

l ୨୦୫l

 

 

ପୁରମାନ ମଣ୍ଡଣି ହୁଅଇ ନିରନ୍ତରେ

 

ମଙ୍ଗଳ ଶବଦ ଗୀତ ଗାନ୍ତି ଘରେ ଘରେ l

 

କିସ୍କିନ୍ଧାରେ ମିଳିଲେ ସକଳ କପିବଳ

 

ସମୁଦ୍ର ମନ୍ଥନ ପ୍ରାଏ ଶୁଭଇ ଚହଳ l

 

ସମସ୍ତେ ଉତ୍ସକ ରାମ ଦର୍ଶନ ନିମନ୍ତେ

 

ହରଷ ହୋଇଣ କପି ଅଇଲେ ସମସ୍ତେ l

 

ରହିଲେ କିସ୍କିଦ୍ଧା ପରେ ତୋଟା ପୁରଦ୍ଵାର

 

ବୋଲନ୍ତି ଦର୍ଶନ ଯେ କରିବା ରଘୁବୀର

 

ଆମ୍ଭର ଭାଗ୍ୟକୁ ଯେ ବିଜୟ ରଘୁପତି

 

ଦର୍ଶନ କରିବା ଚାଲ ସର୍ବ ଯୂଥପତି

l ୨୧୦l

 

 

ସୁଗ୍ରୀବକୁ କହିଲେ ହୋଇଲେ ସର୍ବେ ସଜ

 

ବୀରତୁର ବଜାଇ ଚହଳ ସୁଗ୍ରୀରାଜ l

 

ଶ୍ରୀ ରାମଲକ୍ଷ୍ମଣ ଛନ୍ତି ନଦୀତୀରେ ରହି

 

ସୁଗ୍ରୀବର ଜମ୍ବବେ ଦର୍ଶନ କଲେ ଯାଇଁ l

 

ଚରଣେ ପଡିଲା ସୁଗ୍ରୀ ଶ୍ରୀ ରାମ ଙ୍କୁ ଚାହିଁ

 

ଉଠ ଉଠ ବୋଲିଣ ଶ୍ରୀରାମ ଆଜ୍ଞା ଦେଇ l

 

ଉଠି କର ମସ୍ତକରେ ଦେଇ ସୁଗ୍ରୀବର

 

କହଇ ବିନୟ ହୋଇ ଶୁଣ ରଘୁବୀର l

 

ଆଜ୍ଞା ପାଇଥିଲା ହନୁ ଯାଇଥିଲା ଆଣି

 

ଯୂଥପତିମାନେ ସବୁ ଅଇଲେ ପ୍ରୟାଣି

l ୨୧୫l

 

 

ଆଜ୍ଞା ଦେଲେ ଦର୍ଶନ କରିବେ ସର୍ବବଳ

 

ଉଭା ହୋଇଛନ୍ତି ଦେବ ବାନରସକଳ l

 

ହସ ହସ ହୋଇ ରାମ କହନ୍ତି ବଚନ

 

ଆସନ୍ତୁ ବାନର ସବୁ କରନ୍ତୁ ଦର୍ଶନ l

 

ରାମ ଆଜ୍ଞା ପାଇ ସୁଗ୍ରୀ ହନୁକୁ କହିଲେ

 

ଯୂଥପତି ମାନଙ୍କୁ ଆଣ ଯା ବୋଇଲେ l

 

ସୁଗ୍ରୀବ ବଚନେ ହନୁମନ୍ତ ଚାଲିଗଲା

 

ଯୂଥପତିମାନଙ୍କୁ ସେ କଢ଼ାଇଆଣିଲା l

 

ବିଜେ କରିଛନ୍ତି ରାମ ରାଜୀବଲୋଚନ

 

ଯୂଥପତିମାନେ ଯାଇଁ କରନ୍ତି ଦର୍ଶନ

l ୨୨୦l

 

 

ବେନି କରପାତ୍ର ଯୋଡି କହେ ସୁଗ୍ରୀବର

 

ଭୋ ଦେବ ଶୁଣିମା ହେଉ ଅଯୋଧ୍ୟାଠାକୁର l

 

ପନସ କେଶରିକୁଳ କାମୋଦ ସୁନାସ

 

ଶତବାଳି ମହିନ୍ଦ୍ରା ମିଳନ୍ତି ଯହିଁ ପାଶ l

 

ଗବୀୟ ଗବାସ କାଲାଞ୍ଜନ ବଳିମୁଖ

 

ରାମ ଦରସନେ ସବୁ ଛଡାଇଲେ ଦୁଃଖ l

 

ଏଥୁ ଅନନ୍ତରେ ଶୁଣ କଥା ମନ ଦେଇ

 

ଜାମ୍ବବାନ ସୁଷେଣକୁ ରାମ ଆଜ୍ଞା ଦେଇ l

 

ଯୂଥପତିମାନେ ଆସି ହୋଇଲେ ପ୍ରବେଶ

 

ଯେତେ ଯେତେ କଥା ମାନ କହି ତାଙ୍କ ପାଶ

l ୨୨୫l

 

 

ଆଜ୍ଞା ପାଇ କହନ୍ତି ସୁଷେଣ ମନ୍ତ୍ରିବର

 

ଶୁଣ ତୁମ୍ଭେ ସମସ୍ତେ ବାନର ଦଣ୍ଡଧର l

 

ଶ୍ରୀ ରାମନାରଚେ ହତ ହୋଇଲା ଏ ବାଳି

 

ସୁଗ୍ରୀବର ପାଇଲା କିସ୍କିନ୍ଧା ମହୀଆଳି l

 

କାଲି ପ୍ରଭାତରେ ସୁଗ୍ରୀ ଅଭିଷେକ ହୋଇ

 

ଶୁଣି ଯୂଥପତିଏ ହରଷ ଚିତ୍ତ ହୋଇ l

 

କେଶରୀ ପନସ ଯେ ସୁନାସ ଆସି କହି

 

ଭୋ ଦେବ ସୀତାୟାପତି ଶୁଣ ମନ ଦେଇ l

 

ଆମ୍ଭେ ବଚନର ବୁଦ୍ଧି କେଟକ ମାତର

 

ତୁମ୍ଭର ଆଜ୍ଞାରେ ସ୍ୱାମୀ ସକଳ ସଂସାର

l ୨୩୦l

 

 

ପୂର୍ବେ ଭାଗ୍ୟ କରିଥିଲୁ ଦେଖିଲୁ ନୟନେ

 

କୋଟି ଜନ୍ମ ପାପ ଛଡାଇଲୁ ଦରଶନେ l

 

ଯାହା ତୁମ୍ଭେ ଆଜ୍ଞା କଲ ମୋତେ ରଘୁନାନ

 

କାଲି ପ୍ରଭାତରେ ସୁଗ୍ରୀ ହୋଇବ ରାଜନ l

 

ଶୁଣନ୍ତେ ସନ୍ତୋଷ ଗେ ହୋଇଲେ ରଘୁପତି

 

ସୁଗ୍ରୀବ ମୁଖକୁ ଚାହିଁ ବଚନ କହନ୍ତି l

 

ଯାଅ ମିତ୍ର ଆଇ ତୁମ୍ଭେ କିସ୍କିନ୍ଧା ପୁରକୁ

 

କାଲି ପ୍ରଭାତରେ ରାଜା କରିବା ତୁମ୍ଭଙ୍କୁ l

 

ଆଜ୍ଞା ପାଇ ସୁଗ୍ରୀବର କିସ୍କିନ୍ଧା କୁ ଗଲା

 

ସନ୍ୟାସଖା ଘେନିଯାଇ ମନ୍ଦରେ ମିଳିଲା

l ୨୩୫l

 

 

ଯୂଥପତିମାନଙ୍କୁ ସେ ନାନା ବିଧିମତେ

 

ଫଳ ମୂଲ ଭୋଜନ ସେ ଦେଲା କ୍ ତୁରିତେ l

 

ଜମ୍ବୁବାନ ହନୁମାନ ସୁଷେଣକୁ ଚାଇ

 

କହଇ ସୁଗ୍ରୀବ ରାଜା ସନ୍ନିଧେ ବସାଇ l

 

ଶ୍ରୀରାମ ଲକ୍ଷ୍ମଣ ପାଶେ ଫଳ ମୂଳ ଦିଅ

 

ରାଜନୀତିମାନ ତୁମ୍ଭେ ସକଳ ଭିଆଇ l

 

ଆଜ୍ଞା ପାଇ ମନ୍ତ୍ରୀମାନେ ଯେ ଯାହାର ଗଲେ

 

ବିଧିମତେ ଫଳମୂଳ ରାମ ପାଶେ ଦେଲେ l

 

ଏଥୁ ଅନନ୍ତରେ ତହିଁ କିସ୍କିନ୍ଧା ନଗରେ

 

ଉତ୍ସବ କରନ୍ତି ସେହୁ ରାଜାର ନବରେ

l ୨୪୦l

 

 

ପୂର୍ଣ୍ଣକୁମ୍ଭ ଚୁତପତ୍ର ନାରିକେଳ ଥୋଇ

 

କ୍ରୋଣୀ ମାନ ବାନ୍ଧି ତହିଁ ଦିଅନ୍ତି ଲମ୍ବାଇ l

 

ରାଜାର ନକର କଲେ ମଣ୍ଡଣି ଅପାର

 

ଚାନ୍ଦୁଆ ଦର୍ପଣ ଖଞ୍ଜି ଖଞ୍ଜନ୍ତି ଚାମର l

 

ହୁଳୁହୁଳି ଦେଇ ଗୋ ମଙ୍ଗଳ ଗୀତ ଗାଈ

 

ଢୋଲ ଦମା ଟମକ ସେ ମହୁରି ବଜାଇ l

 

ରାତ୍ର ଚାରିପହର ଗୋ ନାନାବିଧି କଲେ

 

ପ୍ରଭାତ ସମୟେ ପୁଣି ପାଶରେ ମିଳିଲେ l

 

ଜାମ୍ବବାନ ହନୁମାନ ସୁଷେଣ ସହିତେ

 

ପ୍ରବେଶ ହୋଇଲେ ଆସି ଯୂଥପତି ଯେତେ

l ୨୪୫l

 

 

ଦ୍ଵିଜବରମାନେ ଆସି ହୋଇଲେକେ ମେଲି

 

ଯୁବତୀଏ ମିଳିଣ ଦିଅନ୍ତି ହୁଲୁହୁଳୀ l

 

ଢୋଲ ଦମା ଟମକ ବାଜଇ ବୀରତୁରି

 

କଂସାଳ ମୃଦଙ୍ଗ ବାଜେ ଶଙ୍ଖ ଯେ ମହୁରି l

 

ଏମନ୍ତେ ଯେ ସୁଗ୍ରୀବର ସ୍ନାହାନ ସାରିଲେ

 

ସର୍ବ ଅଳଙ୍କାର କାଏ ଭୂଷଣ ହୋଇଲେ l

 

ଅନ୍ତଃପୁରେ ଗୋମା ତାରା ସୃବେଶ ହୁଅଇ

 

ନାନାରତ୍ନ ଆଭରଣ ଭୂଷଣ ହୁଅଇ l

 

ସୁଗ୍ରୀବର ରାଏ ଯାଇଁ ଆସ୍ଥାନେ ବସିଲେ

 

ଅଙ୍ଗଦ କୁମାର ହନୁ ରାମପାଶେ ଗଲେ

l ୨୫୦l

 

 

ରୋମା ତାରା ବେନିଜନେ ଅଇଲେ ଚଳାଇ

 

ସୁଗ୍ରୀବର ବେନି ପାଶେ ବସାଇଲେ ନେଇ l

 

ଜାମ୍ବବାନ ସୁଷେଣ ଗୋ ଦ୍ଵିଜବରେ ମିଳି

 

ଅଭିଷେକ ବିଧି ଯେ କରନ୍ତି ସର୍ବେ ମିଳି

 

ମୁକୁଟ କୁଣ୍ଡଳ ନାନା ଆଭରଣ ଦେଲେ

 

ଗନ୍ଧପୁଷ୍ପ ତୀର୍ଥଜଳ ଶିରରେ ଢାଳିଲେ l

 

ରାଜନୀତିମାନ ଚାହିଁ କରନ୍ତି ବହୁତ

 

ଯୂଥପତିମାନେ ଛନ୍ତି ରାଜାର ଅଗ୍ରତ l

 

କେହୁଛୁରି ଖଣ୍ଡା ଧରି ଚାମର ଢାଳନ୍ତି

 

ଆଲଟ ପକାଇ କେହୂ ଛତ୍ରକୁ ଧରନ୍ତି

l ୨୫୫l

 

 

ଏମନ୍ତ ଅଙ୍ଗଦ ହନୁ ରାମପାଶେ ଯାଇ

 

ପାଏ ପଡି ଶୋଇଣ ସେ କହନ୍ତି ବିନୋଇ l

 

କହନ୍ତି ରାମ ଙ୍କୁ ସେ ଅନେକ ସ୍ତୁତି କରି

 

ଭୋ ଦେବ କୌଶଲ୍ୟା ସୁତ ଦେବ ନରହରି l

 

ଭୋ ଦେବ ନାରାୟଣ କମଳା ଯାର ରାଣୀ

 

ଅଶେଷ ବ୍ରହ୍ମାଣ୍ଡର ଠାକୁର ରଘୁମଣି

 

ତୁମ୍ଭର ସଞ୍ଚିଲା ଦେବ ଜଗତ ସଂସାର

 

ସୁଗ୍ରୀବକୁ ଚରଣେ ଖଟାଇଲେ ତୁମ୍ଭର l

 

ତାହାକୁ ସଦୟ ତୁମ୍ଭେ କଲ ସୀତାପତି

 

କୋଟି ଜନ୍ମ ପାପ ତାର ପଡିଲା ଦୁର୍ଗତି

l ୨୬୦l

 

 

କିସ୍କିନ୍ଧା ପୁରକୁ ଦେବ କରିବା ବିଜୟ

 

ଭୃତ୍ୟକୁ ସଦଏ ଯେବେ ଅଛି ରାମରାୟ l

 

ଅଙ୍ଗଦ ବଚନେ ରାମ ତୋସଚିତ୍ତ ହୋଇ

 

ଆଶ୍ଵାସ କରିଣ ଟାକୁ କହନ୍ତି ବସାଇ

 

ପିତାସତ୍ୟ ନିମନ୍ତେ ମୁଁ ନାଗରକୁ ନ ଯିବି

 

ତୋହୋର ବଚନେ ସୁର ବାହାରେ ରହିବି l

 

ଏତେ କହି ରାମଚନ୍ଦ୍ର ବିଜୟ କରନ୍ତି

 

ହନୁମନ୍ତ ଅଙ୍ଗଦ ଏ ସଙ୍ଗରେ ଅଛନ୍ତି l

 

ଏକ ଦୂତ ଆଗରେ ଅଇଲା ବେଗ ହୋଇ

 

ସୁଗ୍ରୀବଠାରେ ସହୁ ଚରିତ କହଇ

l ୨୬୫l

 

 

ହନୁମନ୍ତ ଅଙ୍ଗଦ ଆଗରେ ଦେଲେ ପେଷି

 

ବାରତା କହିବୁ ବିଜେକଲେ * ଋଷିକେଶୀ

 

ଶୁଣି ସୁଗ୍ରୀବର ଗୋ ଉଠିଲା ବେଗ ହୋଇ

 

ରୋମା ତାରା ସହିତ ଗୋ ମନ୍ତ୍ରୀଗଣ ଯାଇ

 

ଶ୍ରୀରାମ ବିଜୟ କଲେ ତରୁବର ତଳେ

 

ପ୍ରବେଶ ହୋଇଲେ ସୁଗ୍ରୀ ଏମନ୍ତର ବେଳେ l

 

ସୁଗ୍ରୀ ତାରା ରୋମା ହସ୍ତେ ବସନ ଘେନିଲେ

 

ନିଉଛାଳି କରି ରାମପାଦରେ ଶୋଇଲେ l

 

ଉଠ ଉଠ ବୋଲି ରାମଚନ୍ଦ୍ର ଆଜ୍ଞା ଦେଲେ

 

 

 

ଆଜ୍ଞା ପାଇ ସୁଗ୍ରୀବର ବହନ ଉଠିଲେ

l ୨୭୦l

ସ୍ତୁତି କରି ସୁଗ୍ରୀବର କହଇ ଛାମୁରେ

 

କରପାତ୍ର ଯୋଡି ଉଭା ହୋଇ ଶ୍ରୀଛାମୁରେ l

 

ଭୋ ଦେବ ସୀତୟା ପତି ତୁମ୍ଭର ପ୍ରସାଦେ

 

ରାଜ୍ୟ ଧନ ଯୁବତୀ ପାଇଲି ଅପ୍ରମାଦେ।

 

ଭୋ ଦେବ ଦୟାଳୁ ପ୍ରଭୁ ଫେଡିଲୁ ଦୁର୍ଗତ

 

ତୁମ୍ଭର ଚରଣେ ମୁଁ ହୋଇଲି ବଶ୍ୟାକୃତି l

 

ଏଥୁ ଅନନ୍ତରେ ରାମ ଲକ୍ଷ୍ମଣଙ୍କୁ ଚାହିଁ

 

ଚାହାନ୍ତେ ଜାଣିଲା ତାହା ସୁମିତ୍ରାତନଇ

 

ଶ୍ରୀରାମ ହସ୍ତରେ ପାଟ ଯୋଗାଇଲା ନେଇ

 

ସୁଗ୍ରୀବର ମସ୍ତକେ ବାନ୍ଧିଲେ ରଘୁସାଇଁ

l ୧୭୫l

 

 

ଦେଖି ସ୍ଵର୍ଗ ଦେବତାଏ ଜୟ ଯେ କଲେ

 

ସୁଗ୍ରୀବର ଶିରେ ଘନେ ପୁଷ୍ପ ବୃଷ୍ଟି କଲେ l

 

କହେ ରାଜା ଗୋବିନ୍ଦ ସୁଗ୍ରୀବ ରାଜା ଧନ୍ୟ

 

କେତେ ତପ କରି ତୁ ଦର୍ଶନ କଲୁ ରାମ l

 

ଧନ୍ୟ ତୁ ବାନର ରାଜା ଧନ୍ୟ ତୋର ମାତ

 

ନୟନରେ ଦେଖିଲୁ ତୁ ସୀତାୟାର କାନ୍ତ

 

ଏଥୁ ଅନନ୍ତରେ ରାମ ରାଜୀବଲୋଚନ

 

ସୁଗ୍ରୀବକୁ କହନ୍ତି ସେ ମଧୁର ବଚନ

 

ଯାଅ ମିତ୍ର ଭୁବନକୁ ନାରୀଗଣ ଘେନି

 

ଆଜ୍ଞା ଦେଇ ବିଜୟ ସେ କଲେ ଭାଇ ବେନି l

 

ସୁଗ୍ରୀବର ଅଜ୍ଞ ପାଇ ମନ୍ଦିରକୁ ଗଲା

 

ଅନ୍ତଃପୁରେ ଯାଇ ରାଜା ପ୍ରବେଶ ହୋଇଲା

 

ଆସ୍ଥାନରେ ସୁଗ୍ରୀବର ବସି ଆଜ୍ଞା ଦେଇ

 

ଜାମ୍ବବାନ ହନୁମନ୍ତ ସୁଷେଣକୁ ରାଇ l

 

ହନୁମନ୍ତ ମୁଖ ଚାହିଁ ସୁଗ୍ରୀବ କହିଲେ

 

ଶ୍ରୀମୁଖ ପାଶକୁ ବାବୁ ଯାଅ ତୁ ବୋଇଲେ

l ୫ l

 

 

ଆଜ୍ଞା ପାଇ ହନୁମାନ ରାମପାଶେ ଗଲେ

 

ଯୂଥପତିମାନଙ୍କୁ ସେ ପୁଣି ଆଜ୍ଞା ଦେଲେ l

 

ଶ୍ରୀରାମ ପ୍ରସାଦେ ମୁଁ ପାଇଲି ରାଜ୍ୟଶିରୀ

 

ତୁମ୍ଭେମାନେ ମୋହର ଯେ ପ୍ରାଣ ସମସରି l

 

ଏତେ କହି ସୁଗ୍ରୀବର ବସ୍ତ୍ର ଅଳଙ୍କାର

 

ବିଧିମତେ ସମସ୍ତଙ୍କୁ ଦେଲା କପିବୀର l

 

ଏମନ୍ତେ ରଜନୀ ଆସି ହେଲା ପରବେଶ

 

ଭୋଜନ ଶୟନ କଲେ ଯେ ଯାହାର ବାସ l

 

ପ୍ରଭାତ ସମୟେ ସୁଗ୍ରୀ ନିତ୍ୟକର୍ମ ସାରି

 

ଶ୍ରୀରାମ ଦର୍ଶନକୁ ସେ ବିଜେ ଦଣ୍ଡଧାରୀ

l ୧୦l

 

 

ଯୂଥପତି ସହିତେ ପ୍ରବେଶ ହେଲେ ଯାଇଁ

 

ରାମଙ୍କୁ ଚାହିଁଣ ସୁଗ୍ରୀ ଶିରେ କର ଦେଇ l

 

ବସିଲା ସୁଗ୍ରୀବ ଯାଇଁ ରାମ ପାରୁଶରେ

 

ହସ ହସ ହୋଇ ରାମ କହନ୍ତି ତାହାରେ l

 

ସୀତୟା କଥାରେ ମିତ୍ର ହୁଅ ସାବଧାନ

 

ହନୁମାନ ପେଶି ମିତ୍ର ଖୋଜାଅ ବହନ l

 

ଶୁଣି ସୁଗ୍ରୀବର ଯେ ମସ୍ତକେ କର ଦେଇ

 

ଦୂର ସେ ପେଷିବି ଦେବ ବୋଲଣି ଜଣାଇ l

 

ଜାମ୍ବବାନ ସୁଷେଣ ଅଙ୍ଗଦ ହନୁମନ୍ତ

 

ନଳନୀଳ ଘେନିଣ ହୋଇଲେ ଜଣ ସାତ

l ୧୫l

 

 

ହନୁମନ୍ତ ରାଈ ରାମଚନ୍ଦ୍ର ଆଜ୍ଞା ଦେଲେ

 

ଗୃପତ କହିଣ ହସ୍ତଁ ମୁଦି ଗୋଟିଦେଲେ l

 

ଗବୟ ଗବାକ୍ଷ ବେନି ପଶ୍ଚିମକୁ ଗଲେ

 

ଉତ୍ତରକୁ ଗଲେ ଶତବାଳି ଦୁଇ ତୁଲେ

 

ପୂର୍ବକୁ ଚଳିଲେ ବିରେ ଗନ୍ଧ ଯେ ମୟଦାନ

 

ଆଠ ଦିନେ ବାରତା କହିବ ହନୁମାନ l

 

ଦକ୍ଷିଣକୁ ସାତ ବୀରେ ଚଳାଇଣ ଗଲେ

 

ଗ୍ରାମ ଦେଶ ବିଞ୍ଚିମାଳ ପର୍ବତେ ଖୋଜିଲେ l

 

ଏଥୁ ଅନନ୍ତରେ ରାମ ଲକ୍ଷ୍ମଣ ଯେ ଯାଇ

 

ମାଲ୍ୟବନ୍ତ ପର୍ବତେ ରହିଲେ ବେନିଭାଇ

l ୨୦l

 

 

ପର୍ଣ୍ଣଶାଳା କରି ରାମ ସେଠାରେ ରହିଲେ

 

ଚାରିମାସ ବରଷା ପର୍ବତେ ଦିନ ନେଲେ l

 

ଏଥୁ ଅନନ୍ତରେ ତୁମ୍ଭେ ଶୁଣ ମନ ଦେଇ

 

ଦୂତମାନେ ଗଲେ ସୀତା ଖୋଜିବାର ପାଇଁ l

 

ଗ୍ରାମ ପୁର ପାଟଣା ଖୋଜନ୍ତି ଦେଶ ଦେଶ

 

କାହିଁ ଖୋଜି ନ ପାଇଲେ ସୀତୟା ସନ୍ଦେଶ

l ୨୫l

 

 

ତିନି ଦିଗ ଦୂତମାନେ ଅନେକ ଖୋଜିଲେ

 

ବର୍ଣ୍ଣ ଚିହ୍ନି ନ ପାଇ ସେ ବାହୁଡି ଅଇଲେ l

 

ସୁଗ୍ରୀବର ପାଶେ ଆସି ହୋଇଲେ ପ୍ରବେଶ

 

Unknown

ଶିରେ କର ଦେଇଣ ବୁଲି ଖୋଜିଲୁ ବହୁତ

 

କାହିଁ ନ ପାଇଲୁ ଦେବ ଜନକ ଦୁହିତ l

 

ଶୁଣି ସୁଗ୍ରୀବର ମହାବିସ୍ମୟ ହୋଇଲା

 

ତିନିଦିଗ ବାରତା ତ ଦୂତ ଆଣି ଦେଲା l

 

ଏଥୁ ଅନନ୍ତରେ ତହିଁ ସୁଗ୍ରୀବ ରାଜନ

 

ବିଚାର କରଇ ତହିଁ ସୂର୍ଯ୍ୟର ନନ୍ଦନ l

 

ଦୂତମାନ ବରଗି ଆଣଇ ସୈନ୍ୟମାନେ

 

କେଶରୀ ପନସ ଡାକି କହଇ ବଚନେ

 

ଯାଅ ତୁମ୍ଭେ ବେନିଜନେ ସୈନ୍ୟମାନେ ଆଣ

 

ଦର୍ଶନ କରିବା ଯାଇଁ ରଘୁକୁଳରାଣ

l ୩୦l

 

 

ଆଜ୍ଞା ପାଇ କେଶରୀ ପନସ ବେଗେ ଗଲେ

 

ଯୂଥପତିମାନଙ୍କ ବାରତା ନେଇ ଦେଲେ l

 

ଆଜ୍ଞା ପାଇ ଯୂଥପତି ହୋଇଲେ ବାହାର

 

ସୈନ୍ୟ ସଖା ଘେନିଆସି ମିଳିଲେ ଛାମୁର l

 

କାହାକୁ ଖଟନ୍ତି ଲକ୍ଷେ କୋଟି କୋଟି ବଳ

 

ଭଲ୍ଲୁଲ ମର୍କଟ ଆସି ହୋଇଲେ ଗହଳ l

 

କୋଟି ଲକ୍ଷ କାହାର ମର୍ଭୁତ ପଞ୍ଚ ହୋଇ

 

ଶଙ୍ଖ ପଦ୍ମ କାହାର ମର୍ଭୁତ କ ଅଟଇ l

 

ଏମନ୍ତ ସ୍ଵରୂପ ସୈନ୍ୟ ହୋଇଲେ ପ୍ରବେଶ

 

ଦେଖି କରି ସୁଗ୍ରୀ ରାଜା ହୋଇଲେ ହରଷ

l ୩୫ l

 

 

ବିଚାର କରନ୍ତି କାଲି ଯିବ ରାମ ପାଶେ

 

ଦର୍ଶନ କରିବି ଯାଇଁ ମନର ହରଷ l

 

ଦୂତଙ୍କ ବାରତା ରାମ ପାଶରେ କହିବି

 

ସୈନ୍ୟ ସଖା ଘେନି ରାମ ପାରୁଶେ ରହିବି l

 

ଏମନ୍ତ ସମୟେ ଆସି ରଜନୀ ପ୍ରବେଶ

 

ନିଦ୍ରାରେ ବଞ୍ଚିଲେ ନିଶି ହୋଏ ଅବଶେଷ l

 

ଶଯ୍ୟା ଛାଡି ଉଠିଲେ ବାନର –କୁଳପତି

 

ନିତ୍ୟକର୍ମ ବିଧି ସେହୁ ସାରିଲେ ତଡିତ l

 

ସୁଗ୍ରୀବର ଆଜ୍ଞା ଦେଲେ ବେତକାର ରାଇ

 

ସେନା ଯୂଥପତିମାନେ ଆଣନ୍ତି କଢ଼ାଇ

l ୪୦l

 

 

ଆଜ୍ଞା ପାଇ ବେତକାରେ ଧାତିକାରେ ଗଲେ

 

ସୈନ୍ୟ ଯୂଥପତିମାନେ ଡାକିଣ ଆଣିଲେ l

 

ରାଜାଙ୍କୁ ଦର୍ଶନ କଲେ ଯୂଥପତିମାନେ

 

କହନ୍ତି ବଚନ ତାଙ୍କୁ ବାନର ରାଜନେ

 

ସୈନ୍ୟ ସଖା ସଜକର ରାମ ପାଶେ ଯିବା

 

ଦର୍ଶନ କରିଣ ଆମ୍ଭେ ସେହିଠାରେ ଥିବା l

 

ଆଜ୍ଞା ପାଇ ସୈନ୍ୟ ବଳ ସଜ ହୋଇ ଆସେ

 

ବୀରତୁର ବଜାଇ କେ ହୁଅନ୍ତି ହରଷେ 195

 

ନାନା ରୂପ ନାନା ବର୍ଣ୍ଣ ହୁଅନ୍ତି ବାହାର

 

ଛତ୍ର କେ ଚାମର କେ ଧରାଇ ଆସେ ବୀର

l ୪୫l

 

 

ବିରବେଶ ହୋଇଣ ଆସଇ ସୁଗ୍ରୀବର

 

ନାନା ଅଳଙ୍କାର ଘେନି ଦିଶଇ ସୁନ୍ଦର l

 

ବୀର ମହାବୀରମାନେ ହୋଇଲେ ବାହାର

 

ତେଜ ବିରାଜଇ ଯେହ୍ନେ ଦିଶେ ଦିବାକର l

 

ଛତ୍ର ଯେ ଚିରାଳ ଉଡେ ନ ଦିଶେ ଗଗନ

 

ଚଳନ୍ତେ ମେଦିନୀ ଗୋ ହୁଅଇ କମ୍ପମାନ

 

ସ୍ଵରଗେ ବିଚାରନ୍ତି ଦେଖି ଦେବଗଣମାନେ l

 

ନିଶ୍ଚୟେ ମରିବ ଏବେ ବୀର ଦଶାନନ

 

ଆମ୍ଭର ନିମନ୍ତେ ରାମଚନ୍ଦ୍ର କଷ୍ଟ ପାଇ

 

ବନେ ବନେ ବୁଲନ୍ତି ସେ ସୀତୟାର ପାଇଁ

l ୫୦l

 

 

ଏଥୁ ଅନନ୍ତରେ ବୀର ସୁଗ୍ରୀବ ରାଜନ

 

ଧବଳୀ ପର୍ବତ ତଳେ ରହି ସୈନ୍ୟଗଣ l

 

ଅନୁକୂଳ କରି ସୁଗ୍ରୀ ସେଠାରେ ରହିଲା

 

ପ୍ରଭାତ ସମୟେ ତହୁଁ ଚଳାଇଣ ଗଲା l

 

ମାଲ୍ୟବନ୍ତେ ରହିଛନ୍ତି ଦେବ ରଘୁବୀର

 

ପ୍ରବେଶ ହୋଇଲା ଯାଇଁ ରାଜା ସୁଗ୍ରୀବର l

 

ବିଜେ କରିଛନ୍ତି ଦେବ ମର୍କତ ଶିଳାରେ

 

ଚରଣେ ପଡିଲା ସୁଗ୍ରୀ ସୈନ୍ୟ ସଂଗତରେ

 

ଦେଖି ରାମଚନ୍ଦ୍ର ଉଠ ଉଠ ଆଜ୍ଞା ଦେଇ

 

ଅଜ୍ଞ ପାଇ ଉଠିଲା ସେ କପିକୁଳ ସାଇଁ

l ୫୫l

 

 

ବୋଇଲେ ହେ ମିତ୍ର ଆମ୍ଭେ ବିଚାର କରନ୍ତେ

 

ପ୍ରବେଶ ହୋଇଲେ ଆସି ଆମ୍ଭର ଅଗ୍ରତେ l

 

ଶୁଣି ସୁଗ୍ରୀବର ଉଭା ହୋଇଲେ ଛାମୁରେ

 

କରଯୋଡି କହଇ ଶୁଣିମା ରଘୁବୀରେ l

 

ଉତ୍ତର ପଶ୍ଚିମ ପୁରବ ଦିଗର ଏ ଚାରେ

 

ପ୍ରବେଶ ହୋଇଲେ ଦେବ ମୋହୋର ଆଗରେ l

 

ବିଚାରିଲି ବରଷା ହୋଇଲା ଶେଷ ଆସି

 

ମାଲ୍ୟବନ୍ତ ବିଜେ କରିଛନ୍ତି ରଘୁଶିଷି l

 

ସୈନ୍ୟ ସଖା ଘେନି ଯାଇ ଦର୍ଶନ କରିବି

 

ଗୁରୁଙ୍କର ବାରତା ଛାମୁରେ ଜଣାଇବି

l ୬୦l

 

 

ଦକ୍ଷିଣର ଚାର ମାତ୍ର ଆସି ନାହିଁ କେହି

 

ବିଚାର କରିବା ହେଉ ଦେବ ଭାବଗ୍ରାହୀ

 

ଶୁଣି ରଘୁବୀର ମହା ବିସ୍ମୟ ହୋଇଲେ

 

ଚାରି ମାସ ହେଲା ସେ ତ କିପାଇଁ ନଇଲେ l

 

ରାମପାଶେ ମାଲ୍ୟବନ୍ତେ ସୁଗ୍ରୀବର ରହି

 

ଏଥୁ ଅନନ୍ତରେ କଥା ଶୁଣ ମନ ଦେଇ l

 

ଦକ୍ଷିଣର ଚାରମାନେ ବୁକାନ୍ତି ବନରେ

 

ଖୋଜନ୍ତେ ପ୍ରବେଶ ହେଲେ ପାତାଳ ନବରେ l

 

ପାତାଳ ଭୁବନେ ଯାଇଁ ହୋଇଲେ ପ୍ରବେଶ

 

ଅନ୍ଧକାର ଭୂମି ବାଟ ନ ଦିଶଇ ଦିଶ

l ୬୫l

 

 

ଗମନ୍ତେ ଦେଖିଲେ ଏକ ନବରତ୍ନପୁର

 

ପ୍ରବେଶ ହୋଇଲେ ଯାଇ ସମସ୍ତ ବାନର l

 

ବାନରଙ୍କୁ ଦେଖି କହେ ଗିରିଜା ସୁନ୍ଦରୀ

 

କାହୁଁ ଆସି ପ୍ରବେଶ ହୋଇଲ ଋକ୍ଷ ହରି ।

 

ଶୁଣିକରି ଅଙ୍ଗଦ କହି ତାର ପାଶ

 

ଆମ୍ଭେ ଯୂଥପତି ଅଟୁ ଶ୍ରୀରାମର ଦାସ

 

ସୀତାଙ୍କୁ ହରାଇ ରାମ ବୁଲନ୍ତି ବନରେ

 

ଋଷ୍ୟମୁକ ପର୍ବତେ ଭେଟିଲେ ସୁଗ୍ରୀବରେ l

 

ତାର ସଙ୍ଗେ ରାମଚନ୍ଦ୍ର ମଇତ୍ର ହୋଇଲେ

 

ମିତ୍ରଛଳେ ବାଳିକି ନାରାଚେ ନାଶ କଲେ

l ୭୦l

 

 

ମାଲ୍ୟବନ୍ତ ପର୍ବତେ ଅଛନ୍ତି ରଘୁପତି

 

ସୀତା ଖୋଜିବାକୁ ଦୁତ ପେଶି ଚଉକତି l

 

ଆମ୍ଭ ସ୍ନାତବୀରେ ଖୋଜି ଏଠାରେ ପ୍ରବେଶ

 

(ଖୋଜି ଖୋଜି ନ ପାଇଲୁ କି ଦେବୁ ସନ୍ଦେଶ l)

 

ଶୁଣିକର କହଇ ସେ ଗିରିଜା ସୁନ୍ଦରୀ

 

ଲଙ୍କାର ରାବଣ ସେ ସୀତାଙ୍କୁ ନେଲା ହରି

 

ପାତାଳ ଭୁବନେ ତୁମ୍ଭେ ଏଥୁ କିମ୍ପା ଆସି

 

ଲଙ୍କାପୁରେ ଅଛନ୍ତି ସୀତୟା ଶୁଭ୍ରକେଶୀ l

 

କହଇ ଅଙ୍ଗଦ ବୀର ଶୁଣ ଗୋ ସୁନ୍ଦରୀ

 

ପାତାଳ ଭୁବଣୁ ତୁମ୍ଭେଦିଅ ପାରକରି

l ୭୫l

 

 

ଶୁଣିକରି କହିଲା ସେ ଗିରିଜା ଯୁବତୀ

 

ଚକ୍ଷୁ ବୁଜି ବାହାର ହୋଇବ ଯୂଥପତି l

 

ଶୁଣିକରି ସାତ ବୀରେ ସାନଦ ହୋଇଲେ

 

ଚକ୍ଷୁ ବୁଜି ଯାଇ ସିନ୍ଧୁକୂଳରେ ମିଳିଲେ l

 

ଦେଖନ୍ତି ବସନ୍ତ ଋତୁ ହୋଇଲେ ପ୍ରବେଶ

 

ମନରେ ଭାଳନ୍ତି ସେ ଯେ ହୋଇଣ ବିରସ l

 

କି ବୋଲିବେ ଆମ୍ଭକୁ ସୀତାୟା ପ୍ରାଣପତି

 

ଭାଳିଣ ସେ କୁଶ ପାରି ଶୋଇଲେ ତଡିତ l

 

ମାରିବାକୁ ଇଚ୍ଛା ସେ କରନ୍ତି ସାତ ବୀର

 

ଏଥିରୁ ଉଦ୍ଧାର କର ଦେବ ରଘୁବୀର

l ୮୦l

 

 

ଭାଳନ୍ତେ ଦେଖିଲେ ଗୋ ସମ୍ପାତ ନାମେ ପକ୍ଷୀ

 

ତୁମ୍ଭେ ଦେଖିଅଛ କି ସୀତୟା କମଳାକ୍ଷି l

 

ଶୁଣିକରି କହଇ ସେ ପକ୍ଷୀ ମହାବଳ

 

ଲଙ୍କା ଭୁବନକୁ ନେଲା ସୀତା ଲଙ୍କମଲ୍ଲ

 

ପକ୍ଷୀଠାରୁ ବାରତା ପାଇଲେ କପିମାନ

 

ବୋଲନ୍ତି କେମନ୍ତେ ଯିବା ଲଙ୍କାର ଭୁବନ l

 

ଏମନ୍ତେ କହଇ ହନୁ ପବନକୁମର

 

ଆଜ୍ଞା ଦେଲେ ଯୂଥପତି ଯିବି ଲଙ୍କପୁର l

 

ଶୁଣି ସନମତ କଲା ବାଳିର ନନ୍ଦନ ।

 

ଲଙ୍କାକୁ ଚଳିଲା ସେହୁ ବୀର ହନୁମାନ

l ୮୫l

 

 

ଶ୍ରୀରାମ ସୁମରି ବାର ଅକାଶେ ଗମଇ

 

ଶଏ ଯୁଣ ସମୁଦ୍ର ନିମିଷେ ତରିଯାଇ l

 

ବାଟରେ ଦୁର୍ଗତିମାନ ପଡ଼ିଲାକ ଯେତେ

 

ରଘୁନାଥ ସୁମରି ସେ ତରିଲା ତୁରିତେ l

 

ସନ୍ଧ୍ୟା ହୋଇଅଛି ହନୁ ପ୍ରବେଶ ହୋଇଲା

 

ଦୁଇ ଘଡିମାନେ ଲଙ୍କା ପୁରରେ ପଶିଲା l

 

ଗୁପତେ ଖୋଜଇ ସୀତା ଜନକକୁମାରୀ

 

ଘରେ ଘରେ ପୁରେ ପୁରେ ମନ୍ଦରେ ସବୁରି l

 

କାହିଁ ନ ଦେଖିଲା ସୀତା ଜନକଦୁହିତ

 

ମହା ବିସ୍ମୟ ହୋଇଲା ପବନର ସୁତ

l ୯୦l

 

 

ଗୁପତେ ରଖିଛି କାହିଁ ନେଇ ଦଶଶିରୀ

 

କେଉଁଠାରେ ଭେଟିବି ରାମର ମନୋହାରୀ

 

କାହିଁ ଥିବେ ସୀତୟା ସେ ଜନକ ଦୋହିତ

 

ବିଚାର କରଇ ଚିତ୍ତେ ଖୋଜଇ ବହତ l

 

ପ୍ରବେଶ ହୋଇଲା ଯାଇଁ ଅଶୋକ ବିପିନ

 

ହରଷ ହୁଅଇ ଚିତ୍ତେ ବୀର ହନୁମାନ

 

ବିଚାରଇ ଏଠାରେ କି ଭେଟିବି ସୀତୟା

 

ଦେଖି ତା ହରଷ ଚିତ୍ତ ହେଉଛି କାୟା l

 

ଦେଖଇ ଅଶୋକ ବନ ମହା ମହା ବଳ

 

ଧାଡ଼ି ଧାଡ଼ି ଶୋହଇ ସେ ଅତ୍ୟନ୍ତ ଗହଳ

l ୯୫l

 

 

ଶୁକ ଶାରୀ ଝିଙ୍କାରୀ ମୟୁରୀ କରେ ନାଦ

 

କୁହୁ କୁହୁ କୋକିଳ ଗୋ କରଇ ଶବଦ l

 

ନାନା ରୂପେ ନାନା ବର୍ଣ୍ଣ ଅଛନ୍ତି ଚଡ଼ାଇ

 

ପ୍ରବେଶ ହୋଇଲା ହନୁ ପବନ ତନଇ l

 

ସୁବର୍ଣ୍ଣ ଜଗତୀ ତହିଁ ଅଛି ନିର୍ଭା ହୋଇ

 

ଅସୁରୀଙ୍କ ମଧ୍ୟରେ ଅଛନ୍ତି ବଇଦେହୀ l

 

ସେଠାବରେ ପ୍ରବେଶ ହୋଇଲା ହନୁମନ୍ତ

 

ଗୁପତେ ଦେଖଇ ସବୁ ଯେତକ ଚରିତ l

 

ଏମନ୍ତ ସମୟେ ଆସି ରାବଣ ହୋଇଲା

 

ସୀତାୟାଙ୍କୁ ଚାହିଣ ସେବଚନ କହିଲା

l ୧୦୦l

 

 

ନାନା ରୂପେ ବିଖଣ୍ଡ ବଚନମାନ କହି

 

ଶୁଣି କୋପ କଲେ ସେ ଯେ ଜନକତନୟୀ ।

 

କିସ କିସ କହୁଅଛ ବିଶ୍ରବାର ସୁତ

 

ମରଣ ତୋହର ଆସି ହୋଇଲା ନିୟତ l

 

ରାମବାଣ ପ୍ରତାପ ତୁ ନ ଜାଣୁ ରେ ବାଇ

 

ଅନଳେ ପଶିତେ ତୁରେ ଚିତ୍ତ ଅଛି ହୋଇ l

 

ଚାଣ୍ଡାଳ ନିର୍ଦ୍ଦୟା ତୁରେ କିଛି ଜ୍ଞାନ ନାହିଁ

 

କିଞ୍ଚିତ ନାରାଚେ ରାମ ପରେ ତୋତେ ଦହି

 

ବିଷ ଭକ୍ଷିବାକୁ ତୋର ଶକ୍ଷ ଅଛି କାହିଁ

 

ଯାଅରେ ଚାଣ୍ଡାଳ ବେଗେ ନଥା ଏଥୋଁରହି

 

ସୀତୟା ବଚନ ଶୁଣି ରାବଣ ଡରିଲା

 

ମହା ଭୟ ପାଇଣ ଲେଉଟି ବୀର ଗଲା l

 

ଏଥୁ ଅନନ୍ତରେ ଶୁଣ ବୀର ହନୁମନ୍ତ

 

ରାବଣ ଅଇଲା କଥା ବୁଝିଲା ଗୁପତ l

 

ବିଚାର କରଇ ଚିତ୍ତେ ପବନ ତନଇ

 

କେମନ୍ତେ ବାରତା ମୁଁ କହିବି ବଇଦେହୀ l

 

ମୋତେ ଦେଖି ନାହିଁ ସତୀ କୋପ ନିକି କରି ?

 

ରାବଣ ବିଚାର ଶାପ ଦେବ ରାମନାରୀ l

 

ମୁଦି ଗୋଟି ଘେନିଥିଲା ପବନର ସୁତ

 

ରାମ ନାମ ଧରି ଆଗେ ହେଲା ହନୁମନ୍ତ

l ୧୧୦l

 

 

ଦେଖିଲେ ନୟନେ ମୃଦି ଜନକଦୁଲଣୀ

 

ସ୍ତମ୍ଭୀଭୂତ ହୋଇଲେ ହସ୍ତରେ ତାହା ଘେନି l

 

ନୟନୁ ବହଇ ନୀର ଜଳଧାର ପ୍ରାଏ

 

କି ନିମନ୍ତେ ମୁଦି ତୁ ଛାଡିଲୁ ରାମ ରାଏ l

 

ବେନି ଜନ ଥିଲୁ ଆମ୍ଭେ ଶ୍ରୀରାମର ପାଶ

 

ବିଚ୍ଛେଦ କଲା ବିଧାତା ଛଡାଇ ମୁଁହାସ l

 

ତୋତେ ସ୍ନେହ କରି ରାମ ନ ଛାଡ଼ନ୍ତି କ୍ଷଣେ

 

କି ନିମନ୍ତେ ଛାଡିଣ ଅଇଲୁ ରଘୁରାଣେ l

 

ଶୋକଭର ହୋଇ ଦେବି କହନ୍ତି ବଚନ

 

କାହୁଁ ତୁମ୍ଭେ କେମନ୍ତେ ଅଇଲ କପିଜନ

l ୧୧୫ l

 

 

ଶ୍ରୀରାମର ହସ୍ତ ମୁଦି ପାଇଲଟି କାହିଁ

 

ପ୍ରତେ ଯେ ତୋ ଯାଇ ବୀର କହ ତାହା ତୁହି l

 

ଶୁଣି କରି ଯୋଡଇ ସେ କେଶରୀର ସୁତ

 

ସାବଧାନେ ଶୁଣ ତୁମ୍ଭେ ଜଗତର ମାତ l

 

ଦଶରଥ ନୃପତି ଅଯୋଧ୍ୟା ଦଣ୍ଡଧାରୀ

 

ଚାରିପୁତ୍ର ଜାତି ହୋଇଥିଲେ ତାହାଙ୍କରି l

 

କଇକେୟୀ ରାଜାଙ୍କୁ ମାଗିଲି ବରଦାନ

 

ଭରତ ହୋଇବେ ରାଜା ରାମ ଯିବେ ବନ l

 

ଲକ୍ଷ୍ମଣ ସିତୟା ରାମ ବନେ ତପଚାରୀ

l ୧୨୦ l

 

 

ଦୁଃଖି ଚିତ୍ତ ହୋଇ ରାମ ବୁଲନ୍ତି ବନର

 

ଋଷ୍ୟମୁକ ପର୍ବତେ ଭେଟିଲେ ସୁଗ୍ରୀବର l

 

ତାହାର ସଙ୍ଗତେ ରାମ ମଇତ୍ର ହୋଇଲେ

 

ସୁଗ୍ରୀବର ଜ୍ୟେଷ୍ଠ ଭାଇ ବାଳିକି ମାଇଲେ l

 

ସୈନ୍ୟ ସଖା ଘେନି ରାମ ଚରଣେ ଖଟିଲା

 

ଚାରି ଦିଗକୁଇ ସୁଗ୍ରୀ ଦୁତ ବରଗିଲା l

 

ମୁଁହ ହନୁମନ୍ତ ନାମ କେଶରୀର ସୁତ

 

ଲଙ୍କାରେ ଭେଟିଲେ ଆସି ଜନକ ଦୁହିତ l

 

ଭୋ ଶ୍ରୀରାମ ନାରୀ ମୋଟେ ଆଜ୍ଞା ବେଗେ ଦେବା

 

ଶ୍ରୀରାମ ଛାମୁରେ ଯଇଁ ବାରତା କହିବା

l ୧୨୫ l

 

 

ଶୁଣନ୍ତେ ସନ୍ତୋଷ ହୋଇ ଜନକ ଦୁଇଣୀ

 

ମସ୍ତକରୁ ଫେଡିଣ ଘେନିଲେ ମଥାମଣି l

 

ହନୁମନ୍ତ ହସ୍ତରେ ସୀତୟା ତୋଳିଦେଲେ

 

ରାମପାଶେ ଦିଅ ବୋଲି ବାରତା କହିଲେ l

 

ଜାନକୀର ଦେଲା ମଣି ହସ୍ତରେ ଘେନିଲା

 

ସୀତୟା ପାଦରେ ପଡି ମେଲାଣି ମାଗିଲା l

 

ଯାଅ ବୋଲି ଆଜ୍ଞା ଦେଲେ ଜନକ ଦୁଲଣୀ

 

ଶିରେ କର ଦେଇଣ ବାହୁଡେ କପିମଣି l

 

ଏଠୁ ଅନନ୍ତେ ହନୁ ପବନତନୟ

 

କ୍ଷୁଧା ଲାଗୁଅଛି ମୋର ଅଶକତ କାୟ

l ୧୩୦ l

 

 

ମଧୁବନେ ପଶିବ ଖାଇବ ଫଳ ମୂଳ

 

ଅସୁରେ ଦେଖନ୍ତି ସେ କରିବେ ମହାଗୋଳ l

 

ଏମନ୍ତ ବିଚାର ହନୁମନ୍ତ ତହୁଁ ଗଲା

 

ମଧୁବନ ତୋଟାରେ ସେ ପ୍ରବେଶ ହୋଇଲା l

 

ବୃକ୍ଷମାନ ଦେଖଇ ସେ ଅତି ଶୋଭାବନ

 

ବୋଇଲା ଭାଞ୍ଜିବ ଆଜି ସବୁ ମଧୁବନ l

 

ଏମନ୍ତ ବିଚାର ତହିଁ ପବନର ସୁତ

 

ବୃକ୍ଷମାନ ଉପାଡି ସେ କରଇ ନିପାତ l

 

ତରୁବର ଭାଞ୍ଜାନ୍ତେ ଶୁଭଇ ଚଉପାଶେ

 

ତୋଟା ରକ୍ଷୀମାନେ ଶୁଣି ପାଇଲେ ସେ ତ୍ରାସ

l ୧୩୫ l

 

 

ଦେଖିଣ ଧାଇଁଲେ ମହା କୋପଚିତ୍ତ ହୋଇ

 

ନାନା ଶସ୍ତ୍ର ଧରି ଆଗେ ଉଗାଳିଲେ ଯାଇଁ l

 

ବିଚାରିଲା ହନୁ ଆଜି କରିବଇଁ ନାଶ

 

ଲଙ୍କାପୁର ଅସୁରେ ଚଲିବେ ଯମପାଶ l

 

ବିଚାର କରିଣ ଚିତ୍ତେ ମହାକୋପ କଲା

 

ଏକ ତରୁବର ହନୁ ହସ୍ତରେ ଧଇଲା l

 

ମହା ଭୀଷ୍ମ ମୂର୍ତ୍ତ ଧରି ଶ୍ରୀରାମର ଦାସ

 

ଅଶୀ ସସ୍ର ତୋଟାଲନ୍ତୁ ସବୁ କଲା ନାଶ l

 

ଏକ ଯେ ଅସୁର ତହୁଁ ପଳାଇଲା ଡରେ

 

ପ୍ରବେଶ ହୋଇଲା ଯାଇଁ ରାବଣ ଛାମୁରେ

l ୧୪୦ l

 

 

ଶୁଣ ଦେବ ଲଙ୍କପତି ବିଶ୍ରବାର ସୁତ

 

ମଧୁବନ ତୋଟା ସବୁ କପି କଲା ହତ l

 

ଅଶୀ ସସ୍ର ତୋଟାଳ ମାଇଲା ଋଣଗୋଳେ

 

ଗୋଟିଏ ନ ରଖି ଦେଇ ନାଶକଲା ହେଲେ l

 

ଶୁଣି କୋପେ ପେଷଇ ସେ ମନ୍ଦୋଦରୀସାଇଁ

 

ଅକ୍ଷୟ ସଙ୍ଗତେ ପାଞ୍ଚ ସେନାପତି ଯାଇଁ l

 

ରଥୀ ହାତୀ ପଦାତି ଅନେକ ସୈନ୍ୟ ଗଲେ

 

ମଧୁବନ ତୋଟାରେ ସେ ପ୍ରବେଶ ହୋଇଲେ l

 

ମାର ମାର ଧର ଧର ଡାକନ୍ତି ଅସୁରେ

 

ଶୁଣି ହନୁମନ୍ତ ସେ ଧାଇଁଲା ଅତି ଖରେ

l ୧୪୫ l

 

 

କାହାକୁ ମାରଇ ପାଦେ କାହାକୁ ଧରଇ

 

ରଥଙ୍କ ଉପରେ ବେଗେ ରଥ କଚାଡଇ l

 

ଅକ୍ଷୟ ସହିତେ ବଳ ଯେତେ ଆସିଥିଲେ

 

ହନୁମନ୍ତ ହସ୍ତରେ ସମସ୍ତେ ପ୍ରାଣ ଦେଲେ l

 

ଏକ ଚାର ରାବଣ କୁ କହିଲା ବାରତା *

 

ସୈନ୍ୟ ବଳ ଅକ୍ଷୟେ ମାରିଲା ହନୁମନ୍ତ l

 

*ବାରତ –ବାରତା

 

ଶୁଣନ୍ତେ ରାବଣ ଚିତ୍ତେ ମହାକୋପ ହୋଇ

 

ଇନ୍ଦ୍ରଜିତ ରାଈ ଆଜ୍ଞା ଦେଲା ଲଙ୍କସାଇଁ l

 

ସୈନ୍ୟ ବଳ ଘେନି ବୀର ଚଳାଇ ଅଇଲା

 

ମଧୁବନ ତୋଟାରେ ସେ ପ୍ରବେଶ ହୋଇଲା

l ୧୫୦ l

 

 

କ୍ରୋଣା ଖମ୍ବ ଉପରେ ବସିଛି ହନୁମନ୍ତ

 

ଇନ୍ଦ୍ରଜିତ ବୀର ଯାଇଁ ପ୍ରବେଶ ତୁରିତ l

 

ସୈନ୍ୟବଳ ଦେଖି ହନୁମନ୍ତ ପଚାରଇ

 

ମାରିବା ନିମନ୍ତେ କିରେ ଅସୁଅଛ ଧାଇଁ l

 

ଶୁଣି ଇନ୍ଦ୍ରଜିତ ବେଗେ ପେଷି ନାଗପାଶ

 

ବନ୍ଧନରେ ପଡିଲା ଯେ ଶ୍ରୀରାମର ଦାସ l

 

ବୀର ତୁରି ବଜାଇ ଦେଲା ହନୁମନ୍ତ l

 

ଦେଖି କରି ରାବଣ ପୁଚ୍ଛଇ ମୁଖ ଚାହିଁ

 

କାହୁଁ ଆସି ପ୍ରବେଶ ହୋଇଲୁ କପି ତୁହି

l ୧୫୫ l

 

 

ଶୁଣି କରି କହେ ତହିଁ ବୀର ହନୁମନ୍ତ

 

ଅଯୋଧ୍ୟା ଠାକୁରଙ୍କ ର ଅଟଇ ମୁଁ ଦୁତ l

 

ପଞ୍ଚବଟି ବନରୁ ସୀତୟା ଚୋରିକଲୁ

 

ଖୋଜିବା ନିମନ୍ତେ ଆମ୍ଭେ ଏଠାକୁ ଅଇଲୁ l

 

ରାମରାଣୀ ହରିଲୁ କେବଣ ଧର୍ମଗତ

 

ନିଶ୍ଚୟ ମରିବୁ ତୁ ହୋ ଶୁଣ ଲଙ୍କପତି l

 

ଅଶେଷ ବ୍ରହ୍ମାଣ୍ଡର ଠାକୁର ରଘୁମଣି

 

ଚୋରିକରି ଆଣିଲୁ ତୁ ତାହାଙ୍କ ଘରଣୀ l

 

ଖୋଜିବା ଲୋକକୁ ଏବେ କରୁଅଛୁ ବନ୍ଦୀ

 

ଧିକ ଧିକ ରାବଣ ତୋହର ଯେତେ ବୁଦ୍ଧି

l ୧୬୦ l

 

 

ହନୁମନ୍ତ ବଚନେ କହଇ ଦଶଶିର

 

କେ ତୁମ୍ଭର ଜାଣଇ ଠାକୁର ରଘୁବୀର l

 

କାହାରି ସୀତୟା କେହୁ ହରିନେଲା ଆସି

 

ଆମ୍ଭେ କିସ ଜାଣୁ ତୋର ସୀତା ଶୁଭକେଶୀ l

 

କାହାର ବଚନେ ଲଙ୍କାପୁରକୁ ଅଇଲୁ

 

କି ନିମନ୍ତେ ମର୍କଟ ଅକ୍ଷୟ ନାଶକଲୁ l

 

ଦଶଶିର ବଚନେ କହଇ ହନୁମାନ

 

କାହୁଁ ତୁହି ଜାଣିବୁ ରଘୁନାନ l

 

ତ୍ରିଶିରା ଖର ଦୂଷଣ ସେନାବଳ ମାରି

 

ସୂର୍ପଣଖା ଶ୍ରବଣ ନାସା ଛେଦନ କରି

l ୧୬୫ l

 

 

ଅଯୋଧ୍ୟା ଠାକୁର ସେ ଯେ ବୀର ରଘୁମଣି

 

ଚୋରିକରି ଅଣିଅଛୁ ତାହାଙ୍କ ଘରଣୀ l

 

ସୀତାଙ୍କୁ ଖୋଜନ୍ତେ ଋଷ୍ୟମୁକରେ ପ୍ରବେଶ

 

ସୁଗ୍ରୀବ ସଙ୍ଗେ ମଇତ୍ର ହୋଇଲେ ରଘୁଈଶ l

 

ମିତ୍ରଛଳେ ବାଳିକି ନାରାଚେ ରାମ ମାରି

 

କିସ୍କିଦ୍ଧା ଭୁବନେ ତାକୁ ଦଣ୍ଡଧାରୀ କରି l

 

ଏବେ ବିଚାରନ୍ତେ ସେ କରିବେ ତୋତେ ନାଶ

 

ସୀତା ଦେଇ ଚରଣେ ଶରଣ ଯାଇଁ ପଶ l

 

ହନୁମନ୍ତ ବଚନେ ଶୁଣିଲା ଦଶଶିର

 

କୋପଭରେ କହିଲା କପିକି ବେଗେ ମାର

l ୧୭୦ l

 

 

ରାଜ ଆଜ୍ଞା ପାଇଣ ମାଇଲେ ମହାବଳୀ

 

ଛେଲ ଚକ୍ର ବାବଲକେ ମାରେ ଭୁଜ ତୋଳି l

 

ନାନା ରୂପେ ମାରନ୍ତେ ନୋହିଲା ତାର କିଛି

 

ଟହ ଟହ ହସୁଅଛି ପବନର ବଛି l

 

କୋପଭର କରି ହନୁ ରାବଣକୁ କହି

 

ଶ୍ରୀରାମ ପ୍ରସାଦେ ମୋତେ ଭୟ ଭୀତ ନାହିଁ l

 

ଆଜ୍ଞା ଯେବେ ଦେଇଥାନ୍ତେ ସୀତୟାର କାନ୍ତି

 

ମୁଣ୍ଡ ମୋଡି ଲଙ୍କା ଯାକ କରନ୍ତି ଧୂମାନ୍ତ l

 

ଯେତେ ରୂପେ ମାଇଲେ ମୋହର ନାଶ ନାହିଁ

 

ବନ୍ଦୀ କଲା ପ୍ରାଣିକି ମାରୁଛ କିସ ପାଇଁ

l ୧୭୫ l

 

 

ଯେବେ ତୋର ଶରଧା ହୋଇଲା ମୋତେ ମାରି

 

ଶୁଣ ତୁ ମୋହର ବାଣୀ ଲଙ୍କା ଦଣ୍ଡଧାରୀ l

 

ପୂର୍ବେ ଶାପ ଦେଇଅଛି ଋଷି ବିପ୍ରମାନ

 

ଦୁକୂଳ ମୋହର ଲାଞ୍ଜେ କରିବ ବନ୍ଧନ l

 

ତୈଳ ଦେଇ ଅଗ୍ନି ତହିଁ ଦେବୁ ତୁ ଲଗାଇଁ

 

ତେବେ ମୋର ଶରୀରୁ ଜୀବନ ଛାଡ଼ିଯାଇ l

 

ଅନେକ ପ୍ରକାରେ ଆତ୍ମା ଦୁଃଖ ମୋର ହୋଇ

 

ଦେବାସୁର ଶସ୍ତ୍ର ମୋର ପ୍ରାଣ ନ ଛାଡଇ l

 

ଶୁଣି ତୋଷ ହୋଇଲା ସେ ଲଙ୍କାର ରାଜନ

 

ମିଥ୍ୟା ନ କହନ୍ତି ଏ ଯେ ବନ କପିମାନ

l ୧୮୦ l

 

 

ପୂର୍ବେ ଶାପ ଦେଇଥିଲେ ଋଷି ବିପ୍ରଗଣ

 

ବସ୍ତ୍ର ବେଗେ ଆଣ ବୋଲି ବୋଇଲା ରାଜନ l

 

ଆଜ୍ଞା ପାଇ ବିରମାନେ ଗଲେ ଧାତିକାରେ

 

ବସ୍ତ୍ର ତୈଳ ଘେନି ଆସି ମିଳିଲେ ଛାମୁରେ l

 

ହନୁମନ୍ତ ଲାଞ୍ଜେ ବସ୍ତ୍ର ବାନ୍ଧି ବୋଲି କହି

 

ଆଜ୍ଞା ପାଇ ବାନ୍ଧିଲେ ସେ ବସ୍ତ୍ର ମାନ ନେଇ l

 

ତୈଳ ଦେଇ ଅଗ୍ନି ଲାଞ୍ଜେ ଲଗାଇଲେ ନେଇ

 

ଇନ୍ଦ୍ରଜିତ ନାଗଫାଶ ବନ୍ଧ ଫେଡି ଦେଇ l

 

ଏମନ୍ତ ବିଚାରେ ତହିଁ ବୀର ହନୁମନ୍ତ

 

ପୁଚ୍ଛରେ ଲାଗିଲା ମୋର ଅଗ୍ନି ଯେ ବହୁତ

l ୧୮୫ l

 

 

ହସ ହସ ହୋଇ ହନୁ ରାବଣକୁ କହି

 

କି ନିମନ୍ତେ ଲଙ୍କପତି ମୋର ଦେହି ଦହି l

 

ମାୟାବନ୍ତ ବୋଲି ତୋତେ ବୋଲନ୍ତି ଜଗତେ

 

ମୋର ମାୟା ନ ଜାଣିଲୁ ତୁରେ ହୃଦଗତେ l

 

ଏହି କ୍ଷଣି ଦହିବି ତୋହର ଲଙ୍କାପୁର

 

ବାରତା କହିବି ଯାଇଁ ଶ୍ରୀରାମଛାମୁରେ l

 

ଏମନ୍ତ କହିଣ ହନୁ ଅକାଶେ ଉଠିଲା

 

ରାବଣ ମନ୍ଦିରେ ଯାଇଁ ଲାଞ୍ଜ ବଢାଇଲା l

 

ଜଗତୀ ଅଟାଳି କାଚପୁର ଗଲା ଜଳି

 

ଦେଖିଣ ରାବଣ ଚିତ୍ତେ ମହାଭୟେ ଭାଳି

l ୧୯୦ l

 

 

ବୋଇଲା କି ନିମନ୍ତେ ଦହୁଛୁ ମୋର ପୁରୀ

 

ତୋର ବଚନକୁ ଦେବେ ଛନ୍ତି ଅବଧରି l

 

ଏମନ୍ତେ ବିଚାର ଚିତ୍ତେ ବୀର ହନୁମନ୍ତ l

 

କପୋଳେ ଘଷଇ ଲାଞ୍ଜ ନେଇ ହନୁମନ୍ତ

 

ବ୍ରହ୍ମ ଅଗ୍ନି ଜାତ କଲା ବୀର ହନୁମନ୍ତ

 

ଲଙ୍କା ପୁର ଦହନ କରଇ ହୁତାଶନ l

 

ଘରେ ଘରେ ପୁରେ ପୁରେ ସମସ୍ତ ଦହିଲା

 

ପୁଷ୍ପ ବିମନରେ ଲଙ୍କପତି ରକ୍ଷା କଲା l

 

ବ୍ରହ୍ମା ଆଦି ଯେତେ ଦେବଗଣ ମାନେ ଥିଲେ

 

ସ୍ଵର୍ଗର ଯିବାର ବେଳେ ହନୁକୁ କହିଲେ

l ୧୯୫ l

 

 

ଯାଅ ତୁମ୍ଭେ ହନୁମନ୍ତ ରାମ କାର୍ଯ୍ୟ କର

 

ଏ ଲଙ୍କା ଭବନ ଦହି ସୀତା ଠାବ କର l

 

ଯେବଣ ଅନଳ ତୁ ହୋ କରିଅଛୁ ଜାତ

 

ଗର୍ଭକୁଇ କ୍ଷେପ ତୁ ଯେ ବୀର ହନୁମନ୍ତ

 

ଏତେ କହି ଦେବଗଣେ ଆକାଶରେ ଗଲେ

 

ପବନର ସୁତ ଶାନ୍ତ ମୂର୍ତ୍ତି ସେ ହୋଇଲେ l

 

ବ୍ରହ୍ମ ଅଗ୍ନି ଗର୍ଭକୁ କ୍ଷେପିଲା ହନୁମନ୍ତ

 

ଶୁଭ ଯୋଗେ ରହିଲେ ସୁବଳୟା ପର୍ବତ l

 

କହେ ରାଜା ଗୋବିନ୍ଦ ଶୁଣିମା ସାଧୁଜନ

 

ଯେତେ କୃତ୍ୟ ଲଙ୍କା ରେ ସେ କଲା ହନୁମାନ

l ୨୦୦ l

 

 

ଶ୍ରୀରାମ ପ୍ରସାଦେ ତାର ଏତେ ବୁଦ୍ଧି ହୋଇ

 

ଲଙ୍କାଗଡ ଦହି ଠାବ ବଇଦେହୀ l

 

ଏଥୁ ଅନନ୍ତରେ ଶୁଣ ଯେମନ୍ତେ ହୋଇଲା

 

ଲଙ୍କାଗଡ ପୋଡନ୍ତେ ରାବଣ ଶୋକ କଲା l

 

ଏ କଥା ଜାଣିଣ ବ୍ରହ୍ମା ବିଶ୍ଵକର୍ମା ପେଷି

 

ରାତ୍ରକ ଭିତରେ ଲଙ୍କା ନିର୍ମାଣ କରସି l

 

ଶୁଣି ବିଶ୍ଵକର୍ମା ବେଗ ହୋଇଣ ଅଇଲେ

 

ରାତ୍ରକ ଭିତରେ ଲଙ୍କା ଗଡ ଗଢି ଦେଲେ l

 

ଏକଥା ଉତ୍ତାରେ ତହିଁ ବୀର ହନୁ ବୀର

 

ସମୁଦ୍ରଲଘଂନେ ସେହୁ କରଇ ବିଚାର

l ୫ l

 

 

ଶ୍ରୀରାମ ସୁମରି ବୀର ଅକାଶେ କ୍ଷେପିଲା

 

ଦୁଇ ଘଡିମାନ ସିନ୍ଧୁ ପାର ହୋଇଗଲା l

 

ଯେଉଁ ଠାରେ ବସିଛନ୍ତି ଅଙ୍ଗଦ କୁମାର

 

ସେଠାବରେ ପ୍ରବେଶ ହୋଇଲା ହନୁ ବୀର l

 

ଜାମ୍ବବାନ ସୁଷେଣ ଅଙ୍ଗଦ ନଳ ନୀଳ

 

ହନୁମନ୍ତ ସଙ୍ଗତେ ହୋଇଲେ ସର୍ବେ ମେଳ l

 

ଯେତେ ଯେତେ କଥାମାନ ଲଙ୍କାପୁରେ ହୋଇ

 

ଜାମ୍ବବାନ ଅଙ୍ଗଦ ଆଗରେ ସବୁ କହି l

 

ଶୁଣି ସନ୍ତୋଷ ସେ ହୋଇଲେ ସର୍ବଜନ

 

ଆଗ ପଛ ହୋଇ କରି କରନ୍ତି ଗମନ

l ୧୦ l

 

 

କେତେ ଭାବେ ଲଙ୍କା ପୁର ନିର୍ମାଣ ହୋଇଛି

 

ପଥରେ ଚାଲନ୍ତେ କହେ ପବନର ବଚ୍ଛି l

 

ଏକକୁ ଆରେକ ସେ ଚାଳନ୍ତି ମହାଖରେ

 

ମାଲ୍ୟବନ୍ତ ପର୍ବତେ ବିଜୟ ମହାବୀରେ l

 

ଶ୍ରୀରାମ ବିଜୟ କରିଛନ୍ତି ଗିରିବରେ

 

ଯୂଥପତି ସୁଗ୍ରୀବର ଅଛନ୍ତି ଛାମୁରେ l

 

ଏମନ୍ତ ସମୟ ଦୂତ ପ୍ରବେଶ ହୋଇଲେ

 

ଶ୍ରୀରାମ ଦେଖି ପାଏ ପଡିଣ ଶୋଇଲେ l

 

ଉଠ ଉଠ ବୋଲିଣ ଶ୍ରୀରାମ ଆଜ୍ଞା ଦେଇ

 

ହରଣ ହୋଇଣ ସେ ଡାକନ୍ତି ରଘୁସାଇଁ

l ୧୫ l

 

 

ବେଗେ ହୋଇ ମୋହର ଛାମୁକୁ ବେଗେ ଆସ

 

ସୀତାର ବାରତା କହ ମନ ମୋର ତୋଷ l

 

ଆଜ୍ଞା ପାଇ ଉଠିଲେ ଶିରରେ କର ଦେଇ

 

ବେନି ପାରୁଶରେ ରାମ ବସାଇଲେ ନେଇ l

 

କର ଯୋଡି କହଇ ସେ ବୀର ହନୁମନ୍ତ

 

ସାବଧାନ ହୁଅ ଦେବ ସୀତାୟାର କାନ୍ତ l

 

ତୁମ୍ଭର ଅଜ୍ଞାରେ ଦେବ ସୀତା ଖୋଜିଗଲୁ

 

ନାନା ଦେଶ ଗିରିବର ଅରଣ୍ୟ ବୁଲିଲୁ l

 

ବୁଲଅନ୍ତେ ପାତାଳ ପୁରେ ହୋଇଲୁ ପ୍ରବେଶ

 

ଗିରିଜା ସୁନ୍ଦରୀଠାରୁ ପାଇଲୁ ସନ୍ଦେଶ

l ୨୦ l

 

 

ତାହାର ବଚନେ ଦେବ ପାର ହୋଇଗଲୁ

 

ସମୁଦ୍ରକୂଳରେ ଯାଇ ପ୍ରବେଶ ହୋଇଲୁ l

 

ସମ୍ପାତିର ତହିଁ ଦେବ ପାଇଲୁ ବାରତା

 

ଲଙ୍କାପୁରେ ଛନ୍ତି ଯାଇ ଜନକ ଦୁହିତା l

 

ତାହାର ବଚନେ ମୁହିଁ ସମୁଦ୍ର ଲଙ୍ଘିଲି

 

ଲଙ୍କା ଭୁବନରେ ଯାଇ ପ୍ରବେଶ ହୋଇଲି l

 

ଗୁପତେ ଖୋଜିଲି କାହିଁ ନ ଦେଖିଲେ ସୀତା l

 

ଅଶୋକ ବନରେ ଦେବ ତୋହର ବନିତା l

 

ସେ ବନରେ ଠାବ କରି ଗୁପତେ ରହିଲି

 

ରାବଣ ଅଇଲା ରୂ ମୁଁ ଚିରତ ବୁଝିଲୁ

l ୨୫ l

 

 

ମହାକୋପ କରି ସତୀ ବଚନ କହିଲେ

 

ଡରେ ଲଙ୍କପତି ଦେବ ବାହୁଡିଣ ଗଲେ l

 

ଏଥୁ ଅନନ୍ତରେ ଦେବ ସୀତା ପାଶ ଗଲି

 

ମୁଦିଗୋଟା ଦେଇଣ ସମସ୍ତ ଜଣାଇଲି l

 

ମୁଦି କରେ ଘେନି ଦେବି ଶୋକଭର ହୋଇ

 

କଷ୍ଟ ଯେତେ ପାଇଛନ୍ତି ସବୁ ମୋତେ କହି l

 

ମସ୍ତକରୁ ରତ୍ନମଣି ଫେଡି ମୋତେ ଦେଲେ

 

ଶ୍ରୀରାମ ଛାମୁରେ ଦେବୁ ବୋଲିଣ କହିଲେ l

 

ଏତେ କହି ହନୁମନ୍ତ ମଣି ଫେଡିଦେଇ

 

ହସ୍ତରେ ଘେନିଲେ ମଣି ରଘୁକୁଳ ସାଇଁ

l ୩୦ l

 

 

ଶୋକଭର ହୋଇ ରାମ ମଉନ ହୋଇଲେ l

 

ଘଡିକି ଉତ୍ତାରେ ରାମ ବଚନ ବୋଇଲେ l

 

ଝର ଝର ନୟନୁଁ ବହଇ ନୀରଧାର

 

ଜାନକୀର ରୂପ ଗୁଣ ଗୁଣନ୍ତି ମନର l

 

ଯେତେ ଯେତେ କଥା ଯେତେ ଭାବ ଥିଲା ହୋଇ

 

ସମସ୍ତ ଚିନ୍ତିନ୍ତ ଚିତ୍ତେ ରଘୁକୁଳସାଇଁ l

 

କହେ ରାଜା ଗୋବିନ୍ଦାଇ ଶ୍ରୀରାମ ପୟରେ

 

ଦଶଶିର ଛେଦିବେ ଘେନିଣ ତିକ୍ଷ୍‍ଣଶରେ l

 

ସଗୋତ୍ର ସହିତେ ଦେବ କରିବେ ବିନାଶ

 

ମନେ ଯେତେ ତାପ ହୋଇ ସମସ୍ତ ବିନାଶ

l ୩୫l

 

 

ଏଥୁ ଅନନ୍ତରେ ରାମ ସୁଗ୍ରୀବକୁ ଚାହିଁ

 

ଏଠାରେ ରହିବା ମିତ୍ର କିଛି କାର୍ଯ୍ୟ ନାହିଁ l

 

ବେଗେ ଯିବା ରାବଣ କରିବା ପ୍ରାଣନାଶ

 

ହନୁମନ୍ତ କହିଲାଟି ସୀତୟା ସନ୍ଦେଶ l

 

ଶ୍ରୀରାମ ଆଜ୍ଞା ପାଇ କହେ ସୁଗ୍ରୀବର

 

କି ନିମନ୍ତେ ରହିବା ଠାକୁର ରଘୁବୀର l

 

ଜାମ୍ବବାନ ସୁଷେଣକୁ ସୁଗ୍ରୀବ କହଇ

 

କେତେବେଳେ ଅନୁକୂଳ କରିବା ଯୋଗାଇ l

 

ବିଚାର କିରଣ ମନ୍ତ୍ରୀ କହିବା ଛାମୁରେ

 

କେତେବେଳେ ଭଲଟି ହୋଇବ ରଘୁବୀର

l ୫l

 

 

ଶୁଣିକରି ବେନି ମନ୍ତ୍ରୀ ଦିନ ବିଚାରନ୍ତି

 

ଶ୍ରୀରାମ ତାର ଚନ୍ଦ୍ର ବଳ ସେ ଧରନ୍ତି l

 

ଉତ୍ତରା ଫଲ୍ଗୁନ ସେ ଭଲ ଲଗ୍ନ ହୋଇ

 

ଅନୁକୂଳ କରିବେ ଠାକୁର ରଘୁସାଇଁ l

 

ଏଥୁ ଅନନ୍ତରେ ଶୁଣ ରାଜୀବ ଲୋଚଣ

 

ଅନୁକୂଳ କଲେ ପ୍ରଭୁ ଜାନକୀରମଣ l

 

ସୈନ୍ୟବଳ ଘେନି ରାମ ସଙ୍ଗରେ ଅଛଇ

 

ବନଗିରି ପର୍ବତ ଲଙ୍ଘିଲେ ରଘୁସାଇଁ l

 

ସମୁଦ୍ରର କୂଳେ ଯଇଁ ହୋଇଲେ ପ୍ରବେଶ

 

ସ୍ତୃତି କରି ବରୁଣକୁ କହେ ରଘୁ ଶିଷ

l ୧୦ l

 

 

ଜାଣି ବେଗେ ବରୁଣ ପ୍ରବେଶ ହୋଏ ଆସି

 

କିସ ମୋତେ ଆଜ୍ଞା ଦେବା ହେଉ ରଘୁବଂଶୀ l

 

ବରୁଣ ମୁଖକୁ ଚାହିଁ ରାମଚନ୍ଦ୍ର କହି

 

ଥଳକୂଳ ରତ୍ନାକର ଦିଅ ମୋତେ କହି l

 

ରାମଚନ୍ଦ୍ର ବଚନେ କହଇ ରତ୍ନାକର

 

ବନ୍ଧ ବାନ୍ଧି ନଳ ଦେବ ହୋଇବାକ ପାର l

 

ସର୍ବେ ଦେବତାଏ ଦେବ ଅଛନ୍ତି ବିଚାରି

 

ବନ୍ଧ ବାନ୍ଧି ବିଜୟ କରିବା ଲଙ୍କପୁରୀ l

 

ଶୁଣି ରାମ ରାୟ ଚିତ୍ତେ ହରଷ ହୋଇଲେ

 

ରତ୍ନାକର ମୁଖ ଚାହିଁ ଯାଅନା ବୋଲିୟେ

l ୧୫ l

 

 

ଆଜ୍ଞା ପାଇ ରତ୍ନାକର ମନ୍ଦିରକୁ ଯାଇ

 

ଏଥୁ ଅନନ୍ତରେ କଥା ଶୁଣ ମନ ଦେଇ l

 

ସୁଗ୍ରୀବକୁ ଚାହିଁ ରାମ ଏମନ୍ତ ବୋଇଲେ

 

ପର୍ବତ ଅଣାଅ ମିତ୍ର ବୋଲି ବୋଲି ଆଜ୍ଞା ଦେଲେ l

 

ରାମଚନ୍ଦ୍ର ବଚନେ କହଇ ସୁଗ୍ରୀବର

 

ଋକ୍ଷବଳ ଘେନି ଯାଅ ହନୁମନ୍ତ ବୀର l

 

ଏଥୁ ଅନନ୍ତରେ କଥା ଶୁଣ ମନ ଦେଇ

 

ବାରତା କହିଲା ଚାର ଶୁଣ ଲଙ୍କସାଇଁ l

 

ବେନି ଯତି ପ୍ରବେଶ ହୋଇଲେ ସିନ୍ଧୁତୀରେ

 

ଋକ୍ଷ କପି ଛାଇ ହୋଇଛନ୍ତି ପୃଥିବୀରେ

l ୨୦ l

 

 

ଶୁଣି ବିସ୍ମ ହୋଇଲା ଲଙ୍କାର ଅଧିପତି

 

କହେ ବିଭୀଷଣ ଶୁଣ ମନ୍ଦୋଦରିପତି l

 

ସିନ୍ଧୁତୀରେ ପ୍ରବେଶ ହୋଇଲେ ରଘୁସାଇଁ

 

ସୀତା ଦେଇ ଚରଣେ ଶରଣ ପଶ ଯଇଁ l

 

ଶୁଣି କୋପ କଲା ଚାହିଁ ବିଶ୍ରବାସନ୍ତତି

 

ତୋହର ମରଣଙ୍କୁ ହୋଇଲା ବଡ ଭୀତି l

 

ଯାଅ ତୁ ପଳାଇ ରାମ ଶରଣ ତୁ ପଶ

 

ଥିଲେ ତୋତେ କରିବଇଁ ନିଶ୍ଚେ ପ୍ରାଣନାଶ l

 

ଶୁଣି ବିଭୀଷଣ ମନେ ମହାଭୟ କଲା

 

ଆକାଶ ମାର୍ଗରେ ବୀର ଚଳାଇଣ ଗଲା

l ୨୫ l

 

 

ସିନ୍ଧୁତୀରେ ବିଜେ କରିଛନ୍ତି ରଘୁରାଣ

 

ଏମନ୍ତ ସମୟ ଆସି ହୋଏ ବିଭୀଷଣ l

 

ଦୁରୁ ହୁଁ ଦେଖିଲା ବୀର ରାଜୀବ ଲୋଚନ

 

ପାଏ ପଡି ଶୋଇଲା ସେ ବିଶ୍ରବାନନ୍ଦନ l

 

ଦେଖି ରାମଚନ୍ଦ୍ର ଉଠ ଉଠ ଆଜ୍ଞା ଦେଇ

 

କାହୁଁ ଆସିଅଛି ହନୁ ପଚାର ତୁ ଯାଇଁ l

 

ଆଜ୍ଞା ପାଇ ହନୁମନ୍ତ ତାର ପାଶ ଗଲା

 

କାହୁଁ ଆସିଅଚ୍ଛ ବୀର କହିବା ବୋଇଲା l

 

ହନୁମନ୍ତ ବଚନେ କହଇ ବିଭୀଷଣ

 

ଲଙ୍କାରୁ ଅଇଲି ମୁହିଁ ବିଶ୍ରବାନନ୍ଦନ

l ୩୦ l

 

 

ଚାର ଯାଇ ରାବଣ କୁ ବାରତା କହିଲା

 

ରାମଚନ୍ଦ୍ର ଆସି ସିନ୍ଧୁକୂଳରେ ହୋଇଲା l

 

ତାହାର ବଚନେ ମୁଁ କହିଲି କଥାମାନ

 

ଶୁଣି କୋପ କଲା ମୋତେ ବୀର ଦଶାନନ l

 

ତାହାର ବଚନେ ମୁହିଁ ଅଇଲି ଚଳାଇ l

 

ଶ୍ରୀରାମଚରଣ ବିନୁ ଆନ ଆଶ୍ରେ ନାହିଁ

 

ଶରଣ ରଖିବା ମୋତେ ପ୍ରଭୁ ଭାବଗ୍ରାହୀ l

 

ଶୁଣିକରି ହନୁମନ୍ତ ଚଳାଇ ଅଇଲା

 

ଶ୍ରୀରାମ ଛାମୁରେ ସବୁ ବାରତା କହିଲା

l ୩୫ l

 

 

ଶୁଣି ରାମଚନ୍ଦ୍ର ଯେ ହୋଇଲେ ହସ ହସ

 

କତିକି ଡାକିଲେ ଆଶା ବିଶ୍ରବାର ଶିଷ୍ୟ l

 

ଆଜ୍ଞା ପାଇ ବିଭୀଷଣ ପାଦରେ ପଡିଲା

 

ଉଠି କରି ଯୋଡି ଯଇଁ ଛାମୁରେ ହୋଇଲା l

 

ଦେଖି ତାକୁ ସୁଦୟା କରନ୍ତି ରଘୁ ସାଇଁ

 

ଲଙ୍କାପୁରେ ରାଜା ତୋତେ କରିବଇ ମୁହିଁ l

 

ଏତେ କହି ଶିରେ ତାର ପାଟକେ ବାନ୍ଧିଲେ

 

ଆଜିଠାରୁ ଲଙ୍କାପତି ହୋଇଲୁ ବୋଇଲେ l

 

କହେ ରାଜା ଗୋବିନ୍ଦ ଧନ୍ୟ ସେ ବିଭୀଷଣ

 

ଶୁଭଯୋଗେ ଭେଟିଲୁ ତୁ ରଘୁ କୁଳରାଣ

l ୪୦l

 

 

ଅକ୍ଷୟ ପଙ୍କଟେ ଆସି ପଶିଲୁ ଶରଣ

 

ଯୁଗେ ଯୁଗେ କାଏ ତୁରେ ରଖିଲୁ ପ୍ରମାଣ l

 

ଏଥୁ ଅନନ୍ତରେ ତହି ଏମନ୍ତ ହୋଇଲା

 

ଋଷି କପି ଘେନି ହନୁମନ୍ତ ତହିଁ ଗଲା l

 

ଅନେକ ପର୍ବତ ବୀର ଆଣିଲା ବୁହାଇ

 

ନଳକୁ ଛୁଆଇଁ ଜଳେ ପକାଇଲେ ନେଇ l

 

ଶ୍ରୀରାମ ଆଜ୍ଞାରେ ସିନ୍ଧୁଜଳ ପୋତାଗଲା

 

ସେ କୂଳରେ ସୁବଲୟା ପର୍ବତ ଲାଗିଲା l

 

ଦେଖିଚିତ୍ତ ସନ୍ତୋଷ କରନ୍ତି ସୀତା ପତି

 

ଶୁଭଯୋଗେ ସୁବଲୟା ପର୍ବତେ ମିଳନ୍ତି l

 

ଋଷି କପି ବାନରେ ସମସ୍ତେ ମେଳ ହୋଇ

 

ଅଙ୍ଗଦକୁ ଚାହିଁ ରାମଚନ୍ଦ୍ର ଆଜ୍ଞା ଦେଇ

l ୫l

 

 

ବେଗ ହୋଇ ଯିବ ତୁମ୍ଭେ ଲଙ୍କା ଭୁବନକୁ

 

ଆମ୍ଭର ଅଇଲା କଥା କହ ରାବଣକୁ l

 

ଆଜ୍ଞା ପାଇ ଅଙ୍ଗଦ ଗୋ ଲଙ୍କାପୁର ଗଲା

 

ରାବଣ ନିକଟେ ଯଇଁ ପ୍ରବେଶ ହୋଇଲା l

 

ବସିଅଛି ଲଙ୍କାପତି ଆସ୍ଥାନ ଉପର

 

ରାବଣକୁ କହଇ ଅଙ୍ଗଦ ମହାବୀର l

 

ଅଯୋଧ୍ୟାର ଠାକୁର ଶ୍ରୀ ରାମଚନ୍ଦ୍ର ରାଏ

 

ସୁବଲୟା ପର୍ବତେ ପ୍ରବେଶ ଆସି ହୋଏ l

 

ସୀତା ଦେଇ ଶରଣ ପଶିବୁ ପଦ୍ମ ପାଦେ

 

ଲଙ୍କାର ଭୋଗ ତୁ କରିବୁ ଅପ୍ରମାଦେ

l ୧୦l

 

 

ନୋହିଲେ ତୋହୋର ଦଶ ଶିର ରାମ କାଟି

 

ରକ୍ଷାକରି ନ କରିପାରିବେ ତୋତେ ପରମେଷ୍ଠୀ l

 

ଶୁଣି କୋପ କରଇ ଲଙ୍କାର ଅଧିପତି

 

କିସ କିସ କହଇ ବାନର ଅଧୋଗତି l

 

ବେଳକେ ବାନରେ ଆସି ନାନା କୃତ୍ୟ କଲା

 

ଅକ୍ଷୟ ତୁମର ମାରି ଲଙ୍କା ପୋଡି ଦେଲା l

 

ଏବେ ଆସି କହଇ ରାମର ଆଜ୍ଞା ମୋତେ

 

ସୀତା ଦେଇ ଶରଣ ପଶିବୁ ତୁ ହୃଦ୍‍ଗତେ l

 

ତ୍ରିଭୁବନ ବିଜୟୀ ରାବଣ ନାମ ମୋର

 

ନିର୍ଭୟ ହୋଇଣ ଆସି କହଇ ବାନର

l ୧୫ l

 

 

ଯାଆ ତୁ ବାରେକ କହ ଶ୍ରୀରାମର ପାଶ

 

କାଲି ପ୍ରଭାତରେ ରଣେ କରିବି ବିନାଶ l

 

ଶୁଣି ବୀର ଅଙ୍ଗଦ ଗୋ ମହାକୋପ କଲା

 

ଆଜ୍ଞା ଥିଲେ ଶିର ମୋଡି ନିଅନ୍ତି ବୋଇଲା

 

ଯହୁଁ ରାମ ଆଜ୍ଞା ଦେଇଛନ୍ତି କୋପ ମୂର୍ତ୍ତ

 

ଶରଘାତେ ମାରିବଇଁ ଲଙ୍କାର ନୃପତି l

 

ଏ ଘେନି ଗୁଣ୍ଡାଳ ତୋତେ ରଖିଲଇଁ ଆଜି

 

ନିଶ୍ଚୟ ମାରିବୁ ତୁ ହୋ ବିଶ୍ରବାତନୁଜ l

 

ଧର୍ମକୁ ପେଷିଲେ ମୋତେ ସୀତୟାର ପତି

 

ଧର୍ମକୁ ଛାଡିଲୁ ତୁ ହୋ ବିଶ୍ରବାସନ୍ତିତି

l ୨୦ l

 

 

ଏତେ କହି ଅଙ୍ଗଦ ଯେବଣ କୃତ୍ୟ କଲା

 

ଜଗତୀର ଚାଲ ଘେନି ଅକାଶେ ଉଡ଼ିଲା l

 

ଶ୍ରୀ ରାମ ଛାମୁରେ ଯଇଁ ହୋଇଲା ପ୍ରବେଶ

 

ଚାଲ ଥୋଇ ଚରଣେ ପଡଇ ବାଳି ଶିଷ୍ୟ l

 

ଉଠି ଉଭା ହୋଇ ଶିରେ କର ଦେଇ କହି

 

ସମସ୍ତ ଚରିତ ଦେବ କହିଲାଇଁ ମୁହିଁ l

 

ସୀତା ଦେଇ ଚରଣେ ତୁ ଶରଣ ପଶିବୁ

 

ନୋହିଲେ ରାବଣ ବାଣେ ବିନାଶ ହୋଇବୁ l

 

ଶୁଣି କୋପ କଲା ସେ ଲଙ୍କାର ଅଧିପତି

 

ସବଧାନେ ଶୁଣ ଦେବା ସୀତାୟାର ପତି

l ୨୫ l

 

 

ଏଥୁ ଅନନ୍ତରେଶୁଣ ବୀର ଦଶାନନ

 

ଲଙ୍କାପୁର ଚାରିଦ୍ଵାରେ ରଖି ସୈନ୍ୟମାନ l

 

ନାନା କୂଟ ଛନ୍ଦମାନ କରନ୍ତି ବିଚାର

 

ଶସ୍ତ୍ରମାନ ଘେନିଣ ରହିଲେ ସିଂହଦ୍ଵାର l

 

ଏଥୁ ଅନନ୍ତରେ ରାମ ରାଜୀବଲୋଚଣ

 

ସୁଗ୍ରୀବକୁ ଡାକି ଗୋ କହନ୍ତି ରଘୁନାନ l

 

ଅଙ୍ଗଦ କୁମାର ଯେତେ କଥା କହିଥିଲା

 

ସୁଗ୍ରୀବକୁ ରାମଚନ୍ଦ୍ର ସମସ୍ତ କହିଲା l

 

ଶୁଣିଣ କହଇ ବାନରଙ୍କ ଅଧିପତି

 

ଆଜ୍ଞା ଦିଅ ରାକ୍ଷସଙ୍କୁ ମାରିବୁ ବିକୋତି

l ୩୦ l

 

 

ଏହିକ୍ଷଣି ଦେବ ଲଙ୍କା ଭୁବନକୁ ଯିବା

 

ସଂଗ୍ରାମ କରିଣ ଦୈତ୍ୟବଳ ବିନାଶିବା l

 

ସୁଗ୍ରୀବ ବଚନେ ଉଠିଲେ ସେ ଭାଇ ବେନି

 

ବୀର ମହାବୀର ଘେନି ଚଳନ୍ତି ସଇନି l

 

ଚାରିଦ୍ଵାର ବେଢ଼ିଣ ରହିଲେ ଋକ୍ଷ ହରି

 

ରାବଣକୁ ଚାର ଯାଇ କହେ ଆଗସରି l

 

ଭୋ ଦେବ ଅସୁରପତି ହୁଅ ସାବଧାନ

 

ଲଙ୍କା ଚାରିଦ୍ଵାର ରହିଛନ୍ତି ରାମ ସୈନ୍ୟ l

 

ପାଚେରି ଡେଇଁଣ ସେ ଯେ କରନ୍ତି ବିଚାର

 

ଲଙ୍କାପୁର ତୋହର କରିବେ ନାରଖାର

l ୩୫ l

 

 

ଦୂତଙ୍କ ବଚନେ ଗୋ କହଇ ଲଙ୍କପତି

 

ଶୁଣ ତୁମ୍ଭେ ଶୂକ ଯେ ସାରଣ ବେନି ମନ୍ତ୍ରୀ l

 

କେତେ ବଳ ସୈନ୍ୟ ଅଛି ରାମ ସଙ୍ଗତରେ

 

ପୁଷ୍ପକ ବିମାନେ ବସି ଦେଖିବା ତାହରେ l

 

ଆଜ୍ଞା ପାଇ ବେନି ମନ୍ତ୍ରୀ ବିମାନ ଆଣିଲେ

 

ବିମାନରେ ଦଶମାଥ ଯାଇଣ ବସିଲେ l

 

ଲକ୍ଷେକ ରାମର ଲକ୍ଷେ ଛତ୍ର ଧରା ହୋଇ

 

ଆକାଶ ମାର୍ଗରେ ତାର ବିମାନ ଉଡଇ l

 

ଅନ୍ତରାକ୍ଷୀମାର୍ଗେ ଯାଇଁ ବିମାନ ରହିଲା

 

ବିମାନରେ ଥାଇ ଦଶାନନ ଦୃଷ୍ଟି ଦେଲା

l ୪୦l

 

 

ଦେଖିଲା ପୃଥିବୀ ଛାଇହୋଇ ରହିଛି ବାନର

 

ମହାଭୟ ଚିତ୍ତରେ ସେ କଲା ଦଶଶିର l

 

ଏଥୁ ଅନନ୍ତରେ ରାମ କହନ୍ତି ବଚନ

 

କି ନିମନ୍ତେ ଅନ୍ଧକାର ଦିଶଇ ଗଗନ l

 

ଶୁଣିଣ କହଇ କର ଯୋଡି ବିଭୀଷଣ

 

ସବଧାନେ ଶୁଣ ଦେବ ରଘୁକୁଳରାଣ l

 

ଲଙ୍କପତି ଦେଖୁଅଛି ଆକାଶରେ ରହି

 

ଛତ୍ରରେ ଗହଳେ ଦେବ ଅନ୍ଧକାର ମୟୀ l

 

ବିଭୀଷଣ ତହୁଁ ରାମ ଏମନ୍ତ ଶୁଣିଲେ

 

ତୀକ୍ଷ ଶର ରାମଚନ୍ଦ୍ର ହସ୍ତରେ ଘେନିଲେ

l ୪୫ l

 

 

ଗୁଣରେ ବସାଇ ରାମଚନ୍ଦ୍ର ଆଜ୍ଞା ଦେଇ

 

ଛତ୍ର ଛେଦ ଶର ତୁ ପବନୁ ବେଗେ ଯାଇଁ l

 

ଧନୁ ଟାଣି ରାମଚନ୍ଦ୍ର ନାଗଚ ପେଷିଲେ

 

ପବନ ହୁଁ ବେଗେ ଯାଇ ଛତ୍ରକୁ ଛେଦିଲେ l

 

ଛତ୍ର ଛେଦି ବାଣ ଆସି ତୂଣରେ ପଶିଲା

 

ଏଥୁ ଅନନ୍ତରେ ଦଶାନନ ପଚାରିଲା l

 

କି ନିମନ୍ତେ ଛତ୍ର ମୋର ହୋଇଲାକ ନାଶ

 

କହି ବେନି ମନ୍ତ୍ରୀ ବେଗେ ମୋହରି ଯେ ପାଶ l

 

ଶୁଣି ବେନି ମନ୍ତ୍ରୀ ଯେ କହନ୍ତି କର ଯୋଡି

 

ଶ୍ରୀରାମ ନାରଚେ ତୋର ସବୁ ଛତ୍ର ଛିଡି

l ୫୦ l

 

 

ଶୁଣି ଲଙ୍କାପତି ଚିତ୍ତେ ମହାଭୟ କଲା

 

ବାହୁଡି ମଣ୍ଡିରେ ଯାଇଁ ପ୍ରବେଶ ହୋଇଲା l

 

ଏଥୁ ଅନନ୍ତରେ ରାମଚନ୍ଦ୍ର ଆଜ୍ଞା ଦେଇ

 

ଲଙ୍କାପୁରେ ବାନରେ ପଶ ତ ବେଗେ ଡେଇଁ l

 

ଆଜ୍ଞା ପାଇ ଧାଇଁଲେ ପଚିଶି ଯଥପତି

 

ସୈନ୍ୟ ବଳ ଘେନି ଗଡେ ଡେଇଁଣ ପଶନ୍ତି

 

ଅସୁର ସଙ୍ଗତେ ମହାରଣ ଗୋଳ କଲେ

 

ଶାଳ ଶିଳ ଘେନି ଦୈତ୍ୟଦଳ ବିନାଶିଲେ l

 

ଜଗତୀ ଅଟାଳି କାଚ ପୁର ନାଶ କରି

 

ହସ୍ତୀ ଘୋଡା ଅସୁରଙ୍କୁ ଋଣଗୋଳ ମାରି

l ୫୫l

 

 

ମହାତେଜ ମୂର୍ତ୍ତ ହୋଇ ବାନର ସୈନ୍ୟ

 

ମାରନ୍ତି ଦଇତଙ୍କୁ ତାହାଙ୍କ ଶସ୍ତ୍ର ଘେନି l

 

କଙ୍କ ଥଙ୍କ ଆଲୋସି ସାଲୋପୀ ମହାବୀର

 

ଜୁଳୁପାକ୍ଷ କାକାକ୍ଷ ଆବର ମହୋଦର l

 

କାଳଘଣ୍ଟ ଯମଘଣ୍ଟ ମହୀ ସେ ରାବଣ

 

କୁମ୍ଭ ଯେ ନିକୁମ୍ଭ ଦେବ ଦୈତ୍ୟ ମିତ୍ରଘନ l

 

ସିଂହ ଯେ ତୁରଙ୍ଗ ଆଦି ଯେତେ ଦୈତ୍ୟ ଥିଲେ

 

ଯୂଥପତିମାନେ ରଣଗୋଳ ନାଶଗଲେ l

 

ସିଂହଦ୍ୱାରେ ରାମର ସଙ୍ଗତେ ଯୁଦ୍ଧ କରି

 

ରାମ ବାଣେ ସମସ୍ତେ ଗୋ ହୋଇଲେ ସଂହାର

l ୬୦ l

 

 

ଋଷି କପି ସଂଗ୍ରାମେ ହୋଇଲେ କିଛି ହତ

 

ସନ୍ଧ୍ୟା ହୋନ୍ତେ ସୁବଲୟା ଗଲେ ସୀତାକାନ୍ତ l

 

ଏଥୁ ଅନନ୍ତରେ ଲଙ୍କାପୁରେ ଦଶଶିର

 

ମୃତ୍ୟୁମାନ ଶୁଣିଲା ଗୋ ବୀରମାନଙ୍କର l

 

ମହାଶୋକ କରଇ ସେ ମନ୍ଦୋଦାରୀ ପତି

 

ନାଶ କଲେ ବେନି ଯତି ମୋହର ସନ୍ତତି l

 

ପୁତ୍ର ନାତି ମହାରଥୀ ରାମନାଶ କଲା

 

ନାରାଜ ଘାତରେ ମୋର ବଂଶ କ୍ଷୟ କଲା l

 

କେମନ୍ତେ ସଂଗ୍ରାମେ ବେନି ଯତି ଯିବେ ନାଶ

 

ଲଙ୍କାପୁରେ ଲଗାଇଲା କାଳଦଣ୍ଡ ଫାଶ

l ୬୫l

 

 

ବଂଶ ନାଶ କରିବାକୁ ହୋଇଅଛି ଆସି

 

କାଲି ପ୍ରଭାତରେ ତାକୁ ପକାଇବି ନାଶି

 

ଏତେ କହି ରାବଣ ଯେ ମହା କୋପ କଲା

 

ସଂଗ୍ରାମକୁ ଯିବ ବୋଲି ବାହାର ହୋଇଲା l

 

ସମୁଦ୍ର ଉଲ୍ଲୋଳ ପ୍ରାୟ ଚଳନ୍ତି ସଇନି

 

ଥରହର କମ୍ପଇ ଗୋ ଆକାଶ ମେଦିନୀ l

 

ସୁବଲୟା ନିକଟରେ ହୋଇଲା ପ୍ରବେଶ

 

ସଂଗ୍ରାମରେ ଋକ୍ଷକପି କରୁଅଛ ନାଶ l

 

ଦେଖି ରାମଚନ୍ଦ୍ର ଯୂଥପତିମାନ ଘେନି

 

ସଂଗ୍ରାମରେ ପଶିଲେ ଗୋ ଆସି ଭାଇ ବେନି

l ୭୦l

 

Unknown

 

ମହାଗୋଳ ଯୁଦ୍ଧ ତହିଁ ହୋଇଲା ଅପାର

 

ଦୈତ୍ୟ ଋଷି କପି ତହିଁ ହୋଇଲେ ସଂହାର l

 

ଲକ୍ଷ ଲକ୍ଷ କୋଟି କୋଟି କୋଟି ଦୈତ୍ୟ ନାଶ ଯାଇ

 

ଶ୍ରୀରାମ ଲକ୍ଷ୍ମଣ ବାଣେ ହେଉଅଛି ଦହି l

 

ଦେଖି କୋପ କରଇ ସେ ଦଶାନନ ବୀର

 

ଶକତି ମାଇଲା ନେଇ ଲକ୍ଷ୍ମଣ ଉପର l

 

ଜୟ କଲି ବୋଲି ବୀର ବାହୁଡିଣ ଗଲା

 

ଲଙ୍କା ଭୁବନରେ ଯାଇଁ ପ୍ରବେଶ ହୋଇଲା l

 

ଏଥୁ ଅନନ୍ତରେ ତହିଁ ରାମଚନ୍ଦ୍ର ଭାଳି

 

ଜାମ୍ବବାନ ବଚନରେ ହନୁମାନ ଚଳି

l ୭୫ l

 

 

ମଉଷିଧି ଆଣିଲା ସେ ପବନର ସୁତ

 

ଲକ୍ଷ୍ମଣର ହୃଦୟରେ ଦିଅଇ ତୁରିତ l

 

ଶକ୍ତିଭେଦ ଭଲକଲେ ଜାମ୍ବବାନ ମନ୍ତ୍ରୀ

 

ଶ୍ରୀରାମ ଦେଖିଣ ଚିତ୍ତେ ତୃପତ ହୁଅନ୍ତି l

 

ବିଭୀଷଣ ମୁହଁ ଚାହିଁ ରାମ ଆଜ୍ଞା ଦେଲେ

 

ଶକ୍ତି ମାରି ଲଙ୍କପତି ବାହୁଡିଣ ଗଲେ l

 

କି ନିମନ୍ତେ ଆମ୍ଭେ ଆଉ ଏଠାରେ ରହିବା

 

ଲଙ୍କା ପୁରେ ଯାଇ ଆମ୍ଭେ ସଂଗ୍ରାମ କରିବା l

 

ଶୁଣି ସନମତ କଲା ବୀର ବିଭୀଷଣ

 

ଲଙ୍କାକୁ ଯେ ବିକେ କଲେ ରାମ ଯେ ଲକ୍ଷ୍ମଣ

l ୮୦ l

 

 

ଋଷି କପି ଦୈତଙ୍କ ଭେଟଗଲା ହୋଇ

 

ସଂଗ୍ରାମ କରନ୍ତି କେହି ଘୁଞ୍ଚିବାକୁ ନାହିଁ l

 

ଲଙ୍କାପୁର ଦଇତେ ହୋଇଲେ ହତପ୍ରାଣ

 

ଋଷିକପି ବାନରେ କରନ୍ତି ମହାରଣ l

 

ଜାମ୍ବବାନ ହନୁମାନ କେଶରୀ ପବନ

 

ଋଷିକପି ଘେନିଣ କରନ୍ତି ମହାରଣ l

 

ଦଧିମୁଖ ଗବୟ ଗବାକ୍ଷ କାଳାଞ୍ଚନ

 

ସୁଗ୍ରୀବର ନଳ ନୀଳ କେଶରୀ ପବନ l

 

ସଂଗ୍ରାମେ କରନ୍ତି ହତ ଦଇତ ଯେ ବଳ

 

କୋଟି କୋଟି ସଂଗ୍ରାମେ ପଡନ୍ତି ଦୈତ୍ୟବଳ

l ୮୫ l

 

 

ଶ୍ରୀରାମ ଲକ୍ଷ୍ମଣ ବାଣେ ଦୈତ୍ୟ ଗଲେ ନାଶ

 

କୋଟି କୋଟି ଯେ ଚଳନ୍ତି ଯମରାଜା ପାଶ l

 

ରକତ ବହଇ ନଦୀଧାର ପ୍ରାୟ ହୋଇ

 

ଗୃଧ୍ର କାକ ଶୃକାଳ ଭକ୍ଷନ୍ତି ସୁଖ ପାଇ l

 

ମହାଗୋଳ ସଂଗ୍ରାମ କରନ୍ତି ସନ୍ଧ୍ୟା (?) ହୋଇ

 

ସୁବଳୟା ପର୍ବତେ ବିଜୟ ରଘୁସାଇଁ l

 

ନିତ୍ୟକର୍ମ ସାରି ଦେବ ଫଳମୂଳ ଭକ୍ଷି

 

ରଜନୀ ବଞ୍ଚିଲେ ତହିଁ ରଘୁ କୁଳବସି l

 

ଏଥୁ ଅନନ୍ତରେ କଥା ଶୁଣ ମନ ଦେଇ

 

ରାବଣ କୁ କହିଲା ବାରତା ଚାର ଯାଇ

l ୯୦ l

 

 

ଶ୍ରୀରାମ ନାରଚେ ତୋର ସୈନ୍ୟ ନାଶ ଗଲେ

 

ରଥ ଅଶ୍ଵ ହାତୀ ଦେବ ସଂହାର ହୋଇଲେ l

 

ଶୁଣି ଲଙ୍କପତି ମହା ବିସ୍ମୟ ହୋଇଲା

 

ଇନ୍ଦ୍ରଜିତ ମୁଖ ଚାହିଁ ବଚନ ବୋଇଲା l

 

ବେନି ଯତି ସଂଗ୍ରାମରେ କଲେ ସର୍ବନାଶ

 

କୁମ୍ଭ କର୍ଣ୍ଣ ଭାଇକି ନିଦ୍ରାରୁ ଘେନି ଆସ

 

ଆଜ୍ଞା ପାଇ ଗଲେ କୁମ୍ଭକର୍ଣ୍ଣକୁ ତୋଳିଲେ

 

ରାବଣ ଛାମୁରେ କୁମ୍ଭକର୍ଣ୍ଣ ଯେ ମିଳିଲେ l

 

ସକଳ ବୃତ୍ତାନ୍ତ ତାକୁ କହେ ଲଙ୍କପତି

 

ଶୁଣି କୋପେ ଧାଇଁଲା ସେ ବିଶ୍ରବାର ନାତି

l ୯୫ l

 

 

ସିଂହନାଦ ଦେଇ ବୀର ସଂଗ୍ରାମେ ପଶିଲା

 

ଋଷି କପି ବାନର ଅନେକ ନାଶ କଲା l

 

ସୁଗ୍ରୀବର ଆଗେ ବୀର ସଂଗ୍ରାମ କରଇ

 

ବଳେ ତାକୁ ଧଇଲା ସେ କୁମ୍ଭକର୍ଣ୍ଣ ଯାଇ l

 

ଦେଖି ରାମଚନ୍ଦ୍ର ତାକୁ ନାରାଚ ପେଷିଲେ

 

ବେନି ବହୁ ତାହାର ଗୋ ଛେଦିପକାଇଲେ l

 

ସୁଗ୍ରୀବକୁ ଛାଡି ବୀର ସଂଗ୍ରାମେ ଧାଇଁଲା

 

ଋକ୍ଷପତି ବାନର ଗୋ ଅନେକ ମାଇଲା l

 

ମହାକୋପ କରି ରାମଚନ୍ଦ୍ର ଶର ପେଷି

 

ଶିର ତୋର ଛେଦୀ ପକାଇଲେ ଋଷିକେଶୀ

l ୧୦୦l

 

 

ଏଥୁ ଅନନ୍ତରେ କଥା ଶୁଣ ମନଦେଇ

 

ଦୁଇବେଳ ଇନ୍ଦ୍ରଜିତ ଯୁଦ୍ଧ କରିଯାଇ l

 

ମାୟା ସୀତା ମାଇଲା ବାନ୍ଧିଲା ନାଗଫାଶ

 

ବନିତାର ସୁତ ଆସି କଲା ସବୁନାଶ l

 

ଲକ୍ଷ୍ମଣ ସଙ୍ଗତେ ଇନ୍ଦ୍ରଜିତ ଯୁଦ୍ଧ କଲା

 

ଶରଘାତେ ଶିର ତାର ଲକ୍ଷ୍ମଣ ଛେଦିଲା l

 

ଏଥୁ ଅନନ୍ତରେ ଚାର କହିଲା ବାରତ

 

ଶୁଣ ଦେବ ସାବଧାନେ ମନ୍ଦୋଦରୀକାନ୍ତ l

 

ସଂଗ୍ରାମରେ ଇନ୍ଦ୍ରଜିତ କୁମର ପଡ଼ିଲା

 

ଲକ୍ଷ୍ମରର ଶରଘାତେ ଜୀବନ ଛାଡ଼ିଲା

। ୧୦୫ ।

 

 

ଶୁଣି ଲଙ୍କପତି ଶୋକ କରଇ ବହୁତ

 

କାହୁଁ ଆସି ଯତି ମୋତେ କରୁଅଛ ହତ l

 

ଇନ୍ଦ୍ରଜିତ ନାମ ଧରି ରୋଦନ କରଇ

 

ହାହା ପୁତ୍ର ବୋଲି ରାଜା ଭୂମିରେ ଶୁଅଇ l

 

ପୁତ୍ର ନାତି କୁମ୍ଭକର୍ଣ୍ଣ ଇନ୍ଦ୍ରଜିତ ମଲା

 

ମନୁଷ୍ୟ ବାନର ମୋତେ ଏତେ କୃତ୍ୟ କଲା l

 

ଭାଇ ବିଭୀଷଣ ଶତ୍ରୁ ପାଶରେ ରହିଲା

 

ରଥ ଗଜ ଅଶ୍ଵ ମୋର ସର୍ବନାଶ ଗଲା l

 

ଶୋକ ଛାଡି ଉଠିଲା ସେ ବୀର ଲଙ୍କପତି

 

ସଂଗ୍ରାମରେ ମାରିବଇଁ ମୁହିଁ ବେନି ଯତି

l ୧୧୦ l

 

 

ରାମ ଲକ୍ଷ୍ମଣଙ୍କୁ ଯେବେ କରିବଇଁ ନାଶ

 

ତେବେ ଆସି ଲଙ୍କାପାଉରେ ହୋଇବି ପ୍ରବେଶ l

 

ନୋହିଲେ ଶ୍ରୀ ରାମ ମୋତେ ନାରାଚେ ମାରିବ

 

ସୀତା ଘେନି ଅଯୋଧ୍ୟାପୁରକୁ ସେହୁ ଯିବ l

 

ଏମନ୍ତ ବଚନ ତହିଁ ଦଶାନନ କହି

 

ସୈନ୍ୟ ସଜ କର ମନ୍ତ୍ରୀ ବୋଲି ଆଜ୍ଞା ଦେଇ l

 

ଆଜ୍ଞା ପାଇ ବେନି ମନ୍ତ୍ରୀ ସୈନ୍ୟ ସଜ କଲେ

 

ବସ୍ତ୍ର ଅଳଙ୍କାର ଶସ୍ତ୍ରମାନ ନେଇ ଦେଲେ l

 

ଏଥୁ ଅନନ୍ତରେ ଲଙ୍କପତି ସଜ ହୋଇ

 

ଦିବ୍ୟ ଅଳଙ୍କାର ଅଙ୍ଗେ ଭୂଷଣ କରଇ

l ୧୧୫ l

 

 

ଶୁଭ ଯୋଗ ଲଗ୍ନ ଘେନି ବାହାର ହୋଇଲା

 

କାଳମୃତ୍ୟୁ ଆସି ରାବଣକୁ ଆଶ୍ରେ କଲା l

 

କହେ ରାଜା ଗୋବିନ୍ଦ ତୁ ଶୁଣ ଲଙ୍କରାଏ

 

କାଳଶତ୍ରୁ ଆସି ଗ୍ରାସ କଲା ତୋର କାଏ l

 

ଜଗତଜନନୀଙ୍କୁ ତୁ ଆଣିଲୁ ଚୋରାଇ

 

ନିଶ୍ଚୟେ ମାରିବୁ ତୁ ହୋ ଶୁଣ ଲଙ୍କାସାଇଁ l

 

ଏଥୁ ଅନନ୍ତରେ ଯେ ଲଙ୍କାର ଆଦିଗତ

 

ସଂଗ୍ରାମ ନିମନ୍ତେ ପୁଷ୍ପ ବିମାନେ ବସନ୍ତି l

 

ଉତ୍ତର ଦୁଆର ବୀର ବାହାର ହୋଇଲା

 

ସୈନ୍ୟବଳ ଘେନି ଯାଇ ସଂଗ୍ରାମେ ମିଳିଲା

l ୧୨୦ l

 

 

ମହା ତେଜବନ୍ତ ହୋଇ ଦଇତେ ଧାଇଁଲେ

 

ଋକ୍ଷ କପି ବାନରେ ସଂଗ୍ରାମ ଆସି କଲେ l

 

ଯୂଥପତିମାନେ ଆସି ସଂଗ୍ରାମ କରନ୍ତି

 

ତରୁଶିଳ ଘେନି ଦୈତ୍ୟବଳକୁ ମାରନ୍ତି l

 

ବିଭୀଷଣ ସଂଗ୍ରାମ କରଇ ମହାଘୋର

 

ଶ୍ରୀରାମ ଲକ୍ଷ୍ମଣ ଆସି କରନ୍ତି ସମର l

 

ଋଷି କପି ଦୈତ୍ୟ ମାରନ୍ତି ଗୋଡାଇ

 

ନାରାଚ ଘାତରେ କପି ନ ପାରୀଲେ ରହି l

 

ଦେଖି ପୂଥପତିମାନେ ମହାକୋପ କଲେ

 

ଶାଳଶିଳ ଘେନି ଦୈତ୍ୟ ଉପରେ ମାଇଲେ

l ୧୨୫ l

 

 

ଶ୍ରୀରାମ ଲକ୍ଷ୍ମଣ ବାଣେ ସଂହାର ହୁଅନ୍ତି

 

ଲକ୍ଷ ଲକ୍ଷ କୋଟି କୋଟି ଦୈତ୍ୟ ମରନ୍ତି l

 

ଏମନ୍ତେ ପାଞ୍ଚ ଦିବସ ସଂଗ୍ରାମ ହୋଇଲା

 

ସସ୍ର ସସ୍ର ହୋଇ ତହିଁ କବନ୍ଧ ନାଚିଲା l

 

ବ୍ରହ୍ମା ଇନ୍ଦ୍ର ଦେବଗଣେ କରନ୍ତି ବିଚାର

 

ପାଦଗତି ହୋଇ ରାମ କରନ୍ତି ସମର l

 

ଦେବ ରଥ ମାତଳି ରାମଙ୍କୁ ଦେଇ ନେଇ

 

ରଥରେ ବସିଣ ଯୁଦ୍ଧ କରୁ ରଘୁସାଇଁ l

 

ଆଜ୍ଞା ପାଇଁ ମାତଳି ବିମାନ ଘେନିଗଲା

 

ଶ୍ରୀରାମ ଛାମୁରେ ଯାଇଁ ପ୍ରବେଶ ହୋଇଲା

l ୧୩୦ l

 

 

ଶିରେ କର ଦେଇଣ ମାତଳି କହେ ବାଣୀ

 

ସାବଧାନେ ଶୁଣ ତୁମ୍ଭେ ଦେବ ରଘୁମଣି l

 

ବ୍ରହ୍ମାଇନ୍ଦ୍ର ଦେବଗଣ ମୋତେ ପେଷିଦେଲେ

 

ଶ୍ରୀରାମ ଛାମୁରେ ରଥ ଦିଅ ତୁ ବୋଇଲେ l

 

ରଥେ ବସି ରାବଣକୁ ବେଗେ କର ନାଶ

 

ଶୁଣି ରାମଚନ୍ଦ୍ର ,ଗୋ ହୋଇଲେ ହସ ହସ l

 

ନନ୍ଦିଘୋଷ ରାଠେ ବିଜେ କଲେ ଦାଶରଥି

 

ଦେଖିଣ ରାବଣ ମନେ କଲା ମହାଭୀତ l

 

ବୋଇଲା ନିୟତେ ଏବେ ହୋଇଲା ମୋହର

 

ନିଶ୍ଚେ ରାମଚନ୍ଦ୍ର ଯେ ଅଟନ୍ତି ଚକ୍ରଧର

l ୧୩୫ l

 

 

ଏତେ କହି ରାବଣ ସଂଗ୍ରାମ ଘୋର କଲା

 

ନିଷାଣକେ ଲକ୍ଷେ ଲକ୍ଷେ ନାରାଚ ପେଷିଲା l

 

କୁହୁକ ପ୍ରାୟେକ ବାଣ ନିରନ୍ତରେ ପେଷି

 

ବିଭୀଷଣ ଲକ୍ଷ୍ମର ବାଣରେ ଶର ନାଶୀ l

 

ଯେତେବେଳେ ଅନେକ ସଂଗ୍ରାମ ଗୋଳକଲେ

 

ବ୍ରହ୍ମଶର ରଘୁନାଥ ହସ୍ତରେ ଘେନିଲେ l

 

ମନ୍ତ୍ର ପଢ଼ି ରାମ ବାଣ ଧନୁରେ ବସାଇ

 

ରାବଣକୁ ମୋର ବୋଲି ରାମ ଆଜ୍ଞା ଦେଇ l

 

ଧନୁ ଟାଣି ନାରାଚ ବିନ୍ଧିଲେ ରଘୁବୀର

 

ରାବଣ ହୃଦୟରେ ଗୋ ପଡିଲା ବ୍ରହ୍ମଶର

l ୧୪୦l

 

 

ବାହାର ହୋଇଣ ବାଣ ହୃଦୟରେ ଗଲା

 

ଶ୍ରୀରାମ ଉପରେ ଯାଇଁ ଆଶ୍ରମ ଯେ କଲା l

 

ଶ୍ରୀରାମ କୁ ଅନ୍ଧକାର ଦିଶିଲା ସମସ୍ତ

 

ଆପଣାର ନାମ ସେ ଧରନ୍ତି ସୀତା କାନ୍ତ l

 

ଅନ୍ଧକାର ଫିଟିଲା ଦିଶିଲା ଦଶ ଦିଶ

 

ଶ୍ରୀରାମଚନ୍ଦ୍ରଙ୍କ ମନ ହୋଇଲା ହରଷ l

 

ଏଥୁ ଅନନ୍ତରେ କଥା ଶୁଣ ମନ ଦେଇ

 

ରାମଚନ୍ଦ୍ର ନାରାଚେ ରାବଣ ପ୍ରାଣ ଯାଇଁ l

 

ଦେଖି ଋଷି କପି ମା ଆନନ୍ଦ ହୋଇଲେ

 

ରଥ ଘେନି ମାତାଳ ସ୍ଵର୍ଗକୁ ଚାଲିଗଲେ

l ୧୪୫ l

 

 

ଦେବସଭା ମଧ୍ୟରେ ସେ ମାତଳି ହୋଇଲା

 

ରାବଣ ସଂଗ୍ରାମ ହତ ବାରତା କହିଲା l

 

ଶୁଣି ବ୍ରହ୍ମା ଇନ୍ଦ୍ର ମନେ ସାନନ୍ଦ ହୋଇଲେ

 

ସ୍ଵର୍ଗପୁର ମଣ୍ଡିଣ ଉତ୍ସବ ସେହୁ କଲେ l

 

ଏଥୁ ଅନନ୍ତରେ କଥା ଶୁଣ ମନ ଦେଇ

 

ରାବଣ ପଡନ୍ତି ତହିଁ କେମନ୍ତେ ହୁଅଇ l

 

ସଂଗ୍ରାମ ତେଜିଲେ ଦୈତ୍ୟ ମହାଭୟ କଲେ

 

ଲଙ୍କା ଭୁବନରେ ଯାଇଁ ପ୍ରବେଶ ହୋଇଲେ l

 

ମନ୍ଦୋଦାରୀ ଶୁଣିଲା ରାବଣ ନାଶଗଲା

 

ଶୋକଭରେ ସୁନ୍ଦରୀ ଗୋ ବାହାର ହୋଇଲା

l ୧୫୦ l

 

 

ଯେଉଁ ଠାରେ ରାବଣ ପଡିଛି ରଣଭୂଇଁ

 

ସେଠାରେ ପ୍ରବେଶ ହେଲେ ରାଣୀଗଣ ଯାଇଁ l

 

ମହାମେରୁ ସମାନେ ପଡିଛି ଲଙ୍କପତି

 

କୋଳାଗ୍ରତ କରି ଯାଇଁ ଧଇଲେ ଯୁବତୀ l

 

ଶିରେ କର ତାଡି କେହୁ କରଇ ରୋଦନ

 

ଉଚ୍ଚେ କେହୁ ଡାକେ ସ୍ୱାମୀ ହୋଇଲୁ ନିଧନ l

 

ସ୍ତିରୀଙ୍କର ଆତଙ୍ଗ ଦେଖିଲେ ରଘୁପତି

 

ବିଭୀଷଣ ରାଇ ଆଜ୍ଞା ରାଣୀଗଣ ବୋଧକର

 

ଶୋକଭର ଛଡାଇ ରାବଣ ଦାହକର

l ୧୫୫ l

 

 

ଆଜ୍ଞା ପାଇ ବିଭୀଷଣ ଚଳାଇଣ ଗଲା

 

ମନ୍ଦୋଦରୀ ନିକଟରେ ପ୍ରବେଶ ହୋଇଲା l

 

ଶ୍ରୀରାମର ଆଜ୍ଞା ବୋଲି ବିଭୀଷଣ କହି

 

ଶୋକ ଛାଡି ଅନ୍ତଃପୁରେ ଯାଅ ମହାଦେଇ l

 

ବିଭୀଷଣ ବଚନେ କହଇ ମନ୍ଦୋଦାରୀ

 

ସ୍ଵାମୀ କାର୍ଯ୍ୟ କରିବି ହୋ ଶୁଣ ଦଣ୍ଡଧାରୀ l

 

ରାବଣ ପ୍ରାଏକ ସ୍ଵାମୀ ସଂଗ୍ରାମେ ପଡିଲା

 

କି ନିମନ୍ତେ * ଶ୍ଵରୀ ମୋର ରଖିବ ବୋଇଲା ?

 

ମନ୍ଦୋଦାରୀ ବଚନେ ସେ ବିଭୀଷଣ କହି

 

ଏ କଥା ତୁମ୍ଭର ଗୋ ଉଚିତ କିଛି ନୋହି

l ୧୬୦ l

 

 

ଲଙ୍କା ଭୁବନରେ ତୁମ୍ଭେ ଅଟ ଠାକୁରାଣୀ

 

ଅନ୍ତଃପୁରେ ଯାଅ ତୁମ୍ଭେ ସକଳ ତରୁଣୀ l

 

ଶୁଣି ମନ୍ଦୋଦାରୀ ଚିତ୍ତେ ସାନନ୍ଦ ହୋଇଲା

 

ଲଙ୍କା ଭୁବନକୁ ସର୍ବ ନାରୀ ଘେନି ଗଲା

 

ଏଥୁ ଅନନ୍ତରେ ରାମଚନ୍ଦ୍ର ଆଜ୍ଞା ଦେଲେ

 

ଯୂଥପତି ମୁଖ ଚାହିଁ ଏମନ୍ତ ବୋଇଲେ l

 

ଲଙ୍କପତି ପଡିଛି ସଂଗ୍ରାମ ଭୂମିରେ

 

ଦହନ କରଇ ତାକୁ ଆସ ସର୍ବବାରେ l

 

ଆଜ୍ଞା ପାଇ ବିଭୀଷଣ ଯୂଥପତି ଗଲେ

 

ରାବଣକୁ ଘେନିଯାଇ ଦହନ ସେ କଲେ

l ୧୬୫ l

 

 

ଦାହ ସାରି ସର୍ବ ବୀରେ ପ୍ରବେଶ ହୁଅନ୍ତି

 

ବିଭୀଷଣ ମୁଖ ଚାହିଁ ରାମ ଆଜ୍ଞା ଦିଅନ୍ତି l

 

ଲକ୍ଷ୍ମଣ ଅଙ୍ଗଦ ନଳ ନୀଳ ଘେନି ଯାଅ

 

ଅଭିଷେକ ଲଙ୍କାପୁରେ ତୁମ୍ଭେ ଯାଇଁ ହୁଅ l

 

ଆଜ୍ଞା ପାଇଁ ବୀର ବିଭୀଷଣ ଚାଲିଗଲେ

 

ଅଭିଷେକ ବିଧିମାନ ଘେନାଇ ଅଇଲେ l

 

ବିଭୀଷଣ ବସିଲା ସେ ରାଜ ଆସନରେ

 

ମନ୍ଦୋଦାରୀ ରଣିକି ସେ ବସାଇ ପାଖର l

 

ବିଧିମତେ ଅଭିଷେକ କଲେ ବିପ୍ରମାନେ

 

ଲଙ୍କାର ନୃପତି ସେ ହୋଇଲେ ବିଭୀଷେଣେ

l ୧୭୦ l

 

 

ମନ୍ଦୋଦାରୀ ବିଭୀଷଣ ଉଠି ଉଭାହୋଇ

 

ଲକ୍ଷ୍ମଣର ପାଦରେ ସେ ଅନେକ ବିନୋଇ l

 

ଏଥୁ ଅନନ୍ତରେ ଯେ ଲକ୍ଷ୍ମଣ ବୀର ଗଲେ

 

ଶ୍ରୀରାମ ଛାମୁରେ ଯାଇଁ ପ୍ରବେଶ ହୋଇଲେ l

 

ବିଭୀଷଣ ଲଙ୍କାରେ ହୋଇଲେ ନୃପବର

 

ସାବଧାନେ ଶୁଣ ଦେବ ଅଯୋଧ୍ୟାଠାକୁର l

 

ବିଭୀଷଣ ଆସୁଅଛି ଦର୍ଶନର ପାଇଁ

 

କହନ୍ତେ ପ୍ରବେଶ ହେଲେ ବିଭୀଷଣ ଯାଇଁ l

 

ମନ୍ଦୋଦାରୀ ସହିତେ ଦର୍ଶନ ଯାଇଁ କଲେ

 

ନିଉଛାଳି କରି ବୀର ଚରଣେ ପଡିଲେ

l ୧୭୫ l

 

 

ଉଠ ଉଠ ବୋଲି ରାମ ଚନ୍ଦ୍ର ଆଜ୍ଞା ଦେଇ

 

ଉଠି ଶିରେ କର ଦେଲା ଲଙ୍କାପୁର ସାଇଁ

 

ବିଭୀଷଣ ମୁଖ ଚାହିଁ ରାମ ଆଜ୍ଞା ଦ୍ୟନ୍ତି

 

ହନୁମନ୍ତ ଘେନି ତୁମ୍ଭେ ଯାଅ ଲଙ୍କପତି l

 

ସୀତାୟାକୁ ମୋହର ନିକଟେ ଘେନି ଆସ

 

ଦେଖି କରି ଦୁଃଖ ମୋର ସବୁ ଯାଉ ନାଶ l

 

ଆଜ୍ଞା ପାଇ ବିଭୀଷଣ ବୀର ହନୁମାନ

 

ପ୍ରବେଶ ହୋଇଲେ ଯାଇଁ ଲଙ୍କାର ଭୁବନ l

 

ବିଭୀଷଣ କହେ ତୁମ୍ଭେ ଶୁଣ ମନ୍ଦୋଦାରୀ

 

ସୀତାଙ୍କ ଛାମୁକୁ ତୁମ୍ଭେ ଯାଅ ଖର କରି

l ୧୮୦ l

 

 

ଶ୍ରୀରାମଚନ୍ଦ୍ରଙ୍କୁ ସତୀ କରିବେ ଦର୍ଶନ

 

ବସ୍ତ୍ର ଅଳଙ୍କାର କାଏ କରନ୍ତି ଭୂଷଣ l

 

ବିଭୀଷଣ ବଚନେ ଶୁଣିଣ ମନ୍ଦୋଦାରୀ

 

ସିତାଙ୍କ ଛାମୁକୁ ତୁମ୍ଭେ ଯାଅ ସର୍ବ ନାରୀ l

 

(ସଙ୍ଗତରେ ଘେନିଲେ ଅନେକ ପରିବାରୀ )

 

ଉଷୁମ କାକର କେହୁ ଧରିଛନ୍ତି ଜଳ

 

କେହୁ ଧରିଛନ୍ତି ସେନ୍ଦ୍ର ମୁଣ୍ଡି (?) ପୁଷ୍ପମାଳ

 

ଆଲଟ ଚାମର କେହୂ ଧରନ୍ତି ବିଞ୍ଚଣି l

 

କେହୁ ଧରିଛନ୍ତି କ୍ରପୁରବାସ ପାଣି l

 

ସରୂ ଝୀନ କାଲି କେହୂ ଧରିଛନ୍ତି ମୋଡି

 

କୁଙ୍କୁମ ହଳଦୀ କେହୂ ଟଭାରସ ଗୋଳି

l ୧୮୫ l

 

 

ଏମନ୍ତ ପ୍ରକାରେ ମନ୍ଦୋଦାରୀ ଚାଲିଗଲେ

 

ସୀତୟା ଛାମୁରେ ଯାଇଁ ପ୍ରବେଶ ହୋଇଲେ l

 

କ୍ଷୀରସିନ୍ଧୁ ମନ୍ଥନରେ କମଳା ଉତ୍‍ପତ୍ତି

 

ଦିଶନ୍ତି ତେସନ ପ୍ରାଏ ସକଳ ଯୁବତୀ l

 

ମୁଖରାବ ଗୋଳ ଯେହ୍ନେ ସିନ୍ଧୁ ଉଛୁଳଇ

 

ତେସନ ପ୍ରାଏକ ଧୁନି ଶବଦ ଶୁଭଇ l

 

ଧୀର ଧୀର ହୋଇ ସୀତା ଗମନ କରନ୍ତି

 

ବାନରନ୍ତ ଦେଖି ଦୈତ୍ୟ ମାରି ଗୋଡାବନ୍ତି

l ୧୯୦ l

 

 

ଅସୁରଙ୍କ ତେଜ ଦେଖି ବାନରେ ପଳାଇ

 

ଶ୍ରୀରାମ ଆଶ୍ରକେ (ୟେ ) କପି ରହିଲେକ ଯାଇଁ l

 

ଗୋଲ ଦେଖି ପଚାରନ୍ତି ଶ୍ରୀରାମ ଗୋସାଇଁ

 

କିସ ଗୋଳ ହେଉଅଛ କପିଏ ପଳାଇ l

 

ଶୁଣି କରି କହନ୍ତି ଜମ୍ବବେ ମନ୍ତ୍ରିବର

 

ସୀତାୟା ଆସନ୍ତେ ମୁଖ ଧୁନି ଯେ ଅପାର l

 

ଆଗରେ ଦଇତବଳ ଆସୁଛନ୍ତି ଧାଇଁ

 

ମାର ମାର ସବଡ଼କୁ କପିଏ ପଳାଇ l

 

ମନ୍ତ୍ରୀର ବଚନେ ରାମଚନ୍ଦ୍ର ହସ ହସ

 

ମନରେ ବିଚାର ସେ କରନ୍ତି ହୃଷୀକେଶ l

 

ବାନରଙ୍କୁ ଦେଖା ଦୈତ୍ୟ କରୁଥିଲେ ଭଏ

 

ସୀତା ସଙ୍ଗେ ଥିବାରୁ ସେ ହୋଇଲେ ନିର୍ଭଏ

l ୧୯୫ l

 

 

ଜମ୍ବୁବାନ ବଚନେ କୁହନ୍ତି ରଘୁପତି

 

ହାନ୍ଦୋଳାରେ କି ନିମନ୍ତେ ବସେ ମହାସତୀ l

 

ଦୈତ୍ୟ କପି ଋଷି ମୋର ନାହିଁ ଭିନ୍ନାଭିନ୍ନ

 

ଋଷି କପି ଦଇତେ ଧରିବେ ଆନ ମନ

 

କେଶରୀକି ଚାହିଁ ରାମଚନ୍ଦ୍ର ଆଜ୍ଞା ଦେଲେ

 

ସୀତୟା ଠାବକୁ ତୁମେ ଯାଅ ଯା ବୋଇଲେ l

 

ହାନ୍ଦୋଳା ତେଜିଣ ସତୀ ଆସୁ ଚାଲି କରି

 

ଦେଖି ତୋଷ ହୁଅନ୍ତୁ ସେ ଦୈତ୍ୟ ଋକ୍ଷ ହରି l

 

ଆଜ୍ଞା ପାଇ କେଶରୀ ସେ ଗଲା ଧାତିକାରେ

 

ପ୍ରବେଶ ହୋଇଲା ଯାଇଁ ଶ୍ରୀରାମ ଛାମୁରେ

 

ଶ୍ରୀରାମର ଆଜ୍ଞା ବୋଲି କେଶରୀ କହିଲା

 

ହାନ୍ଦୋଳା ତେଜିଣ ସତୀ ଚାଲ ଗୋ ବୋଇଲା l

 

ଶ୍ରୀରାମ ଆଜ୍ଞା ବୋଲି ଶୁଣିଲେ କର୍ଣ୍ଣର

 

ହାନ୍ଦୋଳା ତେଜିଣ ସତୀ ହୋଇଲେ ବାହାର

 

ଦେଖି ଋକ୍ଷ ଦଇତେ ଶିରରେ କର ଦେଇ

 

ସାଧୁ ସାଧୁ ସୀତୟା ବୋଲିଣ ଧୀରେ କହି l

 

ଧୀର ଧୀର ହୋଇ ସୀତା ଚଳନ୍ତି ପୟରେ

 

ପ୍ରବେଶ ହୋଇଲେ ଯାଇଁ ଶ୍ରୀରାମ ଛାମୁରେ l

 

ଦେଖନ୍ତେ ରାମଙ୍କୁ ସୀତା ଚରଣରେ ପଡି

 

ଉଠି ଉଭା ହୋଇ ସୀତା ବେନିକର ଯୋଡି

l ୨୦୫ l

 

 

ଶ୍ରୀରାମ ସୀତାଙ୍କୁ ଦେଖି କୋଳ କରି ଧରି

 

ବେନିଜନଙ୍କର ଶୋକ କହିତେ ନ ପାରି l

 

ଶ୍ରୀରାମ ସୀତାଙ୍କୁ ଦେଖି ମହାଶୋକ କରି

 

ଦେଖି ଋଷି କପିମାନେ ହା ହା କାର କରି l

 

ଶୋକ ଛାଡି ବିଜଏ କରନ୍ତି ରଘୁପତି

 

ଆଗେ ଉଭା ହୋଇଛନ୍ତି ଜନକଦୁହିତା l

 

କହେ ରାଜା ଗୋବିନ୍ଦ ଶୁଣିମା ସୀତାପତି

 

ଦ୍ୱାଦଶ ମାସରେ ଆସି ଭେଟା ମହାସତୀ l

 

ବେନିଜନଙ୍କର ଭେଟ ହୋଇଲା ତୁମ୍ଭର

 

ଦୟାକର ଦୟାନିଧି ଶରଣ ତୁମ୍ଭର

l ୨୧୦ l

 

 

ଏଥୁ ଅନନ୍ତରେ ତୁମ୍ଭେ ଶୁଣ ମନ ଦେଇ

 

ଯେତେ ଯେତେ କଥାମାନ ସେଠାବରେ ହୋଇ l

 

ସୀତୟା ମୁଖକୁ ଚାହିଁ ରାମ ଆଜ୍ଞା ଦେଲେ

 

ଯହିଁ ଇଚ୍ଛା ତୁମ୍ଭର ଗୋ ଯାଅ ଯା ବୋଇଲେ l

 

ବରଷେ ରହିଲେ ସୀତା ରାବଣ ମନ୍ଦିରେ

 

କେମନ୍ତେ ଗ୍ରାହିର୍ଯ୍ୟ ମୁଁ ଗୋ କରିବି ତୁମ୍ଭରେ l

 

ତୁମ୍ଭର ନିମନ୍ତେ ଗୋ ମାଇଲି ଦଶାନନ

 

ଏ କଥା ରହିଲା ସଖୀ ଏ ତିନି ଭୁବନ l

 

ରାଜଗଣମାନେ ମୋତେ କହିବେକ ବାଛି

 

ଦୋଚାରୁଣୀ ଅଟଇ ସୀତୟା କମଳାକ୍ଷୀ

l ୨୧୫ l

 

 

ଏ ବଚନ ଶୁଣିଣ କହଇ ମନ୍ଦୋଦାରୀ

 

ଶୁଣ ଦେବ ଅଯୋଧ୍ୟା –ଠାକୁର ଦଣ୍ଡଧାରୀ l

 

ଯେତେ ଯେତେ କଥା ଦେବା ସୀତୟାକୁ କହି

 

ଅପ୍ରାଧରେ ତୁମ୍ଭର ଯେ ନାହିଁ ବଇଦେହୀ l

 

ମନ୍ଦୋଦାରୀ ବଚନେ ଶ୍ରୀରାମ ଆଜ୍ଞା ଦେଲେ l

 

ଜନ ମୁଖ ଧ୍ୱନି ଆନ କେ କରିବ ଭଲେ l

 

ଶ୍ରୀରାମ ନିରାଶ ବଚନ ସୀତା ଜାଣି

 

ବୋଲନ୍ତି ଶୁଣିମା ହେଉ ଦେବ ରଘୁମଣି l

 

ଯାହା ଆଜ୍ଞା ଦେବ ସ୍ଵାମୀ ସେ କଥା କରିବି

 

ଯେମନ୍ତେ ପରତେ ଯିବା ତାହା ବିଚାରିବେ

l ୨୨୦ l

 

 

ସୀତାର ବଚନେ ରାମ ଲକ୍ଷ୍ମଣକୁ କହି

 

ଶର ମାରି ଅଗ୍ନି ଜାତ କର ବେଗେ ତୁହି l

 

ଆଜ୍ଞା ପାଇ ଲକ୍ଷ୍ମଣ ଧଇଲେ ଧନୁଶର

 

ନାରାଚ ବିନ୍ଧିଲେ ଅଗ୍ନି ହୋଇଲା ବାହାର l

 

ଅଗ୍ନି ଦେଖ ମହା ସତୀ ଆନନ୍ଦ ହୋଇଲେ

 

ଆଦିତ୍ୟକୁ ଚାହିଁ ଦେବି ବଚନ ବୋଇଲେ l

 

ଋଷିକପି ଦୈତ୍ୟ ଆବର ମନ୍ଦୋଦାରୀ

 

ନାୟନରୁ ବହିଲା ଲୋତକ ଧାର ବାରି l

 

ଶ୍ରୀରାମ କୁ ଚାହିଁ ଣ ବୋଲନ୍ତି ସର୍ବଜନ

 

ଏତେ କୃତ୍ୟ କଲ କିମ୍ପା ଦେବ ରଘୁନାନ

l ୧୨୫l

 

 

ଦେଖି ରାମ ଲକ୍ଷ୍ମଣ ବହୁତ ଶୋକ କଲେ

 

କି ନିମନ୍ତେ ଏତେ କୃତ୍ୟ କଲଟି ବୋଇଲେ l

 

ରାମ ଶୋକ ଦେଖ ବ୍ରହ୍ମା ମନରେ ବିଚାର

 

ଶ୍ରୀରାମ ଚନ୍ଦ୍ରଙ୍କୁ ଚାଲ ଯିବା ବୋଧ କରି l

 

ବ୍ରହ୍ମା ଇନ୍ଦ୍ର ଦେବାଗଣ ଦଶରଥ ଆସି

 

ସୁବଲୟା ଗିରିରେ ଦେଖନ୍ତି ବ୍ରହ୍ମରାଶି l

 

ଦେଖି ଦେବଗଣ ଶିରେ ବେନି କର ଦେଲେ

 

ସ୍ତୁତି କରି ରାମ ପାଦେ ବହୁତ କହିଲେ l

 

ଭୋ ଦେବ ସୀତୟାପତି ହୁଅ ସାଦଧାନ

 

କି ନିମନ୍ତେ ସୀତୟାକୁ ଧର ଦୋଷ ମନ

l ୨୩୦ l

 

 

ଲକ୍ଷ୍ମୀ ଅବତାର ସୀତା ତୁମ୍ଭେ ନାରାୟଣ

 

ଛୁଇଁତେ ଗର୍ଜନ କି ସେ ଅଟଇ ରାବଣ

 

ସୀତା ନାମ ଧରି ଏବେ ଡାକ ରଘୁପତି

 

ଅଗ୍ନିରୁ ବାହାର ହେଉ ଜନକଦୁହିତୀ l

 

ବ୍ରହ୍ମା ଇନ୍ଦ୍ର ଦଶରଥ କହିଲେ ବଚନ

 

ଶୁଣି କରି ସାନନ୍ଦ ହୋଇଲେ ରଘୁନାନ l

 

ସୀତା ସୀତା ବୋଲି ଡାକେ ଦଶରଥ ବଚ୍ଛି

 

ଅଗ୍ନିରୁ ବାହାର ହୋଏ ସୀତା କମଳାକ୍ଷୀ l

 

ରାମଚନ୍ଦ୍ର ଆଗେ ସୀତା ହୋଇଲେକେ ଉଭା

 

ଶରଦଚନ୍ଦ୍ର ମା ପ୍ରାଏ ପାଉଅଛି ଶୋଭା

l ୨୩୫ l

 

 

ବ୍ରହ୍ମା ଇନ୍ଦ୍ରମୁଖ ଚାହିଁ ରାମ ଆଜ୍ଞା ଦେଇ

 

ସକଳ କଥାକୁ ଜ୍ଞାତା ଅଛ ତୁମ୍ଭେ ହୋଇ l

 

ଏତେ ମୋତେ ଦୟାକର ଚତୁର –ବଦନ

 

ସଂଗ୍ରାମେ ପଡିଲେ ମୋର ଲକ୍ଷ କପିମାନ l

 

ନିଜ କାୟା ପ୍ରାଣ ସେ ପାଇବେ ସର୍ବକାଳ

 

ବେନିଜନେ ଦୟାକର ବ୍ରହ୍ମା ଆଖଣ୍ଡଳ ।

 

ଶ୍ରୀରାମ ବଚନେ ବ୍ରହ୍ମା ଇନ୍ଦ୍ର ତୋଷ ହୋଇ

 

ଅମୃତ ସିଞ୍ଚିଲେ ଋକ୍ଷ କପି ପ୍ରାଣ ପାଇଁ

 

ଦୁଷ୍ଟ ପ୍ରାଣୀ ଯେତେକ ସକଳ ଗଲେ ନାଶ

 

ରାମ ଶରଘାତେ ତାଙ୍କୁ ସ୍ଵର୍ଗପୁରେ ବାସ

l୨୪୦l

 

 

ରାମଚନ୍ଦ୍ର ମୁଖ ଚାହିଁ ବ୍ରହ୍ମ କହୁଛନ୍ତି

 

ସାବଧାନେ ଶୁଣ ଦେବ ସୀତୟାର ପତି l

 

ରାବଣକୁ ଶରଘାତେ ତୁମ୍ଭେ କଲ ନାଶ

 

ସ୍ଵର୍ଗେ ଦେବାଗଣ ମାନେ ହୋଇଲୁ ଉଲ୍ଲାସ l

 

ଦୁଃଖ କଷ୍ଟ ସକଳ ଆମ୍ଭର ନାଶ କଲୁ

 

ନିର୍ଭୟ ଘେନି ଅଯୋଧ୍ୟା ପୁରକୁ ବିଜେ କର

 

ଶିରୁ ଜଟାଭାର ଦେବ ଉତାର ତୁମ୍ଭର l

 

ରାବଣ କଷ୍ଟରୁ ରାମ ତାରାଇ ଆମ୍ଭକୁ

 

ଆଜ୍ଞା ହୁଅ ଏବେ ଦେବ ଯିବୁ ଭୁବନକୁ

l ୨୪୫ l

 

 

ବ୍ରହ୍ମାର ବଚନେ ରାମ ତୋଷମନ ହୋଇ

 

ଯାଅ ବୋଲି ଆଜ୍ଞା ଦେଲେ ସୀତୟାର ସାଇଁ l

 

ଆଜ୍ଞା ପାଇ ବ୍ରହ୍ମା ଇନ୍ଦ୍ରଦେବ ଭୁବନକୁ ଗଲେ

 

ଦଶରଥ ସହିତେ ସେ ସ୍ୱର୍ଗରେ ମିଳିଲେ l

 

ଏଥୁ ଅନନ୍ତରେ ତୁମ୍ଭେ ଶୁଣ ମନ ଦେଇ

 

ଅଯୋଧ୍ୟାକୁ ବିଚାର କରନ୍ତି ରଘୁ ସାଇଁ l

 

ମନ୍ଦୋଦାରୀ ମୁଖ ଚାହିଁ ରାମ ଆଜ୍ଞା ଦେଲେ

 

ଲଙ୍କା ଭୁବନକୁ ତୁମ୍ଭେ ଯାଅ ଗୋ ବୋଇଲେ l

 

ଶ୍ରୀରାମ ଚରଣେ ଯାଇଁ ମନ୍ଦୋଦାରୀ ପଡି

 

ଉଠି ଉଭା ହୋଇଲେ ମସ୍ତକେ କର ଯୋଡି

l ୨୫୦ l

 

 

ସୀତୟା ନିମନ୍ତେ ଆଭରଣ ଆଣିଥିଲା

 

ଶ୍ରୀରାମ ଛାମୁରେ ମନ୍ଦୋଦାରୀ ନେଇ ଦେଲା l

 

ଦେଖି ରାମଚନ୍ଦ୍ର ମନ୍ଦୋଦରୀକୁ କହନ୍ତି

 

କି ନିମନ୍ତେ ସତୀ ଆଣିଅଚ୍ଛ ଗୋ ବୋଲନ୍ତି l

 

ଶୁଣି କର ଯୋଡି କହେ ମନ୍ଦୋଦାରୀ ରାଣୀ

 

ସୀତୟା ନିମନ୍ତେ ଦେବ ରତ୍ନ ଅଛି ଆଣି l

 

ମନ୍ଦୋଦାରୀ ବଚନେ ସନ୍ତୋଷ ରଘୁସାଇଁ

 

ମନ୍ଦିରକୁ ଯାଅ ବୋଲି ରାମ ଆଜ୍ଞା ଦେଇ l

 

ଶ୍ରୀରାମ ଆଜ୍ଞାରେ ମନ୍ଦୋଦାରୀ ଚାଲିଗଲା

 

ନାରୀଗଣ ସହିତେ ସେ ଲଙ୍କାରେ ମିଳିଲା

l ୨୫୫ l

 

 

ବିଭୀଷଣ ସୁଗ୍ରୀବକୁ ରାମ ଆଜ୍ଞା ଦେଇ

 

ବେଗେ ହୋଇ ଅଯୋଧ୍ୟା କେମନ୍ତେ ଆମ୍ଭେ ଯାଇ

 

ଶ୍ରୀରାମ ବଚନ ଶୁଣି କହେ ବିଭୀଷଣ

 

ସାବଧାନେ ଶୁଣ ଦେବ ଅଯୋଧ୍ୟା ରାଜନ l

 

ଘଡିକରେ ପୃଥିବୀ ଭ୍ରମଇ ଯେଉଁ ରଥ

 

ପୁଷ୍ପକ ବିମାନେ ବିଜେ କର ରଘୁନାଥ l

 

ଶୁକ ଯେ ସାରଣ ବେନି ମନ୍ତ୍ରୀଙ୍କୁ ଡକାଇ

 

ଲଙ୍କାଭୁବନକୁ ପୁଷ୍ପଯାନ ଆଣ ଯାଇଁ l

 

ବିଭୀଷଣ ଆଜ୍ଞାରେ ସେ ବେନି ମନ୍ତ୍ରୀ ଗଲେ

 

ଲଙ୍କା ଭୁବନରେ ଯାଇପ୍ରବେଶ ହୋଇଲେ

l ୨୬୦ l

 

 

ନାନା ଅଳଙ୍କାରେ ପୁଷ୍ପ ବିମାନ ମଣ୍ଡିଲେ

 

ଶ୍ରୀରାମ ଛାମୁରେ ରଥ ନେଇ ଯୋଗାଇଲେ

 

ଦେଖି ରଘୁପତି ଚିତ୍ତେ ହରଷ ହୋଇଲେ

 

ସୀତା କର ଧରି ଯାଇଁ ବିମାନେ ବସିଲେ l

 

ଲକ୍ଷ୍ମଣ ସୁଗ୍ରୀବ ବିଭୀଷଣ ଯୂଥପତି

 

ଋଷି କପି ଦଇତେ ସେ ସମସ୍ତେ ବସନ୍ତି l

 

ଶ୍ରୀରାମ ସୀତୟା ଯେତେବେଳେ ରଥେ ବସି

 

ବିମାନ ବିଚାରେ ମୋର ଗଲା ପାପରାଶି l

 

ଶ୍ରୀରାମ ଆଜ୍ଞା ପାଇ ବିମନ ଉଡ଼ିଲା

 

ଧୀର ଧୀର ହୋଇ ରଥ ଅକାଶେ ଉଠିଲା

l ୨୬୫ l

 

 

ଉତ୍ତର ଅଭିମୁଖେ ସେ ଚଳିଯାଇ ରଥ

 

ବିଜେ କରିଛନ୍ତି ଦଶରଥଙ୍କର ସୁତ l

 

ଶ୍ରୀରାମ ଛାମୁରେ ସୀତା ବିଜେ କରିଛନ୍ତି

 

ଯେତେ ଭାବେ ଯେଉଁ କଥା ରାମ ଆଜ୍ଞା ଦିଅନ୍ତି l

 

କବନ୍ଧ ରାକ୍ଷସ କଥା ଶବର ଶବରୀ

 

ସୁଗ୍ରୀବର ସଙ୍ଗେ ଭେଟ ମଇତ୍ର ଯେ କରି l

 

ବାଳିକି ମାଇଲେ ମାଲ୍ୟବନ୍ତରେ ରହିଲେ

 

ଯେତେ ଭାବ ଚାର ପେଷି ସୀତା ଠାବକଲେ l

 

ସେତୁବନ୍ଧ ବାନ୍ଧିଲେ ରାବଣ କଲେ ନାଶ

 

ସବୁକଥା ସୀତା ଆଗେ କହେ ପିତବାସ

l ୨୭୦ l

 

 

ଏମନ୍ତେ ଅକାଶମାର୍ଗ ବିମାନ ଚଳାଇ l

 

ଗଙ୍ଗା ନିକଟରେ ରଥ ହୋଇଲାକ ଯାଇ

 

ଭରଦ୍ଵାଜ ଋଷି ପୂର୍ଣ୍ଣଶାଳୀ ନିକଟରେ

 

ରଘୁନାଥ ଆଜ୍ଞା ଦେଲେ ରହି ଏହିଠାରେ

 

ଆଜ୍ଞା ପାଇ ବିମାନ ଆକାଶରୁ ଖସଇ

 

ଋଷିଙ୍କର ପୂର୍ଣ୍ଣଶାଳା ଦ୍ଵାରରେ ମିଳଇ l

 

ରଥରୁ ଉତୁରି ରାମ ମୁନିପାଶେ ଗଲେ

 

ପ୍ରଣାମ କରିଣ ଦଣ୍ଡବତରେ ଶୋଇଲେ l

 

ଉଠି ରାମଚନ୍ଦ୍ର ମୁନି ପାଖରେ ବସନ୍ତି

 

କଲ୍ୟାଣ କରନ୍ତି ମୁନି କୁଶଳ ପୁଚ୍ଛନ୍ତି

l ୨୭୫ l

 

 

ସୁଗ୍ରୀବର ବିଭୀଷଣ ଯୂଥପତି ଗଲେ

 

ନମସ୍କାର କରି ମୁନି ନିକଟେ ମିଳିଲେ l

 

ଋକ୍ଷ ସେ ରାକ୍ଷସ ସବୁ ଏକମେଳ ହୋଇ

 

ରହିଲେ ମୁନିର ପାଶେ ମହାସୁଖ ପାଇ l

 

ସକଳ ଚରିତ ମୁନି ରାମଙ୍କୁ ପୁଚ୍ଛନ୍ତି

 

ମୁନିଙ୍କର ପାଶେ ରାମ ସକଳ କହନ୍ତି l

 

ଯେମନ୍ତେ ପ୍ରକାରେ ଦଶଶିର ସୀତା ନେଲା

 

ସୁଗ୍ରୀବର ସଙ୍ଗେ ଯେତେ ଭାବେ ଭେଟ ହେଲା l

 

ବାଳିକି ମାଇଲେ ମାଲ୍ୟବନ୍ତ ରେ ରହିଲେ

 

ସୀତା ଠାବ କରି ହନୁ ବାରତା କହିଲେ

l ୨୮୦ l

 

 

ସେତୁବନ୍ଧ ବାନ୍ଧିଲେ ରାବଣ କଲେ ହତ

 

ମୁନିପାଶେ ସମସ୍ତ କହିଲେ ସୀତାକାନ୍ତ l

 

ଶୁଣିଣ ହରଷ ଚିତ୍ତ ହୋଇ ମୁନିବର ।

 

କେତେ ଚିତ୍ର ତୁମ୍ଭକୁ ଅଟଇ ରଘୁବୀର l

 

ଯାହା ଶରଘାତେ ତିନିପୁର ନାଶ ଯାଇ

 

ରାବଣ ଦଇତେ ତୋତେ କେତେ ମାତ୍ର ହୋଇ l

 

ଏମନ୍ତ କହିଣ ମୁନି ପୁଜାବିଧି କଲେ

 

ବିଧିମତେ ଅମୃତ ମଣୋହି ଆଣି ଦେଲେ l

 

ହରଷଚିତ୍ତରେ ସର୍ବେ ଭୋଜନ କରନ୍ତି

 

ମୁନିଙ୍କ ନିକଟେ ରାମ ସେ ଦିନ ରହନ୍ତି

l ୨୮୫ l

 

 

ଏଥୁ ଅନନ୍ତରେ ରାମ ହନୁମନ୍ତ ରାଇ

 

ଅଯୋଧ୍ୟାପୁରକୁ ତୁମ୍ଭେ ଯାଅ ବେଗ ହୋଇ ।

 

ଭୃତ୍ୟ ଶତ୍ରୁଘନଠାରେ କହିବ ବାରତ

 

କାଲି ପ୍ରଭାତୁ ବିକେ କରିବେ ସୀତାକାନ୍ତ l

 

ଗୃହ ନାମେ ଶବର ଆମ୍ଭର ମିତ୍ର ହୋଇ

 

ଶୃଙ୍ଗବେର ପୁର ତାଙ୍କ ଗୃହ ଅଛି ହୋଇ

l ୨୯୦ l

 

 

ସେଠାବରେ କହିବି ଅଯୋଧ୍ୟାପୁର

 

ମୋହର ଚରଣେ ଯାଇଁ ଦର୍ଶନ କରିବେ

 

ଆଜ୍ଞା ପାଇ ହନୁମନ୍ତ ଅକାଶେ ମିଳିଲା l

 

ଶୃଙ୍ଗବେର ପୁରେ ଯାଇଁ ପ୍ରବେଶ ହୋଇଲା

 

ଗୃହ ନାମେ ଶବର ସେ ଆଗରେ ପ୍ରବେଶ

 

ଶ୍ରୀରାମ ସନ୍ଦେଶ କହେ ପବନର ଶିଷ୍ୟ l

 

ଆଜ୍ଞା ପାଇ ଶବର ହୋଇଲା ତୋଷଚିତ୍ତ

 

ବାରତା କହିଣ ସେ ଚାଲିଲା ହନୁମନ୍ତ

 

ସୈନ୍ୟ ଘେନି ଗୃହ ନାମେ ଶବର ଚଳିଲା l

 

ଅଯୋଧ୍ୟା ଭୁବନେ ଯାଇ ପ୍ରବେଶ ହୋଇଲା l

 

ଆକାଶ ମାର୍ଗରେ ଗମେ ପବନର ସୁତ

 

ନନ୍ଦିଗ୍ରାମେ ପ୍ରବେଶ ହୋଇଲା ହନୁମନ୍ତ l

 

ଭ୍ରାତା ଶତୃଘନ ସଭା କରି ବସିଛନ୍ତି

 

ଲକ୍ଷେ ଲକ୍ଷେ ରାଜା ଉଭା ହୋଇଣ ଅଛନ୍ତି l

 

ଏମନ୍ତ ସମୟେ ହନୁ ପ୍ରବେଶ ହୋଇଲେ

 

ଭ୍ରାତ ଶତ୍ରୁଘନ ଦୁଇ ଭାଇଁକି ଦେଖିଲେ l

 

ଆଗେ ଉଭା ହୋଇ କହେ ପବନର ସୁତ

 

କାଲି ପ୍ରଭାତୁଁ ବିଜେ କରିବେ ରଘୁନାଥ l

 

ଶଣନ୍ତେ ସନ୍ତୋଷ ହୋଇ ଭ୍ରାତା ଶତୃଘନ

 

ଉଠି କୋଳ କଲେ ଯାଇ ବୀର ହନୁମାନ l

 

ହସ୍ତଧରି ହନୁକୁ ଭରତ ଧରି ନେଲେ

 

ପାଶରେ ବସାଇ ବୀର କୁଶଳ ପୁଚ୍ଛିଲେ l

 

କାହି ବିଜେ କରିଛନ୍ତି ସୀତୟାର ପତି

 

କହି ହନୁ ସତ ଚିତ୍ତ ହେଉ ମୋ ତୃପତି

l ୩୦୦ l

 

 

ଶୁଣି କରି କହଇ ସେ ବୀର ହନୁମାନ

 

ଭାରଦ୍ଵାଜ ଋଷିଙ୍କ ଆଶ୍ରମେ ରଘୁନାନ l

 

କାଲି ପ୍ରଭାତରେ ରାମ କରିବେ ବିଜୟେ l

 

ମୋତେ ଆଗେ ପେଶିଲେ ଶ୍ରୀରାମଚନ୍ଦ୍ର ରାଏ l

 

ଉଠି ଭ୍ରାତା ବୀର ଚିତ୍ତେ ହରଷ ହୋଇଲେ

 

ରତ୍ନ ଅଳଙ୍କାର ହନୁ ଶିରରେ ମଣ୍ଡିଲେ l

 

ମାତୃଗଣମାନେ ଶୁଣି ହରଷ ହୋଇଲେ

 

ବସ୍ତ୍ର ଅଳଙ୍କାର ହନୁ ପାଶେ ନେଇ ଦେଲେ l

 

ଏମନ୍ତେ ରଜନୀ ଆସି ହୋଇଲା ପ୍ରବେଶ

 

ନିଦ୍ରାରେ ବଞ୍ଚିଲେ ସେହୁ (କଏକୟା ) ଶିଷ

l ୩୦୫ l

 

 

ପ୍ରଭାତ ସମୟେ ବୀର ନିତ୍ୟକର୍ମ ସାରି

 

ଲକ୍ଷେ ରାଜା ଉଭା ହୋଇଛନ୍ତି ସଭାକରି l

 

ଭ୍ରାତା ଶତ୍ରୁଘନ ବେନି ଭାଇ ଉଭା ହୋଇ

 

ଶିରେ ଜଟାଭୋର ଅଙ୍ଗେ ବିଭୂତ ଅଛଇ l

 

ଏଥୁ ଅନନ୍ତରେ ତୁମ୍ଭେଶୁଣ ମନ ଦେଇ

 

ପ୍ରଭାତ ସମୟେ ରାମ ମୁନିପାଶେ ଯାଇ l

 

ମୁନିନକୀ ଦେଖିଣ ରାମ ନମସ୍କାର କଲେ l

 

ଆଜ୍ଞା ମାଗ ଯାଇଣ ବିମାନେ ବିଜେକଲେ l

 

ଋଷି ଯେ ରାକ୍ଷସ ଯାଇ ସମସ୍ତେ ବାସନ୍ତୀ

 

ବାଦ୍ୟନାଦ ବଜାଇ ସେ ଆନନ୍ଦ ହୁଅନ୍ତି

l ୩୧୦ l

 

 

ରାମ ଆଜ୍ଞା ପାଇ ରଥ ଅକାଶେ ଗମଇ

 

ଉତ୍ତରକୁ ମୁଖ କରି ସଧୀରେ ଚଳାଇ l

 

ଘଡିକେ ପ୍ରବେଶ ଯାଇଁ ଅଯୋଧ୍ୟା ଭୁବନେ

 

ଧୀରେ ଧୀରେ ଆକାଶରେ ଗମେ ପୁଷ୍ପଯାନ l

 

ହନୁମନ୍ତ କହଇ ଭରତ ମୁଖ ଚାହିଁ

 

ଆକାଶରେ ଗମେ ଭ୍ରାତା ଦେଖ ବୀର ତୁହି l

 

ହନୁମନ୍ତ ବଚନେ ଅକାଶେ ଦୃଷ୍ଟି ଦେଲେ

 

ରଥ ଦେଖି ସମତେ ହରଷ ଚିତ୍ତ ହେଲେ l

 

ଏମନ୍ତେ ବିମାନ ଆସି ପ୍ରବେଶ ହୋଇଲା

 

ନନ୍ଦଗ୍ରାମେ ସିଂହଦ୍ଵାର ଠାବରେ ରହିଲା

l ୩୧୫ l

 

 

ସୁଗ୍ରୀବର ବିଭୀଷଣ ଋକ୍ଷ ଯେ ବାନର

 

ଦୈତ୍ୟଗଣ ସହିତେ ସେ ହୋଇଲା ବାହାର l

 

ଋକ୍ଷକପି ଦତ୍ୟ ବଜାନ୍ତି ବାଦ୍ୟମାନ

 

ଦେଖନ୍ତି ହରଷ ଚିତ୍ତେ ଅଯୋଧ୍ୟା ଗଣ

 

ଶ୍ରୀରାମ ଲକ୍ଷ୍ମଣ ସୀତା ରଥୁଁ ବିଜେକରି

 

ଭ୍ରାତା ଶତ୍ରୁଘ୍ନ ଯାଇଁ ରାମ ପାଦ ଧରି l

 

କୋଳାଗ୍ରତ କରି ରାମ ଭାଇଙ୍କି ଧରନ୍ତି

 

ଭ୍ରାତା –ପାଦତଳେ ଯାଇଁ ଲକ୍ଷ୍ମଣ ପଡନ୍ତି l

 

କୋଳାଗ୍ରତ କରି ଭ୍ରାତା ଲକ୍ଷ୍ମଣଙ୍କୁ ଧରନ୍ତି

 

ଶତ୍ରୁଘନ ଲକ୍ଷ୍ମଣ ପାଦରେ ମାନ୍ୟ କରି

l ୩୨୦ l

 

 

ଭ୍ରାତା ଶତ୍ରୁଘ୍ନ ସୀତା ପାଦରେ ପଡିଲେ

 

ବେନି କରେ ବେନି ଭାଇ ବେନିଙ୍କି ତୋଳିଲେ l

 

କଏକୟା କୌଶଲ୍ୟା ସୁମିତ୍ରା ହିଁ ଗଲେ

 

ମାତାଙ୍କୁ ଦେଖିଣ ରାମ ନମସ୍କାର କଲେ l

 

ଶ୍ରୀରାମ ଲକ୍ଷ୍ମଣ ସୀତା କୋଳ କରି ଧରି

 

ମୁଖରେ ଚୁମ୍ବନ ଦେଇ ଆଶ୍ଵାସନା କରି l

 

ବିଭୀଷଣ ସୁଗ୍ରୀବର ଯୂଥ ପତିମାନ

 

ଭ୍ରାତା ଶତ୍ରୁଘନଙ୍କୁ କହିଲେ ରଘୁନାନ l

 

ସୁଗ୍ରୀ ବିଭୀଷଣ ଏଟି ବୋଲିଣ ବୋଇଲେ

 

ବିଧିମତେ ମାନ୍ୟ ଧର୍ମ ସମସ୍ତ ହେଁ କଲେ

l ୩୨୫ l

 

 

ଭ୍ରାତା ଶତ୍ରୁଘନ ଯାଇ କୋଳାଗ୍ରତ କଲେ

 

ନାନା କଥା ମାନ ତହିଁ କୁହାକୋହି ହେଲେ l

 

ଲକ୍ଷେ ରାଜା ଶ୍ରୀରାମ ଙ୍କ ଶ୍ରୀଚରଣେ ପଡି

 

ଉଠ ଉଭା ହୋଇଲେ ମସ୍ତକେ କର ଯୋଡ଼ି ।

 

ଏଥୁ ଅନନ୍ତରେ ରାମ ମନ୍ଦରେ ପ୍ରବେଶ

 

ଗୃହ ଦେଖି ମନରେ ହୁଅନ୍ତୁ ହସ ହସ

 

ରାଜ୍ୟଶଧ ଛାଡି ଭ୍ରାତା ମୋହରେ ଭକତି

 

ଦୁଃଖ ପାଇ ବଞ୍ଚିଲେ ହୋଇଣ ବେନି ଯତି

 

ଋଷିଙ୍କ ମନ୍ଦର ପ୍ରାଏ ଗୃହ ହୋଇଅଛି

 

ବହୁତ ଦୁଃଖ କଲେ ରଘୁବଛି l ୩୩୦ l

 

ଏଥୁ ଅନନ୍ତରେ ରାମ ନନ୍ଦଗ୍ରାମେ ରହି

 

ଭ୍ରାତା ଶତ୍ରୁଘନ ଫଳ ମୂଳ ମାନ ଦେଇ l

 

ସୁଗ୍ରୀବର ବିଭୀଷଣ ଯୂଥପତିମାନ

 

ଋଷି ଯେ ରାକ୍ଷସ ଆସି କରନ୍ତି ଭୋଜନ l

 

ହରଷ ହୋଇଣ ଚିତ୍ତେ ନନ୍ଦିଗ୍ରାମେ ରହି

 

ମୁଖରାବ ଶବଦେ ଉଛୁଳୁ ଅଛି ମହୀ

 

ସୁମନ୍ତ୍ର ମନ୍ତରିକି ଛାଇ ଭ୍ରାତା ଆଜ୍ଞା ଦେଲେ

 

ଅଭିଷେକ ବିଧିମାନ କରନ୍ତୁ ବୋଇଲେ l

 

ଚାର ପେଷି ଋଷି ବିପ୍ର ଅଣାଇ ଡକାଇ

 

ଅଯୋଧ୍ୟା ଭୁବନକୁ ମଣ୍ଡନ କର ଯାଇ

l ୩୩୫ l

 

 

ଭ୍ରାତା ଆଜ୍ଞା ପାଇ ମନ୍ତ୍ରୀ ବାହାର ହୋଇଲେ

 

ଯହିଁ କି ଯେମନ୍ତେ ବିଧି ଚାର ବରଗିଲେ l

 

ଋଷି ବିପ୍ରମାନେ ଆସି ହୋଇଲେ ପ୍ରବେଶ

 

ମଣ୍ଡଣି ହୋଇଲା ସେ ଅଯୋଧ୍ୟା ପୁର ଦେଶ l

 

ବାରସ୍ଵତୀ ଭୁବନ ପ୍ରାୟକ ଶୋଭା ପାଇ

 

ସୁବର୍ଣ୍ଣ କଳଶ ବସି ଚିରାଳ ଉଡଇ l

 

ନବରତ୍ନେ ପୁରମାନ ଶୋଭା ପାଉଅଛି

 

ଯହିଁ ବିଜେ କରିଛନ୍ତି ଦଶରଥବଛି l

 

ଚୁତ ତରୁମାନେ ଗୋ ଶୋଭନ୍ତି ଧାଡ଼ି ଧାଡ଼ି

 

ନାଟୀକାଳ ମାନ ଗୋ ବୃକ୍ଷରେ ଛନ୍ତି ଫଳ

l ୩୪୦ l

 

 

ବୃକ୍ଷମାନନଙ୍କର ଲତାମାନେ ବେଢ଼ିଛନ୍ତି

 

ନାନା ବର୍ଣ୍ଣ ପୁଷ୍ପ ଗୋ ଭ୍ରମର ଚୁମ୍ବୁଛନ୍ତି

 

ଯେଉଁଠାରେ ବିଜୟ କରିବେ ଭାବଗ୍ରାହୀ

 

ବୈକୁଣ୍ଠ ପ୍ରାଏକ ସେହି ସ୍ଥାନଟି ଅଟଇ l

 

ଚାନ୍ଦୁଆ ବାନ୍ଧନ୍ତି କାହିଁ ଚାମର ବାନ୍ଧନ୍ତି

 

ପୁଷ୍ପମାଳ ମାନ କ୍ରୋଣା ଖମ୍ବରେ ଲମ୍ବା

 

କେଉଁ ଠାରେ କଦଳୀ ଗୋ ବୃକ୍ଷମାନ ରୋଇ

 

କେଉଁଠାରେ ନୃତ୍ୟ ଗୀତା କରୁଛନ୍ତି ମିଳି

 

ବାଦ୍ୟନାଦ ଶବଦେ ଗୋ ପୃଥିବୀ ଉଛୁଳି

l ୩୪୫ l

 

 

ଅଭିଷେକ ଦ୍ରବ୍ୟମାନ ସମସ୍ତ ଥୋଇଲେ

 

ବିଧିମତେ ସୁମତ୍ର ଗୋ ସବୁ ଭିଆଇଲେ l

 

ବ୍ରହ୍ମ ଋଷି ଦେବଋଷି ରାଜ ଋଷି ଆସି

 

ଅଯୋଧ୍ୟା ଭୁବନେ ଗୋ ମିଳିଲେ ବ୍ରହ୍ମରାଶି

 

ସମସ୍ତ ଭିଆଇ ଗୋ ସୁମନ୍ତ୍ର ଚଳିଗଲା

 

ଭ୍ରାତା ଶତୃଘନ ପାଶେ ଯାଇଁ ଗୋ ମିଳିଲା l

 

କର ଯୋଡି କହଇ “ଶୁଣିମା “ମନ୍ତ୍ରୀ ବର

 

ସମସ୍ତ ଭିଆଣ ଦେବ ହେଇଲା ତୁମ୍ଭର l

 

ମନ୍ତ୍ରୀର ବଚନେ ଭ୍ରାତା ବୀର ଚାଲିଗଲେ

 

କର ଯୋଡି ରାମପାଶେ ଭରତ କହିଲେ

l ୩୫୦ l

 

 

ଭୋ ଦେବ ଅଯୋଧ୍ୟାପତି ହୁଅ ସାବଧାନ

 

ନିର୍ମଳ ସଉଚ ଦେବ କରିବା ବିଧାନ l

 

ଭରତ ବଚନେ ରାମଚନ୍ଦ୍ର ବିଜେକଲେ

 

ନିର୍ମଳ ଚିତାଚରମ ସମସ୍ତ ସରିଲେ l

 

ଭରତ ଲକ୍ଷ୍ମଣ ଶତ୍ରୁଘନ ବେନିଭାଇ

 

ସୀତୟା ସହିତେ ଗୋ ମାଜଣାଦି ହୋଇ

 

ବସ୍ତ୍ର ଅଳଙ୍କାର ରାମ ଭୂଷଣ ହୋଇଲେ

 

ପାତ୍ରମନ୍ତ୍ରୀମାନେ ଯାଇ ପ୍ରବେଶ ହୋଇଲା l

 

ଜାବାଳି ବଶିଷ୍ଠ ଗୋ କାଶ୍ୟପ ଋଷି କହି

 

ଅଯୋଧ୍ୟାପୁରକୁ ବିଜେ କର ରଘୁସାଇଁ

l ୩୫୫ l

 

 

ବଚନେ ରାମଚନ୍ଦ୍ର ଉଭା ହୋଇ

 

ସୁମନ୍ତ ଗୋ ଜଗାଇଲେ ନେଇ l

 

ଶ୍ୱେତ ଅଶ୍ଵ ସୁମନ୍ତ୍ର ଗୋ ଜଗାଇଲେ ନେଇ ।

 

ଅଶ୍ୱ ଚଢ଼ି ରାମଚନ୍ଦ୍ର ବିଜୟ କରନ୍ତି

 

ଭ୍ରାତା ଶତ୍ରୁଘନ ତାଙ୍କ ପଛରେ ଅଛନ୍ତି

 

ହାନ୍ଦୋଳା ଚଢ଼ିଣ ସୀତା ହୋଇଲେ ବାହାର

 

ମାତୃଗଣ ସହିତେ ଚଳନ୍ତି ଧୀର ଧୀର l

 

ସୁଗ୍ରୀବର ଯୂଥପତି ଅଶ୍ଵ ଆରୋହିଲେ

 

ବିଭୀଷଣ ହସ୍ତୀ ଚଢ଼ି ବାହାର ହୋଇଲେ l

 

ଲକ୍ଷେ ରାଜା ବାହାନ ଚଢ଼ିଣ ଆଗ ହୋଇ

 

ଛତ୍ର କେହୁ ଚାମର କେ ଧରଛନ୍ତି ରହି

l ୩୬୦ l

 

 

ହନୁମନ୍ତ ଅଙ୍ଗଦ ହସ୍ତୀର କନ୍ଧେ ବସି

 

ଜାମ୍ବବାନ ନଳ ନୀଳ ସୁଷେଣ ଯେ ଆସି l

 

ଗୃହ ନାମେ ଶବର ଶ୍ରୀରାମ ପାଶେ ଅଛି

 

ଅଯୋଧ୍ୟା ଭୁବନେ ବିଜେ ଦଶରଥ ବଛି l

 

ରତ୍ନ ସିଂହସନେ ବିଜେ କୌଶଲ୍ୟା ସୁତ

 

ବାମପାଶେ ବସିଛନ୍ତି ଜନକ ଦୁହିତ l

 

ଯୂଥପତି ଘେନି ସୁଗ୍ରୀବର ଉଭା ହୋଇ

 

ବିଭୀଷଣ ଚାମର ଢାଲଇ ଉଭା ହୋଇ l

 

ଛତ୍ର ଧରି ଲଇକ୍ଷଣ ହୋଇଅଛି ଉଭା

 

ଦେଖନ୍ତି ଶ୍ରୀରାମଚନ୍ଦ୍ର ଦିଶୁଛନ୍ତି ଶୋଭା

। ୩୬୫ l

 

 

ଭ୍ରାତା ଶତ୍ରୁଘ୍ନ ଛୁରିଖଣ୍ଡି (?) ଘେନିଛନ୍ତି

 

ରାମ ପାଦତଳେ ହନୁମନ୍ତ ବସିଛନ୍ତି l

 

ବଶିଷ୍ଠ କାଶପ୍ୟ ଆଦି ଯେତେ ତପୋବନ୍ତେ

 

ଦେବଋଷି ବ୍ରହ୍ମଋଷି ଜାବାଳି ସହିତେ l

 

ଅଭିଷେକ ବିଧି ଆଣି ସୁମନ୍ତ୍ର ଥୋଇଲେ

 

ବ୍ରହ୍ମା ଇନ୍ଦ୍ର ଦେବଗଣ ସମସ୍ତେ ମିଳିଲେ l

 

ଶ୍ରୀରାମର ଅଭିଷେକ ବିଧି ହେଉଅଛି

 

ବଶିଷ୍ଠ କାଶ୍ୟପ ବ୍ରହ୍ମ କାଶ୍ୟପଙ୍କ ବାଣୀ

 

ମନ୍ତ୍ର ପଢ଼ି ଅଭିଷେକ ବିଧି କରୁଛନ୍ତି

 

ଆଶ୍ରୀବାର୍ଦ ତପୋବନ୍ତ ଶିରେ ଦେଉଛନ୍ତି l

 

ତଣ୍ଡୁଳ ପଦନ୍ତେ ହନୁମନ୍ତ ଗ୍ରାସ କରି

 

ଲକ୍ଷ୍ମଣ ନୟନେ ଆସି ନିଦ୍ରାବତୀ ଘାରି l

 

ହସ ହସ ହୋଇଲେ ଲକ୍ଷ୍ମଣ ମହାଯତି

 

ମନରେ ଶ୍ରୀରାମ ଚନ୍ଦ୍ର ବିଚାର କରନ୍ତି l

 

ସୀତୟା ଚିତ୍ତରେ ମହା ମନଦୁଃଖ ହୋଇ

 

ହନୁମନ୍ତ ଋଷିଏ ବିଚାର କଲେ ଚାହିଁ l

 

ଲକ୍ଷ୍ମଣ ମୁଖକୁ ଚାହିଁ ରାମ ଆଜ୍ଞା ଦେଲେ

 

କି ନିମନ୍ତେ ହସିଲ କହିବାଟି ବୋଇଲେ l

 

ଶ୍ରୀରାମ ବଚନ ଶୁଣି କହଇ ଲକ୍ଷ୍ମଣ

 

ସାବଧାନେ ଶୁଣ ଦେବ ରଘୁକୁଳ ରାଣ

l ୩୭୫ l

 

 

ଯେତେବେଳେ ବନବାସ ହୋଇଲା ତୁମ୍ଭର

 

ନୟନରେ ନିଦା ଆସି ଘାରିଲା ମୋହର l

 

ସ୍ତୁତିକରି ନିଦ୍ରାବତୀ ପାଶରେ କହିଲି

 

ବନବାସେ ନିଦ୍ରା ମୋତେ ନ ଘାର ବୋଇଲି l

 

ମୋହର ବଚନେ ନିଦ୍ରାବତୀ ତୋଷଗଲା

 

ଏତେବେଳେ ଆସି ଦେବ ନୟନେ ଘାରିଲା l

 

ବିଚାରିଲି ବନସ୍ତେ ପାଇଲି ଏତେ ଦୁଃଖ

 

ରାମଚନ୍ଦ୍ର ଅଭିଷେକ ଦେଖିବହିଁ ସୁଖ l

 

ଲକ୍ଷ୍ମଣ ବଚନେ ରାମ ତୃପତି ହୋଇଲେ

 

ମନେ ଯେତେ ଭ୍ରାନ୍ତି ଥିଲା ସବୁ ଦୂର କଲେ

l ୩୮୦ l

 

 

ଏଥୁ ଅନନ୍ତରେ ରାମ ଅଭିଷେକ ସାରି

 

ଶ୍ରୀରାମ ବ୍ରହ୍ମାର ରତ୍ନ ଆଭରଣ କରି l

 

ଇନ୍ଦ୍ର ଅଳଙ୍କାର ମାନ ଆଣି ଦେଲେ

 

ଅକ୍ଷତ କରିଣ ରାମ ପାରୁଶରେ ଦେଲେ l

 

ବିଭୀଷଣ ସୁଗ୍ରୀବର ଯୂଥପତିମାନ

 

ନିଉଛାଳ କରନ୍ତି ଦେଖନ୍ତି ସର୍ବଜନ l

 

ରାଜାଗଣ ମାନ ଯେ ଅକ୍ଷତ ଆଣିଦେଲେ

 

ବ୍ରହ୍ମା ରାମଚନ୍ଦ୍ରଙ୍କୁ ସେ ବନ୍ଦାପନ୍ଦା କଲେ l

 

ଋଷି ବିପ୍ରମାନେ ବିଦା ପାଇକରି ଗଲେ

 

ଯେ ଯାହା ମନ୍ଦରେ ଯାଇ ପ୍ରବେଶ ହୋଇଲେ

l ୩୮୫ l

 

 

ବିଭୀଷଣ ସୁଗ୍ରୀବକୁ ରାମ ଆଜ୍ଞା ଦେଲେ

 

ବସ୍ତ୍ର ଅଳଙ୍କାରମାନ ଆଭରଣ କଲେ l

 

ଆଜ୍ଞା ପାଇ ସୁଗ୍ରୀବର ବିଭୀଷଣ ଗଲେ

 

*ଇସ୍କିଦ୍ଧାରେ ଲଙ୍କାପୁରେ ପ୍ରବେଶ ହୋଇଲେ l

 

ଏଥୁ ଅନନ୍ତରେ ରାମ ନବରେ ପ୍ରବେଶ

 

କଉଶଲ୍ୟା ସୁମିତ୍ରା କକୟା ଆସି ପାଶ l

 

ବନ୍ଦାପନ୍ଦା କରନ୍ତି ହରଷ ଚିତ୍ତ ହୋଇ

 

ରାଜା ଗୋବିନ୍ଦାଇ ରାମ ପଦ୍ମପାଦେ ଧାଇ l

 

ରାମ ମୋର ପିତା ମାତା ରାମ ମୋର ବନ୍ଧୁ

 

ଦୁଃସହ ଦୁର୍ଗତ ତ୍ରାହି କର ଜଗବନ୍ଧୁ

l ୩୯୦ l

 

 

ଏ ମାୟା ଅନ୍ଧକାର ଋ ମୋତେ ପାରିକର

 

ରାଜା ଗୋବିନ୍ଦାଇ ରାମ ଶରଣ ତୁମ୍ଭର

l ୩୯୧ l

 

ସମାପ୍ତ